ଅସାମାଜିକ ତତ୍ତ୍ୱଙ୍କୁ ସାବାଡ଼ କରିବାକୁ ପୋଲିସର ସ୍ପେଶାଲ ଡ୍ରାଇଭ୍

ଭୁବନେଶ୍ୱର: ଶାନ୍ତି ଶୃଙ୍ଖଳାର ସହ ପୌର ନିର୍ବାଚନ ପରିଚାଳନା ଓ ଅସାମାଜିକ ତତ୍ତ୍ୱଙ୍କୁ ସଜାଡ଼ିବାକୁ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ । କେଉଁଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଛି ତ ଆଉ କେଉଁଠି ନିଶାଡିଙ୍କୁ ହଟାଇବାକୁ ଚାଲିଛି ପ୍ରୟାସ । ଆଜି ଲୟଲା ସ୍କୁଲ ନିକଟରୁ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ଆଡିସନାଲ ଡିସିପି, ସମସ୍ତ ଏସିପି ଓ ଥାନାଧିକାରୀ ସାଲିଆ ସାହି ଭିତରେ ପଇଁତରା ମାରିଥିଲେ ।

ରାସ୍ତାଘାଟରେ ଅଯଥା ଭିଡ଼ ନଜମାଇବାକୁ ଲୋକଙ୍କୁ ବୁଝାଇଥିଲେ । ସେହିପରି ଖଟି ନକରି ନିଜ ନିଜ ଘରେ ରହିବାକୁ ଯୁବ ବର୍ଗଙ୍କୁ ପରାମର୍ଶ ଦେଇଥିଲେ । ଆଗକୁ ପୋଲିସର ଏହି ଭଳି କାର୍ଯ୍ୟକଳାପ ଜାରି ରହିବ ବୋଲି କହିଛନ୍ତି ପୋଲିସ ଡିସିପି ।

ସୂଚନା ଯୋଗ୍ୟ ଯେ, ପୌର ନିର୍ବାଚନକୁ ନଜରରେ ରଖି ପୋଲିସର କିଛି ଦିନ ପୂର୍ବରୁ ହିଁ ଧରପଗଡ଼ ଆରମ୍ଭ କରିଦେଇଛି । ରାସ୍ତା ଉପରେ ସର୍ବସାଧାରଣ ସ୍ଥାନରେ ମଦ ପିଉଥିବା ଲୋକଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଛି କମିଶନରେଟ୍ ପୋଲିସ । ଭୁବନେଶ୍ୱରର ଖୋଲା ସ୍ଥାନରେ ମଦ୍ୟପାନ ଓ ବିଭିନ୍ନ ଖଟିରେ ଚଢ଼ାଉ କରି ପ୍ରାୟ ୨୦୦ ମଦୁଆଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରିଛି କମିଶନରେଟ୍ ପୋଲିସ । ୬୮ ଖଟିରେ ଚଢ଼ାଉ କରି ୧୨ ଖଟିକୁ ଭାଙ୍ଗିଲା ପୋଲିସ । ଖଟି କରୁଥିବା ୯୨ ଜଣଙ୍କ ଠାରୁ ୫୦୦ ଟଙ୍କା ଲେଖିଏ ଜରିମାନା ଆଦାୟ କରିଛି ପୋଲିସ । ନିର୍ବାଚନ ସମୟରେ କୌଣସି ହିଂସାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଚେୟାରମ୍ୟାନ୍ ଓ ମେୟର ପଦବୀ ପାଇଁ ମୋଟ ୬୯୩ ଜଣଙ୍କ ନାମାଙ୍କନ ଦାଖଲ