ପାକିସ୍ତାନରେ ଭୁଲବଶତଃ ପଡ଼ିଥିଲା ଭାରତର ମିଜାଇଲ: ରାଜନାଥ ସିଂ

2 min read

ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ମିଜାଇଲା ପଡ଼ିବା ଘଟଣାରେ ରାଜ୍ୟସଭାରେ ମନ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି କି ୯ ମାର୍ଚ୍ଚ ସନ୍ଧ୍ୟା ୭ଟା ସମୟରେ ମିଜାଇଲ ସିଷ୍ଟମର ଯାଞ୍ଚ ଚାଲୁଥିବା ସମୟରେ ଏହି ଅଘଟଣ ଘଟିଛି । ଭୁଲବଶତଃ ଏହି ମିଜାଇଲ ପାକିସ୍ତାନରେ ପଡ଼ିଥିଲା । ତେବେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ରାଜ୍ୟସଭାରେ କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ତେବେ ଭାରତର ମିଜାଇଲ ପାକିସ୍ତାନରେ ପଡ଼ିବା ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଏହି ଘଟଣାକୁ ଭାରତ ସରକାର ଗମ୍ଭୀରତାର ସହ ନେଇଛନ୍ତି । ଏଥି ସହ ଏହି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ତେବେ ଏହି ଘଟଣାରେ ଯାଞ୍ଚ ପରେ କାହିଁକି ଏଭଳି ଏକ ଘଟଣା ଘଟିଲା ତା’ର ସଠିକ୍ କାରଣ ଜଣାପଡ଼ିବ । ତଦନ୍ତ ସମୟରେ ଯଦି କିଛି ଭୁଲ ଥିବା ଜଣାପଡ଼େ ତେବେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ରାଜନାଥ ସିଂ ରାଜ୍ୟସଭାର ବିବୃତ୍ତି ରଖିଥିବା ସୟରେ ସେ ଆହୁରି କହିଥିଲେ ଯେ ଅସ୍ତ୍ରଶସ୍ତ୍ର ଓ ମିସାଇଲ୍ ରକ୍ଷଣାବେକ୍ଷଣ ପାଇଁ ଥିବା SOPର ସମୀକ୍ଷା କରାଯିବ । ମୁଁ ଗୃହକୁ ନିଶ୍ଚିତ କରିପାରିବି ଯେ ଆମର କ୍ଷେପଣାସ୍ତ୍ର ବ୍ୟବସ୍ଥା ଅତ୍ୟନ୍ତ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ । ଏହା ସହ ଆମର ସୁରକ୍ଷା ପ୍ରଣାଳୀ ଏବଂ ପ୍ରୋଟୋକଲଗୁଡିକ ଏକ ଉଚ୍ଚ ମାନର ଏବଂ ସମୟ ସମୟରେ ଏହି ସବୁକୁ ସମୀକ୍ଷା କରାଯାଇଥାଏ । ଆମର ସୁରକ୍ଷା ବାହିନୀ ତାଲିମପ୍ରାପ୍ତ, ଶୃଙ୍ଖଳିତ ଏବଂ ଏହିପରି ସିଷ୍ଟମଗୁଡିକ ପରିଚାଳନା କରିବାରେ ଭଲ ଅଭିଜ୍ଞତା ରହିଛି ।

ସୂଚନା ଅନୁସାରେ, ମାର୍ଚ୍ଚ ୯ ତାରିଖରେ ଏକ ବ୍ରହ୍ମୋସ ଭୁଲରେ ଫାୟାର ହୋଇଯାଇଥିଲା । ଯାହାଫଳରେ ଏହି ମିଜାଇଲଟି ନିୟନ୍ତ୍ରଣ ହରାଇ ପାକିସ୍ତାନର ୧୨୪ କିଲୋମିଟର ଭିତରେ ଯାଇ ପଡ଼ିଥିଲା । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନଥିଲା। ତେବେ ପାକିସ୍ତାନ ଭୟଭୀତ ହେବା ସହ ପ୍ରତିକ୍ରିୟା ରଖିଥିଲା। ଭାରତ ଜାଣିଶୁଣି ଏପରି କରିଥିବା ଅଭିଯୋଗ କରିଥିଲା ପାକିସ୍ତାନ ।