spot_img
Home Blog Page 4657

ଗାନ୍ଧିଜୀଙ୍କ ରାସ୍ତାରେ ସରପଞ୍ଚ ପ୍ରାର୍ଥୀ: ଖାଲି ପାଦରେ ଯାଇ କରୁଛନ୍ତି ଭୋଟ ଭିକ୍ଷା

ଯାଜପୁର: ସ୍ବାଧୀନତା ସଂଗ୍ରାମୀଙ୍କ ଗାଁରେ ଗାନ୍ଧିଜୀଙ୍କ ଭକ୍ତ । ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ସ୍ବାଧୀନତା ସଂଗ୍ରାମୀଙ୍କ ପୁଅ ଧନଞ୍ଜୟ ତ୍ରିପାଠୀ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଖାଲି ପାଦକୁ ଦେହରେ ଲୁଗା ଓ ଗାମୁଛା । ନିରାଡମ୍ବର ଭାବେ ଯାଇ ବଡଚଣା ବ୍ଲକ ବାଲିପଡ଼ିଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଧନଞ୍ଜୟ । ସ୍ବାଧୀନତା ସଂଗ୍ରାମୀ ବୃନ୍ଦାବନ ତ୍ରିପାଠୀଙ୍କ ପୁଅ ହେଉଛନ୍ତି ଧନଞ୍ଜୟ ।

ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶକୁ ପାଥେୟ କରି ଦୁର୍ନୀତି ମୁକ୍ତ ଆଦର୍ଶ ପଞ୍ଚାୟତ ଗଠନ କରିବା ଲକ୍ଷ୍ୟ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହିଛନ୍ତି ଧନଞ୍ଜୟ । ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ନିଜ ପାରମ୍ପରିକ ପୋଷାକ ପିନ୍ଧି ଗାଁରେ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ପରିଚିତ ବାଲିପଡ଼ିଆ ପଂଚାୟତର ଲୋକଙ୍କ ମତାମତ ନେଇ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା କହିଛନ୍ତି ।

ମରଣ ମୁହଁରୁ ଫେରିଲା ଶିଶୁ

ସୋର: ଛଳଛଳ ଆଖି । ଅସହାୟ ଚେହେରା । ବିକଳରେ ଚାହୁଁଛି ଏତେତେଣେ । କେଉଁଠି ଅଛି ମୋ ମାଆ । ଏବେ ଦୌଡ଼ି ଆସି ମୋତେ କୋଳାଇ ନେବ । ହେଲେ ନା ମାଆ ଆସୁଛି, ନା ପିଲାଟି ନିଜ ପରିବାର ସମ୍ପର୍କରେ କିଛି କହି ପାରୁଛି । ଏ ହେଉଛି ସୋର ବସ୍ ଦୁର୍ଘଟଣାରେ ମରଣ ମୁହଁରୁ ବର୍ତ୍ତି ଯାଇଥିବା ଏକ କୋମଳମତି ଶିଶୁର କାହାଣୀ । ମେଡିକାଲ ପରିସରରେ ବସି ସମସ୍ତଙ୍କ ମୁହଁକୁ ଚାହୁଁଛି ।  ଆଶା ଗୋଟିଏ କେହି ତା’ ମାଆ ସମ୍ପର୍କରେ କିଛି ସୂଚନା ଦେବ । ପିଲାଟିକୁ ଦେଖି ଦେଖଣାହାରୀଙ୍କ ହୃଦୟ ମଧ୍ୟ ଫାଟି ପଡୁଛି ।

ଦୁର୍ଘଟଣାରେ ଜଣେ ଶିଶୁ ସହ ୬ ଜଣଙ୍କ ମୃତ୍ୟୁ ଘଟିଛି । ହେଲେ ଭଗବାନଙ୍କ ଅପାର କୃପାରୁ ଦୁର୍ଘଟଣାରେ ମରଣକୁ ଆଖି ଆଗରେ ଦେଖି କାଳକୁ ପରାସ୍ତ କରି ଜୀବନ୍ତ ଫେରି ଆସିଛି ଶିଶୁଟି ।

ପିଲାଟି ଘରର ପରିଚୟ ଦେଇ ପାରୁନି କି ବାପାଙ୍କ ନାଁ କହି ପାରୁନି । କେବଳ ଅସ୍ପଷ୍ଟ ସ୍ବରରେ ମାଆ ସହ ଆସିଥିବା କହୁଛି । ତେବେ କେଉଁଠୁ ଆସିଛି, କେଉଁଠିକୁ ଯାଉଥିଲା ତାହା ମଧ୍ୟ କହି ପାରୁନି । ବାପାମାଆଙ୍କ ସହ ଘରୁ ବସରେ ଆସିଥିବା କହିଛି । ଏମିତି ସ୍ଥିତିରେ ପିଲାଟିର ପରିଚୟ ମିଳିପାରୁନାହିଁ । ବାପାମାଆଙ୍କର ମଧ୍ୟ କୌଣସି ସୂଚନା ମିଳିପାରିନି ।

ପେଟ୍ରୋଲ ଖର୍ଚ୍ଚରୁ ମୁକ୍ତି ଦେବ ଏହି ଇଲେକ୍ଟ୍ରିକ୍ ବାଇକ୍

ନୂଆଦିଲ୍ଲୀ: ପେଟ୍ରୋଲ ଦର ବଢ଼ି ଚାଲିଥିବା ବେଳେ ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ବଢ଼ୁଛି । ଇଲେକ୍ଟ୍ରିକ୍ ସ୍କୁଟର ଭଳି ଏବେ ଲୋକଙ୍କ ଡିମାଣ୍ଡରେ ଇଲେକ୍ଟ୍ରିକ୍ ବାଇକ୍ । ଆସନ୍ତା ସପ୍ତାହରେ ବଜାରକୁ ଆସିବାକୁ ଯାଉଛି ଟର୍କ କ୍ରାଟୋସର ଇଲେକ୍ଟ୍ରିକ୍ ମଟର ସାଇକେଲ୍ । ଅନ୍ୟପଟେ ରିଭଲ୍ଟ ଆରଭି ୪୦୦ର ବିକ୍ରି ଜୋରଦାର ହେଉଛି । ଯଦି ଆପଣ ଇଲେକ୍ଟ୍ରିକ୍ ବାଇକ୍ କିଣିବାକୁ ଯାଉଛନ୍ତି ତ ଜାଣିନିଅନ୍ତୁ ଲୋକପ୍ରିୟ ବାଇକ୍ ଓ ଦାମ ସମ୍ପର୍କରେ… ।

Best Electric Motorcycles Revolt RV400 Revolt RV300

ବଜାରରେ ଚର୍ଚ୍ଚାରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ହେଉଛି ରିଭଲ୍ଟ ଆରଭି ୪୦୦ । ଏହାର ଏକ୍ସ ସୋ ରୁମ୍ ଦର ୯୦ ହଜାର ୭୯୯ ଟଙ୍କା ରହିଛି । ଏହା ଗୋଟିଏ ଥରେ ଚାର୍ଜରେ ୧୫୦ କିଲୋମିଟର ଯାଏ ଚାଲିପାରିବ । ସେହିଭଳି ରିଭଲ୍ଟ ଆରଭି ୩୦୦ର ଦାମ ୯୪ ହଜାର ୯୯୯ ଟଙ୍କା ରହିଛି । ଏହା ଥରେ ଫୁଲ୍ ଚାର୍ଜ ହେଲେ ୧୮୦ କିଲୋମିଟର ଯାଏ ଯାଇପାରିବ ।

ଏହାଛଡ଼ା ବଜାରରେ ଓଡ଼ିଶୀ ଇଲେକ୍ଟ୍ରିକ୍ ଇଭୋକ୍ୱିସ୍ ଭଳି ଦାମୀ, ଆକର୍ଷଣୀୟ ବାଇକର ବିକଳ୍ପ ରହିଛି । ଏହାର ଏକ୍ସ ସୋ ରୁମ୍ ଦର ୧ ଲକ୍ଷ ୬୪ ହଜାର ଟଙ୍କା ରହିଥିବା ବେଳେ ଥରେ ଚାର୍ଜରେ ଏହା ୧୪୦ କିଲୋମିଟର ଯାଏ ଯାଇ ପାରିବ । ଅଧିକ ସ୍ପିଡ୍ ଓ ବେଶୀ ମାଇଲେଜ୍ ଦେଉଥିବା ଇଲେକ୍ଟ୍ରିକ୍ ବାଇକ୍ ରହିଛି ।

ସୋର ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ସୋର ବସ୍ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ମୃତକଙ୍କ ପରିବାର ପାଇଁ ୨ ଲକ୍ଷ ଲେଖାଏଁ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଵ୍ୟକ୍ତିଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସୋମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନାଯୋଗ୍ୟ, ବସଟି ଉଦଳାରୁ ଭୁବେନଶ୍ବର ଆସୁଥିବା ବେଳେ ସୋର ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସରୁ ଯାତ୍ରୀ ଓହ୍ଲାଉଥିବା ବେଳେ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା । ଦୁର୍ଘଟଣାରେ ଏକ ଶିଶୁ ସହ ୬ ଜଣଙ୍କ ମୃତ୍ୟୁ ଘଟିଛି । ୨୫ରୁ ଅଧିକ ଯାତ୍ରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ବ୍ୟୁଟି ପାର୍ଲର ମାଲିକାଣୀଙ୍କଠାରୁ କୋଟିଏରୁ ଅଧିକ ଟଙ୍କାର ଠକେଇ

ବାରିପଦା: ବ୍ୟୁଟି ପାର୍ଲର ଉପରେ ଠକଙ୍କ ନଜର । ପାର୍ଲର ମାଲିକାଣୀ ଓ ବିୟୁଟିସିଆନଙ୍କୁ ହାତ କରି ଠକିଲେ କୋଟିଏରୁ ଅଧିକ ଟଙ୍କା । ଏମିତି ଏକ ଠକେଇର ମାଷ୍ଟର ମାଇଣ୍ଡକୁ ବାରିପଦା ଓ ବାଲେଶ୍ବର ପୋଲିସ ମିଳିତ ଭାବେ ଧରିଛନ୍ତି । ଠକ ଜଣଙ୍କ ହେଲେ ସୀତାକାନ୍ତ ମହାପାତ୍ର । ବ୍ୟୁଟି ପାର୍ଲର ସାମଗ୍ରୀ ଦେବା ନାଁରେ କୋଟିଏରୁ ଅଧିକ ଟଙ୍କା ଚୂନ ଲଗାଇ ଥିବା ହୋଇଛି ଅଭିଯୋଗ ।

ପୋଲିସ ସୂଚନା ଅନୁସାରେ, ସୀତାକାନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ବିୟୁଟି ପାର୍ଲରକୁ ସାମଗ୍ରୀ ଯୋଗାଉଥିଲେ । ପରେ ନିଜେ ଏକ ସଂସ୍ଥା ଖୋଲି ସାମଗ୍ରୀ ଦେବା ଆରମ୍ଭ କରିଥିଲେ । ବେପାର ବଢ଼ାଇବା ବାହାନାରେ ପାର୍ଲର ମାଣିକାଣୀ ଏବଂ ବ୍ୟୁଟିସିଆନମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥିଲା । ବର୍ଷକରେ ଟଙ୍କା ଦୁଇଗୁଣା କରିଦେବାର ଲୋଭ ଦେଖାଇ ସେମାନଙ୍କୁ ଏଜେଣ୍ଟ କରିବା ସହ ତାଙ୍କ ପାଖରୁ ଟଙ୍କା ଲୁଟି ନେଇଥିଲେ । ବାରିପଦା ଲାଲବଜାରର ଏକ ବିୟୁଟି ପାର୍ଲରରୁ ଏମିତି ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଏହା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏକାଧିକ ଅଭିଯୋଗ ପରେ ସୀତାକାନ୍ତକୁ ଗିରଫ କରିଛି ପୋଲିସ ।

୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ରୋଡ୍ ଶୋ ମନା

ନୂଆଦିଲ୍ଲୀ: ବଢ଼ୁଛି କରୋନା ସଂକ୍ରମଣ, ନିର୍ବାଚନ ପାଇଁ ହଟିବନି କଟକଣା । ୫ ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି, ଶୋଭାଯାତ୍ରା ଓ ରୋଡ୍ ଶୋ ଉପରେ ଜାରି କରାଯାଇଥିବା ରୋକ୍ ବଳବତ୍ତର ରହିବ । କରୋନା ସଂକ୍ରମଣ ଓ ଟିକାକରଣ ସ୍ଥିତିକୁ ନେଇ ଶନିବାର ବସିଥିବା ବୈଠକରେ ଏହି ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନର ।

ଏହି ବୈଠକରେ ମୁଖ୍ୟ ନିର୍ବାଚନ ଆୟୋଗ ସାମିଲ୍ ଥିଲେ । ବୈଠକରେ ଉଚ୍ଚ ପଦାଧିକାରୀ, ନିର୍ବାଚନ ହେଉଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଯୋଗ ଦେଇଥିଲେ । ବୈଠକରେ ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ସଚିବ ଟିକାକରଣ ଓ ସଂକ୍ରମଣ ସ୍ଥିତି ନେଇ ସୂଚନା ଦେଇଥିଲେ । ଏହାପରେ ସ୍ୱାସ୍ଥ୍ୟ ସଚିବଙ୍କ ସହ ସମୀକ୍ଷା କରିଥିଲେ । ଯାହାପରେ କଟକଣା ବଳବତ୍ତର ରହିବା ନେଇ ନିଷ୍ପତ୍ତି ନିଆଯାଇଛି ।

ସୂତ୍ର ଅନୁସାରେ, କୋଭିଡ୍ ସ୍ଥିତି ସୁଧୁରିଲେ ଛୋଟ ସଭା, ଘର ଘର ବୁଲି କ୍ୟାମ୍ପେନିଂ ଉପରେ କିଛି କଟକଣା ଛାଡ଼ କରାଯାଇପାରେ । କଟକଣା ପଛରେ ମଣିପୁରରେ ଟିକାକରଣ ହାର ସନ୍ତୋଷଜନକ ନଥିବା କୁହାଯାଉଛି । ପଞ୍ଜାବରେ ଦ୍ରୁତ ଟିକାକରଣ ଚାଲିଥିଲେ ମଧ୍ୟ ଲକ୍ଷରେ ପହଞ୍ଚିବା ଲାଗି ସମୟ ଲାଗିବ । ତେବେ ଗୋଆ, ଉତ୍ତରାଖଣ୍ଡ ଓ ୟୁପିରେ ଟିକାକରଣ ଏବଂ ସଂକ୍ରମଣ ସ୍ଥିତିରେ ସୁଧାର ଆସିଛି ।

କର୍ଣ୍ଣାଟକରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ । ସପ୍ତାହାନ୍ତ କର୍ଫ୍ୟୁ ହଟିବା ଫଳରେ ଚଳଚଞ୍ଚଳ ହୋଇଛି ସହରବଜାର । ଦୈନନ୍ଦିନ ସାମଗ୍ରୀ କିଣିବା ଲୋକମାନେ ଘରୁ ବାହାରକୁ ଆସିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସପ୍ତାହାନ୍ତ କର୍ଫ୍ୟୁ ଜାରି କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ତେବେ ରାତି ୧୦ଟାରୁ ଭୋର ୫ଟା ଯାଏ ନାଇଟ କର୍ଫ୍ୟୁ କଟକଣା ଜାରି ରହିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ବୈଷୟିକ ପରାମର୍ଶଦାତା କମିଟି ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ବଢିଥିବା ସତ୍ତ୍ୱେ ହସ୍ପିଟାଲରେ ଆଡମିଶନ ସଂଖ୍ୟା ଚିନ୍ତାଜନକ ହୋଇନାହିଁ । ସପ୍ତାହାନ୍ତ କର୍ଫ୍ୟୁ ଫଳରେ ରାଜ୍ୟରେ ଶନିବାର ଓ ରବିବାର କଟକଣା ଲାଗୁ କରାଯାଉଥିଲା । ତେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ନିର୍ଦ୍ଦେଶକ୍ରମେ କର୍ଣ୍ଣାଟକରୁ ସପ୍ତାହାନ୍ତ କର୍ଫ୍ୟୁ ହଟିଛି ।

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ୍, ୬ ମୃତ, ଏକାଧିକ ଗୁରୁତର

ସୋର: ୧୬ ନମ୍ବର ଜାତୀୟ ରାଜପଥରେ ବଡ଼ ଦୁର୍ଘଟଣା । କୋଇଲା ବୋଝେଇ ଟ୍ରକ୍ ଧକ୍କାରେ ୧୦ ଫୁଟ୍ ତଳକୁ ବସ୍ ଓଲଟି ପଡ଼ିଛି । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଜଣ ଆହାତ ହୋଇଛନ୍ତି । ଆହାତଙ୍କୁ ସ୍ଥାନୀୟ ମେଡିକାଲ୍ ସହ ବାଲେଶ୍ୱର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଉଛି ।

Truck Hits Bus Near Soro, 5 People Dies

ଘରୋଇ ବସ ‘ଶାନ୍ତିଲତା’ ବାଲେଶ୍ୱରରୁ ଭୁବନେଶ୍ୱର ଯାଉଥିବା ବେଳେ ବିଦୁ ଛକ ନିକଟରେ ଛିଡ଼ା ହୋଇଥିଲା । ସେହି ସମୟରେ ବସକୁ ପଛପଟୁ ଏକ କୋଇଲା ବୋଝେଇ ଟ୍ରକ୍ ଆସି ଧକ୍କା ଦେଇଥିଲା । ଫଳରେ ବସଟି ୧୦ ଫୁଟ୍ ତଳକୁ ଖସି ପଡ଼ିଥିଲା । ଅଭିଯୋଗ ହେଉଛି ବସରେ ବସିବା କ୍ଷମତା ଠାରୁ ଅଧିକ ଲୋକ ଥିଲେ । କିଛି ଯାତ୍ରୀ ଛିଡ଼ା ହୋଇ ଯାତ୍ରା କରୁଥିବା ଜଣାପଡ଼ିଛି ।

Truck Hits Bus Near Soro, 5 People Dies

ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୋର ପୋଲିସ, ଅଗ୍ନିଶମ ବାହିନୀ ଓ ଜାତୀୟ ରାଜପଥ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜାତୀୟ ରାଜପଥ କାମ ଚାଲୁଥିବାରୁ ଗୋଟିଏ ପାର୍ଶ୍ୱ ଦେଇ ଦୁଇପଟୁ ଗାଡ଼ି ଯାଆସ କରୁଛନ୍ତି । ରାସ୍ତା କାମ ପାଇଁ ଆବଶ୍ୟକୀୟ ସାମଗ୍ରୀ ମଧ୍ୟ ରାସ୍ତା କଡ଼ରେ ଗଦା ହୋଇଛି । ଫଳରେ ଦ୍ରୁତଗତିରେ ଯାଉଥିବା ଗାଡ଼ି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ।

କେନ୍ଦ୍ରର ନୂଆ ନିୟମ, କୋଭିଡରୁ ଠିକ୍ ହେବାର ୩ ମାସ ପରେ ନେବେ ଟିକା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ କେନ୍ଦ୍ର ସରକାର ଟିକାକରଣ ନେଇ ନୂଆ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁଥିରେ କୁହାଯାଉଛି କୋଭିଡ ଆକ୍ରାନ୍ତ ଠିକ୍ ହେବାର ତିନି ମାସ ପରେ ଟିକା ନେଇପାରିବେ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଅବଗତ କରାଇଛି । ନୂଆ ନିର୍ଦ୍ଦେଶ ପ୍ରକାରେ, ବୁଷ୍ଟର ଡୋଜ୍ ମଧ୍ୟ ଦିଆଯିବ ।

Covid Infected Can Vaccinated After Three Months Of Recovery

ସଂକ୍ରମିତ ଠିକ୍ ହେବାର ତିନିମାସ ପରେ କୋଭିଡ୍ ଟିକା ନେଇ ପାରିବେ । ସେହି ଅନୁସାରେ ବୁଷ୍ଟର ଡୋଜ୍ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି । ଏଥିସହ କେନ୍ଦ୍ର ସରକାର କୋୱିନ୍ ଆପରେ ଗୋଟିଏ ମୋବାଇଲ୍ ନମ୍ବରରେ ୪ ଜଣଙ୍କ ବଦଳରେ ୬ ଜଣ ପଞ୍ଜିକରଣ କରି ଟିକା ନେଇପାରିବେ ବୋଲି କହିଛନ୍ତି । ଏଥିସହ ଟିକା ନେଇଥିବା ଲୋକ ଟିକାକରଣ ଷ୍ଟାଟସକୁ ବଦଳାଇ ପାରିବେ ।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, କେତେକ ସ୍ଥାନରେ ଭୁଲ୍ ବଶତଃ ଟିକା ନେଇ ନଥିବା ବେଳେ ଭ୍ୟାକ୍ସିନେଟେଡ୍ ଲେଖା ଯାଇଛି । ଏହାକୁ ନିଜେ ଠିକ୍ କରିପାରିବେ । ଅନଲାଇନ୍ ଅନୁରୋଧର ୩ରୁ ୭ ଦିନ ମଧ୍ୟରେ ଏହା ପରିବର୍ତ୍ତନ ହୋଇଯିବ ।

ଉଦଘାଟନ କରିଥିବା ଥାନାରେ ସଚିନଙ୍କ ସବୁଠୁ ବଡ଼ ପ୍ରଶଂସକଙ୍କୁ ପିଟିଲା ପୋଲିସ, ଜାଣନ୍ତୁ କାହିଁକି…

ପାଟନା: କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସବୁଠାରୁ ବଡ଼ ଫ୍ୟାନ ସୁଧୀର କୁମାର ଏବେ ଚର୍ଚ୍ଚାରେ । ଏବେ କୌଣସି କ୍ରିକେଟ ମ୍ୟାଚକୁ ନେଇ ଚର୍ଚ୍ଚାରେ ନାହାନ୍ତି ସୁଧୀର । ବରଂ ତାଙ୍କୁ ବିହାର ପୋଲିସ ମାଡ ମାରିବା ଫଳରେ ସେ ଚର୍ଚ୍ଚାକୁ ଆସିଛନ୍ତି । ଦିନେ ଯେଉଁ ଟାଉନ ଥାନାକୁ ସେଲିବ୍ରେଟି ଭାବରେ ଉଦଘାଟନ କରିଥିଲେ ସେହି ଥାନାରେ ତାଙ୍କୁ ଗାଳି ଦେବା ସହ ପୋଲିସ ଗୋଇଠା ମାରିବା ଅଭିଯୋଗ ହୋଇଛି । ଯାହାକୁ ସୁଧୀର ଏକ ଦୁର୍ଭାଗ୍ୟ ବୋଲି କହିଛନ୍ତି । ସୁଧୀର କୁମାରଙ୍କୁ ବିହାରର ମୁଜାଫରପୁର ଜିଲ୍ଲା ଟାଉନ ଥାନାରେ ଆକ୍ରମଣ କରାଯାଇଛି।

 

ସୂଚନା ଅନୁସାରେ ଏହି ଘଟଣା ଗୁରୁବାର ଦିନ ଘଟିଛି । କୁହାଯାଉଛି କି ମୁଜାଫରପୁର ପୋଲିସ ସୁଧୀର କୁମାରଙ୍କ ସମ୍ପର୍କୀୟ ଭାଇ କିଶନ କୁମାରଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା । ସେହି ସମୟରେ ସୁଧୀର ଘରେ ନଥିଲେ ତେଣୁ ସେ ଫେରିବା ପରେ ପରିବାର ଲୋକ ତାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । କେଉଁ କାରଣ ପାଇଁ ତାଙ୍କ ଭାଇଙ୍କୁ ପୋଲିସ ଉଠାଇ ନେଇଥିଲା ତାହା ମଧ୍ୟ ପୋଲିସ ଜଣାଇନଥିଲା । ଏହା ପରେ ସୁଧୀର ତୁରନ୍ତ ପୋଲିସ ଷ୍ଟେସନକୁ ଯାଇ ଏହି ଘଟଣା ବାବଦରେ ପଚାରି ବୁଝିଥିଲେ ।

ପୋଲିସ ସୁଧୀରଙ୍କ ଭାଇଙ୍କୁ ହାଜତରେ ରଖିଥିଲେ । ଯେତେବେଳେ ସେ ଏହି ବିଷୟରେ ତାଙ୍କ ଭାଇଙ୍କ ସହ କଥା ହୋଇଥିଲେ ତାଙ୍କ ଭାଇ କହିଥିଲେ କି ତାଙ୍କ ସାଙ୍ଗ ଏକ ଜମି କିଣିଛନ୍ତି, ଯେଉଁଥିରେ ସାକ୍ଷୀ ଭାବରେ ତାଙ୍କ ନାମକୁ ରଖିଥିଲେ । ଏବେ ସେହି ଜମିରେ କିଛି ବିବାଦ ହୋଇଛି । ଯାହା ଫଳରେ ଗୋଟିଏ ପକ୍ଷ ମାମଲା ଦାୟର କରିଛନ୍ତି । କିଶନ କୁମାର କହିଛନ୍ତି କି ସେ ଏହି ବିଷୟରେ କିଛି ଜାଣି ନାହାନ୍ତି, କିନ୍ତୁ ପୋଲିସ ତାଙ୍କୁ ଜୋର ଜବରଦସ୍ତ ଉଠାଇ ଆଣିଛି । ତେବେ ସୁଧୀର ଯେତେବେଳେ ତାଙ୍କ ଭାଇଙ୍କ ସହ କଥା ହେଉଥିଲେ ସେହି ସମୟରେ ଥାନାର କିରାଣୀ ସୁଧୀରଙ୍କୁ ଅସଦାଚରଣ କରିଥିଲେ । ସୁଧୀରଙ୍କୁ କେବଳ ଅସଦାଚରଣ କରିନଥିଲେ ସେ ସୁଧୀରଙ୍କୁ ଦୁଇଟି ଗୋଇଠା ମାରି ପୋଲିସ ଷ୍ଟେସନରୁ ବାହାରକୁ ବାହାର କରିଦେଇଥିଲେ । ପୋଲିସର ଏପରି ବ୍ୟବହାରରେ ହତାଶ ହୋଇ ସୁଧୀର ସେଠାରୁ ଚୁପଚାପ ଫେରିଆସି ଡିଏସପିଙ୍କୁ ଭେଟିଥିଲେ । ଏହି ମାମଲାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି ସୁଧୀରଙ୍କୁ କହିଛନ୍ତି ।

ଏହି ଘଟଣାରେ ସୁଧୀର କହିଛନ୍ତି କି ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଯେଉଁ ପୋଲିସ୍ ଷ୍ଟେସନକୁ ଦିନେ ସେଲିବ୍ରେଟି ଭାବରେ ଉଦଘାଟନ କରିଥିଲେ ଆଜି ସେହି ପୋଲିସ ଷ୍ଟେସନରେ ତାଙ୍କୁ ମାଡ ମାରି ବାହାର କରି ଦିଆଯାଇଛି । ସେ ଆହୁରି କହିଛନ୍ତି- ଯେତେବେଳେ ପୋଲିସ ତାଙ୍କ ସହ ଏପରି ବ୍ୟବହାର କରୁଛି, ସେତେବେଳେ ସାଧାରଣ ଲୋକଙ୍କ ସହ ପୋଲିସ କିପରି ବ୍ୟବହାର କରୁଥିବା ତାହା ଆପଣ ବୁଝିପାରୁଥିବେ ବୋଲି କହିଛନ୍ତି ସୁଧୀର କୁମାର ।