ଏସିଆ କପ ସୁପର-୪ ପର୍ଯ୍ୟାୟରେ ଆଜି ଭାରତର ବାଂଲାଦେଶ ସହ ହେବ ଟକ୍କର। ପାକିସ୍ତାନକୁ ହରାଇବା ପରେ ସୁପର-୪ରେ ଟିମ ଇଣ୍ଡିଆର ଏହା ଦ୍ଵିତୀୟ ମୁକାବିଲା। ବାଂଲାଦେଶ ଏହି ପର୍ଯ୍ୟାୟରେ ଶ୍ରୀଲଙ୍କା ସହ ଥିବା ନିଜର ପ୍ରଥମ ମ୍ୟାଚ ଜିତି ସାରିଛି। ଆଜି ଭାରତ-ବାଂଲାଦେଶ ମଧ୍ୟରେ ଯେଉଁ ଟିମ ଜିତିବ ସେ ଫାଇନାଲକୁ ଉନ୍ନୀତ ହୋଇଯିବ। ଏହି କାରଣରୁ ଆଜିର ମ୍ୟାଚରେ ବେଶ ରୋମାଂଚକର ମୁକାବିଲା ହେବା ସମ୍ଭାବନା ରହିଛି। ପାକିସ୍ତାନ ଭଳି ବାଂଲାଦେଶ ମଧ୍ୟ ଭାରତ ସହ ଯେବେବି ଆମନା ସାମନା ହୋଇଛି ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି। ବେଶ ରୋମାଞ୍ଚକର ହେବ ଆଜିର ମ୍ୟାଚ। ଟି-୨୦ କ୍ରିକେଟରେ ଭାରତ ବାଂଲାଦେଶ ଉପରେ ସବୁବେଳେ ଭାରି ପଡ଼ିଛି । ଦୁଇ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ୧୭ ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି । ଏଥିରୁ ୧୬ ଟିରେ ଭାରତ ବିଜୟୀ ହୋଇଛି । ବାଂଲାଦେଶ କେବଳ ଗୋଟିଏ ମ୍ୟାଚ ଜିତିବାରେ ସଫଳ ହୋଇଛି ।ସେପଟେ ଭାରତୀୟ ଟିମ୍ ସେହି ୧୧ ଜଣ ଖେଳାଳିଙ୍କୁ ଧରି ପଡ଼ିଆକୁ ଓହ୍ଲାଇବ ସେଥିରେ ପ୍ରାୟ ପରିବର୍ତ୍ତନ ସମ୍ଭାବନା କମ ରହିଛି। ଯେଉଁ ଟିମ୍ ପାକିସ୍ତାନ ବିପକ୍ଷରେ ସୁପର ୪ ମୁକାବିଲାରେ ଖେଳିଥିଲେ ସେମାନେ ହିଁ ଆଜି ଖେଳିପାରନ୍ତି। ସେପଟେ ବାଂଲାଦେଶ ପ୍ଲେଇଙ୍ଗ-୧୧ ଟିମର କିଛିଟା ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଇଛି।
ମାଆ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା
ଚଣ୍ଡୀପାଠରେ କମ୍ପୁଛି ଶକ୍ତି ପୀଠ । କଟକର ଆରାଧ୍ୟ ଦେବୀ ମାଆ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୀଠରେ ଚାଲିଛି ନବରାତ୍ରୀ ପୂଜା । ନବପତ୍ରିକା ପୂଜା ସହ ହୋମ ଯଜ୍ଞରେ ଉତ୍ସବମୁଖର ହୋଇଛି ମାଆଙ୍କ ମନ୍ଦିର ପରିସର । ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମାଆ। ଆଜି ନବରାତ୍ରୀର ତୃତୀୟ ଦିନରେ କଟକ ଚଣ୍ଡୀ ଜଗଦ୍ଧାତ୍ରୀ ରୂପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସେହିପରି ନାରାୟଣୀ ବେଶରେ ଦର୍ଶନ ଦେଉଛନ୍ତି ଗଡ଼ଚଣ୍ଡୀ। ଗତକାଲି ଦ୍ବିତୀୟ ଦିନରେ କଟକ ଚଣ୍ଡୀ ମାତଙ୍ଗୀ ରୂପ ଧାରଣ କରିଥିବାବେଳେ ବଗଳାମୁଖୀ ବେଶରେ ଦର୍ଶନ ଦେଇଥିଲେ ମାଆ ଗଡ଼ଚଣ୍ଡୀ । ନବରାତ୍ରୀର ପ୍ରଥମ ଦିନରେ ହରଚଣ୍ଡୀ ବେଶରେ ଦର୍ଶନ ଦେଇଥିଲେ କଟକ ଚଣ୍ଡୀ। ସେହିଦିନ ରାଜରାଜେଶ୍ଵରୀ ବେଶ ଧାରଣ କରିଥିଲେ ମାଆ ଗଡ଼ଚଣ୍ଡୀ।
ଆଜି ବି ବିଧାନସଭା ମୌସୁମୀ ଅଧିବେଶନ ବେଶ୍ ସରଗରମ ରହିବ
ଆଜି ବି ବିଧାନସଭା ମୌସୁମୀ ଅଧିବେଶନ ବେଶ୍ ସରଗରମ ରହିବ। କୃଷି ଓ କୃଷକ ସଶକ୍ତିକରଣ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଶକ୍ତି, ସମବାୟ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ବୟନ ଶିଳ୍ପ, ଏମଏସଏମଇ, ବିଜ୍ଞାନ ଓ କାରିଗରୀ ବିଭାଗର ପ୍ରଶ୍ନ କାଳ ରହିଛି । ଶୂନ୍ୟକାଳରେ ସାର, ପଞ୍ଚାୟତ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ୍ କରିବା ଆଦି ପ୍ରସଙ୍ଗ ବିରୋଧୀ ଉଠାଇ ପାରନ୍ତି। ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିବ କି ନାହିଁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି l ସେହିପରି ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଦିଆଯିବ । ଯାହାକୁ ନେଇ ଗୃହ ବେଶ ଉଷ୍ମ ହୋଇପାରେ ।
ରାୟଗଡ଼ା ଏବଂ କଳାହାଣ୍ଡିରେ “ସୁସ୍ଥ ନାରୀ – ସଶକ୍ତ ପରିବାର” ଅଭିଯାନ ଅଧୀନରେ ବେଦାନ୍ତ ଆଲୁମିନିୟମ ମହିଳା ସ୍ୱାସ୍ଥ୍ୟ ସେବାକୁ ଆଗକୁ ବଢାଇଛି
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ଭାରତ ସରକାରଙ୍କ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ମାଧ୍ୟମରେ ଦୁର୍ଗମଅଞ୍ଚଳର ମହିଳା ଏବଂ ପରିବାରକୁ ସ୍ୱାସ୍ଥ୍ୟ ସେବା ସହାୟତା ପ୍ରଦାନ କରୁଛି । ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ହେଉଛି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ମିଳିତ ନେତୃତ୍ୱରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଦେଶର ସର୍ବବୃହତ ସ୍ୱାସ୍ଥ୍ୟସେବା । ୧୭ସେପ୍ଟେମ୍ବରରୁ ୨ ଅକ୍ଟୋବର ୨୦୨୫ ମଧ୍ୟରେ, ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ସାମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ର , ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଜିଲ୍ଲା ହସ୍ପିଟାଲ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧାରେ ୧୦ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଉଛି।
ଏହି ଅଭିଯାନର ଅଂଶସ୍ୱରୂପ, ବେଦାନ୍ତ ଆଲୁମିନିୟମ କଳାହାଣ୍ଡିର ନାକରୁଣ୍ଡିର ପିଏଚସି ଏବଂ ରାୟଗଡ଼ାର କାଶୀପୁରର ସିଏଚସିରେ ସ୍ୱାସ୍ଥ୍ୟଶିବିର ଆୟୋଜନ କରିଥିଲା, ଏହାର ମୋବାଇଲ ହେଲଥୟୁନିଟ୍ (MHU) ସହିତ ଡାକ୍ତରୀ କର୍ମଚାରୀ, ରୋଗ ନିର୍ଣ୍ଣୟ ଏବଂ ଅତ୍ୟାବଶ୍ୟକ ଔଷଧ ନିୟୋଜିତ କରାଯାଇଥିଲା। ଶିବିରଗୁଡ଼ିକ ୪୬୮ମହିଳା ଏବଂ ୪୧୦ରୁ ଅଧିକ ପୁରୁଷ ଏବଂ ଶିଶୁଙ୍କୁ ଉପକୃତ କରିଥିଲା। ଏହି ପ୍ରଚାର ଉପରେ ଆଧାରିତ ହୋଇ, କମ୍ପାନୀ ରାମପୁର ଏବଂ ସୁଙ୍ଗେରରେ ହେବାକୁ ଥିବା ଆଗାମୀ ଶିବିର ଗୁଡ଼ିକୁ ମଧ୍ୟ ସମର୍ଥନ କରିବ।
ଏହି ପଦକ୍ଷେପ ବିଷୟରେ କହି, ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ସୁସ୍ଥ ମହିଳାମାନେ ସୁସ୍ଥ ପରିବାର ଏବଂ ସଶକ୍ତ ସମ୍ପ୍ରଦାୟର ମୂଳଦୁଆ। ବେଦାନ୍ତ ଆଲୁମିନିୟମରେ, ଆମେ ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ଅଧିକ ସୁଲଭ କରିବାକୁ ପ୍ରତିବଦ୍ଧ, ବିଶେଷ କରି ଦୂରଦୂରାନ୍ତ ଅଞ୍ଚଳରେ। ସରକାରଙ୍କ “ସୁସ୍ଥନାରୀ – ସଶକ୍ତପରିବାର” ଅଭିଯାନକୁ ଆମର ସମର୍ଥନ ମାଧ୍ୟମରେ, ଆମେ ଗୁଣାତ୍ମକ ଚିକିତ୍ସା ସେବାକୁ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ମହିଳା ଏବଂ ଶିଶୁମାନଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ।ଏହି ପ୍ରୟାସ ଆମର ବ୍ୟାପକ ସମ୍ପ୍ରଦାୟ ବିକାଶ ପ୍ରୟାସର ଏକ ଅଂଶ।”
କାର୍ଯ୍ୟକ୍ରମରେ ସାମିଲ ଥିବା କାଶୀପୁରର କମ୍ୟୁନିଟି ହେଲଥ ସେଣ୍ଟରର ମୁଖ୍ୟ ଡକ୍ଟର ନେତ୍ରନନ୍ଦ ନାୟକ କହିଛନ୍ତି, “ବେଦାନ୍ତ ଆଲୁମିନିୟମର ଅତିରିକ୍ତ ସହାୟତା ଆମକୁ ସମୟୋଚିତ ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ସହିତ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ କରିଛି। ଏହି ସହ ଯୋଗ ଗ୍ରାମାଞ୍ଚଳର ମହିଳାମାନଙ୍କ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ୱାସରେ ପ୍ରକୃତ ପରିବର୍ତ୍ତନ ଆଣିଛି।”
ବେଦାନ୍ତ ଆଲୁମିନିୟମ ସ୍ୱାସ୍ଥ୍ୟସେବା ଉପଲବ୍ଧତାକୁ ବୃଦ୍ଧି କରିବା, ଦୁର୍ବଳ ଜନସଂଖ୍ୟା ମଧ୍ୟରେ ସ୍ଥାୟୀ ସୁସ୍ଥତା ଏବଂ ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ସମ୍ବଳ ଏବଂ ବିଶେଷଜ୍ଞତାକୁ ବ୍ୟବହାର କରିବା ପାଇଁ ସମର୍ପିତ ରହିଛି। ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀଜୀବିକା, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ତୃଣମୂଳକ୍ରୀଡା ଏବଂ ସଂସ୍କୃତିକୁ ନେଇ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ କମ୍ପାନୀ ଓଡ଼ିଶାରେ ପରିବର୍ତ୍ତନ ଆଣିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ସମ୍ପ୍ରଦାୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ଭାବରେ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏହାର ହସ୍ତକ୍ଷେପ ଏହାର କାର୍ଯ୍ୟକ୍ଷେତ୍ରରେ ଦୃଶ୍ଯ ସାମାଜିକ-ଆର୍ଥିକ ପ୍ରଗତି ଆଡ଼କୁ ନେଇଯିବ।
ଆମେରିକାରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ
ନନ୍ଦିଘୋଷ ବ୍ୟୁରୋ : ଆମେରିକା ଟେକ୍ସାସରେ ୯୦ ଫୁଟ ଉଚ୍ଚର ଭଗବାନ ହନୁମାନଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ। ଷ୍ଟାଚ୍ୟୁ ଅଫ ୟୁନିଅନ ନାମରେ ଏହି ପ୍ରତିମୂର୍ତ୍ତିକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ଜଣେ ନେତାଙ୍କ ବୟାନ ସୃଷ୍ଟି କରିଛି ତୀବ୍ର ପ୍ରତିକ୍ରିୟା। ଟାରିଫ ଓ ଭିସା ବୃଦ୍ଧି ପ୍ରସଙ୍ଗରେ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ବିଶେଷ ଭଲ ନଥିବାବେଳେ ରିପବ୍ଲିକାନ ନେତାଙ୍କ ଭଗବାନ ବିରୋଧୀ ବୟାନ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ଗତବର୍ଷ ଅଗଷ୍ଟରେ ଉଦଘାଟିତ ଏହି ପ୍ରତିମୂର୍ତ୍ତି ସମ୍ପର୍କରେ ରିପବ୍ଲିକାନ ନେତା ଆଲେକଜାଣ୍ଡାର ଡଙ୍କାନ ଆମେରିକାକୁ ଏକ ଖ୍ରୀଷ୍ଟିଆନ ରାଷ୍ଟ୍ର ବୋଲି କହିବା ପରେ ହନୁମାନଙ୍କ ମୂର୍ତ୍ତି ସମ୍ପର୍କରେ କିଛି ଅରୁଚିକର ମନ୍ତବ୍ୟ ଦେଇଥିଲେ। ଏହା ସହ ଟେକ୍ସାସରେ ହିଁ କାହିଁକି ହନୁମାନଙ୍କ ପ୍ରତିମୂର୍ତ୍ତି ନିର୍ମିତ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବର୍ତ୍ତମାନ ଟେକ୍ସାସରୁ ସିନେଟ ସଦସ୍ୟ ଲାଗି ସେ ନିର୍ବାଚନ ଲଢୁଛନ୍ତି। ଡଙ୍କାନଙ୍କ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି ହିନ୍ଦୁ ଆମେରିକାନ ଫାଉଣ୍ଡେସନ ଓ ଇଣ୍ଡିଆନ ଆମେରିକାନସ। ଏହା ହିନ୍ଦୁ ବିରୋଧୀ ଓ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ବୋଲି ଦୁଇ ସଂଗଠନ କହିଛନ୍ତି।
ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କୁ ଅନ୍ତିମ ବିଦାୟ
ନନ୍ଦିଘୋଷ ବ୍ୟୁରୋ : ଲୋକପ୍ରିୟ ଗାୟକ ଜୁବିନ ଗର୍ଗଙ୍କୁ ଅନ୍ତିମ ବିଦାୟ। ୫୨ ବର୍ଷ ବୟସରେ ପରଲୋକ ଗମନ କରିଥିବା ଜୁବିନଙ୍କ ଶେଷକୃତ୍ୟ ସମ୍ପନ୍ନ। ଆସାମ କାମରୂପ ଜିଲ୍ଲାର କମରକୁଚି ଏନସି ଗ୍ରାମରେ ହୋଇଛି ଶେଷକୃତ୍ୟ। ଶେଷ ଦର୍ଶନ ଲାଗି ଲକ୍ଷାଧିକ ଲୋକଙ୍କ ହୋଇଥିଲା ସମାଗମ। ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ଯାଦା ସହ ତାଙ୍କର ହୋଇଛି ଶେଷକୃତ୍ୟ। ଗତ ୧୯ ତାରିଖରେ ସିଙ୍ଗାପୁରରେ ଉତ୍ତର-ପୂର୍ବ ଉତ୍ସବରେ ଯୋଗଦେବାକୁ ଯାଇଥିବା ଜୁବିନ ସ୍କୁବା ଡାଇଭିଂ ବେଲେ ଦୁର୍ଘଟଣାର ସମ୍ମୁଖୀନ ହୋଇ ପ୍ରାଣ ହରାଇଥିଲେ। ଗୁଆହାଟି ମେଡିକାଲ କଲେଜରେ ଦ୍ବିତୀୟ ଥର ଲାଗି ପୋଷ୍ଟ ମର୍ଟମ ପରେ ତାଙ୍କ ମରଶରୀରକୁ ସରସଜାଇ ଷ୍ଟାଡିୟମରେ ରଖାଯାଇଥିଲା। ସେଠାରୁ ସୋନାପୁରକୁ ନିଆଯାଇଛି। ପ୍ରଶଂସକଙ୍କ ଦାବି କ୍ରମେ ଜୁବିନଙ୍କୁ ଦ୍ବିତୀୟ ଥର ଲାଗି ପୋଷ୍ଟମର୍ଟମ କରାଯାଇଥିଲା।
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ୩ ଦିନିଆ ଶୋକ ଦିବସ ଘୋଷଣା କରିଛନ୍ତି। ସମସ୍ତ ସରକାରୀ କାର୍ଯ୍ଯକ୍ରମକୁ ବାତିଲ କରାଯାଇଛି। ସଂସ୍କାର ସ୍ଥଳରେ ଏକ ସ୍ମାରକୀ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି ସରକାର। ଜୁବିନଙ୍କ ଶେଷ ଦର୍ଶନ କରି ପୁଷ୍ପମାଲ୍ଯ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ, ଆସାମ ସାହିତ୍ୟ ସଭା, ନିଖିଳ ଆସାମ ଛାତ୍ର ସଂଘ, ଏଜେୱାଇସିପିର ନେତାମାନେ। ଶେଷକୃତ୍ୟ ସ୍ଥଳୀରେ ଲକ୍ଷାଧିକ ଲୋକ ହୋଇଥିଲେ ସମାଗମ। ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ଜୁବିନ ଗର୍ଗଙ୍କ ପତ୍ନୀ ଗରିମାଙ୍କ ସମେତ ପରିବାରର ସଦସ୍ୟ। ସେପଟେ ଜୁବିନ ପୋଷିଥିବା ୪ଟି କୁକୁର ବି ଜୁବିନଙ୍କ କରିଥିଲେ ଶେଷ ଦର୍ଶନ। ସେମାନେ ହେଲେ ଇକୋ, ଦିୟା, ରାମ୍ବୋ ଓ ମାୟା। ସେମାନଙ୍କୁ ସରସୁଜାଇ ଷ୍ଟାଡିଅମକୁ ଅଣାଯାଇ ଶେଷ ଦର୍ଶନ କରାଯାଇଥିଲା।

