ୟୁକ୍ରେନରେ ସରୁନି ଋଷବାହିନୀର ଆକ୍ରମଣ ଅଭିଯାନ, ଟାର୍ଗେଟରେ ପୂର୍ବ ଓ ଦକ୍ଷିଣ ୟୁକ୍ରେନ

କିଭ୍: ୪୩ ଦିନର ଯୁଦ୍ଧରେ ଧ୍ୱସ୍ତ ହୋଇଛି ୟୁକ୍ରେନ । ସବୁ ସହରରୁ ଆସୁଛି ବିଧ୍ୱଂସର ବିନାଶକାରୀ ଚିତ୍ର । ଏବେ ଋଷ ଟାର୍ଗେଟରେ ପୂର୍ବ ଓ ଦକ୍ଷିଣ ୟୁକ୍ରେନ । ସବୁ ସହରରେ ମିସାଇଲ, ଫସଫରସ ବୋମା, ବାଲିଷ୍ଟିକ ମିସାଇଲ ଘନ ଘନ ମାଡ଼ । ଖାରକିଭ୍ ସହରରେ ୨୭ଟି ମିସାଇଲ ମାଡ଼ କରିଛି ଋଷ । ଡୋନବାସକୁ ଘେରି ରହିଛନ୍ତି ୬୦ ହଜାର ଋଷ ସୈନ୍ୟ । ଜୀବନ ବିକଳରେ ସହର ଛାଡୁଛନ୍ତି ସାଧାରଣ ଲୋକ । ଡୋନେସ୍କରେ ମାନବୀୟ ସହାୟତା ବଣ୍ଟନ କେନ୍ଦ୍ରରେ ଏୟାର ଷ୍ଟ୍ରାଇକ କରିଛି ଋଷ । ଲୋହାନସ୍କରେ ମଧ୍ୟ ଜୋରଦାର ଆକ୍ରମଣ କରୁଛି ଋଷ । ରୁବିଝନେ ଟାଉନର ପ୍ରାୟ ୬୦ ପ୍ରତିଶତ ଅଂଶ ଅକ୍ତିଆର କରିଛି ଋଷ ସେନା । ନିରୀହ ନାଗରିକ ଓ ତୈଳ ଡିପୋକୁ ଋଷ ସେନା ଟାର୍ଗେଟ କରୁଥିବା ଅଭିଯୋଗ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ।

ସେପଟେ ଋଷଠାରୁ କୋଇଲା ଆମଦାନୀ ଉପରେ ରୋକ ଲଗାଇଛି ୟୁରୋପିଆନ ୟୁନିଅନ । ଅନ୍ୟପକ୍ଷରେ ବୁଚାରେ ହୋଇଥିବା ନରସଂହାରର ରିପୋର୍ଟ ପାଇଁ ବୁଚା ସହରରେ ପହଞ୍ଚିଛି ଅର୍ନ୍ତରାଷ୍ଟ୍ରୀୟ ଟିମ୍ । ଋଷ ସେନା ଅପସାରଣ ପରେ ପ୍ରାୟ ୪ ଶହ ଶବ ମିଳିଥିଲା । ସେସବୁର ଫରେନସିକ ଯାଞ୍ଚ ପାଇଁ ବୁଚା ସହରରେ ପହଞ୍ଚିଛି ଟିମ୍ । ସେପଟେ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ବୁଚା ନରସଂହାରକୁ ନିନ୍ଦା କରିଛି ଭାରତ ।