ଚେୟାରମ୍ୟାନ୍ ଓ ମେୟର ପଦବୀ ପାଇଁ ମୋଟ ୬୯୩ ଜଣଙ୍କ ନାମାଙ୍କନ ଦାଖଲ

ରାଜ୍ୟର ୧୦୯ଟି ପୌରାଞ୍ଚଳରେ ନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି  । ପ୍ରାର୍ଥୀମାନେ ନିଜ ସମର୍ଥକଙ୍କ ସହ ପଟୁଆରରେ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି  । ଆଜି ଶେଶଦିନରେ ଯାଜପୁର, ବାଲେଶ୍ବର ଏବଂ ଜୟପୁରରେ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଅନେକ ହେଭିଓ୍ବେଟ ନାମାଙ୍କନ ଭରିଛନ୍ତି  । ସମସ୍ତ ପୌରାଞ୍ଚଳରେ ଖରାର ତାତିଠାରୁ ରାଜନୈତିକ ତାତି ବେଶି ଅନଭୂତ ହୋଇଥିଲା । ସାରା ରାଜ୍ୟରେ ଚେୟାରମ୍ୟାନ୍ ଓ ମେୟର ପଦବୀ ପାଇଁ ମୋଟ ୬୯୩ ଜଣ ଓ କାଉନସିଲର ଏବଂ କର୍ପୋରେଟର ଆସନ ପାଇଁ ୬୪୫୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।

ଶେଷ ହେଲା ପୌର ନିର୍ବାଚନ ପାଇଁ ନାମାଙ୍କନ । ପ୍ରାର୍ଥିପତ୍ର ଦାଖଲେ କଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ଖରାକୁ ଖାତିର ନକରି ବିରାଟ ବିରାଟ ପଟୁଆରରେ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ରୋଡ୍‌ ଶୋ ବେଳେ ଜିନ୍ଦାବାଦ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ପରିବେଶ  । ବାଲେଶ୍ବର ପୌର ପରିଷଦ ଅଧ୍ୟକ୍ଷ ପାଇଁ ବିଜେଡି ପକ୍ଷରୁ ନାମାଙ୍କନ ଭରିଛନ୍ତି ସବିତା ସାହୁ । ଭଦ୍ରକ ପୌର ପାଳିକା ପାଇଁ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ସମିତା ମିଶ୍ର ବି ଶେଷଦିନରେ ନାମାଙ୍କନ କରିଛନ୍ତି । ଯାଜପୁର ପୌର ପାଳିକାର ୧୮ଟି ୱାର୍ଡ ଓ ପୌରାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ । ବିଜେଡି ପକ୍ଷରୁ ପୌରାଧ୍ୟକ୍ଷା ପ୍ରାର୍ଥୀ ଭାବେ ରଞ୍ଜୁଲତା ହୋତା ନାମଙ୍କନ ଭରିଛନ୍ତି  । କାଳୀମେଘାଠାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା ପରେ ପଟୁଆରରେ ଯାଇ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାର ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀ ସଙ୍ଗୀତା ପିଙ୍ଗୁଆ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି । ସୁନ୍ଦରଗଡ଼ ମୁନିସିପାଲଟି ପାଇଁ ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ରଞ୍ଜନା ପଣ୍ଡା ନାମାଙ୍କନ କରିଛନ୍ତି ।

ଜୟପୁର ପୌର ପରିଷଦ ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ସୂର୍ଯ୍ୟ ନାରାୟଣ ରଥ ନାମାଙ୍କନ ପତ୍ର ଦାଖଲ କରିଛନ୍ତି  । ନବରଙ୍ଗପୁର ପୌର ପରିଷଦ ଅଧ୍ୟକ୍ଷ ପାଇଁ ବିଜେଡି ପକ୍ଷରୁ ଭୀମ ହରିଜନ ନାମାଙ୍କନ ଭରିଛନ୍ତି । ଏହି ପୌର ପରିଷଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ବି ପ୍ରାର୍ଥୀ ପଟୁଆରେ ୟାଇ ନାମାଙ୍କନ କରିଛନ୍ତି ।  ଢେଙ୍କାନାଳ ଭୁବନରେ ବିଜୁ ଜନତା ଦଳର ଅଧ୍ୟକ୍ଷ ପ୍ରାର୍ଥୀ ଶୁଭେନ୍ଦୁ ସାହୁ ନୋମିନେସନ କରିଛନ୍ତି  । ବିଜେଡି, କଂଗ୍ରେସ ଓ ବିଜେପି ସହ ଅନ୍ୟ ଦଳ ଏବଂ ସ୍ବାଧୀନ କାଉନସିଲର, କର୍ପୋରେଟର, ଅଧ୍ୟକ୍ଷ ତଥା ମେୟର ପ୍ରାର୍ଥୀମାନେ ନାମଙ୍କନ ଭରିଛନ୍ତି ।