ସରିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ, ଆଜି ଶର୍ମିଷ୍ଠା, ଝୁନାକୁ କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ସରିଲା ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ । ଆଜି ଶର୍ମିଷ୍ଠା, ଝୁନାଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ପର୍ଯ୍ୟାୟର ୩ ଦିନିଆ ରିମାଣ୍ଡରେ ଅଭିଯୁକ୍ତଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ କରିଛି କ୍ରାଇମବ୍ରାଞ୍ଚ । ମାନସ ସ୍ୱାଇଁ ହତ୍ୟାର କାରଣ ଖୋଜିଛି ତଦନ୍ତକାରୀ ଟିମ୍ । ମେମାରୀ ଚିପକୁ ନେଇ ଅଧିକ ଖୋଳତାଡ଼ କରିଛି କ୍ରାଇମବ୍ରାଞ୍ଚ ।

ଶର୍ମିଷ୍ଠାର ସହଯୋଗୀ ଝୁନାର ଭୂମିକା ନେଇ ମଧ୍ୟ ତଦନ୍ତ କରିଛି ଟିମ୍ । ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଦାବି କରିଥିଲେ ବୋଲି ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚକୁ ତଥ୍ୟ ମିଳିଛି । ଜାନୁଆରୀ ୧୦ରୁ ଦୟାଲ ଆଶ୍ରମରେ ରହୁଥିଲେ ମାନସ । ଜାନୁଆରୀ ୩୦ ତାରିଖରେ ମାନସଙ୍କୁ ସମ୍ପୂର୍ଣ୍ଣ ଅଫିସକୁ ଡାକି ଚିପ୍ ମାଗିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ ସେଠୀ । ସେଠାରେ ତାଙ୍କୁ ନିର୍ଯାତନା ଦେଇଥିଲେ । ସେଠାରୁ ତାଙ୍କୁ ଦୟାଲ ଆଶ୍ରମ ନେବା ପରେ ମାନସଙ୍କଠାରୁ କ୍ୟାମେରା ଛଡ଼ାଇ ନେଇଥିଲେ । ସେବେଠାରୁ ଦୟାଲ ଆଶ୍ରମ ଛାଡ଼ି ବାହାରେ ରହୁଥିଲେ ମାନସ । ଶର୍ମିଷ୍ଠାଙ୍କୁ ଚିପ୍ ଫେରାଇବା ପାଇଁ ମାନସ ୧୦ ହଜାର ଟଙ୍କା ଓ ତାଙ୍କ କ୍ୟାମେରା ଡିମାଣ୍ଡ କରିଥିଲେ ।

ଏହାପରେ ଫେବୃୟାରୀ ୫ ତାରିଖରେ ସହଯୋଗୀ ଦୀପକ ସହ ଏକ ବାହାଘର ସୁଟିଂ ପାଇଁ ଚାନ୍ଦବାଲି ଯାଇଥିଲେ ମାନସ । ସେଠାରୁ ମାନସଙ୍କୁ କିଡନାପ୍ କରିବା ସହ ହତ୍ୟାକାଣ୍ଡ ଭିଆଇଥିଲେ ଅଭିଯୁକ୍ତ । ତେବେ ଯେଉଁ ଚିପ୍ ପାଇଁ ହତ୍ୟାକାଣ୍ଡ ହୋଇଥିଲା ସେହି ଚିପ୍ ଏବେବି କ୍ରାଇମବ୍ରାଞ୍ଚ ହାତକୁ ଆସିନାହିଁ । ଅଧିକ ଖୋଳତାଡ଼ ପାଇଁ ଆଉ ଥରେ କ୍ରାଇମବ୍ରାଞ୍ଚ ରିମାଣ୍ଡ ଆବେଦନ କରିବ କି ନାହିଁ ତାହା କୋର୍ଟରେ ହାଜର ପରେ ଜଣାପଡ଼ିବ ।