କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ପିଲାଙ୍କ ଟିକାକରଣ

1 min read

ନୂଆଦିଲ୍ଲୀ: କାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ । ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟିକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟିକା ଦିଆଯିବ । ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ତେବେ ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟିକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।

ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟିକା ଦିଆଯିବ । ଏବେ କୋ-ୱିନ୍ ପୋର୍ଟାଲରେ ଏ ବର୍ଗଙ୍କ ଟିକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟିକା ଦିଆଯିବ । ସ୍କୁଲଗୁଡ଼ିକରେ ଟିକାକରଣକୁ ତ୍ୱରାନ୍ୱିତ କରାଯିବ । ଟିକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଂ ଅନୁସାରେ ଟିକାକରଣ କରିବାକୁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି କରାଯିବ ଟିକାକରଣ । ପରବର୍ତ୍ତୀ ସମୟରେ ପିଲାଙ୍କ ଟିକାକରଣ ଲାଗି ସ୍ୱତନ୍ତ୍ର ସେଣ୍ଟର ଖୋଲାଯିବ ।

ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କୋର୍ବେଭାକ୍ସ ଟିକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଏହି ଟିକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଆଜି ରାତି ସୁଦ୍ଧା ଟିକା ପହଞ୍ଚଯିବ । ଟିକା ନେବାକୁ ରାଜ୍ୟରେ ୧୨ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ରହିଛନ୍ତି । ଏମାନଙ୍କ ଟିକାକରଣ ଲାଗି ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର ନିୟୋଜିତ ହେବେ ।