ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ହିଂସା ମାମଲା, ୧୪ ଗିରଫ

1 min read

ନୂଆଦିଲ୍ଲୀ: ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଗତକାଲି ରାତିରେ ଏକ ଧାର୍ମିକ ଶୋଭାଯାତ୍ରାରେ ପଥରମାଡ଼ ହୋଇଥିବା ଅଭିଯୋଗ ପରେ ସଂଘର୍ଷ ହୋଇଥିଲା । ଏହି ଘଟଣାରେ ପୋଲିସ ୧୪ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ଏମାନଙ୍କ ବିରୋଧରେ ପୋଲିସ ଏଫଆଇଆର୍ ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଗିରଫମାନଙ୍କ ମଧ୍ୟରେ ପୋଲିସ ଅଫିସରଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତି ମଧ୍ୟ ରହିଛି। ସେହି ବ୍ୟକ୍ତିଠାରୁ ବନ୍ଧୁକ ଜବତ କରିଛି ପୋଲିସ। ଗିରଫ ହୋଇଥିବା ୧୪ ଜଣଙ୍କ ବିରୋଧରେ ଦଙ୍ଗା ଭିଆଇବା, ହତ୍ୟା ଉଦ୍ୟମ ଓ ଆର୍ମସ ଆକ୍ଟରେ ପୋଲିସ ମାମଲା ରୁଜୁ କରିଛି ।

ଗତକାଲି ରାତିରେ ହୋଇଥିବା ସଂଘର୍ଷରେ ୮ ପୋଲିସ କର୍ମୀଙ୍କ ସହ ମୋଟ ୯ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ ପୋଲିସ ସବ-ଇନ୍ସପେକ୍ଟର ମେଧାଲାଲ ମୀନା । ସିସିଟିଭି ଫୁଟେଜ ଓ ସୋସିଆଲ ମିଡିଆରୁ ଅନ୍ୟ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ସହ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ପୋଲିସ କହିଛି । ସଂଘର୍ଷର କାରଣର ଯାଞ୍ଚ ପାଇଁ  କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ସେଲ୍ ପକ୍ଷରୁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଗୋଷ୍ଠୀ ସଂଘର୍ଷ ପରେ ଦିଲ୍ଲୀର ଏକାଧିକ ସମ୍ବେଦନଶୀଳ ଅଞ୍ଚଳରେ ପୋଲିସ କଡ଼ା ନଜର  ରଖିଛି । ସେପଟେ ଏହି ଗୋଷ୍ଠୀ ସଂଘର୍ଷ ପରେ ପ୍ରତିକ୍ରିୟା ରଖିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ରାଜନୈତିକ ଫାଇଦା ପାଇଁ ରାମ, ହନୁମାନଙ୍କ ନାଁରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରାଯାଉଛି ବୋଲି ସଞ୍ଜୟ ରାଉତ କହିଛନ୍ତି ।