୧୦୫ଟି ପୌରାଞ୍ଚଳ ପାଇଁ ଆଜି ଉପାଧ୍ୟକ୍ଷ ନିର୍ବାଚନ, ପୂର୍ବାହ୍ନ ୧୦ରୁ ନାମାଙ୍କନ

ଭୁବନେଶ୍ୱର: ଆଜି ପୌର ଉପାଧ୍ୟକ୍ଷ ନିର୍ବାଚନ । ୫୮ଟି ଏନଏସି, ୪୭ଟି ମ୍ୟୁନିସିପାଲିଟିରେ ଉପାଧ୍ୟକ୍ଷ ନିର୍ବାଚନ ହେବ । ପୂର୍ବାହ୍ନ ୧୦ରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ଓ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ । ଅପରାହ୍ନ ସାଢ଼େ ଗୋଟାଏରୁ ସାଢ଼େ ୩ଟା ପର୍ଯ୍ୟନ୍ତ ଆବଶ୍ୟକ ହେଲେ ଭୋଟିଂ ହେବ । ଉପାଧ୍ୟକ୍ଷ ପଦ ପାଇଁ ୨ରୁ ଅଧିକ ପ୍ରାର୍ଥୀ ରହିଲେ, ରାଉଣ୍ଡ ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଉଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରୁ ଓହରିବେ । ଶେଷ ଦୁଇ ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ ।

ଚଳିତ ଥର ଦଳ ବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ରାଜନୈତିକ ଦଳ, ଭୋଟିଂ ବେଳେ ସେମାନଙ୍କ ପ୍ରତିନିଧିଙ୍କୁ ଦେଖାଇ ଭୋଟ୍ ଦେବେ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରିଛି ପ୍ରଶାସନ । ନିର୍ବାଚନରେ ୧୦୫ଟି ସହରାଞ୍ଚଳରୁ ୭୩ଟି ଅଧ୍ୟକ୍ଷ ପଦ ବିଜେଡି ଖାତାକୁ ଯାଇଥିବା ବେଳେ ୧୬ଟି ବିଜେପି, ୭ଟି କଂଗ୍ରେସ ଓ ୯ଟି ସ୍ୱାଧୀନ ପ୍ରାର୍ଥୀ ହାତେଇଥିଲେ । କାଉନସିଲର ସଂଖ୍ୟା ଦେଖିଲେ ବିଜେପିକୁ ୪ଟି ଓ କଂଗ୍ରେସକୁ ୪ଟି ଉପାଧ୍ୟକ୍ଷ ପଦ ଯିବା ସମ୍ଭାବନା ଥିବା ବେଳେ ବିଜେଡି ୯୭ଟିରେ ଜିତିପାରେ । ସେହିପରି ୩ଟି ମହାନଗର ନିଗମରେ ଡେପୁଟି ମେୟର ପଦବୀ ବିଜେଡି ଖାତାକୁ ଯିବା ନିଶ୍ଚିତ ।