spot_img
Home Blog Page 4556

୨୦୧୭ ତୁଳନାରେ ୨୦୨୨ରେ ୫ ରାଜ୍ୟ ନିର୍ବାଚନରେ ବଢ଼ିଛି ଟଙ୍କା ସହ ମଦ କାରବାର

ନୂଆଦିଲ୍ଲୀ: ଭାରତରେ ହୁଏ ବିଶ୍ୱର ସବୁଠୁ ବଡ଼ ନିର୍ବାଚନ । ଲୋକ ବାଛନ୍ତି ଜନ ପ୍ରତିନିଧି । ଦିନକୁ ଦିନ ନିର୍ବାଚନ ଅଧିକ ପ୍ରତିଦ୍ୱନ୍ଦ୍ୱିତା ମୂଳକ ହେଉଥିବା ବେଳେ ହିଂସା ବି ବଢ଼ୁଛି । ହିଂସା ସହ ନିର୍ବାଚନରେ ଟଙ୍କା, ମଦ ସହ ଅନ୍ୟ ଦ୍ରବ୍ୟ ବଣ୍ଟନ ବଢ଼ିଥିବା ନିର୍ବାଚନ କମିଶନ ଜାରି କରିଥିବା ଜବତ ରିପୋର୍ଟରୁ ଜଣାପଡ଼ିଛି ।

୨୦୧୭ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆରେ ବିଧାନସଭା ନିର୍ବାଚନ ହୋଇଥିଲା । ୨୦୨୨ରେ ବି ଏହି ୫ ରାଜ୍ୟରେ ବିଧାନସଭା ଲାଗି ମତଦାନ ହୋଇଛି । ହେଲେ ୫ ବର୍ଷ ତଳେ ୫ ରାଜ୍ୟ ବିଧାନସଭା ନିର୍ବାଚନ ବେଳେ ଜବତ ରାଶି ଏବେ ୨୯ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୭ରେ ମୋଟ ୨୯୯.୮୪ କୋଟି ଟଙ୍କା ଓ ସାମଗ୍ରୀ ଜବତ ହୋଇଥିବା ବେଳେ ୨୦୨୨ରେ ଆଜି ସୁଦ୍ଧା ୧୦୧୮.୨୦ କୋଟି ଟଙ୍କା ଓ ସାମଗ୍ରୀ ଜବତ କରାଯାଇଛି ।

ଏସବୁ କ୍ଷେତ୍ରରେ ସବୁଠୁ ଆଗରେ ବିଜେପି ଶାସିତ ରାଜ୍ୟ ଉତ୍ତରପ୍ରଦେଶ ସବୁଠୁ ଆଗରେ ରହିଛି । ୨୦୧୭ରେ ୟୁପିରୁ ସର୍ବମୋଟ ୧୯୩.୨୯ କୋଟି ମୂଲ୍ୟର ସାମଗ୍ରୀ ଜବତ ହୋଇଥିଲା । ଚଳିତ ୨୦୨୨ ନିର୍ବାଚନରେ ଏହା ୩୦୭.୯୨ କୋଟିକୁ ବୃଦ୍ଧି ପାଇଛି । ଫେବ୍ରୁଆରୀ ୨୫ ସୁଦ୍ଧା ୟୁପିରେ ୯୧.୩୦ କୋଟି ଟଙ୍କା, ୫୪.୦୮ କୋଟି ମୂଲ୍ୟର ମଦ, ୩୮.୩୨ କୋଟି ମୂଲ୍ୟର ମୂଲ୍ୟବାନ ଧାତୁ, ୮୧.୦୩ କୋଟି ଟଙ୍କାର ମାଗଣା ବିତରଣ ସାମଗ୍ରୀ ଜବତ କରାଯାଇଛି ।

ସେହିଭଳି ୟୁପି ପରେ ଜବତ ତାଲିକାର ଦ୍ୱିତୀୟରେ ରହିଛି ପଞ୍ଜାବ । ଏଠି ବି ୨୦୧୭ ତୁଳନାରେ ୨୦୨୨ରେ ଜବତ ଟଙ୍କା ଓ ସାମଗ୍ରୀର ମୂଲ୍ୟ ବେଶ୍ ବଢ଼ିଛି । ୨୦୧୭ରେ ୟୁପିରେ ମୋଟ ୮୯.୬୪ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା । ୨୦୨୨ରେ ପଞ୍ଜାବରୁ ୫୧୦.୯୧ କୋଟି ମୂଲ୍ୟର ସାମଗ୍ରୀ ଜବତ କରାଯାଇଛି । ସେହିଭଳି ଗୋଆ, ମଣିପୁର, ଉତ୍ତରାଖଣ୍ଡରେ ମଧ୍ୟ ୨୦୧୭ ତୁଳନାରେ ୨୦୨୨ରେ ଜବତ ରାଶି ବଢ଼ିଛି ।

କେଉଁ ରାଜ୍ୟରୁ କେତେ ଜବତ ?

୨୦୧୭ ନିର୍ବାଚନରେ ଗୋଆରେ ୩.୬୪ କୋଟି ମୂଲ୍ୟର ସାମଗ୍ରୀ ଜବତ ହୋଇଥିଲା । ୨୦୨୨ରେ ୧୨.୭୩ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି । ମଣିପୁରରେ ୨୦୧୭ରେ ୬.୪୨ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଥିବା ବେଳେ ୨୦୨୨ରେ ୧୬୭.୮୩ କୋଟି ମୂଲ୍ୟର ସମ୍ପତ୍ତି ଜବତ ହୋଇଛି । ସେହିଭଳି ଉତ୍ତରାଖଣ୍ଡରେ ୨୦୧୭ରେ ୬.୮୫ କୋଟି ମୂଲ୍ୟର ସମ୍ପତ୍ତି ଜବତ ହୋଇଥିବା ବେଳେ ୨୦୨୨ରେ ୧୮.୮୧ କୋଟି ମୂଲ୍ୟର ସମ୍ପତ୍ତି ଜବତ କରାଯାଇଛି । ୫ ବର୍ଷକୁ ଥରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ପ୍ରତି ନିର୍ବାଚନରେ ଜବତ ରାଶିର ପରିମାଣ ବଢ଼ିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।

ଫେରିବେ ୟୁକ୍ରେନରେ ଫସିଥିବା ଓଡ଼ିଆ, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୟୁକ୍ରେନର ଯୁଦ୍ଧ ଭୂଇଁରୁ ଘର ବାହୁଡ଼ିବେ ଫସିଥିବା ଓଡ଼ିଆ । ଏନେଇ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଯୁଦ୍ଧ ଯୋଗୁଁ ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ର, ପ୍ରବାସୀ ଓଡ଼ିଆ ଓ ଅନ୍ୟମାନଙ୍କୁ ସୁରକ୍ଷିତ ଓଡ଼ିଶା ଫେରାଇ ଆଣିବା ଲାଗି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ପଢ଼ନ୍ତୁ: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ନବୀନଙ୍କ ବଡ଼ ପଦକ୍ଷେପ

ୟୁକ୍ରେନରେ ଫସିଥିବା ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଏନେଇ ଆଲୋଚନା କରିଥିଲେ । ୟୁକ୍ରେନରୁ ଓଡ଼ିଆଙ୍କୁ ଫେରାଇ ଆଣିବା ଲାଗି ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 

ଉଦ୍ୟାନ କୃଷି ବିଭାଗ ସହଯୋଗରେ ଉପାନ୍ତ ଅଞ୍ଚଳରେ ହେଉଛି ଆଳୁ ଚାଷ

ଧର୍ମଗଡ଼: ଉପାନ୍ତ ଅଞ୍ଚଳରେ ସୁନାର ଫସଲ । କଳାହଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡରେ ହେଉଛି ଆଳୁ ଚାଷ । ଉଦ୍ୟାନ କୃଷି ବିଭାଗ ପକ୍ଷରୁ ପ୍ରୋତ୍ସାହନ ମିଳିବା ପରେ ଗୋତମୁଣ୍ଡା ଅଞ୍ଚଳର ପାହାଡିଆ ଜମିରେ ଆଳୁ ଚାଷ କରୁଛନ୍ତି ଚାଷୀ । ଫସଲର ଏବେ ଅମଳ ସମୟ ହୋଇଥିବା ବେଳେ ଭଲ ଦୁଇ ପଇସା ଲାଭ ହେବ ବୋଲି ଆଶା ରଖିଛନ୍ତି ଚାଷୀ ।

ଉପାନ୍ତରେ ଆଳୁ ଚାଷ । ଉପଯୋଗୀ ହେଉଛି ପାହାଡ଼ିଆ ଦୋରସା ମାଟି । ପ୍ରତିକୂଳ ଜଳବାୟୁ ସତ୍ତ୍ୱେ କ୍ଷେତରେ ଖେଳୁଛି ସୁନାର ଫସଲ । କଳାହାଣ୍ଡି ଜିଲ୍ଲାର ପାହାଡିଆ ଜମି ସବୁଜମୟ ହୋଇଥିବା ବେଳେ ସଫଳ ହୋଇଛି ଆଳୁ ମିଶନ । ଉଦ୍ୟାନ କୃଷି ବିଭାଗର ପ୍ରୋତ୍ସାହନ ପରେ ଧର୍ମଗଡ଼ ଉପଖଣ୍ଡରେ ଆଳୁ ଚାଷ ପ୍ରତି ଆକୃଷ୍ଟ ହୋଇଛନ୍ତି ଚାଷୀ । ଜଳସେଚନର ସୁବିଧା ଥିବାରୁ ସବସିଡ୍ ବିହନ ଆଣି ଚାଷ କରୁଛନ୍ତି । ଆଉ ଭଲ ଦୁଇ ପଇସା ଲାଭ ହେବ ବୋଲି ଆଶା ରଖିଛନ୍ତି ଚାଷୀ ।

ଧର୍ମଗଡ଼ ଉପଖଣ୍ଡର ଗୋତମୁଣ୍ଡା, କୋକସରା, ଜୁନାଗଡ଼ ଆଦି ଅଞ୍ଚଳରେ ପ୍ରାୟ ଶହେ ହେକ୍ଟର ଜମିରେ ଆଳୁ ଚାଷ ହୋଇଛି । ଉଦ୍ୟନ କୃଷି ବିଭାଗ ପକ୍ଷରୁ ଚଳିତ ବର୍ଷ ୩୦୦ କ୍ୱିଣ୍ଟାଲ ବିହନ ଯୋଗାଇ ଦିଆଯାଇଛି । ହେକ୍ଟର ପିଛା ଚାଷୀଙ୍କୁ ୫୮ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡ୍ ସହାୟତା ଦିଆଯାଇଛି । ଏଥି ସହ ଆଳୁ ସଂରକ୍ଷଣ ସହ ବିକ୍ରି ବ୍ୟବସ୍ଥା କରାଯିବ ବୋଲି ଉଦ୍ୟନ ବିଭାଗର ସହକାରୀ ନିର୍ଦ୍ଦେଶକ କହିଛନ୍ତି ।

କଳାହାଣ୍ଡି ଜିଲ୍ଲାରେ ଧାନ, ମକା, କପା ଚାଷ ପରେ ଏବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଆଳୁ ଚାଷ । ଚଳିତ ଭଲ ଫସଲ ଅମଳ ହେବା ସହ ଦୁଇ ପଇସା ଲାଭ ହେବ ବୋଲି ଆଶା ରଖିଛନ୍ତି ଚାଷୀ ।

ୟୁକ୍ରେନରୁ ଘରକୁ ଫେରିଲେ ଓଡ଼ିଆ ପୁଅ ଜୟଶଙ୍କର: ଅନ୍ୟ ପିଲାଙ୍କୁ ଉଦ୍ଧାର କରିବାକୁ କଲେ ନିବେଦନ

ବଲାଙ୍ଗୀର: ଯୁଦ୍ଧ ପାଇଁ ୟୁକ୍ରେନ୍‌ରେ ସ୍ଥିତି ସଙ୍ଗୀନ । ଋଷର ଆକ୍ରମଣରୁ ରକ୍ଷା ପାଇବା ପାଇଁ କିଛି ଭାରତୀୟ ମେଟ୍ରୋ ଷ୍ଟେସନ୍‌ରେ ଅଟକିଛନ୍ତି। ମେଟ୍ରୋ ଷ୍ଟେସନରେ ହଜାରେରୁ ୧୫ଶହ ଭାରତୀୟ ଫସି ରହିଛନ୍ତି । ମୋଟ୍‌ ୨୦ ହଜାର ଭାରତୀୟ ଛାତ୍ର ୟୁକ୍ରେନରେ ଫସି ରହିଛନ୍ତି । ଭାରତ ସରକାରଙ୍କୁ ସହାୟତା ପାଇଁ ଫସିରହିଥିବା ଭାରତୀୟ ଅନୁରୋଧ କରିଛନ୍ତି । ଅଣ୍ଡର ଗ୍ରାଉଣ୍ଡରେ ଆଶ୍ରୟ ନେବାକୁ ୟୁକ୍ରେନ୍ ପ୍ରଶାସନ ପରାମର୍ଶ ଦେଇଛି । ୟୁକ୍ରେନରେ ଖାଦ୍ୟ ସାମଗ୍ରୀ ମହଜୁଦ୍ ଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି । ବମ୍‌ ଧମାକା, ଫାୟାରିଂ ଶବ୍ଦ ଭୟଭୀତ କରୁଛି । ସେହିପରି ଏଟିଏମ୍‌ ଓ ଗ୍ୟାସ ଷ୍ଟେସନ୍ ଖାଲି ହୋଇଯାଇଛି । ସୁପରମାର୍କେଟ୍‌ରେ କିଛି ମିଳୁନାହିଁ । ଔଷଧ ଦୋକାନ ଆଗରେ ଲମ୍ବା ଲାଇନ୍‌ ଲାଗିଥିବା ଜଣାପଡ଼ିଛି ।

ସେପଟେ ୟୁକ୍ରେନରୁ ଘରକୁ ଫେରିଆସିଛନ୍ତି ବଲାଙ୍ଗୀର ରାଧାରାଣୀପଡାର ଜୟଶଙ୍କର ପଟେଲ  । ସେ ୟୁକ୍ରେନର ଡେମପ୍ରେI ମେଡିକାଲ କଲେଜରେ ପାଠ ପଢୁଥିଲେ  । ତେବେ ଏଭଳି ସମୟରେ ସେଠାରେ ଫସି ରହିଥିବା ପିଲାଙ୍କୁ ଉଦ୍ଧାର କରିବାକୁ ନିବେଦନ କରିଛନ୍ତି ଜୟଶଙ୍କର  ।

ଭାରତୀୟ ସେନାରୁ ଅବସର ନେଲା ପରେ ଏବେ ଚାଷୀ ପାଲଟିଛନ୍ତି ଭଦ୍ରକର ରତିକାନ୍ତ

0

ସଫଳ ଚାଷୀ ହେଲେ ସେନା କର୍ମଚାରୀ । ଭାରତୀୟ ସେନାରୁ ଅବସର ପରେ ଚାଷ ପ୍ରତି ଆକୃଷ୍ଟ ହୋଇଛନ୍ତି । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ରତିକାନ୍ତ ମୁଦୁଲି ପ୍ରାୟ ତିନି ଏକର ଜମିରେ ବିଭିନ୍ନ ପନିପରିବା ଚାଷ କରି କ୍ଷେତକୁ ସବୁଜମୟ କରିଛନ୍ତି । ନିଜେ ଦୁଇ ପଇସା ରୋଜଗାର କରିବା ସହ ଅନ୍ୟମାନଙ୍କୁ ଆତ୍ମନିର୍ଭର ହେବାର ରାସ୍ତା ଦେଖାଇଛନ୍ତି ।

ଧାଡିକି ଧାଡି ଲାଗିଛି ଗଛ । ସବୁଜିମାରେ ଭରିଯାଇଛି କ୍ଷେତ । ଫୁଲଫଳରେ ଭାଙ୍ଗି ପଡୁଛି ଡାଳ । ଫୁଲକୋବି, ବନ୍ଧାକୋବି, ବିଲାତି, କ୍ୟାପ୍ସିକମ୍ ଆଦି ଭଳି କି ଭଳି ପରିବା ଲାଗିଛି । ସେନା କର୍ମଚାରୀ ଭାବେ ଚାକିରିରୁ ଆବସର ପରେ କ୍ଷେତରେ ସୁନା ଫଳାଇଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ରତିକାନ୍ତ ମୁଦୁଲି । ଆଧୁନିକ ପ୍ରଣାଳୀ ଚାଷ କରି ନିଜର ଆବଶ୍ୟକତା ପୂରଣ କରିବା ସହିତ ଅନ୍ୟମାନଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି ।

ତିନି ଏକର ଜମିରେ ପନିପରିବା ଚାଷ କରିଛନ୍ତି ରତିକାନ୍ତ । ଏଥିପାଇଁ ଉଦ୍ୟାନ କୃଷି ବିଭାଗ ରତିକାନ୍ତଙ୍କୁ ସହଯୋଗ କରୁଛି । ବିଭିନ୍ନ ଶଙ୍କର ଜାତୀୟ ପନିପରିବା ପାଇଁ ବିହନ ଯୋଗାଇ ଦେଇଛନ୍ତି । ଏହାସହ ଆମ୍ବ ବଗିଚା ପାଇଁ ମଧ୍ୟ ଚାରା ଦିଆଯାଇଥିବା କହିଛନ୍ତି ଉଦ୍ୟାନ ବିଭାଗର ଅଧିକାରୀ । ସେପଟେ ଚାଷ ପାଇଁ ପରିବାର ଲୋକ ରତିକାନ୍ତଙ୍କୁ ସହଯୋଗ କରୁଥିବା ବେଳେ ବର୍ଷକୁ ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ନବୀନଙ୍କ ବଡ଼ ପଦକ୍ଷେପ

ସ୍ୱାସ୍ଥ୍ୟ ବିଭାଗ ଭେଣ୍ଟିଲେଟର ଓ ମନିଟର ଚୋରି ଘଟଣାରେ ଘରୋଇ ହସ୍ପିଟାଲ ସମ୍ପୃକ୍ତ

କଟକ: କୋଭିଡ ପରିଚାଳନା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଆଣିଥିବା ଭେଣ୍ଟିଲେଟର ଓ ମନିଟର ମେସିନ ଚୋରି ଘଟଣାରେ କଟକର ଦୁଇ ଘରୋଇ ହସ୍ପିଟାଲ ସମ୍ପୃକ୍ତ ଥିବା ଖବର ସାମ୍ନାକୁ ଆସିଛି । ଗତକାଲି ଏହି ମାମଲାରେ ଭୁବନେଶ୍ୱର କ୍ୟାପିଟାଲ ଥାନା ପୋଲିସ ଗୋପାଳପୁରରେ ଥିବା ରୁଦ୍ର ହସ୍ପିଟାଲ ଓ ଚାଉଳିଆଗଞ୍ଜ ଅଞ୍ଚଳରେ ଥିବା ମୀରା ହସ୍ପିଟାଲ ଉପରେ ଚଢ଼ାଉ କରିଥିଲା।

ରୁଦ୍ର ହସ୍ପିଟାଲ ମାଲିକଙ୍କୁ ଗିରଫ କରାଯାଇଥିବା ବେଳେ,ମୀରା ହସ୍ପିଟାଲର ମାଲିକ ମାନେ ବାହାରେ ଥିବା ଜଣାପଡିଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ ନଜର ରଖିଛି,ମୀରାର ପଞ୍ଜିକରଣ ପୂର୍ବରୁ ନାକଚ କରାଯାଇଥିବା ବେଳେ, ରୁଦ୍ରର ନବୀକରଣ ଏବେ ତଦନ୍ତାଧିନ ରହିଛି, ଖୁବଶୀଘ୍ର ନିୟମ ମୁତାବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏଡିଏମ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ‘ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରେସମିଟ୍ କରୁଛନ୍ତି ରାଜ୍ୟ ବିଜେପି ସଭାପତି’

 

ଆପଣଙ୍କ ଆଧାର କାର୍ଡରେ କେତେ ଜଣ ନେଇଛନ୍ତି ସିମକାର୍ଡ, ଏମିତି କରନ୍ତୁ ଚେକ୍…

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ସିମ୍ ଅପବ୍ୟବହାର । ଏଥିଯୋଗୁ ସିମ୍ କାର୍ଡ ରହିଥିବା ବ୍ୟକ୍ତି ବହୁ ସମୟରେ ଅସୁବିଧାରେ ପଡ଼ୁଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ଦୂରସଞ୍ଚାର ମନ୍ତ୍ରଣାଳୟ (DoT) । ଏଥିପାଇଁ ଡଟ୍ ପକ୍ଷରୁ ଏକ ୱେବସାଇଟ୍ ଜାରି କରାଯାଇଛି ।

ଡଟ୍ ପକ୍ଷରୁ ଜାରି ୱେବସାଇଟ୍ https://tafcop.dgtelecom.gov.in/ କୁ ଯାଇ ଆପଣଙ୍କ ଆଧାର କାର୍ଡରେ କେତେଗୋଟି ସିମ୍ ଆକ୍ଟିଭ୍ ଅଛି ଜାଣି ପାରିବେ । ଏଥିସହ ଏହି ୱେବସାଇଟରେ ଆପଣ ବ୍ୟବହାର କରୁ ନଥିବା ସିମକୁ ବନ୍ଦ କରିବା ଲାଗି ନିବେଦନ କରିପାରିବେ ।

Check How Many Sim Cards Issued On Your Name Aadhar Card DoT

ସରକାରୀ ଗାଇଡଲାଇନ୍ ଅନୁସାରେ, ଏବେ ଗୋଟିଏ ବ୍ୟକ୍ତି ସର୍ବାଧିକ ୯ ଗୋଟି ସିମ୍ ସଂଯୋଗ ନେଇ ପାରିବେ । ତେଣୁ ଯଦି ଆପଣଙ୍କ ପାଖରେ ଅଧିକ ସିମ୍ ଅଛି କିମ୍ବା ଅନ୍ୟ କେହି ଆପଣଙ୍କ ନାଁରେ ସିମ୍ ବ୍ୟବହାର କରୁଛନ୍ତି । ତାହେଲେ ଆପଣ ଏହି ୱେବସାଇଟକୁ ଯାଇ ଉକ୍ତ ନମ୍ବରକୁ ଅଚଳ କରିପାରିବେ ।

ପ୍ରଥମେ ୱେବସାଇଟ୍ ଖୋଲିବା ପରେ ଆପଣଙ୍କ ଆଧାର ସହ ଲିଙ୍କ୍ ଥିବା ମୋବାଇଲ୍ ନମ୍ବର ଦିଅନ୍ତୁ । ଏହାପରେ ଆପଣଙ୍କ ମୋବାଇଲକୁ ଏକ ଓଟିପି ଆସିବ । ଓଟିପି ଦେବା ପରେ ଆପଣଙ୍କ ନାଁରେ ଥିବା ସିମ୍ ତାଲିକା ଦେଖାଯିବ । ସେଥିରୁ ଆପଣ ଦରକାର ନଥିବା ନମ୍ବରକୁ ବନ୍ଦ ପାଇଁ ନିବେଦନ କରିପାରିବେ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: କାଲି ସକାଳ ୮ଟାରୁ ଆରମ୍ଭ ହେବ ଗଣତି

ଭୁବନେଶ୍ୱର: ଆସନ୍ତାକାଲି ପ୍ରତି ବ୍ଲକ ମୁଖ୍ୟାଳୟରେ ସକାଳ ୮ଟା ବେଳେ କାଉଣ୍ଟିଂ ଆରମ୍ଭ ହେବା । ଗଣତି ସକାଳ ୮ଟାରୁ ଆରମ୍ଭ ହୋଇ ଶେଷ ହେବା ଯାଏଁ ଚାଲିବ । ୩୧୪ଟି ବ୍ଲକରେ ଗୋଟିଏ ଗୋଟିଏ ଜୋନର ଗଣତି ଆରମ୍ଭ ହେବ । କେବଳ ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ ୨ଟି ଜୋନର କାଉଣ୍ଟିଂ ହେବ । ୨୬, ୨୭ ଓ ୨୮ ତାରିଖ ତିନି ଦିନ ଧରି ଗଣତି ପ୍ରକ୍ରିୟା ଚାଲିବ । ବ୍ଲକସ୍ତରରେ ଗୋଟିଏ ଗୋଟିଏ ୱାର୍ଡର କାଉଣ୍ଟିଂ ସରିବା ପରେ ମାଇକ ମାଧ୍ୟମରେ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।

ଗଣତି ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ପୋଲିସ ଡିଜିଙ୍କ ସହ ରାଜ୍ୟ ନିର୍ବାଚନ କମିଶନର ଆଲୋଚନା କରିଛନ୍ତି । କୌଣସି ଗଣ୍ଡଗୋଳକୁ ଏଡ଼ାଇବା ପାଇଁ କାଉଣ୍ଟିଂ ସେଣ୍ଟର ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । କରୋନା କଟକଣା ଯୋଗୁଁ କୌଣସି ବିଜୟ ଉତ୍ସବ ହେବ ନାହିଁ ।

ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନ ଫଳାଫଳ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି । ବିଜେପି ସାମ୍ବାଦିକ ସମ୍ମିଳନୀର କଡ଼ା ଜବାବ ରଖିଛି ବିଜେଡି। ପଞ୍ଚାୟତ ଫଳାଫଳକୁ ନେଇ ଭୟରେ ବିଜେପି। ବିଜେପି ନେତା ଓ କର୍ମୀ ଅତ୍ୟନ୍ତ ଭାବେ ଭାଙ୍ଗିପଡିଛନ୍ତି, ଦୁଃଖିତ ଅଛନ୍ତି । ସେମାନେ ଜାଣିଛନ୍ତି ଆସନ୍ତାକାଲି ଭୋଟ ଗଣତିରେ ହାର ହେବାକୁ ଯାଉଛି। ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେବଳ ଆଇ ମାଆ କାହାଣୀ ଗପିଲେ । ସେ ହୁଏ ତ ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବୋଧେ ସାମ୍ବାଦିକ ସମିଳନୀ କରିଛନ୍ତି। ପୌର ନିର୍ବାଚନରେ ବିଜେପିର ହାର ହେବ। ଓଡ଼ିଶା ଲୋକ ଜାଣିଛନ୍ତି କିଏ କାମ କରୁଛି। ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣି ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେବ ।

ଯୁଦ୍ଧର ଦ୍ୱିତୀୟ ଦିନରେ ଋଷର ପ୍ରସ୍ତାବ, ୟୁକ୍ରେନ ଅସ୍ତ୍ର ଛାଡ଼ିଲେ କରିବୁ ଆଲୋଚନା

ମସ୍କୋ: ଲଢ଼େଇ ଆରମ୍ଭ ପରେ ବଦଳୁଛି କି ପୁଟିନଙ୍କ ମନ ? ଦୁଇ ଦିନର ଯୁଦ୍ଧରେ ୟୁକ୍ରେନରେ ବିପୁଳ କ୍ଷୟକ୍ଷତି ଘଟାଇଛି ଋଷ । ଋଷ ସେନାର ଘନ ଘନ ଆକ୍ରମଣରେ ଅନେକ ପ୍ରାଣ ହରାଇଛନ୍ତି । ଆକ୍ରମଣ ଏବେବି ଜାରି ରହିଥିବା ବେଳେ ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍ ଆଗରେ ପ୍ରସ୍ତାବ ରଖିଛି ଋଷ । ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଯଦି ୟୁକ୍ରେନ୍ ସୈନ୍ୟ ଅସ୍ତ୍ରଶସ୍ତ୍ର ଛାଡ଼ି ଦେବେ ତ ଆମେ ଆଲୋଚନା କରିବୁ ।

ଗୁରୁବାର ଠାରୁ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ ପରେ ଋଷ ବଡ଼ ପ୍ରସ୍ତାବ ଦେଇଛି । ବିଶେଷଜ୍ଞଙ୍କ ଅନୁସାରେ, ୟୁକ୍ରେନ୍ ଶୀଘ୍ର ଏହି ପ୍ରସ୍ତାବରେ ରାଜି ହେବ ନାହିଁ । କିନ୍ତୁ ଯୁଦ୍ଧ ସ୍ଥିତିକୁ ଦେଖିଲେ ଲାଗୁଛି ପରିଶେଷର ଏହା ହିଁ ସମାଧାନର ରାସ୍ତା । ପୂର୍ବରୁ ଏହି ରଣନୀତିରେ ଋଷ ଥିଲା । ତେବେ ଋଷର ଏହି ପ୍ରସ୍ତାବ ଉପରେ ଏଯାଏ ୟୁକ୍ରେନ୍ କୌଣସି ମତ ରଖିନାହିଁ ।

Russia Offers Proposal To Ukraine To Stop War

ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଋଷ ସେନା ୟୁକ୍ରେନର ଜନବସତି ଅଞ୍ଚଳରେ କୌଣସି ଆକ୍ରମଣ କରି ନାହିଁ । ଏପରିକି ୟୁକ୍ରେନରେ ଥିବା ଭିତ୍ତିଭୂମି ମଧ୍ୟ ନଷ୍ଟ କରାଯାଉ ନାହିଁ । ଅନ୍ୟପଟେ ଋଷର ଆକ୍ରମଣକୁ ବିରୋଧ ଆରମ୍ଭ ହୋଇଛି । ଖୋଦ୍ ଋଷ ନାଗରିକ ରାସ୍ତାରେ ପୁଟିନଙ୍କ ଆକ୍ରମଣ ନୀତିକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ।

ଏବେ ୟୁକ୍ରେନରେ ସ୍ଥିତି ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଛି । ଆକ୍ରମଣ ଯୋଗୁ ବେଶ୍ କ୍ଷତି ସହିଲାଣି ୟୁକ୍ରେନ୍ । ସ୍ନେକ ଆଇଲାଣ୍ଡର ଦ୍ୱୀପରେ ୟୁକ୍ରେନର ୧୩ ସୈନିକଙ୍କୁ ଋଷ ହତ୍ୟା କରିଛି ।

‘ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ପ୍ରେସମିଟ୍ କରୁଛନ୍ତି ରାଜ୍ୟ ବିଜେପି ସଭାପତି’

ଭୁବନେଶ୍ୱର: ବିଜେପି ସାମ୍ବାଦିକ ସମ୍ମିଳନୀର କଡ଼ା ଜବାବ ରଖିଲା ବିଜେଡି। ପଞ୍ଚାୟତ ଫଳାଫଳକୁ ନେଇ ଭୟରେ ବିଜେପି। ବିଜେପି ନେତା ଓ କର୍ମୀ ଅତ୍ୟନ୍ତ ଭାବେ ଭାଙ୍ଗିପଡିଛନ୍ତି, ଦୁଃଖିତ ଅଛନ୍ତି । ସେମାନେ ଜାଣିଛନ୍ତି ଆସନ୍ତାକାଲି ଭୋଟ ଗଣତିରେ ହାର ହେବାକୁ ଯାଉଛି। ବିଜେପି ସଭାପତି ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି କେବଳ ଆଇ ମାଆ କାହାଣୀ ଗପିଲେ । ସେ ହୁଏ ତ ନିଜ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ବୋଧେ ସାମ୍ବାଦିକ ସମିଳନୀ କରିଛନ୍ତି। ପୌର ନିର୍ବାଚନରେ ବିଜେପିର ହାର ହେବ। ଓଡ଼ିଶା ଲୋକ ଜାଣିଛନ୍ତି କିଏ କାମ କରୁଛି। ସାଢେ ଚାରିକୋଟି ଓଡ଼ିଶାବାସୀ ପୁଣି ଜବାବ ଦେବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେବ ।

ସୂଚନା ଯୋଗ୍ୟ ଯେ, ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।

ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ହେବ ନାମାଙ୍କନ । ଛୁଟିଦିନରେ ବି ନାମାଙ୍କନ ପତ୍ର ଦାଖଲ କରି ହେବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ ।

୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।

ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବସ୍ଥା କରାଯିବ । ଏତଦବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ନବୀନଙ୍କ ବଡ଼ ପଦକ୍ଷେପ