ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ସହ ସରପଞ୍ଚଙ୍କୁ ତୁଳନା କରୁଥିଲେ ବିଜୁ ବାବୁ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ । ଆକାଶଛୁଆଁ ବ୍ୟକ୍ତିତ୍ବ, ମାଟିର ବ୍ୟଥାକୁ ବି ଅନୁଭବ କରିପାରୁଥିଲେ  । ଗାଁକୁ କାମ, ମା’କୁ ସମ୍ମାନ କଥା ସବୁବେଳେ କହୁଥିଲେ ବିଜୁ ପଟ୍ଟନାୟକ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମୁଖ୍ୟମନ୍ତ୍ରୀଙ୍କ ସହ ସରପଞ୍ଚଙ୍କୁ ତୁଳନା କରୁଥିଲେ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ବାସ୍ତବତା କିନ୍ତୁ ଭିନ୍ନ ଥିଲା  । ତଳସ୍ତର ଥିଲା ଦୁର୍ବଳ  । ମହିଳାମାନେ ଥିଲେ ପଛୁଆ  ।

କ୍ଷମତାର ବିକେନ୍ଦ୍ରୀକରଣ ଓ ଗଣତାନ୍ତ୍ରିକ ବ୍ୟବସ୍ଥାରେ ମହିଳାଙ୍କ ଅଂଶ ଗ୍ରହଣ ପାଇଁ ମଧ୍ୟ ବିଜୁବାବୁଙ୍କ ସମୟରେ ଓଡ଼ିଶା ଦେଶରେ ଦୃଷ୍ଟାନ୍ତ ସାଜିଥିଲା । ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ହେବାର ଯଥେଷ୍ଟ ପୂର୍ବରୁ ଓଡ଼ିଶାରେ ବିଜୁବାବୁ ଏହାର ମୂଳଦୁଆ ପକାଇ ଥିଲେ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଥିଲା । ଯାହାର ଗୁରୁତ୍ବ ବୁଝି ତାଙ୍କ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି  ।

୧୯୬୧ରେ ପ୍ରଥମ ଥର ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ପଞ୍ଚାୟତକୁ କ୍ଷମତା ପ୍ରଦାନ ଓ ମହିଳା ପ୍ରତିନଧିତ୍ବ କଥା ଚିନ୍ତା କରିଥିଲେ । ଗଣତନ୍ତ୍ରରେ କ୍ଷମତା ବିକେନ୍ଦ୍ରୀକରଣର ଆବଶ୍ୟକତା ବୁଝିଥିଲେ । ଏ ପ୍ରସଙ୍ଗରେ ୧୯୬୧ ନଭେମ୍ବର ୨୦ ତାରିଖରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଇଥିବା ଔଜସ୍ୱିନୀ ଭାଷଣକୁ ପ୍ରଶଂସା କରିଥିଲେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ । ପ୍ରାଥମିକ ସ୍କୁଲ, ସେବାଶ୍ରମ, ଅଞ୍ଚଳର ବିକାଶ ଯୋଜନା, ଋଣ ଜରିଆରେ ମାଛଚାଷ, ପାନୀୟଜଳ, ଗ୍ରାମ୍ୟ ଗମନାଗମନ ବ୍ୟବସ୍ଥାର ଦାୟିତ୍ୱ ପଞ୍ଚାୟତକୁ ଦେଇଥିଲେ ବିଜୁବାବୁ । ପଞ୍ଚାୟତ ଶିଳ୍ପ କଥା ବି ସେତେବେଳେ ସେ ଉଠାଇଥିଲେ । ରାଜ୍ୟରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୪୮ଟି ଟ୍ରେନିଂ ସେଣ୍ଟର ପ୍ରତିଷ୍ଠା କରାଯାଇଥିଲା ।

୧୯୯୩ରେ କେନ୍ଦ୍ର ସରକାର ସମ୍ବିଧାନର ୭୩ତମ ସଂଶୋଧନ କରି ପଞ୍ଚାୟତକୁ କ୍ଷମତା ହସ୍ତାନ୍ତର ପାଇଁ ଆଇନ ଆଣିଲେ । କ୍ଷମତା ବିକେନ୍ଦ୍ରୀକରଣ ହେଲା । ଏଥିରେ ବି ବିଜୁବାବୁଙ୍କ ଅବଦାନ କିଛି କମ୍ ନଥିଲା । ଏହା ପୂର୍ବରୁ ୧୯୯୦ରେ ଦ୍ବିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପଙ୍ଗୁ ହୋଇପଡ଼ିଥିବା ପଞ୍ଚାୟତ ବ୍ୟବସ୍ଥାକୁ ସକ୍ରିୟ କରିଥିଲେ  । ୧୯୯୨ରେ ଦୀର୍ଘ ୮ବର୍ଷ ପରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା । କ୍ଷମତା ପାଇଲା ପଞ୍ଚାୟତ । ମହିଳା ସଶକ୍ତୀକରଣ ପାଇଁ ସେମାନଙ୍କ ହାତକୁ କ୍ଷମତା ଦେବାକୁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରିଥିଲେ । ସଂଶୋଧନ ହେଲା ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଆଇନ । ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସରଂକ୍ଷିତ ରହିଲା  । ନୂଆ ଆଇନ ପରେ ଏକାଥରେ ୨୮ହଜାର ମହିଳା ନିର୍ବାଚିତ ହୋଇ ସମ୍ଭାଳିଥିଲେ ପଞ୍ଚାୟତର ଡୋର । କେବଳ ବିଭିନ୍ନ ବିଭାଗର କ୍ଷମତା ପଞ୍ଚାୟତକୁ ହସ୍ତାନ୍ତର କରାଗଲା ନାହିଁ, ଆର୍ଥିକ କ୍ଷମତା ବି ଦିଆଗଲା । ପୂର୍ବ ବିଭାଗ ସହ ମହିଳା ଓ ଶିଶୁ ବିକାଶ, ସାମାଜିକ ବନୀକରଣ,କୁଟୀର ଶିଳ୍ପ, ସାଧାରଣ ଖାଦ୍ୟ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଦାୟିତ୍ୱ ଦିଆଯାଇଥିଲା।

ବିଜୁବାବୁଙ୍କ ପାଇଁ କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ମିଳିଲା ନୂଆ ପରିଚୟ । ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଜୁବାବୁ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିବା ବେଳେ ତାଙ୍କ ସୁଯୋଗ୍ୟ ସନ୍ତାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । କେବଳ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନୁହେଁ, ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ ବିଜୁବାବୁ ପଦକ୍ଷେପ ନେଇଥିବା ବେଳେ ନବୀନ ପଟ୍ଟନାୟକ ଏହାକୁ ବ୍ୟାପକ କରିଛନ୍ତି । ମିଶନ ଶକ୍ତି, ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ରାଜ୍ୟର ୭୦ଲକ୍ଷରୁ ଅଧିକ ମହିଳାଙ୍କ ମୁହଁରେ ହସ ଫୁଟିଛି  । ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି  । ଏସବୁର ମୂଳଦୁଆ ପକାଇଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଚିରସ୍ମରଣୀୟ ହୋଇ ରହିବେ  ।