ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ସାମିଲ ହେବେ ଶ୍ରଦ୍ଧାଳୁ

ପୁରୀ: ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଖୁସି ଖବର । ଆସନ୍ତା ମେ’ ମାସ ତିନି ତାରିଖରେ ହେବାକୁ ଥିବା ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରାରେ ଭକ୍ତ ସାମିଲ ହୋଇପାରିବେ । ଗତ ଦୁଇବର୍ଷ ଧରି କୋଭିଡ୍‌ କଟକଣା ଯୋଗୁ ଭକ୍ତମାନେ ଏହି ଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ । ଏବେ କୋଭିଡ୍ ‌ସଂକ୍ରମଣ କମିଥିବାରୁ ମହାପ୍ରଭୁଙ୍କ ସମସ୍ତ ଯାତ୍ରାରେ ଭକ୍ତଙ୍କୁ ସାମିଲ କରିବା ପାଇଁ ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି ଆଜିର ବୈଠକରେ ଆଗାମୀ ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି । ସେପଟେ ଶ୍ରୀମନ୍ଦିର ରୋଷଘରେ ଚୁଲାଭଙ୍ଗା ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶ୍ରୀମନ୍ଦିର ଭିତରେ ଲାଗିଥିବା ସମସ୍ତ ସିସିଟିଭି ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ପାଇଁ ବୈଠକରେ ନିଆଯାଇଛି ନିଷ୍ପତ୍ତି । ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଜିଲ୍ଲାପାଳ, ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସହ ସେବାୟତ ପ୍ରତିନିଧିମାନେ ଯୋଗଦେଇଥିଲେ ।