spot_img
Home Blog Page 4507

ହୋଲିକା ଦହନ ଦିନ କରନ୍ତୁନି ଏମିତି କାମ, ମାଡ଼ି ଆସିବ ସମସ୍ୟା

ଭୁବନେଶ୍ବର: ହୋଲିର ୮ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ ହୋଲାଷ୍ଟକ । ଫାଲଗୁନ ମାସ ପୂର୍ଣ୍ଣିମା ଦିନ ହୋଲିକା ଦହନ କରାଯାଇଥାଏ । ଏହାର ପରଦିନ ରଙ୍ଗ ଖେଳା ଯାଇଥାଏ । ତେବେ ହୋଲିକା ଦହନକୁ ନେଇ ଏକାଧିକ ପୌରାଣିକ କଥାବସ୍ତୁ ରହିଛି । ମାନ୍ୟତା ରହିଛି ହିରଣ୍ୟ କଷ୍ୟପଙ୍କ ବଡ ପୁଅ ପ୍ରହ୍ଲାଦ, ଭଗାବନ ବିଷ୍ଣୁଙ୍କ ପରମ ଭକ୍ତ ଥିଲେ । ହିରଣ୍ୟ କଷ୍ୟପ ଯେତେ ମନା କରିଥିଲେ ବି ପ୍ରହ୍ଲାଦ ବିଷ୍ଣୁଙ୍କ ପୂଜା କରିବା ଛାଡି ନଥିଲେ । ରାକ୍ଷସ ପିଲା ହୋଇ ବି ନାରଦ ମୁନିଙ୍କ ଶିକ୍ଷା କାରଣରୁ ପ୍ରହ୍ଲାଦ ନାରାୟଣଙ୍କ ଭକ୍ତ ପାଲଟି ଯାଇଥିଲେ । ଅସୁରପତି ହିରଣ୍ୟ କଷ୍ୟପ ପୁଅ ପ୍ରହ୍ଲାଦଙ୍କୁ ହତ୍ୟା କରିବା ପାଇଁ ବହୁ ପ୍ରୟାସ କରିଥିଲେ । ହେଲେ ସବୁଥର ନାରାୟଣ ପ୍ରହ୍ଲାଦଙ୍କ ରକ୍ଷା କରିଥିଲେ ।

ହିରଣ୍ୟ କଷ୍ୟପଙ୍କ ଭଉଣୀ ହୋଲିକା ମହାଦେବଙ୍କୁ ପ୍ରସନ୍ନ କରି ଏମିତି ଏକ ଚାଦର ପାଇଥିଲେ, ଯାହାକୁ ଘୋଡାଇ ହେବା ପରେ ନିଆଁ ତାଙ୍କୁ ସ୍ପର୍ଶ କରି ପାରୁନଥିଲା । ଭାଇର ବିଫଳତାକୁ ସହି ନପାରି ହୋଲିକା ସେହି ଚାଦର ଘୋଡାଇ ହୋଇ ପ୍ରହ୍ଲାଦଙ୍କୁ କୋଳରେ ଧରି ନିଆଁରେ ବସି ଯାଇଥିଲେ । ହେଲେ ଭଗବାନ ବିଷ୍ଣଙ୍କ କୃପାରୁ ଚାଦରଟି ପ୍ରହ୍ଲାଦଙ୍କ ଉପରକୁ ଆସି ଯାଇଥିଲା । ନିଆଁରୁ ପ୍ରହ୍ଲାଦ ବଞ୍ଚି ଯାଇଥିବା ବେଳେ ହୋଲିକା ପୋଡି ପାଉଁଶ ହୋଇଯାଇଥିଲେ ।

ହିନ୍ଦୁଙ୍କ ଅନ୍ୟ ପର୍ବ ପରି ହୋଲିକା ଦହନକୁ ପାପ ଉପରେ ସତ୍ୟର ବିଜୟ ମନା ଯାଇଥାଏ । ହୋଲିକା ଦହନର ୮ ଦିନ ପୂର୍ବରୁ ପ୍ରହ୍ଲାଦଙ୍କୁ ବନ୍ଦି କରି ନାନା ପ୍ରକାର ଅତ୍ୟାଚର ଦିଆଯାଇଥିଲା । ସେହି କାରଣରୁ ହୋଲିର ୮ ଦିନ ପୂର୍ବକୁ ହୋଲାଷ୍ଟକ କୁହାଯାଇଥାଏ । ଏହି ସମୟରେ ସମସ୍ତ ପ୍ରକାର ଶୁଭ କାମ କରିବାକୁ ବାରଣ କରାଯାଇଥାଏ । ଜ୍ୟୋତିଷ ବିଶାରଦଙ୍କ ଅନୁସାରେ ଏହି ସମୟରେ ଗ୍ରହଙ୍କ ସ୍ବଭାବ ଉଗ୍ର ରହିଥାଏ । ଏହି କାରଣରୁ ଗ୍ରହପୂଜା କଲେ ବି ମନବାଞ୍ଛା ପୂରଣ ହୋଇନଥାଏ ।

ଏଠାରେ ଆଜି ଆମେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ହୋଲିକା ଦହନ ଦିନ କରିବେ ନାହିଁ । ଆସନ୍ତୁ ଜାଣିବା ଏମିତି କିଛି କଥା, ଯାହା ହୋଲିକା ଦହନ ଦିନ କରିବେ ନାହିଁ…

୧. ହୋଲିକା ଦହନ ଦିନ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ । କୁହାଯାଏ ଏହି ଦିନ ନକରାତ୍ମକ ଶକ୍ତିଙ୍କ ଅଧିକ ପ୍ରଭାବ ରହିଥାଏ । କଳା ପୋଷାକ ପିନ୍ଧିଲେ ଏହି ଶକ୍ତି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି ।

୨. ହୋଲିକା ଦହନ ସମୟରେ ମୁଣ୍ଡ ଖୋଲା ରଖନ୍ତୁ ନାହିଁ । ମୁଣ୍ଡ ଖୋଲା ରଖିବା ଅସୁର ପ୍ରବୃତ୍ତି । ଯଦି ମୁଣ୍ଡ ଖୋଲା ରଖିବେ ଆପଣଙ୍କ ଉପରେ ନକରାତ୍ମକ ଶକ୍ତିଙ୍କ କୁପ୍ରଭାବ ପଡିପାରେ ।

୩. ହୋଲିକା ଦହନ ଦିନ କାହା ଘରେ କିଛି ଖାଆନ୍ତୁ ନାହିଁ । କାରଣ ଏହିଦିନ ଆସୁରିକ ଶକ୍ତିଙ୍କ ପ୍ରଭାବ ଅଧିକ ଥିବାରୁ ବହୁ ଲୋକ ଘରେ ଗୁଣିଗାରେଡି କରିଥାନ୍ତି ।

୪. ଏହିଦିନ ବାସି ଖାଦ୍ୟ ଖଆନ୍ତୁ ନାହିଁ । ଏହାସହ ଦକ୍ଷିଣ ଦିଗକୁ ମୁହଁ କରି ଖାଇବାଠାରୁ ଦୂରେଇ ରୁହନ୍ତୁ ।

୫. ଯଦି ଆପଣଙ୍କର ପୁଅ ଅଛି ତେବେ ନିଜେ ହୋଲିକା ଦହନ କରନ୍ତୁ ନାହିଁ । କୌଣସି ପଣ୍ଡିତ କିମ୍ବା ଅନ୍ୟ କାହା ଜରିଆରେ ହୋଲିକା ଦହନ କରାନ୍ତୁ ।

୬. ନବବିବାହିତା ମହିଳା ହୋଲିକା ଦହନ ଦେଖିବା ଉଚିତ ନୁହେଁ । ବିଶ୍ବାସ ରହିଛି, ହୋଲିକା ଦହନ ଦେଖିଲେ ନବବିବାହିତା ମହିଳାଙ୍କ ଜୀବନରେ ବହୁତ ସମସ୍ୟା ଆସିଥାଏ ।

୭. ଏହି ଦିନ କୌଣସି ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ । କାରଣ ନିଶା ସେବନ ଅସୁର ପ୍ରକୃତି ।

୮. ହୋଲିକା ଦହନ ଦିନ ଶୂନଶାନ ସ୍ଥାନକୁ ଯାଆନ୍ତୁ ନାହିଁ । ଏହି ରାତିକୁ ତନ୍ତ୍ର ପୂଜା ରାତି କୁହାଯାଇଥାଏ ଓ ଏହା ସାଧାରଣତଃ ରାତିରେ ଶୂନଶାନ ସ୍ଥାନରେ ହୋଇଥାଏ । ତେଣୁ ଏହି ଦିନ ଶୂନଶାନ ସ୍ଥାନକୁ ଯାଆନ୍ତୁ ନାହିଁ ।

ୟୁକ୍ରେନର ୩୦ଟି ବାୟୋଲ୍ୟାବରେ ଆମେରିକା ପ୍ରସ୍ତୁତି କରୁଛି ଜୈବିକ ଅସ୍ତ୍ର: ଋଷ

ମସ୍କୋ: ଜୈବିକ ଅସ୍ତ୍ର ନେଇ ଆମେରିକା ବିରୋଧରେ ଋଷର ଗୁରୁତର ଅଭିଯୋଗ । ୟୁକ୍ରେନର ବିଭିନ୍ନ ଲାବରେଟୋରୀରେ ଆମେରିକା ଜୈବିକ ଅସ୍ତ୍ର ଲାଗି ଗବେଷଣା କରୁଛି ବୋଲି ଅଭିଯୋଗ କରିଛି ଋଷ । ଜୈବିକ ଅସ୍ତ୍ର ପ୍ରସଙ୍ଗରେ ଋଷର ଅନୁରୋଧ କ୍ରମେ ଜାତିସଂଘ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକରେ ଜୈବିକ ଅସ୍ତ୍ର ପ୍ରସଙ୍ଗରେ ଆଲୋଚନା ହୋଇଛି । ଋଷର ସ୍ଥାୟୀ ପ୍ରତିନିଧି ଭାସିଲି ନେବେନଜିଆ କହିଛନ୍ତି, ୟୁକ୍ରେନର ୩୦ଟି ବାୟୋଲ୍ୟାବରେ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ସହାୟତାରେ ଅତି ବିପଦଜ୍ଜନକ ସାମରିକ ଜୈବିକ କାର୍ଯ୍ୟକ୍ରମ ଜାରି ରହିଥିବାର ସ୍ପଷ୍ଟ ପ୍ରମାଣ ମିଳିଛି । ପ୍ଲେଗ, ଆନ୍ଥ୍ରାକ୍ସ, କଲେରା ପ୍ରଜାତିର ଜୀବାଣୁ ପ୍ରସ୍ତୁତ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପଟେ ଜୈବିକ ଓ ବିଷାକ୍ତ ଅସ୍ତ୍ରଶସ୍ତ୍ର ନେଇ ଭାରତ ଉଦବେଗ ପ୍ରକାଶ କରିଛି । ବିଭିନ୍ନ ପକ୍ଷ ପାରସ୍ପରିକ ଆଲୋଚନା ଓ ସହଯୋଗିତା କ୍ରମେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗର ସମାଧାନ କରିବା ଉଚିତ ବୋଲି ଜାତିସଂଘସ୍ଥିତ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ. ତିରୁମୂର୍ତ୍ତି ପ୍ରକାଶ କରିଛନ୍ତି । ଜୈବିକ ଅସ୍ତ୍ର ନେଇ ଅନେକ ବିପଦଜ୍ଜନକ ତଥ୍ୟ ପ୍ରକାଶ ପାଉଥିବା ବେଳେ ଜୈବିକ ଓ ବିଷାକ୍ତ ଅସ୍ତ୍ର ସମ୍ମିଳନୀ ବା BTWCର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହି ସମ୍ମିଳନୀର ଉଦ୍ଦେଶ୍ୟ ତୁରନ୍ତ କାର୍ଯ୍ୟକାରୀ ହେଉ ବୋଲି କହିଛନ୍ତି ତିରୁମୂର୍ତ୍ତି ।

ଅନ୍ୟପକ୍ଷରେ ରାଜନୈତିକ ଓ ଶାନ୍ତି ପ୍ରତିଷ୍ଠା ବ୍ୟାପାର ସଂକ୍ରାନ୍ତ ଜାତିସଂଘ ଯୁଗ୍ମସଚିବ ରୋଜମାରି ଡିକାର୍ଲୋ କହିଛନ୍ତି, ୟୁକ୍ରେନର ଦକ୍ଷିଣ, ପୂର୍ବ ଓ ଉତ୍ତରାଞ୍ଚଳର ଅନେକ ସହରରେ ସଶସ୍ତ୍ର ଋଷ ସୈନ୍ୟ ଆକ୍ରମଣ ଜାରି ରଖିଛନ୍ତି । ମାରିଓପୋଲ, ଖାରକିଭ୍, ସୁମି ଓ ଚେର୍ଣ୍ଣିହିବରେ ଆବାସିକ ଅଞ୍ଚଳଗୁଡିକ ଉପରେ ଋଷ ସୈନ୍ୟ ଆକ୍ରମଣ ଜାରି ରହିଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଋଷ କ୍ଲଷ୍ଟର ବୋମା ବ୍ୟବହାର କରୁଥିବା ନେଇ ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ପ୍ରମାଣ ପାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନ୍ତର୍ଜାତିକ ଆଇନ ଅନୁସାରେ ଜନବସତି ଅଞ୍ଚଳରେ ବୋମାମାଡ କରିବା ନିଷିଦ୍ଧ ହୋଇଥିବା ସତ୍ତ୍ବେ ଋଷ ଏହା ଜାରି ରଖିଛି ବୋଲି ସେ କହିଛନ୍ତି ।

ପୁଲଓ୍ୱାମାରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଜାମ୍ମୁ କାଶ୍ମୀର ପୁଲଓ୍ୱାମାରେ ସେନାର ବଡ଼ ଧରଣର ଏନକାଉଣ୍ଟର । ପୁଲଓ୍ୱାମା ଏନକାଉଣ୍ଟରରେ ୪ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏହି ଚାରି ଆତଙ୍କବାଦୀଙ୍କ ମଧ୍ୟରୁ ୨ ଜଣ ଜୈଶ-ଇ-ମହମ୍ମଦର ହୋଇଥିବାବେଳେ ଲସ୍କର-ଇ-ତୈବାର ଓ ପାକିସ୍ତାନର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

କଶ୍ମୀର ଆଇଜିପିଙ୍କ ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କଶ୍ମୀରର ଏକାଧିକ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିଥିଲା। ଏହା ପରେ ସେନା ଓ ପୋଲିସର ମିଳିତ ଅପରେସନ ଆରମ୍ଭ ହୋଇଥିଲା । ସର୍ଚ୍ଚ ଅପରେସନ ସମୟରେ ୩ଟି ସ୍ଥାନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ରାତି ତମାମ ଏନକାଉଣ୍ଟର ଜାରି ରହିଥିଲା । ପୁଲୱାମାରେ ଜୈଶର ୨ ଜଣ, ଗାନ୍ଦେରବଲରେ ଲସ୍କର ଜଣେ ଓ ହାଣ୍ଡୱାରାରେ ମଧ୍ୟ ଜଣେ ଆତଙ୍କୀ ନିହତ ହୋଇଛି । ହାଣ୍ଡୱାରା ଓ ପୁଲୱାମାରେ ଏନକାଉଣ୍ଟର ଶେଷ ହୋଇଛି। ତେବେ ଗାନ୍ଦେରବଲରେ ଏନକାଉଣ୍ଟର ଜାରି ରହିଛି। ସେହିପରି ଜଣେ ଆତଙ୍କୀକୁ ଗିରଫ କରାଯାଇଥିବା କାଶ୍ମୀର ଆଇଜିପି ପକ୍ଷରୁ ସୂଚନା ଦିଆଯାଇଛି ।

 

ପୁଟିନଙ୍କୁ ଚେତାବନୀ ଦେଲା ଆମେରିକା, ରାସାୟନିକ ଅସ୍ତ୍ରର ବ୍ୟବହାର ହେଲେ ଭୟଙ୍କର ହେବ ପରିଣାମ

କିଭ୍: ୧୭ ଦିନରେ ପହଞ୍ଚିଲା ୟୁକ୍ରେନ୍ ଓ ଋଷ ମଧ୍ୟରେ ଘମାଘୋଟ ଲଢ଼େଇ । ଲଗାତର ଭାବେ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଛି ଋଷ । ରାଜଧାନୀ କିଭ୍ ଦଖଲ ପାଇଁ ଫାଇନାଲ ତୟାରି କରିଛି ଋଷ । ଆଜି ଓଡ଼େଶାରେ ଘନ ଘନ ଗୁଳି ମାଡ କରିଛି ଋଷ ସେନା । ସେପଟେ ୟୁକ୍ରେନ ଯୁଦ୍ଧରେ ଯଦି ଋଷ ରାସାୟନିକ ଅସ୍ତ୍ରର ବ୍ୟବହାର କରେ ତେବେ ଏହାର ପରିଣାମ ଭୟଙ୍କର ହେବ । ଏହା ସହ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମସ୍କୋ ବିରୋଧରେ ଓ୍ୱାଶିଂଟନ ଅବତୀର୍ଣ୍ଣ ହେବ ନାହିଁ । ଯଦି ଋଷ ବିରୋଧରେ ନାଟୋ ସିଧାସଳଖ ଯୁଦ୍ଧକୁ ଓହ୍ଲାଏ ତେବେ ତୃତୀୟ ବିଶ୍ବଯୁଦ୍ଧ ଅନିବାର୍ଯ୍ୟ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ହ୍ବାଇଟ ହାଉସରେ ବାଇଡେନ କହିଛନ୍ତି, ୟୁରୋପରେ ସହଯୋଗୀ ରାଷ୍ଟ୍ର ସହ ନାଟୋ ଏକାଠି ହୋଇଛି ଏବଂ ଯୁଦ୍ଧ ପରିପ୍ରେକ୍ଷୀରେ ନିର୍ଭୁଲ ବାର୍ତ୍ତା ଦିଆଯାଉଛି । ଆମେରିକା ନେତୃତ୍ବରେ ନାଟୋ ସୀମାର ପ୍ରତି ଇଞ୍ଚ ମାଟିର ସୁରକ୍ଷା ଲାଗି ପଦକ୍ଷେପ ନିଆଯିବ । ୟୁକ୍ରେନରେ ଋଷ ବିରୋଧରେ ନାଟୋ ଯୁଦ୍ଧ କରିବ ନାହିଁ । ୩୦ ରାଷ୍ଟ୍ରକୁ ନେଇ ଗଠିତ ନାଟୋର ଉଦ୍ଦେଶ୍ୟ ହେଉଛି ଏହାର ସଦସ୍ୟ ରାଷ୍ଟ୍ରର ସ୍ବାଧୀନତା ଓ ନିରାପତ୍ତାକୁ ସୁରକ୍ଷା କରିବା । ରାଜନୈତିକ ଓ ସାମରିକ ଉପାୟରେ ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ନିରାପତ୍ତାକୁ ଗ୍ୟାରେଣ୍ଟି ଦେବା ଏହାର ଉଦ୍ଦେଶ୍ୟ ବୋଲି କହିଛନ୍ତି ବାଇଡେନ ।

ବାଇଡେନ ଆହୁରି କହିଛନ୍ତି, ୟୁକ୍ରେନରେ କଦାପି ଋଷର ବିଜୟ ଘଟିବ ନାହିଁ । ନାଟୋକୁ ଦୁର୍ବଳ କରିବା ତଥା ଭାଙ୍ଗିବା ଲାଗି ଉଦ୍ୟମ କରି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଫଳ ହୋଇଛନ୍ତି । ଏହା ସହ ଯୁଦ୍ଧ ବିନା ୟୁକ୍ରେନ ଉପରେ ଅଧିକାର ସାବ୍ୟସ୍ତ କରିବା ଉଦ୍ୟମରେ ବି ପୁଟିନ ବିଫଳ ହୋଇଛନ୍ତି । ୟୁକ୍ରେନବାସୀଙ୍କ ଲାଗି ଆମେରିକାବାସୀ ଠିଆ ହୋଇଛନ୍ତି ଏବଂ ସ୍ୱେଚ୍ଛାଚାରୀ ଶାସକଙ୍କ ଏକଛତ୍ର ଶାସନକୁ ଆମେରିକା ସୁଯୋଗ ଦେବ ନାହିଁ । ଏହାର ମୁକାବିଲା ତଥା ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଲାଗି ଗଣତନ୍ତ୍ର ଜାଗତିଆର ରହିଛି ବୋଲି ସେ କହିଛନ୍ତି । ଋଷକୁ ପ୍ରଦତ୍ତ ସବୁଠାରୁ ପସନ୍ଦଯୋଗ୍ୟ ରାଷ୍ଟ୍ର ବା ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରିବା ଲାଗି ଆମେରିକା କଂଗ୍ରେସକୁ କହିବେ ବୋଲି ସୂଚନା ଦେଇଛନ୍ତି ବାଇଡେନ । ଯୁଦ୍ଧରେ ସାମିଲ ହୋଇ ନଥିଲେ ବି ୟୁକ୍ରେନକୁ ଆମେରିକା କୋଟି କୋଟି ଟଙ୍କା ମୂଲ୍ୟର ବିମାନ ଓ ଟ୍ୟାଙ୍କ ବିଧ୍ବଂସୀ ଅସ୍ତ୍ରଶସ୍ତ୍ର ପଠାଉଛି । ଏହା ସହ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନରେ ମଧ୍ୟ ଆମେରିକା ପ୍ରମୁଖ ଭୂମିକା ନେଉଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

 

କିଭ୍ ଦଖଲ ପାଇଁ ପୁଟିନଙ୍କ ଫାଇନାଲ ପ୍ରସ୍ତୁତି

କିଭ୍: ଫୁଲ୍ ପ୍ରୁଫ୍ ପ୍ଲାନ୍ । ଶେଷ ହେବ ଋଷ-ୟୁକ୍ରେନ ଯୁଦ୍ଧ । କିଭ୍ ଯିବ ଋଷ ଦଖଲକୁ । ଆତ୍ମସମର୍ପଣ କରିବେ ୟୁକ୍ରେନ୍ ସେନା । ପୁଟିନଙ୍କ ପ୍ରସ୍ତୁତି ଶେଷ । କିଭ୍ ଉପରେ ଆକ୍ରମଣ ପୂର୍ବରୁ ଇରପିନ ସହର ପାଲଟିଛି ରଣକ୍ଷେତ୍ର । ଏପଟେ କିଭର ପୂର୍ବରେ ବ୍ରୋବରୀଠାରେ ଋଷ ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ଧ୍ବଂସସ୍ତୁପରେ ପରିଣତ ହୋଇଛି ବ୍ରୋବରୀ । କେଉଁଠି ଋଷ ଟ୍ୟାଙ୍କ ଜଳୁଛି ତ ଆଉ କେଉଁଠି ବିରାଟ ବିରାଟ ଅଟାଳିକା ଧ୍ବଂସସ୍ତୁପରେ ପରିଣତ ହୋଇଛି । ଏବେ ୩ ପଟୁ ଋଷ ସେନା କିଭକୁ ଘେରି ରହିଛନ୍ତି । ଉତ୍ତରରେ ଇରପିନ, ପଶ୍ଚିମରେ ବୁଚା ଓ ମାରିଆପୋଲ ଏବଂ ପୂର୍ବରେ ବ୍ରୋବରୀ ଉପରେ ଋଷ ସେନା ଘନଘନ ଆକ୍ରମଣ ଜାରି ରଖିଛି ।

ଗୋଟିଏ ପଟେ ଋଷ, କିଭ୍ ଦଖଲ କରିବାକୁ ବ୍ୟାକୁଳ ହେଉଥିବା ବେଳେ ୟୁକ୍ରେନ ସେନା ମୁହଁତୋଡ ଜବାବ ଦେଉଛନ୍ତି । ମିଳିଥିବା ସୂଚନା ଅନୁସାରେ କିଭ୍ ଆଡକୁ ଆଗ୍ରସର ହେଉଥିବା ଋଷ ସେନାର ୫ ଟ୍ୟାଙ୍କକୁ ୟୁକ୍ରେନ ସେନା ଧ୍ବଂସ କରି ଦେଇଛି । କିଭ୍ ଆଖପାଖରେ ୟୁକ୍ରେନ ସେନା ଋଷକୁ କଡା ଟକ୍କର ଦେଉଛନ୍ତି । ୫ ଟ୍ୟାଙ୍କ ସହ ଋଷର ଏକ ରେଜିମେଣ୍ଟ କମାଣ୍ଡରଙ୍କୁ ବି ମାରିଥିବା ୟୁକ୍ରେନ ପକ୍ଷରୁ ଦାବି କରାଯାଉଛି । ସେପଟେ ଋଷ, କିଭକୁ ଚାରିପଟୁ ଘେରି ସାରିଛି । କିଭ୍ ମୁହାଁ ଋଷର ବିଶାଳ ସେନାକୁ କେତେଦିନ ୟୁକ୍ରେନ ଯବାନ ଅଟକାଇ ପାରିବେ ତାକୁ ଦେଖିବା ବାକି ରହିଛି ।

୪ ଦିନରେ କିଭ୍ ଦଖଲ କରିବାକୁ ଯୋଜନା କରିଥିବା ପୁଟିନ୍ କେବେ ଭାବି ନଥିଲେ ଏହା ଏତେ ଲମ୍ବା ହେବ । ଯାହାର ପ୍ରଭାବ ପୁଟିନଙ୍କ ଆକ୍ସନରୁ ଦେଖିବାକୁ ମିଳୁଛି । କିଭ୍ ଦଖନ ନହେବାରେ ବିଚଳିତ ଋଷ ସେନା ୟୁକ୍ରେନର ଅନ୍ୟ ସହରର ଉପରେ ବୋମା ବର୍ଷଣ କରି ସମ୍ପତ୍ତି ନଷ୍ଟ କରିବା ସହ ସାଧାରଣ ଲୋକଙ୍କ ଜୀବନ ନେଉଛନ୍ତି । ତେବେ ଋଷ ନିଜ ରଣନୀତି ବାରମ୍ବାର ବଦଳାଇବା ସହ କିଭ୍ ଦଖଲ ପାଇଁ ନୂଆ ପ୍ଲାନ୍ ପ୍ରସ୍ତୁତ କରିସାରିଛି । ଯାହାର ଖୁଲାସା ନୂଆ ସାଟେଲାଇଟ୍ ଚିତ୍ରରୁ ଜଣାପଡିଛି । ଏହାକୁ MAXAR ଜାରି କରିଛି । ଏଥିରୁ ଜଣାପଡୁଛି କିଭ୍ ଦଖଲ ପାଇଁ ୨୮ ଫେବୃଆରୀକୁ ଋଷରୁ ବାହାରିଥିବା ୬୪ କିମି ଲମ୍ବାର ଋଷ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପ୍ରବେଶ କରିସାରିଛନ୍ତି ।

କୁହାଯାଉଛି କିଭ୍ ଦଖଲ ପାଇଁ ନୂଆ ପ୍ଲାନ୍ କରିସାରିଛନ୍ତି ପୁଟିନ । ପ୍ଲନ ଅନୁସାରେ ୬୪ କିମି ଲମ୍ବାର ସେନାକୁ ଏକାଧିକ ଭାଗରେ ବାଣ୍ଟାଯାଇଛି । ଏହାକୁ ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଛି ।

ଋଷ ଟ୍ୟାଙ୍କ ଏବେ କିଭ୍ ସହରଠାରୁ ମାତ୍ର ୯ କିମି ଦୂରରେ ରହିଛି । ଅନ୍ୟପକ୍ଷରେ ଋଷ କିଭ୍ ସହରର ଜନବସତି ଅଞ୍ଚଳରେ ନିଜ ସେନାକୁ ପୂରାଇକୁ ଯୋଜନାରେ ରହିଛି । ଫଳରେ ୟୁକ୍ରେନ ସେନା ଚାହିଁ ମଧ୍ୟ ଋଷ ସେନା ଉପରେ ପାଲଟା ଆକ୍ରମଣ କରିପାରିବେ ନାହିଁ । ଏହାର ଫାଇଦା ନେଇ ଋଷ ସେନା ସହର ଭିତରେ ରୋଡ ଫାଇଟ୍ ଓ ବାହାରୁ ବୋମା ବର୍ଷଣ କରି ଶୀଘ୍ର କିଭ୍ ଦଖଲ କରିନେବେ ।

ତେବେ ଋଷକୁ ଜବାବ ଦେବାକୁ ୟୁକ୍ରେନ ମଧ୍ୟ ପ୍ରସ୍ତୁତ ହୋଇ ବସିଛି । ଯଦି ଋଷ ସେନା କିଭ୍ ମଧ୍ୟରେ ପ୍ରବେଶ କରେ ତେବେ ଏହା ସତ ଯେ, ୟୁକ୍ରେନ୍ ରାଜଧାନୀରେ ରକ୍ତର ନଦୀ ବୋହିବ ।

୮ ବର୍ଷର କୁନି ଝିଅ ୟୁକ୍ରେନକୁ ଦାନ କଲା ସବୁ ସମ୍ପତ୍ତି

ନୂଆଦିଲ୍ଲୀ: ଋଷ ଆକ୍ରମଣରେ ଧ୍ବଂସ ୟୁକ୍ରେନ୍ । ବର୍ଷୁଛି ବୋମା, ଜଳୁଛି ୟୁକ୍ରେନ । ସହର ପରେ ସହର ଉପରେ ଋଷର ଆକ୍ରମଣ । ନଷ୍ଟ ହେଉଛି ସମ୍ପତ୍ତି ଓ ଯାଉଛି ଶହ ଶହ ଜୀବନ । ଯୁଦ୍ଧ ବନ୍ଦ କରିବାକୁ ସାରା ବିଶ୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟନଙ୍କୁ କରାଯାଉଛି ଅନୁରୋଧ । ୟୁରୋପୀୟ ଦେଶ ବଢାଇ ଚାଲିଛି ଆର୍ଥିକ ପ୍ରତିବନ୍ଧକ । ହେଲେ ଏହାର କିଛି ପ୍ରଭାବ ପୁଟିନଙ୍କ ଉପରେ ପଡୁନି । ଦିନ ବଢିବା ସହ ଋଷର ଆକ୍ରମଣ ମଧ୍ୟ ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି ।

ଏହାରି ଭିତରେ ୟୁକ୍ରେନକୁ ସହଯୋଗର ହାତ ବଢାଇବାକୁ ଆଗେଇ ଆସିଛନ୍ତି ବିଶ୍ବର ବହୁ ଦେଶ ଓ ସାଧାରଣ ଲୋକେ । ଏବେ ଜଣେ ୮ ବର୍ଷର ଝିଅ ୟୁକ୍ରେନକୁ ସହଯୋଗର ହାତ ବଢାଇଛନ୍ତି । ନିଜ ସମସ୍ତ ସମ୍ପତ୍ତି ସେ ଯୁଦ୍ଧରେ ବରବାଦ ହୋଇଥିବା ୟୁକ୍ରେନକୁ ଦାନ କରିଛନ୍ତି । କୁନି ଝିଅର ଏହି ସହାୟତାକୁ ନେଇ ସାରା ଦୁନିଆରେ ପ୍ରଶଂସା କରାଯାଉଛି ।

ସୋସିଆଲ ମିଡିଆରେ ୟୁକ୍ରେନକୁ ସହାୟତା ନେଇ ସେ ଏକ ଚିଠି ଲେଖିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଲେଖିଛନ୍ତି…

‘ଡିୟର ୟୁକ୍ରେନ…

ମୋ ନାଁ ଆରିସ୍…

ଯୁଦ୍ଧକୁ ନେଇ ମୁଁ ବହୁତ ଦୁଃଖି ଅଛି…

ମୁଁ ଋଷର ନୁହେଁ…

ମୁଁ ଆୟରଲ୍ୟାଣ୍ଡରୁ…

ଆଶା କରୁଛି ଆପଣମାନଙ୍କ ମଧ୍ୟରୁ ଅଧିକାଂଶ ଭଲରେ ଥିବେ…

ମୋ ତରଫରୁ ମୋର ସମସ୍ତ ଟଙ୍କା ଆପଣଙ୍କୁ ଦେବାକୁ ଚାହୁଁଛି…

ଲଭ୍ ଆରିସ୍…

ଗେଟ୍ ବେଟର୍ ସୁନ୍…

ସୂଚନାଯୋଗ୍ୟ, କେବଳ ଆରିସ୍ ନୁହେଁ ବହୁ ଲୋକ ୟୁକ୍ରେନବାସୀଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଗୁରୁବାର ୟୁକ୍ରେନ ବଂଶଦ୍ଭୋବ ଆମେରିକାର ଅଭିନେତ୍ରୀ ମିଲା କୁନିସ ପତି ଏଷ୍ଟନ କଚରଙ୍କ ସହ ମିଶି ଗୋଟିଏ ସପ୍ତାହରୁ କମ ସମୟ ମଧ୍ୟରେ ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ୨୦ ମିଲିୟନ ଡରାଲ ଚାନ୍ଦା ଆଦାୟ କରିଛନ୍ତି । ସେ GoFundMe ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି ।

ସେହିପରି ହଲିଉଡ ଆକ୍ଟର ଲିଓନାର୍ଡୋ ଡିକାପ୍ରିଓ ମଧ୍ୟ ୟୁକ୍ରେନକୁ ସାହାଯ୍ୟର ହାତ ବଢାଇଛନ୍ତି । ଡିକାପ୍ରିଓ ଭାରତୀୟ ମୁଦ୍ରାରେ ୭୦ କୋଟି ଟଙ୍କା ୟୁକ୍ରେନକୁ ଦାନ କରିଛନ୍ତି । ଏହାସହ ଦୁନିଆର ଏକାଧିକ ସଂଗଠନ ୟୁକ୍ରେନକୁ ସାହାଯ୍ୟ କରୁଛନ୍ତି ।

ଯୁଦ୍ଧ ବଳୟରେ ୟୁକ୍ରେନ, ୪ ଦିନରେ ୧୦ରୁ ଅଧିକ ଏୟାରଷ୍ଟ୍ରାଇକ କରିଛି ଋଷ

କିଭ୍: ଯୁଦ୍ଧର ବଳୟରୁ ମୁକୁଳି ପାରୁନି ୟୁକ୍ରେନ୍ । ଋଷର ରକେଟ ମାଡ଼ରେ ଧରାଶାୟୀ ହୋଇଗଲାଣି ୟୁକ୍ରେନ୍ । ଗତ ୪ ଦିନରେ ୧୦ରୁ ଅଧିକ ଏୟାରଷ୍ଟ୍ରାଇକ କରିଛି ଋଷ । ବିଭିନ୍ନ ସହରର ୪୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି । ୨୮୦ରୁ ଅଧିକ ଶିକ୍ଷାନୁଷ୍ଠାନ ଧ୍ୱଂସ ହେଲାଣି । ଋଷ୍ ୟୁକ୍ରେନରେ ଭାକ୍ୟୁମ୍ ବୋମା ବ୍ୟବହାର କରିଥିବା ନେଇ ସ୍ପଷ୍ଟୋକ୍ତି ଆସିଛି । ଟିଓଏସ ଓ୍ୱାନ୍ ଏ ଦ୍ୱାରା ୟୁକ୍ରେନ୍ ବ୍ୟାପକ କ୍ଷତି ହୋଇଥିବା ଋଷର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । କିନ୍ତୁ ଆମେରିକା ଏହାକୁ ଖଣ୍ଡନ କରିଛି ।

ଏହା ଭିତରେ ଋଷକୁ ଚେତାବନୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ୟୁକ୍ରେନରେ ରାସାୟନିକ ଅସ୍ତ୍ର ପ୍ରୟୋଗ କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବାଇଡେନ୍ ଋଷକୁ ଚେତାଇ ଦେଇଛନ୍ତି । ୟୁକ୍ରେନ ପାଇଁ ଜରୁରୀକାଳୀନ ସହାୟତା ଘୋଷଣା କରିଛି ଆମେରିକା । ମାନବୀୟ ସହାୟତା ପାଇଁ ଆମେରିକା ସିନେଟରେ ୧୩.୬ ବିଲିୟନ ଅର୍ଥ ମଞ୍ଜୁର ହୋଇଛି । ସେପଟେ ଋଷକୁ ଆତଙ୍କୀ ରାଷ୍ଟ୍ର ଘୋଷଣା କରିବାକୁ ୟୁକ୍ରେନ ଦାବି କରିଛି । ୟୁକ୍ରେନ ରାଜଧାନୀ କିଭ୍ ଦଖଲ ଲାଗି ଆଗେଇଛନ୍ତି ଋଷ ସୈନ୍ୟ । କିଭଠାରୁ ମାତ୍ର ୧୦ ମାଇଲ ଦୂରରେ ଠୁଳ ହେଲେଣି ସୈନ୍ୟବାହିନୀ ।

ଆଜିଠୁ ଭାରତ-ଶ୍ରୀଲଙ୍କା ପିଙ୍କ୍ ବଲ୍ ଟେଷ୍ଟ, ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବ୍ରିଗେଡ

ବେଙ୍ଗାଲୁରୁ: ଆଜିଠୁ ଭାରତ- ଶ୍ରୀଲଙ୍କା ପିଙ୍କ୍ ବଲ୍ ଟେଷ୍ଟ୍ । ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଦିବାରାତ୍ରୀ ଟେଷ୍ଟ । ମୋହାଲିରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ତିନି ଦିନ ମଧ୍ୟରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି । ତେବେ ଆଜି ବେଙ୍ଗାଲୁରୁରେ ଖେଳାଯିବାକୁଥିବା ପିଙ୍କ୍ ବଲ ଟେଷ୍ଟରେ ବିଜୟ ଲାଭ କରି ଏହି ସିରିଜକୁ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଭାରତ ଶେଷ ଥର ପାଇଁ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପିଙ୍କ ବଲ୍ ଟେଷ୍ଟ ଖେଳିଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟେଷ୍ଟ ଭାରତ ଭ୍ରମଣକାରୀ ଇଂଲଣ୍ଡକୁ ୧୦ ୱିକେଟରେ ପରାସ୍ତ କରିଥିଲା । ୨୦୧୯ରେ ବାଂଲାଦେଶ ବିପକ୍ଷରେ ପ୍ରଥମ ଦିବାରାତ୍ର ଟେଷ୍ଟ୍ ଖେଳିଥିଲା । ସେଥିରେ ମଧ୍ୟ ଭାରତ ବିଜୟ ଲାଭ କରିଥିଲା  । ଏବେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ମଧ୍ୟ ଭାରତ ବିଜୟ ହାସଲ କରିବ ବୋଲି ଆଶା ରଖିଛି ।

ଅନ୍ୟପକ୍ଷରେ ଶ୍ରୀଲଙ୍କା କଥା ଯଦି କହିବା ତାହାଲେ ପ୍ରଥମ ମ୍ୟାଚରେ ପରାଜୟ ପରେ ଏବେ ବ୍ୟାକଫୁଟରେ ରହିଛି ଦଳ । ତେବେ ଏହି ମ୍ୟାଚରେ ବିଜୟ ଲାଭ କରି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ ଶ୍ରୀଲଙ୍କା । ବେଙ୍ଗାଲୁରୁ ଖେଳାଯିବାକୁ ଥିବା ଦିବରାତ୍ର ଟେଷ୍ଟରେ ଟିମ୍ ଇଣ୍ଡିଆ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଶତକ ହାସଲ କରିବେ ବୋଲି ଆଶା କରାଯାଉଛି । ବେଙ୍ଗାଲୁରୁରେ ଖେଳାଯାଉଥିବା ଟେଷ୍ଟରେ ଭାରତ ପକ୍ଷରୁ ଗୋଟିଏ ପରିବର୍ତ୍ତନ ହୋଇପାରେ । ଜୟନ୍ତ ଯାଦବଙ୍କ ସ୍ଥାନରେ ମହମ୍ମଦ ସିରାଜ କିମ୍ବା ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିପାରେ ବୋଲି ଆଶା କରାଯାଉଛି ।

ଅଷ୍ଟଧାତୁର ଗୋପିନାଥଙ୍କ ସହ ସୁନା ଅଳଙ୍କାର ଚୋରି

ପୁରୀ: ଚୋରଙ୍କ ନଜରରେ ମନ୍ଦିର । ଠାକୁର ସହ ଖଟୁଲି ବି କଲେ ଗାଏବ । ଗ୍ରୀଲ ତାଢି ପଶିଲେ, ୫ ମୂର୍ତ୍ତି ଓ ସୁନା ଅଳଙ୍କାର କଲେ ଲୁଟ । ଏମିତି ଘଟଣା ଘଟିଛି ପୁରୀ ଜିଲ୍ଲା ବୀରନରସିଂହପୁର ଗାଁରେ ।

ଗାଁରେ ଥିବା ଗୋପିନାଥ ମନ୍ଦିରରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ । ଅଷ୍ଟଧାତୁର ବାବା ଗୋପିନାଥଙ୍କ ସହ, ରାଧା, ଦୁର୍ଗା ଓ ଅନ୍ୟ ୨ ପାର୍ଶ୍ବ ଦେବାଦେବୀଙ୍କ ମୂର୍ତ୍ତି ଚୋରି କରିନେଇଛନ୍ତି । ଏହାସହ ଠାକୁରଙ୍କ ସୁନା ଓ ରୁପା ଅଳଙ୍କାର ମଧ୍ୟ ଲୁଟ କରିଛନ୍ତି । ଏଥିରେ ବାବା ଗୋପିନାଥଙ୍କ ବହୁମୂଲ୍ୟ ମୁକୁଟ ମଧ୍ୟ ରହିଛି ।

ସକାଳୁ ପୂଜାରୀ ମନ୍ଦିରକୁ ଆସିବା ପରେ ଗ୍ରୀଲ ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ମନ୍ଦିର ଭିତରକୁ ଯିବା ପରେ ଠାକୁର ଓ ଅଳଙ୍କାର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ପୂଜାରୀ ଏନେଇ ଗ୍ରାମାବସୀଙ୍କୁ ଜଣାଇଥିଲେ । ମନ୍ଦିରରୁ ଏମିତି ଚୋରିକୁ ନେଇ ଗାଁରେ ଅସନ୍ତୋଷ ଦେଖା ଦେଇଛି । ଖବର ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିଲେ ବି ଥାନାକୁ ଯାଇ ଏତଲା ଦେବାକୁ ଗ୍ରାମବାସୀ ପ୍ରସ୍ତୁତ ହେଉଥିବା ଜଣାପଡିଛି ।

ଆଜି ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ଭୁବନେଶ୍ବର: ସରିଲା ନାଏବ ସରପଞ୍ଚ ବଛା । ଆଜି ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ । ଏଥିପାଇଁ ସରଗରମ ହୋଇଛି ରାଜନୀତି । ସକାଳ ସାଢେ ୧୦ରୁ ସାଢେ ୧୧ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ ହେବ । ସାଢେ ୧୧ରୁ ସାଢେ ୧୨ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର । ସାଢେ ୧୨ ପରେ ଭୋଟ୍ ।

ବ୍ଲକ୍ ଦଖଲ କରିବାକୁ ସବୁ ଦଳ କରିଛନ୍ତି ଜୋରଦାର କସରତ୍ । ଦଳୀୟ ଚିହ୍ନରେ ଲଢା ହେଉ ନଥିଲେ ମଧ୍ୟ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ଚେୟାରମ୍ୟାନ ପଦ ହାସଲ କରିବେ ତାହା ଉପରେ ସମସ୍ତଙ୍କ ନଜର । ବିଜେଡି ସମସ୍ତ ବ୍ଲକକୁ ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି । ବିରୋଧୀ କିଛି ଜାଗାରେ ବ୍ଲକ ଦଖଲ କରିବାକୁ ନଜର ରଖିଛନ୍ତି ।

ସେପଟେ ଆସନ୍ତାକାଲି ଜିଲ୍ଲାପରିଷଦ ସଭାପତି ନିର୍ବାଚନ । ଚଳିତବର୍ଷ ଏଥିରେ ଦଳବଦଳ ନିରୋଧ ଆଇନ ଲାଗୁ ହେବ । ସବୁ ଜିଲ୍ଲାରେ ବିଜେଡିର ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ଥିବାରୁ ୩୦ଟି ଯାକ ଜିଲ୍ଲାରେ ସଭାପତି ଓ ଉପସଭାପତି ପଦ ବିଜେଡି ଖାତାକୁ ଯିବ ।