ସର୍ତକ କରାଇଲେ ଶ୍ରୀଲଙ୍କା ବାଚସ୍ପତି, ଆଗକୁ ସ୍ଥିତି ହେବ ଖରାପ

କଲମ୍ବୋ: ଘନ ସଙ୍କଟ ବଳୟରେ ଶ୍ରୀଲଙ୍କା । ଦିନକୁ ଦିନ ବିଗିଡ଼ୁଛି ଶ୍ରୀଲଙ୍କା ସ୍ଥିତି । ସବୁଠି ହାହାକାର ଓ ବିକ୍ଷୋଭ । ଆଗକୁ ସ୍ଥିତି ଖରାପ ହେବ ବୋଲି ସତର୍କ କରାଇଛନ୍ତି ଶ୍ରୀଲଙ୍କା ସଂସଦର ବାଚସ୍ପତି ମହିନ୍ଦା ୟାପା ଆବେଓ୍ୱାଦାନା । ଦେଶରେ ମୁଦ୍ରାସ୍ଫୀତି ଭୟଙ୍କର ଭାବେ ବଢିଥିବାବେଳେ ଦରଦାମ ଆକାଶଛୁଆଁ ହୋଇଛି । ଭୋକରେ ଲୋକେ ଅଧିକ ଛଟପଟ ହେବେ ବୋଲି ସେ କହିଛନ୍ତି । ସେହିପରି ସ୍ଥିତି ଗଭୀର ଜଟିଳମୁହାଁ ହେଉଛି ଏବଂ ଏଥିଲାଗି ସତର୍କ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଘଟଣାରେ ୬୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ।

ସେପଟେ ଶ୍ରୀଲଙ୍କାରୁ ଜରୁରୀକାଳୀନ ପରିସ୍ଥିତି ହଟାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘନ ଆର୍ଥିକ ସଙ୍କଟଜନିତ ବିକ୍ଷୋଭ ପରେ ସ୍ଥିତି ସମ୍ଭାଳିବା ଲାଗି ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି । ସ୍ଥିତିରେ କୌଣସି ସୁଧାର ଆସି ନଥିବା ସତ୍ତ୍ୱେ ରାଷ୍ଟ୍ରପତି ଏପ୍ରିଲ ୫ ମଧ୍ୟରାତ୍ରୀରୁ ଏହି ଅଧ୍ୟାଦେଶ ହଟାଇଛନ୍ତି । ଗତ ସୋମବାର ରାଷ୍ଟ୍ରପତି କ୍ୟାବିନେଟ ଭାଙ୍ଗିଦେଇଥିବାବେଳେ ଏକ ସର୍ବଦଳୀୟ ସରକାର ଗଠନ ଲାଗି ଆହ୍ୱାନ ଜଣାଇଥିଲେ । ମାତ୍ର ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବକୁ ବିରୋଧୀ ଦଳ ଅଗ୍ରାହ୍ୟ କରିଥିଲେ ।