spot_img
Home Blog Page 462

ଆଜି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପାକ୍ ପ୍ରଧାନମନ୍ତ୍ରୀ ସରିଫଙ୍କ ଭେଟଘାଟ୍

ନନ୍ଦିଘୋଷ ବ୍ୟୁରୋ : ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ହ୍ବାଇଟ ହାଉସରେ ଭେଟିବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ। ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି। ଜୁଲାଇ ୨୦୧୯ ପରଠାରୁ ଦୁଇ ନେତାଙ୍କ ମଧ୍ୟରେ ପ୍ରଥମ ଥର ଲାଗି ଏହି ଭେଟଘାଟ ହେବ। ସେପଟେ ବଢିବ ଆମେରିକା ଓ ତୁର୍କୀ ସମ୍ପର୍କ। ଆଜି ଆମେରିକା ଗସ୍ତରେ ଯିବେ ତୁର୍କୀ ରାଷ୍ଟ୍ରପତି ରିସେପ ତୟିପ ଏର୍ଦୁଗାନ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ଆଶା କରାଯାଉଛି। ବିଶେଷ କରି ଏଫ-୩୫ ଫାଇଟର ଜେଟ ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ ଏର୍ଦୁଗାନ। ଆମେରିକା ଓ ତୁର୍କୀ ମଧ୍ୟରେ ବାଣିଜ୍ୟ ଓ ସାମରିକ ସହଭାଗିତା ପ୍ରସଙ୍ଗରେ ଆଲୋଚନା ଜାରି ରହିଛି ବୋଲି କହିଥିଲେ ଟ୍ରମ୍ପ। ଆମେରିକାଠାରୁ ବୋଇଂ ବିମାନ, ଏଫ-୧୬ ଯୁଦ୍ଧ ବିମାନ କ୍ରୟ ସମେତ ଏଫ ୩୫ ସମ୍ପର୍କରେ ଆଲୋଚନା ହେବ ବୋଲି ସୂଚନା ମିଳିଛି। ୨୦୧୯ରେ ରୁଷଠାରୁ ଏସ-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ତୁର୍କୀ କ୍ରୟ କରିବା ପରେ ଆମେରିକା ସହ ସମ୍ପର୍କରେ ତିକ୍ତତା ପରିଲକ୍ଷିତ ହୋଇଥିଲା। ରୁଷର ଅତ୍ୟାଧୁନିକ ପ୍ରଯୁକ୍ତି ବ୍ଯବସ୍ଥା ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଥିଲା ଆମେରିକା। ଟ୍ରମ୍ପ ଓ ଏର୍ଦୁଗାନଙ୍କ ମଧ୍ୟରେ ନାଟୋରେ ତୁର୍କୀର ଭୂମିକା ପ୍ରସଙ୍ଗରେ ବି ଆଲୋଚନା ହେବ। ଗାଜା ଓ ରୁଷ-ୟୁକ୍ରେନ ଯୁଦ୍ଧର ଅନ୍ତ ଘଟାଇବା ଲାଗି ତୁର୍କୀର ସହାୟତା କାମନା କରିପାରନ୍ତି ଟ୍ରମ୍ପ।

ଜୀବିତ ସ୍ତ୍ରୀଙ୍କୁ ମୃତ କହି ଗ୍ରାମବାସୀଙ୍କ ଦ୍ୱାରା ଶୁଦ୍ଧିକ୍ରିୟା କଲା ସ୍ୱାମୀ

ଜଗସିଂହପୁର : ମେଡ଼ିକାଲରେ ଜୀବିତ ସ୍ତ୍ରୀଙ୍କୁ  ମୃତ କହି ଗ୍ରାମବାସୀଙ୍କ ଦ୍ୱାରା ଶୁଦ୍ଧିକ୍ରିୟା କଲା ସ୍ୱାମୀ। ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା ଥାନା ଗରାମ ପଞ୍ଚାୟତର ଚଂରପୁର  ଗ୍ରାମରେ। ଚଂରପୁର ଗ୍ରାମର ସତ୍ୟ ବ୍ରତ ଦାସଙ୍କ ସ୍ତ୍ରୀ  ମିନତି ଦାସ ୬ ମାସ ତଳେ ଘରେ ପଡ଼ିଯିବାରୁ ତାଙ୍କର ଚଟୁଆ ଖସିଯାଇଥିଲା।  ଖବର ପାଇ ସ୍ୱାମୀ  ଭୁବନେଶ୍ୱରରୁ ଗାଁକୁ ଆସି ତାଙ୍କୁ କଟକ ବଡ଼ ମେଡିକାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରିଥିଲେ। ହେଲେ ୨ ମାସ ପରେ ସ୍ବାମୀ ଗାଁକୁ ଆସି କହିଥିଲା ସ୍ତ୍ରୀ ମିନତି ମରିଯାଇଛନ୍ତି। ଏପରିକି ଜ୍ଞାତିକୁଟୁମ୍ବଙ୍କୁ ଡାକି ଶୁଦ୍ଧିକ୍ରିୟା ବି କରିଦେଇଥିଲା। ମିନତି ପାଉଥିବା ଅନ୍ତୋଦୟ ଚାଉଳ ବି ସ୍ବାମୀ ନେଇଯାଇଥିଲା।  ମେଡ଼ିକାଲରେ ଭର୍ତ୍ତି ସମୟରେ ମନ୍ଦ ଉଦେଶ୍ୟ ରଖି ସ୍ତ୍ରୀ ମିନତିଙ୍କ ନାମ ଭୁଲ ବି ଦର୍ଶାଇଥିଲା ସ୍ବାମୀ। ଏବେ ମିନତି ନିରାଶ୍ରୟ ରୋଗୀ ଭାବେ ଚିକିତ୍ସିତ ହେଉଛନ୍ତି। ସତ୍ୟବ୍ରତଙ୍କ ୪୦ ବର୍ଷର ପୁଅ ବି ରହିଛି। ସତ୍ୟବ୍ରତ ଅନ୍ୟ ଜଣଙ୍କୁ ବିବାହ କରି ଭୁବନେଶ୍ବରରେ ରହୁଥିବା କୁହାଯାଉଛି। ଏହି ଘଟଣାକୁ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଯୁବତୀଙ୍କୁ କମେଣ୍ଟ କରି ରୋଡ୍ ରୋମିଓ ଗିରଫ

ଛେଣ୍ତିପଦା : ଯୁବତୀଙ୍କୁ କମେଣ୍ଟ କରି ରୋଡ୍ ରୋମିଓ ଗିରଫ l ଅନୁଗୁଳ ଜିଲ୍ଲା ଛେଣ୍ତିପଦାରେ ଜଣେ ଯୁବତୀଙ୍କୁ କମେଣ୍ଟ କରିବା ସହିତ ରୋଡ୍ ରୋମିଓ ପୋଲିସକୁ ଦେଇଥିଲା ଖୋଲା ଚ୍ୟାଲେଞ୍ଜ l ଘଟଣାରେ ପୋଲିସ ଷଣ୍ଢପାଳ ଗାଁର ରାହୁଲ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି  । ଜଣେ ଯୁବତୀ ସ୍କୁଟିରେ ଅନୁଗୋଳରୁ ବାଗଡିଆ ଯାଉଥିବା ବେଳେ ନିଶା ଥାନା ନିକଟରୁ ରୋଡ୍ ରୋମିଓ ରାହୁଲ ଯୁବତୀଙ୍କର ପିଛା କରିଥିଲେ ।  ଏପରିକି ଯୁବତୀଙ୍କୁ ରାସ୍ତାରେ ଅଶିଳଭାଷାରେ କମେଣ୍ଟ କରିଥିଲେ । ସେହି ସମୟରେ ଛେଣ୍ଡିପଦା ଥାନାର ପୋଲିସ କନେଷ୍ଟବଳ ସରୋଜ ସାହୁ ଛେଣ୍ଡିପଦା ଥାନା ଆସୁଥିବା ବେଳେ ରୋଡ଼ ରୋମିଓଙ୍କର କାରନାମା ଦେଖି ତାଙ୍କୁ ବାରଣ କରିଥିଲେ l ଏପରିକି ତାଙ୍କୁ ପୋଲିସର ପରିଚୟ ଦେବା ପରେ ମଧ୍ୟ  ରୋଡ୍ ରୋମିଓ କଥା ନମାନି ଓଲଟା ପୋଲିସକୁ ଧମକ ଦେବା ସହିତ ରାସ୍ତାରେ ଦେଖିନେବି ବୋଲି କହିଥିଲା  l ପରେ  ପୋଲିସ କନେଷ୍ଟବଳକୁ ଅଟକ  ରଖି ମାଡ଼ ମାରିବା ପାଇଁ ଧମକ ଦେଇ ସାଥୀ ଯୁବକକୁ ଡାକିଥିଲା ।ସେହି ସମୟରେ କନେଷ୍ଟବଳ ଜଣଙ୍କ ଛେଣ୍ତିପଦା ପୋଲିସକୁ ଖବର ଦେଇଥିଲେ । ପୋଲିସ  ଘଟଣା ସ୍ଥଳରେ ପହଞ୍ଚି ରୋଡ୍ ରୋମିଓ ରାହୁଲ ନାଏକକୁ ଗିରଫ କରି ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ କରିବା ସହ କୋର୍ଟ ଚାଲାଣ କରିଛି l

ମାଆ ତାରାତାରିଣୀଙ୍କ ପୀଠରେ ଧୂମଧାମରେ ଚାଲିଛି ନବରାତ୍ର ପୂଜା

ପୁରୁଷୋତ୍ତମପୁର : ସମସ୍ତ ଶକ୍ତିପୀଠରେ ଚାଲିଛି ନବରାତ୍ର ପୂଜା । ସେହିପରି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରାତାରିଣୀଙ୍କ ପୀଠରେ ମଧ୍ୟ ଧୂମଧାମରେ ନବରାତ୍ର ପୂଜା ଚାଲିଛି। ଆଜି ନବାରାତ୍ର ପୁଜାର ଚତୁର୍ଥ ଦିନରେ ମାଁ ପୁଷ୍ପାଣ୍ଡି ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ଗତକାଲି ବ୍ରହ୍ମହଚାରିଣୀ ବେଶରେ ମା ଦର୍ଶନ ଦେଇଥିଲେ ।  ଭୋରରୁ ମାଁଙ୍କ ଦ୍ବାରଫିଟା ନୀତି ପରେ ବେଶ ଓ ଏହାପରେ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହିତ ଭକ୍ତ ମାନଙ୍କୁ ମାଁ ଦର୍ଶନ ଦେଇଥିଲେ । ନବରାତ୍ର ପୂଜା ଆରମ୍ଭ ହୋଇଥିବା ଯୋଗୁଁ ଭୋରରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଲାଗିରହିଛି ମନ୍ଦିରରେ ।

ମହାନଦୀରେ ବନ୍ୟା ଆଶଙ୍କା, ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦର ଖୋଲା ଅଛି ୧୬ଟି ଗେଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ବଢ଼ିବାରେ ଲାଗିଛି ବନ୍ୟା ଜଳ ପ୍ରବେଶର ମାତ୍ରା। ବର୍ତ୍ତମାନ ଜଳ ଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୨ ଲକ୍ଷ ୪୬ ହଜାର ୯୧୩ ଘନଫୁଟ ବନ୍ୟାଜଳ। ୧୬ଟି ଗେଟ୍ ଦେଇ ନିଷ୍କାସନ ହେଉଛି ୨ ଲକ୍ଷ ୯୭ ହଜାର ଘନଫୁଟ ବନ୍ୟାଜଳ। ଏବେ ଜଳସ୍ତର ୬୨୯.୨୧ ଫୁଟ୍ ରହିଛି। ଉପରମୁଣ୍ଡରୁ ଅଧିକ ପାଣି ଆସୁଥିବାରୁ ମହାନଦୀର ତଳମୁଣ୍ଡରେ ଦେଖା ଦେଇଛି ବନ୍ୟାସ୍ଥିତି। ଆସନ୍ତା ଶନିବାର ୨୭ ତାରିଖ ସକାଳୁ ମୁଣ୍ଡଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟା ଜଳ। ଏହାର ପ୍ରଭାବରେ ଶାଖା ନଦୀଗୁଡିକ  ଫୁଲିବ ବୋଲି ଆଶଂକା କରିଛି ଜଳ ସଂପଦ ବିଭାଗ । ଏବେ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହୋଇଛି । ୬୪ଟି ବ୍ଲକରେ ୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ୧୧ଟି ସ୍ଥାନରେ ୧୦୦ ମିଲିମିଟର ବର୍ଷା ହୋଇଛି । ଖଇରମାଳରେ ୮୨ ମିଲିମିଟର ବର୍ଷା ହୋଇଥିବାବେଳେ ତେଲ ନଦୀରେ ୩୩ ମିଲିମିଟର ବର୍ଷା ହୋଇଛି । ସମ୍ବଲପୁରରେ ସବୁଠାରୁ ଅଧିକ ବର୍ଷା ହୋଇଛି । ହୀରାକୁଦ ଉପରମୁଣ୍ଡରେ ୪୧ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ଜାରି ରହିଛି । ଯଦି ବର୍ଷା ହୁଏ ପାଣି ଅଧିକ ଆସିବ। ଏହାର ପ୍ରଭାବରେ ଶାଖା ନଦୀ କୁଆଖାଇ, ବିରୂପା, କାଠଯୋଡି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ଏଣୁ ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛି ଜଳ ସଂପଦ ବିଭାଗ । ସମ୍ଭାବ୍ୟ ବନ୍ୟା ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଛି । କ୍ଷେତ୍ର ଅଧିକାରୀମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛୁ ବୋଲି ବିଭାଗ କହିଛି । ବନ୍ଧବାଡ଼ର ତଦାରଖ କରାଯାଉଛି । ଭୟଭୀତ ହେବାର ଆବଶ୍ୟକତା ନାହିଁ । ବ୍ରାହ୍ମଣୀ ନଦୀରେ ରେଙ୍ଗାଲିରେ ଗୋଟିଏ ଗେଟ୍ ଖୋଲିଛି । ବୈତରଣୀରେ ବିପଦ ସଂକେତ ନିକଟରେ ଜଳସ୍ତର  ପହଞ୍ଚିବ ବୋଲି ଅନୁମାନ କରାଯାଉଛି । ସୁବର୍ଣ୍ଣରେଖା ଓ ବୁଢାବଳଙ୍ଗରେ ବର୍ଷା ସତ୍ତ୍ୱେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ଆଗକୁ ଆଉ ଏକ ଲଘୁଚାପ ଅଛି । ତେବେ ବର୍ଷା କେତେ ହେବ ତା ଉପରେ ନଜର ରହିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ, ଏବେ ଗୋଟିଏ ଭୁଲ ପାକିସ୍ତାନକୁ ଭାରି ପଡିବ

ନନ୍ଦିଘୋଷ ବ୍ୟୁରୋ : ଏସିଆ କପ୍ ୨୦୨୫ରେ ଗ୍ରୁପ୍ ପର୍ଯ୍ୟାୟରୁ ସୁପର-୪ ରାଉଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ଫାଇନାଲରେ ପ୍ରବେଶ କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ସେମାନଙ୍କର ଦ୍ୱିତୀୟ ସୁପର-୪ ମ୍ୟାଚ୍ ରେ ବାଂଲାଦେଶକୁ ୪୧ ରନରେ ପରାସ୍ତ କରି ଟାଇଟଲ୍ ମ୍ୟାଚ୍ ପାଇଁ ଟିକେଟ୍ ସୁରକ୍ଷିତ କରିଥିଲା। ଏବେ ଅପେକ୍ଷା ଦ୍ୱିତୀୟ ଦଳର, ଯାହା ପାଇଁ ବାଂଲାଦେଶୀ ଦଳ ପୁଣି ଥରେ ନିଜର ଦାବି ଉପସ୍ଥାପନ କରିବ ଓ ପାକିସ୍ତାନ ସହିତ ମୁକାବିଲା କରିବ। ନିଷ୍ପତ୍ତି ଗୁରୁବାର, ୨୫ ସେପ୍ଟେମ୍ବରରେ ନିଆଯିବ।

ସେପ୍ଟେମ୍ବର ୨୪ ତାରିଖରେ ଦୁବାଇରେ ଭାରତ ଏବଂ ବାଂଲାଦେଶ ମୁହାଁମୁହିଁ ହୋଇଥିଲେ। ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୬୮ ରନ କରିଥିଲା। ଜବାବରେ ବାଂଲାଦେଶ ମାତ୍ର ୧୨୭ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ଫାଇନାଲରେ ପହଞ୍ଚିଥିଲେ ମଧ୍ୟ, ସେମାନଙ୍କର ବିଜୟ ଶ୍ରୀଲଙ୍କାକୁ ଟୁର୍ଣ୍ଣାମେଣ୍ଟରୁ ସମ୍ପୂର୍ଣ୍ଣ ଭାବରେ ବାଦ ଦେଇଥିଲା । ଶ୍ରୀଲଙ୍କା ପୂର୍ବରୁ ଦୁଇଟି ମ୍ୟାଚ୍ ହାରିସାରିଛି  । ଶେଷ ମ୍ୟାଚ୍ ଭାରତ ବିପକ୍ଷରେ ହାରିଛି  ପାକିସ୍ତାନ ।

ଏବେ ଅପେକ୍ଷା ସେପ୍ଟେମ୍ବର ୨୮ ତାରିଖରେ ଫାଇନାଲରେ ଭାରତୀୟ ଦଳ ସହ କିଏ ମୁକାବିଲା କରିବ। ଫାଇନାଲରେ ପହଞ୍ଚିବା ପାଇଁ ସମୀକରଣ ଏବେ ସହଜ ଓ ଏହି ନିଷ୍ପତ୍ତି ଗୁରୁବାର ହେବ। ଶ୍ରୀଲଙ୍କାର ବିଦାୟ ସହିତ, ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ଖେଳାଯିବ । ଏହି ଦୁଇଜଣଙ୍କ ମଧ୍ୟରେ ଯିଏ ଏହି ମ୍ୟାଚ୍ ଜିତିବ ସେ ଫାଇନାଲରେ ପ୍ରବେଶ କରିବ। ତେଣୁ, ଏହି ମ୍ୟାଚ୍ ହାରିବା ପାକିସ୍ତାନ ଏବଂ ବାଂଲାଦେଶ ଉଭୟଙ୍କ ପାଇଁ ମହଙ୍ଗା ପଡ଼ିବ । କାରଣ ଏହି ମ୍ୟାଚ୍ ପରେ ସେମାନେ ଆଉ ଏକ ସୁଯୋଗ ପାଇବେ ନାହିଁ।

ତଥାପି, ଏହି ଟୁର୍ଣ୍ଣାମେଣ୍ଟରେ ସେମାନଙ୍କର ପ୍ରଦର୍ଶନକୁ ଆଧାର କରି, ବାଂଲାଦେଶ ପାକିସ୍ତାନ ଅପେକ୍ଷା ଅଧିକ ଶକ୍ତିଶାଳୀ ମନେହୁଏ। ସେମାନେ ପୂର୍ବରୁ ଆଫଗାନିସ୍ତାନ ଓ ଶ୍ରୀଲଙ୍କାକୁ ପରାସ୍ତ କରିସାରିଛନ୍ତି, ଯେତେବେଳେ ଭାରତକୁ ମଧ୍ୟ ସେମାନଙ୍କର ବୋଲିଂରେ ଅସୁବିଧାରେ ପକାଇଛନ୍ତି। ଅନ୍ୟପଟେ ପାକିସ୍ତାନୀ ଦଳ ଭାରତ ବିପକ୍ଷରେ ଉଭୟ ମ୍ୟାଚ୍‌ରେ କ୍ଲାନ୍ତ ଦେଖାଯାଉଥିଲା, ଯେତେବେଳେ ଶ୍ରୀଲଙ୍କାକୁ ପରାସ୍ତ କରିବା ମଧ୍ୟ ଏକ ସଂଘର୍ଷପୂର୍ଣ୍ଣ ଥିଲା।

ଶୁଭମିତ୍ରା ମର୍ଡର ମାମଲା : ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ !

ନନ୍ଦିଘୋଷ ବ୍ୟୁରୋ : ଶୁଭମିତ୍ରା ମର୍ଡର କେସରେ ପୁଣି ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ପତ୍ନୀ ଅପର୍ଣ୍ଣାଙ୍କ ପରିବାର ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ଓ ଦୀପକଙ୍କ ଲଭ ରିଲେସନ ମଧ୍ୟରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ । ପୋଲିସ କମିଶନର ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ବାରମ୍ବାର ନିଜକୁ ଦୀପକଙ୍କ ଧରମ ଭଉଣୀ କହିବା ସହ ଧମକାଉଥିଲେ । ଦୀପକଙ୍କ ଠାରୁ ଦୂରେଇ ଯିବାକୁ ପରୋକ୍ଷରେ କହୁଥିଲେ । ଏପରିକି ଅପର୍ଣ୍ଣା ଆରଆଇ ଭାବେ ଚାକିରି କରିଥିବାରୁ ତାଙ୍କ ନାଁରେ ଏକ ଲୋନ କରି, ମାଛ ଚାଷ କରିଥିଲେ ଏହି ଧରମ ଭଉଣୀ। ୨୦୨୨ ମାର୍ଚ୍ଚ ୧୭ ତାରିଖରେ ଖୁଣ୍ଟୁଣିରେ ଏକ ଦୁର୍ଘଟଣାର ଖବର ପାଇଥିଲେ ଅପର୍ଣ୍ଣାଙ୍କ ପରିବାର । କିନ୍ତୁ ଏହା ଦୁର୍ଘଟଣା ନୁହେଁ, ବରଂ ସୁପରିକଳ୍ପିତ ହତ୍ୟା ବୋଲି ୨ ଦିନ ତଳେ ଖୁଣ୍ଟୁଣି ଥାନାରେ ଅଭିଯୋଗ ଆଣିଥିଲେ ଅପର୍ଣ୍ଣାଙ୍କ ଭଉଣୀ । ଏଠାରେ ପ୍ରଶ୍ନ ଉଠୁଛି, ଏହି ଧରମ ଭଉଣୀ ଜଣକ କିଏ ? ଦୀପକଙ୍କ ସହ ତାଙ୍କ ସଂପର୍କ କଣ ? ସ୍ୱାମୀ ସ୍ତ୍ରୀ ସମ୍ପର୍କ ମଧ୍ୟରେ କାହିଁକି ହୋଇଥିଲା ଥାର୍ଡ ପର୍ସନ ଏଣ୍ଟ୍ରି ? ଧରମ ଭଉଣୀଙ୍କ ସହ ଦୀପକଙ୍କର ଥିଲା କି ପାପ ସମ୍ପର୍କ ? କାହିଁକି ଦୀପକ ଓ ଅପର୍ଣ୍ଣାଙ୍କ ସୁନାର ସଂସାରକୁ ଚୁନା କରିବାକୁ ବସିଥିଲେ ଧରମ ଭଉଣୀ ? ସିପି ଅଫିସରେ କନଷ୍ଟେବଳ ଭାବେ କାମ କରୁଥିବା ଏ ମହିଳା ଏବେ କେଉଁଠି ? କେସ ରି ଓପନ ହେବା ପରେ ତଦନ୍ତ ପରିସରଭୁକ୍ତ ହେବେ କି ଏ ମହିଳା ? ତଦନ୍ତ ଚାଲିବା ପୂର୍ବରୁ ହେବ କି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ?

ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବି

ନନ୍ଦିଘୋଷ ବ୍ୟୁରୋ : ଦିନକ ପୂର୍ବରୁ ସରିଲା ବିଧାନସଭାର ମୌସୁମୀ ଅଧିବେଶନ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ। ଆସନ୍ତାକାଲି ପର୍ଯ୍ୟନ୍ତ ଥିଲା ମୌସୁମୀ ଅଧିବେଶନ। ଗୃହ ମୁଲତବି କରିବାକୁ ସରକାରୀ ଦଳ ମୁଖ୍ୟ ସଚେତକ ଆଣିଥିଲେ ପ୍ରସ୍ତାବ। ହଟ୍ଟଗୋଳ ଯୋଗୁ ଅଧିବେଶନର ପ୍ରଥମ ୪ ଦିନ ଧୋଇ ଯାଇଥିଲା। ସାର କଳାବଜାରୀ, ପଞ୍ଚାୟତ ପ୍ରତିନିଧିଙ୍କ କ୍ଷମତା ସଙ୍କୁଚିତ ପ୍ରତିବାଦରେ ନାରାବାଜି ଦେଇଥିଲା ବିଜେଡି। ସେହିପରି ମହିଳା ଅସୁରକ୍ଷିତ ପ୍ରସଙ୍ଗରେ ମଧ୍ୟ ଅଧିବେଶନ ସରଗରମ ହୋଇଥିଲା।

ପହଲଗାମ ଆକ୍ରମଣ ଘଟଣା : ଆତଙ୍କୀଙ୍କୁ ସହାୟତା କରିଥିବା ବ୍ୟକ୍ତି ଗିରଫ

ନନ୍ଦିଘୋଷ ବ୍ୟୁରୋ : ପହଲଗାମ ଆକ୍ରମଣ ଘଟଣା। ଆତଙ୍କୀଙ୍କୁ ସହାୟତା କରିଥିବା ବ୍ୟକ୍ତି ଗିରଫ ହୋଇଛନ୍ତି। ପାକିସ୍ତାନର ଦ ରେଜିଷ୍ଟାନ୍ସ ଫ୍ରଣ୍ଟ ବା TRFକୁ ସେ ସହାୟତା ଦେଇଥିବା ସୂଚନା ମିଳିଛି। ଗତ ଏପ୍ରିଲ ୨୨ରେ ହୋଇଥିଲା ପହଲଗାମ ହମଲା। ଏହି ଭୟଙ୍କର ହମଲାରେ ପ୍ରାଣ ହରାଇଥିଲେ ୨୫ ପର୍ଯ୍ୟଟକ। ଯେଉଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେ କାଶ୍ମୀରର ହୋଇଥିବା ସୂଚନା ମିଳିଛି। ଦୀର୍ଘ ୫ ମାସ ପରେ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଗତ ଏପ୍ରିଲ ୨୨ରେ ପହଲଗାମର ବୈସରନ ଉପତ୍ୟକାରେ ଏହି ହମଲା ହୋଇଥିଲା। ଘଟଣା ପରଠାରୁ ବିଭିନ୍ନ ସ୍ତରରେ ତଦନ୍ତ ଜାରି ରଖିଥିଲା ଏନଆଇଏ ଓ ଅନ୍ୟ ତଦନ୍ତକାରୀ ସଂସ୍ଥା। ଗିରଫ ବ୍ୟକ୍ତିଙ୍କ ନାଁ ମହମ୍ମଦ ୟୁସୁଫ ତାଟାରିଆ ଓ ତା ଘର କୁଲଗାମ ବୋଲି ଜଣାଯାଇଛି।

ରାଜ୍ୟ ମାନ୍ୟତା ଦାବିରେ ଲଦାଖରେ ଜଳୁଛି ନିଆଁ

ନନ୍ଦିଘୋଷ ବ୍ୟୁରୋ : ନେପାଳର ଜେନ ଜେଡ ପ୍ରଭାବ ଜାମ୍ମୁ ଓ କାଶ୍ମୀରରେ। ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ସମ୍ବିଧାନର ଷଷ୍ଠ ଧାରାରେ ଲଦାଖକୁ ଅନ୍ତର୍ଭୁକ୍ତ କରିବା ଦାବିରେ ଜୋର ଧରିଲା ଆନ୍ଦୋଳନ। ଘଟଣାରେ ୪ ଜଣ ପ୍ରାଣ ହରାଇଥିବାବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଲଦାଖରେ କର୍ଫ୍ୟୁ ଜାରି କରାଯାଇଛି। ୫ଜଣଠାରୁ ଅଧିକ ଲୋକଙ୍କ ସମାଗମ ଉପରେ ନିଷେଧାଦେଶ ଜାରି କରାଯାଇଛି। ଲଦାଖରେ ଥିବା ବିଜେପିର ଆଞ୍ଚଳିକ କାର୍ଯ୍ୟାଳୟରେ ନିଆଁ ଲଗାଇଦେଇଛନ୍ତି ଆନ୍ଦୋଳନକାରୀ। ଏହା ସହ କିଛି ଯାନବାହନକୁ ପୋଡିଦିଆଯାଇଛି। ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି।

ଭାରତୀୟ ନ୍ୟାୟ ସଂହିତାର ଧାର ୧୬୩ ଅନୁସାରେ ଲେହ ଲଦାଖରେ କେନ୍ଦ୍ର ପ୍ରଶାସନ ପକ୍ଷରୁ କର୍ଫ୍ୟୁ ଜାରି କରାଯାଇଛି। ଲଦାଖକୁ ରାଜ୍ୟ ମାନ୍ୟତା ଦେବା ଆନ୍ଦୋଳନର ନେତୃତ୍ବ ନେଉଛି ଲେହ ସର୍ବୋଚ୍ଚ କମିଟି ବା ଏଲଏବି। ପୂର୍ବର ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା ଲଦାଖ। ମାତ୍ର ୨୦୧୯ ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲଦାଖ ସିଧାସଳଖ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିଲା। ଏହା ସହ ଜାମ୍ମୁ ଓ କାଶ୍ମୀର ବି ହୋଇଥିଲା ଏକ କେନ୍ଦ୍ରଶାସିତ ଅଞ୍ଚଳ। ଗତ ସେପ୍ଟେମ୍ବର ୧୦ରୁ ବିଶିଷ୍ଟ ସମାଜସେବୀ ସୋନମ ୱାଙ୍ଗଚୁକଙ୍କ ଅନଶନ ପରେ ଏହି ଆନ୍ଦୋଳନ ତୀବ୍ର ହୋଇଛି।

ଗତ ୨୩ ତାରିଖରେ ସୋନମ ନିଜର ୧୫ ଦିନିଆ ଅନଶନ ଭଙ୍ଗ କରିଥିଲେ। ତେବେ ଆନ୍ଦୋଳନକାରୀ ରାଜ୍ୟ ମାନ୍ୟତା ଦାବିରେ ଅଧିକ ସଂଘବଦ୍ଧ ହୋଇଥିଲେ। ଲେହସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ପୋଲିସ ଗାଡିରେ ନିଆଁ ଲଗାଇଦେଇଥିଲେ। ଆସନ୍ତା ଅକ୍ଟୋବର ୬ରେ ଲେହ ସର୍ବୋଚ୍ଚ କମିଟି ବା ଏଲଏବି ଓ କାରଗିଲ ଗଣତାନ୍ତ୍ରିକ ସଂଗଠନ ବା କେଡିଏ ସହ କେନ୍ଦ୍ର ସରକାର ଏବଂ ଲଦାଖ ପ୍ରତିନିଧିଙ୍କ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ତାରିଖକୁ ମାନିବାକୁ ନାରାଜ ଅଛନ୍ତି ଆନ୍ଦୋଳନକାରୀ। ଶାନ୍ତି ରକ୍ଷା କରିବା ଲାଗି ଲୋକଙ୍କୁ ଆହ୍ବାନ ଜଣାଇଛନ୍ତି ସୋନମ। ସେପଟେ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲା କହିଛନ୍ତି- ଜାମ୍ମୁ ଓ କାଶ୍ମୀରବାସୀଙ୍କୁ ଧୋକା ଦିଆଯାଇଛି।