spot_img
Home Blog Page 463

ଏଠି ବିଜେପି ସେଠି ବିଜେପି ତଥାପି ଅଙ୍କ ଛିଣ୍ଡୁନି, ପଡି ପଡି ପଚା ପଡିଗଲାଣି ଚାଉଳ

ନନ୍ଦିଘୋଷ ବ୍ୟୁରୋ : ପଡି ପଡି ପଚା ପଡିଗଲାଣି ଚାଉଳ । ହେଲେ କେନ୍ଦ୍ର ଶୁଣୁନି କି ଚାଉଳ ଉଠାଉନି । ଏନେଇ କେନ୍ଦ୍ରର ବୈମାତୃକ ମନୋଭାବର ପର୍ଦ୍ଦାଫାସ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗୃହରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ବଳକା ଚାଉଳ ଓ କେନ୍ଦ୍ରଠାରୁ ବଳକା ଅର୍ଥ ପାଇବା ନେଇ ପ୍ରଶ୍ନ କରିଥିଲେ । ବିଜେଡି ସରକାର ଅମଳରେ ଯେଉଁ ବିଜେପି ଏ ନେଇ କେନ୍ଦ୍ର ସରକାରଙ୍କ ଓକିଲାତି କରୁଥିଲା, ସେ ଆଜି ସରକାରକୁ ଆସି କେନ୍ଦ୍ର ସରକାରଙ୍କ ଅସଲ ମୁଖା ଖୋଲିବାକୁ ବାଧ୍ୟ ହୋଇଛନ୍ତି । ଚାଉଳର ବକେୟା ୮ହଜାର କୋଟି ଟଙ୍କା ଦେବାକୁ କେନ୍ଦ୍ର ଅରାଜି ଥିବା ଗୃହରେ ସ୍ୱୀକାର କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।

ଏଥି ସହ ବଳକା ଚାଉଳ ନେବାକୁ ବି କେନ୍ଦ୍ର ସରକାର ରାଜି ହେଉ ନାହାନ୍ତି ବୋଲି ସ୍ବୀକାର କରିଛନ୍ତି । ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଏପରି ଉତ୍ତର ଆସିବା ପରେ ଗୃହରେ ଉଦବେଗ ପ୍ରକାଶ ପାଇଥିଲା । ଏ ପର୍ଯ୍ୟନ୍ତ ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି । ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ଯୋଜନା କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ । ରାଜ୍ୟରେ ମୋଟ ୬୩ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥିଲା। ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି । ୮ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି ରହିଛି।

ଓଡ଼ିଶାରେ ବିଜେପି ସରକାର ଆସିବା ପରେ ବି କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ଜାରି ରହିଛି । ଯାହାକୁ ନେଇ ସରକାରଙ୍କୁ ଉଭୟ ବିଜେଡି ଓ କଂଗ୍ରେସ ଘେରିଛନ୍ତି । ବିରୋଧୀରେ ଥିବା ସମୟରେ ବିଜେଡି ସରକାର ଓ ମିଲରଙ୍କ ମଧୁଚନ୍ଦ୍ରିକା ନେଇ ବର୍ତ୍ତମାନର ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଳିଙ୍ଗ ଅଭିଯୋଗ ଆଣୁଥୁଲେ । ହେଲେ ଏବେ ସବୁ ଧାନ, ମିଲରଙ୍କ ପାଖରେ କେମିତି ପଡି ରହିଛି ବୋଲି କଟାକ୍ଷ କରିଛି ବିଜେଡି । ସେହିପରି କଂଗ୍ରେସ ପ୍ରଶ୍ନ କରିଛି ଯେ ଧାନ ଓ ଅର୍ଥ ପଡିରହିବା ନେଇ ସ୍ୱୀକାର କରିବା ପରେ ସମାଧାନର କି ବାଟ ରଖିଛନ୍ତି ସରକାର ?

 

କୋଲକାତା ଟାଟୁ ମହୋତ୍ସବ ୨୦୨୫ରେ ଓଡ଼ିଶାର କଳିଙ୍ଗ ଇଙ୍କ୍ ଟିମକୁ ଶ୍ରେଷ୍ଠ ସମ୍ମାନ

ନନ୍ଦିଘୋଷ ବ୍ୟୁରୋ : କୋଲକାତା ଟାଟୁ ଫେଷ୍ଟିଭାଲ ୨୦୨୫ରେ ଭୁବନେଶ୍ୱରର ଏକ ପ୍ରସିଦ୍ଧ ଟାଟୁ ଷ୍ଟୁଡିଓ କଳିଙ୍ଗ ଇଙ୍କ୍ ବିଶ୍ୱ ସ୍ତରରେ ଏକ ଛାପ ଛାଡ଼ିଛି । ଏହି ଆନ୍ତର୍ଜାତୀୟ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧୯ ରୁ ୨୧ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱର ୨୫୦ରୁ ଅଧିକ କଳାକାରଙ୍କୁ ସାମିଲ ହୋଇଥିଲେ, ଯାହା ଟାଟୁ ସମ୍ପ୍ରଦାୟର କିଛି ଉତ୍କୃଷ୍ଟ ପ୍ରତିଭାକୁ ଏକତ୍ର ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ ଟିମ୍ କଳିଙ୍ଗ ଇଙ୍କ୍ ପ୍ରଥମ ସ୍ଥାନ ହାସଲ କରିଛି ।

ପ୍ରଥମ ଥର ଓଡ଼ିଶାର ଏକ ଷ୍ଟୁଡିଓ ଅନ୍ତର୍ଜାତୀୟ ଟାଟୁ ମହୋତ୍ସବରେ ଫ୍ରେସ୍ ଟାଟୁ ବର୍ଗରେ ବିଜୟୀ ହୋଇ ଏକ ମାଇଲଖୁଣ୍ଟ ହାସଲ କରିଛି । ଏହି ସଫଳତା କେବଳ ଓଡ଼ିଶାର କଳାକାରମାନଙ୍କର ସୃଜନଶୀଳତା ଏବଂ ଉତ୍କର୍ଷତାକୁ ପ୍ରକାଶ କରେ ନାହିଁ ବରଂ ଅନ୍ତର୍ଜାତୀୟ ଟାଟୁ ସଂସ୍କୃତିରେ ବର୍ଦ୍ଧିତ ସ୍ୱୀକୃତିକୁ ମଧ୍ୟ ପ୍ରତିଫଳିତ କରେ।

କଳିଙ୍ଗ ଇଙ୍କ୍ ଟିମ୍ ଦ୍ୱାରା ଗଣେଶ ବିଶ୍ୱକର୍ମାଙ୍କ ଉତ୍କୃଷ୍ଟ କଳାକୃତି ସଭିଙ୍କ ମନ ମୋହିଥିଲା, ଏହାକୁ ଟିମର ସଦସ୍ୟ ମାନେ ଗଗନ ପରିୟାର, କୁବେର ବାରିକ, ସୁନନ୍ଦା ଏବଂ ଅନିଶ ଏହାକୁ ସମର୍ଥନ କରିଥିଲେ। ଏହି ମାନ୍ୟତା ଓଡ଼ିଶା ପାଇଁ ଏକ ଗର୍ବ ଆଣିଛି । ଏହା ସହ କଳିଙ୍ଗ ଇଙ୍କ୍ ରାଜ୍ୟର କଳାକୁ ବିଶ୍ୱ ଟାଟୁ ମାନଚିତ୍ରରେ ସ୍ଥାନ ଦେବା ପାଇଁ ପ୍ରୟାସ ଜାରି ରଖିଛି।

ସକ୍ରିୟ ମାଫିଆ, ନିଷ୍କ୍ରିୟ ପୋଲିସ : ବେଧଡକ ଲୁଟୁଛନ୍ତି ମୋରମ ଓ ମାଙ୍କଡା ପଥର

ନନ୍ଦିଘୋଷ ବ୍ୟୁରୋ : ଚାଲିଛି ବେଧଡକ ଖଣି ଲୁଟ । ଖଣି ମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି ପୁରୀର ପିପିଲି-ଡେଲାଙ୍ଗ ଅଞ୍ଚଳ । ବେଫିକର ଲୁଟୁଛନ୍ତି ମୋରମ ଓ ମାଙ୍କଡା ପଥର । ଜଙ୍ଗଲ ଜମି କି ଗୋଚର ବା ଦେବୋତ୍ତର ସମ୍ପତ୍ତି କିଛି ବି ଛାଡୁନାହାନ୍ତି ମାଫିଆ । ପ୍ରତିଦିନ ରାତିରେ ଲୁଟୁଛନ୍ତି ଶହ ଶହ ଟ୍ରିପ ଲଘୁ ଖଣିଜ ସମ୍ପଦ । କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର । ନିଦାବିଷ୍ଣୁ ସାଜିଛି ପ୍ରଶାସନ । ପିପିଲି ତହସିଲର ନିଜିଗଡକୁରଖି ଓ ବାହିଲିପଡାରୁ ଖଣି ଲୁଟ ହେଉଥିବା ବେଳେ ଡେଲାଙ୍ଗ ତହସିଲର ରେଙ୍ଗଳ, ଯମୁନା, ଝାଡପଡ଼ା, କୁଆପଦା ଓ ଗୋଡ଼ିପୁଟ, ମାଟିଆପଡା, ଆରାଗଡ ଓ ହରିପୁର ଆଦି ଅଞ୍ଚଳରୁ ବେଆଇନ ଭାବେ ଖଣି ଲୁଟ ଚାଲିଛି । ଜେସିବି ଟ୍ରକ, ଟ୍ରାକ୍ଟର ଓ ହାଇୱା ସାହାଯ୍ୟରେ ମନଇଚ୍ଛା ଖଣି ମାଫିଆ ଲୁଟୁଥିବା ଅଭିଯୋଗ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଜନସାଧାରଣ ।

ବେଆଇନ ଭାବେ ଖଣି ଖନନ କାରଣରୁ ସୃଷ୍ଟି ହେଉଥିବା ଗଭୀର ପୋଖରୀ ଲୋକଙ୍କ ପାଇଁ କାଳ ସାଜୁଛି । ଗାଈ ଗୋରୁ ଛେଳି ମେଣ୍ଢା ପୋଖରୀରେ ପଡି ସେମାନଙ୍କ ଜୀବନ ଯାଉଛି । ତେଣୁ ଖଣି ଚୋରି ରୋକିବାକୁ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହେଉଛି । ସେପଟେ ପ୍ରଶାସନ ପକ୍ଷରୁ ଅନେକ ଥର ଚଢାଉ କରାଯାଇ ଜରିମାନା ଆଦାୟ ସହ ମାମଲା ରୁଜୁ ହୋଇଥିଲେ ମଧ୍ୟ କୌଣସି ଫରକ ପଡୁନାହିଁ । ଶୀଘ୍ର ମାଫିଆଙ୍କ ବିରୋଧରେ କଡା କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

‘ଫାଇନାଲରେ ଦେଖି ନେବୁ…’ ଦୁଇଥର ହାରିବା ପରେ ବି ସୁଧୁରିଲାନି ପାକିସ୍ତାନ, ସୂର୍ଯ୍ୟକୁମାରଙ୍କୁ ଚ୍ୟାଲେଞ୍ଜ ଦେଲେ ଆଫ୍ରିଦି

ନନ୍ଦିଘୋଷ ବ୍ୟୁରୋ : ୨୦୨୫ ଏସିଆ କପରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନର ଆରାମଦାୟକ ବିଜୟ ଫାଇନାଲ ମୁକାବିଲା ପାଇଁ ଅଧିକ ଉତ୍ସାହ ଭରିଦେଇଛି । ଏବେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଫାଇନାଲକୁ ନେଇ କଳ୍ପନାଜଳ୍ପନା ତୀବ୍ର ହୋଇଛି । ଏହି ସମୟରେ ପାକିସ୍ତାନୀ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି ସୂର୍ଯ୍ୟକୁମାର ଯାଦବଙ୍କ ଏକ ବକ୍ତବ୍ୟକୁ ସମାଲୋଚନା କରିଛନ୍ତି ଯେ, ଭାରତର ପ୍ରାଧାନ୍ୟ ଅଧିକ ଥିବାରୁ ଭାରତ- ପାକିସ୍ତାନ ମ୍ୟାଚକୁ ଆଉ ପ୍ରତିଦ୍ୱନ୍ଦିତା ମାନିବା ଦରକାର ନାହିଁ ।

ଗୁରୁବାର ବାଂଲାଦେଶ ବିପକ୍ଷ ସୁପର ଫୋର ଫାଇନାଲ୍ ପୂର୍ବରୁ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଆଫ୍ରିଦି ସୂର୍ଯ୍ୟକୁମାରଙ୍କ ବକ୍ତବ୍ୟ ବିଷୟରେ ପ୍ରଶ୍ନ ଗୁଡିକୁ ଏଡାଇ ଦେଇଥିଲେ । ସେ କହିଥିଲେ, ଆମେ ଏସିଆ କପ୍ ଜିତିବା ପାଇଁ ଏଠାରେ ଅଛୁ , ଏହାକ ହାସଲ କରିବା ପାଇଁ ଆମେ କଠିନ ପରିଶ୍ରମ କରିବୁ । ନା ଭାରତ ନା ଆମେ ଫାଇନାଲରେ ଅଛୁ । ଯଦି ଆମର ଫାଇନାଲରେ ଏକ ମ୍ୟାଚ ହେବ, ତେବେ ଆମେ ସେମାନଙ୍କୁ ଦେଖି ନେବୁ… ।

 

 

ବିବାଦରେ ବାବା : ଦିଲ୍ଲୀର ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ବାବାଙ୍କୁ ନେଇ ବଡ଼ ବିବାଦ

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀର ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ ବାବାଙ୍କୁ ନେଇ ଏବେ ବଡ଼ ବିବାଦ। ଜଣେ ଯୁବତୀଙ୍କ ନିକଟକୁ ତାଙ୍କର ଏକ ମେସେଜ ବିବାଦର କାରଣ ହୋଇଛି। ବସନ୍ତକୁଞ୍ଜ ଇଲାକାରେ ଚାଲିଥିବା ଏହି ଆଶ୍ରମ ଏବେ ଚର୍ଚ୍ଚାର କାରଣ ପାଲଟିଛି। ଏକ ମେସେଜରେ ବାବା କହିଥିଲେ- ମୋ ରୁମକୁ ଆସ, ମୁଁ ତୁମକୁ ବିଦେଶକୁ ବୁଲାଇ ନେବି। ଏଥିଲାଗି ତୁମକୁ କିଛି ଦେବାକୁ ପଡିବ ନାହିଁ। ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆନ ମ୍ୟାନେଜମେଣ୍ଟର ପ୍ରାୟ ୫୦ ମହିଳାଙ୍କ ନିକଟକୁ ବାବାଙ୍କ ହ୍ବାଟସଆପ ମେସେଜ ପ୍ରଘଟ ହେବା ପରେ ଏହାକୁ ନେଇ ବଢିଛି ବିବାଦ।

କେବଳ ଏତିକି ନୁହେଁ ଗତ ୧୬ ବର୍ଷ ଧରି ଏହା ଚାଲିଆସୁଥିଲା ବୋଲି ଜଣାପଡିଛି। ଅନ୍ୟ ଏକ ମେସେଜରେ ବାବା ଜଣେ ମହିଳାଙ୍କୁ ସମ୍ପତ୍ତି ଲୋଭ ଦେଖାଇଛନ୍ତି। ଯଦି ମୋ କଥାରେ ପରିଚାଳିତ ନହେବ ତେବେ ତୁମକୁ ଫେଲ୍ କରିଦିଆଯିବ ବୋଲି ଅନ୍ୟ ଏକ ମେସେଜରୁ ସୂଚନା ମିଳିଛି। ବଡ଼କଥା ହେଉଛି ସ୍ବାମୀ ଚୈତନ୍ୟାନ୍ଦ ନାମରେ ଜଣାଶୁଣା ଏହି ବାବାଙ୍କ ଘର ଓଡ଼ିଶାରେ ଏବଂ ସେ ୧୨ ବର୍ଷ ଧରି ଏହି ମଠରେ ରହିଥିଲେ ବୋଲି ଜଣାଯାଇଛି। ତାଙ୍କ ମୂଳ ନାମ ଥିଲା ପାର୍ଥସାରଥି। ତାଙ୍କ ନାମରେ ୨୦୦୯ ଓ ୨୦୧୬ରେ ଦୁଇଟି ନିର୍ଯାତନା ମାମଲା ଦାୟର ହୋଇଥିବା ଜଣାଯାଇଛି। ବସନ୍ତକୁଞ୍ଜ ଆଶ୍ରମରୁ ଦ୍ବିତୀୟ ମାମଲା ଦାୟର ହୋଇଥିଲେ ବି ତାଙ୍କ ବିରୋଧରେ କୌଣସି କାର୍ଯ୍ଯାନୁଷ୍ଠାନ ହୋଇ ନଥିଲା। ବିଶେଷ କରି ଅର୍ଥନୈତିକ ପଛୁଆ ବର୍ଗର ମହିଳାଙ୍କୁ ସେ ଟାର୍ଗେଟ କରିଆସୁଥିଲେ। ଏହି ଘଟଣା ପ୍ରଘଟ ହେବା ପରେ ସ୍ବାମୀ ଚୈତନ୍ୟାନନ୍ଦଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇଛି ଶ୍ରୀ ଶ୍ରୀଙ୍ଗେରୀ ମଠ ପ୍ରଶାସନ। ପୋଲିସ ବି ତାଙ୍କ ବିରୋଧରେ ଲୁକ ଆଉଟ ନୋଟିସ ଜାରି କରିଛି। ଘଟଣାସ୍ଥଳରୁ ଦାମୀ କାର ଓ ବାଇକ ଜବତ ହୋଇଛି

ମହାନଦୀରେ ବନ୍ୟା ଆଶଙ୍କା, ୨୭ ସକାଳେ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ

ନନ୍ଦିଘୋଷ ବ୍ୟୁରୋ : ମହାନଦୀରେ ବନ୍ୟା ଆଶଙ୍କା। ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ। ଏହାର ପ୍ରଭାବରେ ଶାଖା ନଦୀଗୁଡିକ ମଧ୍ୟ ଫୁଲିବ ବୋଲି ଆଶଂକା କରିଛି ଜଳ ସଂପଦ ବିଭାଗ । ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ଟି ସ୍ଥାନରେ ୧୦୦ ମିଲିମିଟର ବର୍ଷା ହୋଇଛି । ଖଇରମାଳରେ ୮୨ ମିଲିମିଟର ବର୍ଷା ହୋଇଥିବାବେଳେ ତେଲ ନଦୀରେ ୩୩ ମିଲିମିଟର ବର୍ଷା ହୋଇଛି ।

ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଏବେ ୩ ଲକ୍ଷ ୨୦ ହଜାର କ୍ୟୁସେକ ପାଣି ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି । ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ପାଣି ୬୨୯.୮୯ ଫୁଟରେ ରହିଛି । ୧୬ଟି ଗେଟରେ ପାଣି ନିଷ୍କାସନ ହେଉଛି । ଫଳରେ ୩ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତେଣୁ ୨୭ ତାରିଖ ସକାଳୁ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ ମୁଣ୍ଡଳୀରେ ପ୍ରବାହିତ ହେବ। ମୁଣ୍ଡଳୀରେ ଯଦି ବର୍ଷା ହୁଏ ପାଣି ଅଧିକ ଆସିବ। ଏବେ ସେଠାରେ ୧ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହାର ପ୍ରଭାବରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛି ଜଳ ସଂପଦ ବିଭାଗ ।

ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ବିଭାଗ କହିଛି । ବନ୍ଧବାଡ଼ର ତଦାରଖ କରାଯାଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ବିପଦ ସଂକେତ ନିକଟରେ ଜଳସ୍ତର ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ଆଗକୁ ଆଉ ଏକ ଲଘୁଚାପ ଅଛି । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ପାତ୍ରପଡ଼ା ହିଟ ଆଣ୍ଡ୍ ରନ୍ ମାମଲା : ଧରାପଡ଼ିଲା କିଲର ଥାର ମାଲିକ

ନନ୍ଦିଘୋଷ ବ୍ୟୁରୋ : ପାତ୍ରପଡ଼ା ହିଟ ଆଣ୍ଡ ରନ ଘଟଣା। ଧରାହେଲା କିଲର ଥାର ମାଲିକ। ନିଶାରୁ ହିଟ ଆଣ୍ଡ ରନ ହୋଇଥିବା ପୋଲିସର ସୂଚନା। ମୁଖ୍ୟ ଅଭିଯୁକ୍ତ ସୋମନାଥ ବେହେରା ବିରୋଧରେ ଲୁକ ଆଉଟ ସର୍କୁଲାର ଜାରି ହେବା ପରେ ଏବେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତାକୁ ସହଯୋଗ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରାଯାଇଛି। ଲୁକ ଆଉଟ ନୋଟିସ ଓ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯିବା ପରେ ମୁଖ୍ୟ ଅଭିଯୁକ୍ତକୁ କାବୁ କରିଛି ଖଣ୍ଡଗିରି ପୋଲିସ। ୯ ଅଗଷ୍ଟ ରାକ୍ଷୀ ପୂର୍ଣ୍ଣିମା ରାତିରେ ଘଟିଥିଲା ଦୁର୍ଘଟଣା। ସ୍କର୍ପିଓ ଏବଂ ଥାର ଗାଡିର ରେସିଂ ଚାଲୁଥିବା ବେଳେ, ଦୁର୍ଘଟଣା ଯୋଗୁଁ ୮ ବର୍ଷୀୟ ଝିଅ ରେଶମା ରାଉଳର ମୃତ୍ୟୁ ଘଟିଥିଲା। ପରେ ମା’ ରେବତୀ ରାଉଳ ମଧ୍ୟ ପ୍ରାଣ ହରାଇଥିଲେ। ଯାହାକୁ ନେଇ ପ୍ରବଳ ପ୍ରତିବାଦ କରିଥିଲେ ସ୍ଥାନୀୟ ଲୋକେ। ଏହାକୁ ନେଇ ରାସ୍ତାରୋକ କରିଥିଲେ ପାତ୍ରପଡା ଓ ଫୁଲେଶ୍ୱରୀ ବସ୍ତି ଲୋକେ। ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଓ ଥାରକୁ ପୂର୍ବରୁ ଜବତ କରାଯାଇଥିଲା। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏପରିକି ତାଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯାଇଛି।

ହୀରାକୁଦରେ ଖୋଲିଲା ପୁଣି ୪ଟି ଗେଟ୍

ପୁଣି ଖୋଲିଲା ହୀରାକୁଦ ଗେଟ୍ । ପୂର୍ବରୁ ୮ଟି ଗେଟ ଖୋଲାଯାଇଥିବା ବେଳେ ପୁଣି ୪ଟି ଗେଟ ଖୋଲାଯାଇଛି । ଉପର ମୁଣ୍ଡରୁ ବନ୍ୟାଜଳ ପ୍ରବେଶ ମାତ୍ରା ବଢୁଥିବାରୁ ହୀରାକୁଦର ଗେଟକୁ ଖୋଲାଯାଇଛି । ବର୍ତ୍ତମାନ ୨ ଲକ୍ଷ ୫ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି । ଜଳ ଭଣ୍ଡାରର ଜଳସ୍ତର ୬୨୯.୯୭ ଫୁଟରେ ପହଞ୍ଚିଛି । ଖୁବ ଶୀଘ୍ର ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ସୂଚନା ମିଳିଛି । ଏନେଇ ତଳ ମୁଣ୍ଡକୁ ସତର୍କ ସୂଚନା ଜାରି କରାଯାଇଛି ।.

୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ

୩୦ ତାରିଖ ପର୍ଯ୍ୟନ୍ତ କଳିଙ୍ଗା ଘାଟିରେ ଯାତାୟାତ ବନ୍ଦ । ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଭୂସ୍ଖଳନସ୍ଥଳରେ ପୁଣି ବଡ଼ ପଥର ଖସିବା ଚିନ୍ତା ବଢ଼ାଇଛି । ପୁନରୁଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୨୨ ତାରିଖ ଦିନ ବାଦଲଫଟା ବର୍ଷା ସାଙ୍ଗକୁ ବର୍ଷାପାଣି ମାଡ଼ିଆସିବା ଯୋଗୁ ପଥର ଖସିଛି । ସେପଟେ ପାହାଡ଼ ଶିଖରରୁ ପାଣିର ପ୍ରବଳ ସୁଅ ଆସୁଛି । ବର୍ଷା ସାଙ୍ଗକୁ ପଥର ଖସୁଥିବା କାରଣରୁ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି କାମ ସ୍ୱଳ୍ପ ମାତ୍ରାରେ କରାଯାଉଛି । ଆଜି ସକାଳେ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟରତ ଶ୍ରମିକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ପ୍ରାଥମିକସ୍ତରରେ ଅସ୍ଥାୟୀ ରାସ୍ତା ବାହାର କରି ୭ ଦିନ ଭିତରେ ହାଲୁକା ଯାନ ଯାତାୟାତ ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ କାର୍ଯ୍ୟ ଜାରି ରହିଥିଲା । କିନ୍ତୁ ବର୍ଷା ଏଥିରେ ବାଧକ ସାଜିଛି । ଲଗାଣ ବର୍ଷା ଥିବା ଯୋଗୁଁ ୩୦ ତାରିଖ ପର୍ଯ୍ୟନ୍ତ କୌଣସି ପ୍ରକାରେ ରାସ୍ତା ଖୋଲା ଯିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ଦ୍ୱାରା ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ଉକ୍ତ ଅଞ୍ଚଳରେ ପାଗ ଶୁଖିଲା ରହିଥିବା ବେଳେ ଆଜି ପୁଣିଥରେ କାମ ଆରମ୍ଭ କରାଯାଇଛି । କଳିଙ୍ଗା ଘାଟିର ପୁନଃନିର୍ମାଣ ଲାଗି ଜିଲ୍ଲା ପ୍ରଶାସନ ଯେତେ ଉଦ୍ୟମ କଲେ ମଧ୍ୟ ପ୍ରକୃତି ସେତେ ଦାଉ ସାଧୁଛି । ବର୍ଷା ହିଁ ରାସ୍ତା ମରାମତି କାର୍ଯ୍ୟରେ ପ୍ରମୁଖ ବାଧକ ସାଜିଛି ।

ଭରା ନଦୀରେ ବାଜିରେ ଲାଗିଛି କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ

ଭରା ନଦୀରେ ବାଜିରେ ଲାଗିଛି କୋମଳମତି ଛାତ୍ରଛାତ୍ରୀଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ବ୍ଲକ ତାଳପଦା ପଞ୍ଚାୟତ ତାଳପଦା ମୁଣ୍ଡା ସାହିରେ। ମୁଣ୍ଡା ସାହିକୁ ସମାକୋଇ ନଦୀ ଉପରେ ପୋଲ ନଥିବାରୁ ବର୍ଷା ଦିନରେ ଯାତାୟତ ପାଇଁ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ଲୋକ । ଏବେ ସ୍କୁଲରେ ପରିକ୍ଷା ଚାଲିଥିବାରୁ ବାଧ୍ୟହୋଇ ମୁଣ୍ଡା ସାହିରୁ କିଛି ଛାତ୍ରଛାତ୍ରୀ ସ୍କୁଲ ଯାଉଛନ୍ତି । ତାଳପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପରିକ୍ଷା ଦେବାପାଇଁ ଛାତ୍ରଛାତ୍ରୀ ଭରା ନଦୀ ପାର ହୋଇ ଯାଉଛନ୍ତି । ଲଗାଣ ବର୍ଷା ଯୋଗୁଁ ସମାକୋଇ ନଦୀରେ ବର୍ଷା ଜଳ ପ୍ରଭାବିତ ହେଉଛି । ସାହିରେ ୨୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି । ନଦୀ ଉପରେ ପୋଲ ନିର୍ମାଣ ପାଇଁ ଦାବି କରିଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରିନାହିଁ । ଫଳରେ ନଦୀ ବଢ଼ିଲେ କେବଳ ଛାତ୍ରଛାତ୍ରୀ ନୁହଁନ୍ତି ଗୁରୁତର ରୋଗୀ ମଧ୍ୟ ସମସ୍ୟାର ସମୁଖୀନ ହୋଇଥାନ୍ତି ।