ଅନାସ୍ଥା ପ୍ରସ୍ତାବ ରଦ୍ଦ ପ୍ରସଙ୍ଗରେ ତଥ୍ୟ ପ୍ରମାଣ ନଥାଇ ରୁଲିଂ ଦିଆଯାଇଛି: ପ୍ରଧାନ ବିଚାରପତି

ଇସଲାମାବାଦ: ସରୁନି ପାକିସ୍ତାନ ରାଜନୀତି ନାଟକ । ଇମ୍ରାନ ଖାଁ ସରକାରଙ୍କ ବିପକ୍ଷରେ ଆଗତ ଅନାସ୍ଥା ପ୍ରସ୍ତାବ ରଦ୍ଦ ଓ ନ୍ୟାସନାଲ ଆସେମ୍ବଲି ଭଙ୍ଗ ବିରୋଧକୁ ନେଇ ଜାରି ରହିଛି ପିଟିସନ ଶୁଣାଣି । ନ୍ୟାସନାଲ ଆସେମ୍ବଲିରେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଉପବାଚସ୍ପତି କାସିମ ଶାହ ସୁରି କେଉଁ ଭିତ୍ତିରେ ଖାରଜ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଉମର ଆତା ବନ୍ଦିୟାଲ । ଉପବାଚସ୍ପତି କୌଣସି ତଥ୍ୟ ପ୍ରମାଣ ଥାଇ ରୁଲିଂ ଦେଇଥିବା ଭଳି ମନେ ହେଉନାହିଁ ବୋଲି ପ୍ରଧାନ ବିଚାରପତି ଶୁଣାଣି ବେଳେ କହିଛନ୍ତି । ସୁପ୍ରିମକୋର୍ଟ ବିଦେଶୀ ଶକ୍ତି ଷଡଯନ୍ତ୍ର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି । ବିଦେଶୀ ଶକ୍ତି ଷଡଯନ୍ତ୍ର କରି ତାଙ୍କ ସରକାରଙ୍କୁ ହଟାଇବାକୁ ଚାହୁଁଛି ବୋଲି ଇମ୍ରାନ ଖାନ ବାରମ୍ବାର ଅଭିଯୋଗ କରିଥିଲେ । ସେହି ଆଲୋଚନାର ବିସ୍ତୃତ ବିବରଣୀ କାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ସୂଚନା ଅନୁସାରେ ଏପ୍ରିଲ ୩ରେ ଇମ୍ରାନ ଖାନଙ୍କ ସରକାରଙ୍କ ବିରୋଧରେ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଥିଲେ ଉପବାଚସ୍ପତି । ବିଦେଶୀ ରାଷ୍ଟ୍ରର ଷଡଯନ୍ତ୍ର ଦର୍ଶାଇ ଅନାସ୍ଥା ପ୍ରସ୍ତାବ ରଦ୍ଦ କରିଥିଲେ ଉପବାଚସ୍ପତି । ସଂସଦରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ ବିରୋଧୀ । ଅନ୍ୟପକ୍ଷରେ ଅନାସ୍ଥା ପ୍ରସ୍ତାବ ରଦ୍ଦ ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଇମ୍ରାନ କହିଥିଲେ କି ଏକ ବିଦେଶୀ ଚକ୍ରାନ୍ତ ପଣ୍ଡ ହୋଇଛି । ଏହା ସହ ସଂସଦ ଭଙ୍ଗ କରିବାକୁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ ଇମ୍ରାନ । ସଂସଦ ଭଙ୍ଗ ପରେ ମଧ୍ୟବର୍ତ୍ତୀ ନିର୍ବାଚନ କରିବାକୁ ମଧ୍ୟ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ ଇମ୍ରାନ ।