ଆଜି ଅନ୍ତର୍ଜାତୀୟ ମହିଳା ଦିବସ, ବାଲୁକା କଳାରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ

1 min read

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବାକୁ ଏହି ଦିନ ପାଳନ କରାଯାଏ । ଏହାଛଡ଼ା ମହିଳାଙ୍କର ଉପଲବ୍ଧିକୁ ସର୍ବସାଧାରଣରେ ପ୍ରୋତ୍ସାହନ ଦେବା ଆଜି ଦିନର  ମୁଖ୍ୟ ଉଦ୍ଦେଶ୍ୟ । ପ୍ରଥମେ ଆମେରିକାରେ ୨୮ ଫେବୃଆରୀ ୧୯୦୯ରେ ଏହି ଦିନକୁ ମହିଳା ଦିବସ ଭାବରେ ପାଳନ କରାଯାଉଥିଲା । ସେତେବେଳେ ଏହା କେବଳ ଆମେରିକାରେ ହିଁ ସୀମିତ ଥିଲା । ଏହାପରେ ୧୯୧୦ ମସିହାରେ ଏହି ଦିବସକୁ ମାନ୍ୟତା ମିଳିଥିଲା । ମହିଳାମାନଙ୍କୁ ଭୋଟର ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ ରହିଥିଲା । ୧୯୧୭ ମସିହାରେ ସୋଭିଏତ୍ ୟୁନିଅନ୍ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିଥିଲା । ମିଳିତ ଜାତିସଂଘ ୧୯୯୬ ମସିହାରୁ ଏକ ବିଶେଷ ଥିମ୍ ସହିତ ଅନ୍ତର୍ଜାତୀୟ ମହିଳା ପାଳନ କରିବା ଆରମ୍ଭ କରିଥିଲା ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଲୁକା କଳା ମାଧ୍ୟମରେ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ମହିଳା ଦିବସ ଉପଲକ୍ଷେ କଳାକୃତି ନିର୍ମାଣ କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରଛାତ୍ରୀ । ସେପଟେ ବାଲୁକା ଶିଳ୍ପୀ ମାନସ ସାହୁ ମଧ୍ୟ ପୁରୀ ଲାଇଟ ହାଉସ ବେଳାଭୂମିରେ ମହିଳା ଦିବସ ଅବସରରେ କଳାକୃତି ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି ।