spot_img
Home Blog Page 4500

ନୋ ଫ୍ଲାଇଙ୍ଗ ଜୋନ କରିବାକୁ ପୁଣି ଦାବି କଲା ୟୁକ୍ରେନ

କିଭ୍: ୟୁକ୍ରେନରେ ଜାରି ରହିଛି ଋଷର ଆକ୍ରମଣ । ଧ୍ବଂସ ହେଉଛି ଗୋଟିଏ ପରେ ଗୋଟିଏ ସହର । ଏହି ଧ୍ବଂସଲୀଳା ଭିତରେ ଆଜି ପୁଣି ଋଷ ଓ ୟୁକ୍ରେନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଯାଉଛି । ଏ ନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ପରାମର୍ଶଦାତା ମିଖାଇଲୋ ପୋଦୋଲିଆକ ।

ସେପଟେ ୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରିବାକୁ ପୁଣି ଥରେ ନାଟୋ ନିକଟରେ ଦାବି କରିଛନ୍ତି ଜେଲେନସ୍କି । ସେ କହିଛନ୍ତି, ‘ୟୁକ୍ରେନ ଆକାଶକୁ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା ନ କଲେ ନାଟୋ ରାଷ୍ଟ୍ର ସୀମାରେ ଖୁବ୍ ଶୀଘ୍ର ଋଷର ରକେଟ ମାଡ ହେବାର ଆଶଙ୍କା ରହିଛି ।’

ପୋଲାଣ୍ଡ ସୀମା ଲିବିବରେ ହୋଇଥିବା ଋଷୀୟ ଏୟାର ଷ୍ଟ୍ରାଇକ ଘଟଣା ନେଇଛି ନୂଆ ମୋଡ । ସେଠାରେ ବିଦେଶୀ ଭଡ଼ାଟିଆ ସୈନ୍ୟ ୟୁକ୍ରେନ ବାହିନୀରେ ସାମିଲ ହୋଇ ଋଷ ବିରୋଧରେ ଯୁଦ୍ଧ କରୁଥିବାରୁ ଆଟାକ୍ କରାଗଲା ବୋଲି ଋଷ କହିଛି । ଗତକାଲିର ଏୟାର ଷ୍ଟ୍ରାଇକରେ ଲିବିବରେ ୩୫ ଜଣ ପ୍ରାଣ ହରାଇଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି ।

ସେପଟେ ୟୁକ୍ରେନ ରାଷ୍ଟ୍ରପତିଙ୍କ ପରାମର୍ଶଦାତା ମିଖାଇଲୋ ପୋଦୋଲିଆକ କହିଛନ୍ତି, ରାଜଧାନୀ କିବର ସୁରକ୍ଷା ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ଜାତୀୟ ସୈନ୍ୟବାହିନୀ ଓ ସ୍ବେଚ୍ଛାସେବୀ । ପ୍ରତି ଗଳିକନ୍ଦିରେ ଋଷୀୟ ସୈନ୍ୟଙ୍କ ଗତିରୋଧ ଲାଗି ଲଢେଇ ଚାଲିବ । ଏବେ ବି ମାରିଉପୋଲରେ ଋଷର ଜୋରଦାର ଆକ୍ରମଣ ସହ ବୋମାମାଡ ଜାରି ରହିଛି । ଲୋକମାନେ ପଳାୟନ କରିବାକୁ ବି ଅକ୍ଷମ ହୋଇଛନ୍ତି । ବିଭିନ୍ନ ମସଜିଦ ଉପରେ ଆକ୍ରମଣ ହେଉଥିବାରୁ ସେଠାରେ ବି ଲୋକେ ରହିପାରୁ ନାହାନ୍ତି । ବିଭିନ୍ନ ସହରରେ ଖୋଲାଯାଇଥିବା ୧୪ଟି ହ୍ୟୁମାନ କରିଡର ଜରିଆରେ ଅନେକ ଲୋକ ନିରାପଦରେ ପଳାୟନ କରିଛନ୍ତି ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ୧୩୦୦ ସୈନ୍ୟ ପ୍ରାଣ ହରାଇଥିବା ବେଳେ, ଋଷର ୧୨ ହଜାରରୁ ଅଧିକ ସୈନ୍ୟ ପ୍ରାଣ ହରାଇଲେଣି ବୋଲି କହିଛନ୍ତି ଜେଲେନସ୍କି । ଅନ୍ୟପଟେ ଜେଲେନସ୍କି ଦେଶ ଛାଡି ଚାଲିଯାଇଥିବା ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାହା ମିଥ୍ୟା ବୋଲି ସୂଚନା ମିଳିଛି । ସ୍ଥାନୀୟ ଏକ ହସ୍ପିଟାଲକୁ ଯାଇ ସେ ଆହତ ସୈନ୍ୟଙ୍କୁ ଭେଟିବା ସହ ସେମାନଙ୍କୁ ବୀରତ୍ବର ପ୍ରତୀକ ସ୍ବରୂପ ମେଡାଲ ପ୍ରଦାନ କରିଛନ୍ତି ।

ଇଣ୍ଡୋନେସିଆ ଓ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଆଜି ଇଣ୍ଡୋନେସିଆ, ମାଲେସିଆ ଏବଂ ଫିଲିପାଇନ୍ସରେ ଭୂକମ୍ପ ଅନୁଭୂତ ହୋଇଛି । ମାଲେସିଆର କୁଆଲାଲମ୍ପୁରରେ ୫୦୪ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ୬.୮ ତୀବ୍ରତାର ଭୂକମ୍ପ ହୋଇଛି । ଏନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର । ଫିଲିପାଇନ୍ସର ମାନିଲା ଠାରୁ ପଶ୍ଚିମ-ଦକ୍ଷିଣ-ପଶ୍ଚିମ ଦିଗରେ ୧୫୭ କିଲୋମିଟର ଦୂରରେ ୬.୪ ତୀବ୍ରତାର ଏକ ଭୂକମ୍ପ ହୋଇଛି ।

ତେବେ ଏହି ଭୂକମ୍ପ ସୋମବାର ଦିନ ଭୋର ୪.୦୬ରେ ଅନୁଭୁତ ହୋଇଥିଲା । ଏହାର ଗଭୀରତା ପ୍ରାୟ ୨୧କିଲୋମିଟର ରହିଥିବା ଜଣାପଡ଼ିଛି । ତେବେ ଏହି ଦୁଇ ଦେଶ ସହିତ ଇଣ୍ଡୋନେସିଆର ସମୁଦ୍ରରେ ମଧ୍ୟ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସୁନାମୀ ହେବା ନେଇ ଚେତାବନୀ ଦିଆଯାଇ ନାହିଁ । ଭୂକମ୍ପରେ କୌଣସି କ୍ଷତି ହୋଇଥିବା ମଧ୍ୟ ସୂଚନା ମିଳିନାହିଁ ।

 

ସ୍କୁଲରୁ ମିଳିଲା ବନ୍ଧୁକ

କୁଚିଣ୍ଡା: ସମ୍ବଲପୁର କୁଚିଣ୍ଡା ଜମନକିରା ଥାନା ରେଙ୍ଗୁମୁଣ୍ଡା ୟୁପି ସ୍କୁଲରୁ ମିଳିଲା ଦେଶୀ ବନ୍ଧୁକ । ସ୍କୁଲର ଏକ ଶ୍ରେଣୀ ଗୃହରୁ ଏହି ପିସ୍ତଲ ଠାବ ହୋଇଛି । ତେବେ ଏହି ବନ୍ଧିକୁଟି ସ୍କୁଲକୁ କେମିତି ଆସିଲା ଓ କିଏ ରଖିଲା ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ, ବହୁ ଦିନ ଧରି ସ୍କୁଲ ବନ୍ଦ ଥିଲା । ୨ଟି ଶ୍ରେଣୀ କଠୋରୀରେ ଶିକ୍ଷକ ଜଣକ ରହି ଦାୟିତ୍ବ ନିର୍ବାହ କରୁଥିଲେ । ଏବେ ସ୍କୁଲ ଖୋଲିଥିବାରୁ ସବୁ ଆସବାବପତ୍ର ଅନ୍ୟତ୍ର ସ୍ଥାନାନ୍ତର ହେଉଥିଲା । ତେବେ ଶ୍ରେଣୀ କଠୋରୀର ଅଭାବ ଥିବାରୁ ପ୍ରଧାନଶିକ୍ଷକଙ୍କ ଆଦେଶ କ୍ରମେ ପିଅନ ଏବଂ ଏସଏମସି ସଭାପତି ଗୋଟିଏ କଠୋରୀରେ ଜିନିଷ ପତ୍ର ରଖିବା ସମୟରେ ଆଲମାରୀ ଉପରୁ ପେପରରେ ଗୁଡା ହୋଇ ବନ୍ଧୁକ ଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନିଖୋଜ ନାବାଳିକାଙ୍କ ହ୍ୱାଟ୍ସଆପ୍ ଦେଖି ପୋଲିସ ନାକେଦମ୍ !

ଲକ୍ଷ୍ନୋ: ହ୍ୱାଟସଆପରେ ୩୬ଜଣଙ୍କ ସହ କଥା ହୋଇ କହା ସହ ଫେରାପର ହେଲେ ୮ମ ଶ୍ରେଣୀର ନାବାଳିକା । ୟୁପିର ମହାରାଜଗଞ୍ଜର ଏମିତି ଘଟଣା ସାମ୍ନାକୁ ଆସିଛି । ଯେଉଁଠି ୨୪ଘଣ୍ଟା ହେବ ଜଣେ ନାବାଳିକା ନିଖୋଜ ଅଛନ୍ତି । ଏବଂ ଏହି ନାବାଳିକାଙ୍କୁ ଖୋଜିବା ପାଇଁ ୟୁପି ପୋଲିସ ନାକେଦମ ହେଲାଣି । ପୋଲିସ ସେତେବେଳେ ଆଶ୍ଚର୍ଯ୍ୟ ହୋଇଗଲା ଯେତେବେଳେ ମନାବାଳିକାର ଫୋନ କଲ୍ ଡିଟେଲ ଦେଖିଲା ।

ସୂଚନା ଅନୁସାରେ ନାବାଳିକା ଜଣଙ୍କ ୩୬ ଜଣ ଯୁବକଙ୍କ ସହ ବିଳମ୍ବ ରାତି ପର୍ଯ୍ୟନ୍ତ କଥା ହେଉଥିଲେ । ଯଦିଓ ସମସ୍ତଙ୍କୁ ପରେ ରିଜେକ୍ଟ ଲିଷ୍ଟ ପକାଇ ଦେଇଥିଲେ ନାବାଳିକା । ତେଣୁ ପୋଲିସ ସ୍ପଷ୍ଟ ହୋଇପାରୁ ନାହିଁ ଯେ ନାବାଳିକା ଜଣଙ୍କ କାହା ସହ ଯାଇଥିବେ । ତେବେ ପୋଲିସ ବର୍ତ୍ତମାନ ତାଙ୍କ ସହପାଠୀଙ୍କୁ ନେଇ ତଦନ୍ତ ଚଳାଇଛି  ।

ପୋଲିସ ଅନୁସାରେ, ଶନିବାର ଦିନ ଗୋଟିଏ ଅଭିଯୋଗ ଆସିଥିଲା ସହରର ପ୍ରତିଷ୍ଠିତ ସ୍କୁଲର ୮ମ ଶ୍ରେଣୀର ଗୋଟିଏ ନାବାଳିକା ନିଖୋଜ ହୋଇଯାଇଛନ୍ତି । ସ୍କୁଲରେ ବାର୍ଷିକ ପରୀକ୍ଷା ଦେବାକୁ ଯାଇ ନାବାଳିକା ଜଣଙ୍କ ଆଉ ଘରକୁ ଫେରି ନଥିଲା । ପରେ ଯେତେବେଳେ ପରିବାର ଲୋକ ନାବାଳିକା ସମ୍ପର୍କରେ ଜାଣିବାକୁ ସ୍କୁଲ ଯାଇଥିଲେ  ସେତେବେଳେ ସେ ପରୀକ୍ଷା ଦେବାକୁ  ଆସିନଥିବା ଜଣାପଡ଼ିଥିଲା । ଏହାପରେ ପରିବାର ସଦସ୍ୟ ଥାନାରେ ଅଭିଯୋଗ କରିଥିଲେ ।

କାନାଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା: ୫ ଭାରତୀୟ ଛାତ୍ର ମୃତ

ଟରୋଣ୍ଟ: କାନାଡର ଟରୋଣ୍ଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଅନ୍ୟ ୨ ଜଣ ଭାରତୀୟ ଛାତ୍ର ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଭ୍ୟାନ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ଦେଇଥିଲା ।

କାନାଡ଼ା ହାଇ କମିଶନର ଅଜୟ ବିସାରିୟା କହିଛନ୍ତି, ’୧୩ ମାର୍ଚ୍ଚକୁ ଦୁର୍ଘଟଣା ଘଟିଛି । ଭାରତୀୟ ଦୂତାବାସ ତରଫରୁ ମୃତ ଛାତ୍ରଙ୍କ ସାଙ୍ଗମାନଙ୍କ ସହ ଆଲୋଚନା କରୁଛନ୍ତି ।’

ଟରୋଣ୍ଟ ସାନ ରିପୋର୍ଟ ଅନୁସାରେ, ଦୁର୍ଘଟଣାରେ ହରପ୍ରିତ ସିଂ, ଜସପିନ୍ଦର ସିଂ, କରନପାଲ ସିଂ, ମୋହିତ ଚୌହାନ ଏବଂ ପବନ କୁମାରଙ୍କ ମୃତ୍ୟୁ ଘଟିଛି । ମୃତ ଛାତ୍ର ୨୧ରୁ ୨୪ ବର୍ଷ ମଧ୍ୟରେ ।

ସାମାନ୍ୟ ବଚସାରୁ ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ

କାମାକ୍ଷାନଗର: ସ୍ୱାମୀ ସାଜିଲା ସୈତାନ । ସାମାନ୍ୟ ବଚସା ଭୁଲେଇଦେଲା ସବୁ ସମ୍ପର୍କ । ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାପଘର ଲୋକ ଗୁରୁତର ଅବସ୍ଥାରେ ସୁକାନ୍ତିଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲ ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।

ଶୀତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି, ରଞ୍ଜନ ସାହୁଙ୍କୁ ଦୁଇ ବର୍ଷ ତଳେ ବିବାହ କରିଥିଲେ  । ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ବଚସା ଲାଗିରହୁଥିଲା  । ଗତକାଲି ଦୁଇ ଜଣଙ୍କ ଭିତରେ କଳହ ଉଗ୍ର ରୂପ ନେଇଥିଲା । ସ୍ବାମୀ ରଞ୍ଜନ, ସୁକାନ୍ତିଙ୍କୁ ମାଡ଼ ମାରି ଘର ପଛପଟେ ଥିବା ଏକ ବାଡ଼ିରେ ଥିବା ଗାତରେ ପକାଇ ଦେଇଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।

ସୁରକ୍ଷା କବଚ ଭାଙ୍ଗି କୋହଲିଙ୍କ ପାଖରେ ପହଞ୍ଚି ସେଲ୍ଫି ନେଲେ ଫ୍ୟାନ୍

ବେଙ୍ଗାଲୁର: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଚାଲିଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍ । ମ୍ୟାଚର ଦ୍ବିତୀୟ ଦିନ ଖେଳ ଚାଲିଥିବା ବେଳେ ସୁରକ୍ଷା ବ୍ୟବସ୍ଥାରେ ଦେଖିବାକୁ ମିଳିଥିଲା ଢିଲା । ଖେଳ ଶେଷ ହେବା ବେଳକୁ ୩ ଜଣ ଭାରତୀୟ ପ୍ରଶଂସକ ସୁରକ୍ଷା କବଚ ଭାଙ୍ଗି ପଡିଆରେ ପହଞ୍ଚି ଗଲେ । ଏମିତି କି ଜଣେ ପ୍ରଶଂସକ ବିରାଟ କୋହଲିଙ୍କ ସହ ସେଲ୍ଫି ନେବାକୁ ମଧ୍ୟ ସକ୍ଷମ ହୋଇଥିଲେ । ଶ୍ରୀଲଙ୍କର ଦ୍ବିତୀୟ ପାଳର ୬ଷ୍ଠ ଓଭରରେ ଏହି ଘଟଣା ଘଟିଥିଲା । ମହମ୍ମଦ ସାମୀଙ୍କ ବଲରେ କୁସଲ ମେଣ୍ଡିସ୍ ଆହତ ହୋଇ ଫିଜିଓଙ୍କ ଚେକଅପ୍ ହେଉଥିବା ବେଳେ ଏହି ୩ ପ୍ରଶଂସକ ପଡିଆରେ ପଶି ଯାଇଥିଲେ ।

ପଡ଼ିଆକୁ ଯିବାର ସୁଯୋଗ ଥିବା ଦେଖି ୩ ଭାରତୀୟ ପ୍ରଶଂସକ ବ୍ୟାରିକେଡ ଭାଙ୍ଗି ପଡ଼ିଆରେ ପହଞ୍ଚି ଯାଇଥିଲେ । କୋହଲିଙ୍କ ପାଖରେ ପହଞ୍ଚିବା ପରେ ସେମାନଙ୍କ ମଧ୍ୟରୁ ଜଣେ କୋହଲିଙ୍କୁ ସେଲ୍ଫି ନେବାକୁ ଅନୁରୋଧ କରିଥିଲେ । କୋହଲି ମଧ୍ୟ ଖୁସି ଖୁସି ତାଙ୍କ ସହ ସେଲ୍ଫି ଉଠାଇ ଥିଲେ ।

ସେପଟେ ସୁରକ୍ଷା କର୍ମୀ ଖେଳାଳିଙ୍କ ପାଖରେ ପହଞ୍ଚିବା ସହ ଏହି ପ୍ରଶଂସକମାନଙ୍କୁ ପଡିଆରୁ ବାହାର କରିଥିଲା । ତେବେ ସୁରକ୍ଷାରେ ଉଲ୍ଲଂଘନକୁ ବଡ କଥା ନୁହେଁ ବୋଲି କହିଛନ୍ତି ବୁମ୍ରା । ଏହାସହ ଖେଳାଳିଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦେବାକୁ କହିଛନ୍ତି ।

ସୂଚନାଯୋଗ୍ୟ, ମୋହାଲି ଟେଷ୍ଟରେ ମଧ୍ୟ ପ୍ରଶଂସକ ସୁରକ୍ଷା ଭାଙ୍ଗି ପଡ଼ିଆରେ ପହଞ୍ଚି ଯାଇଥିଲେ । ମୋହାଲିରେ ଜଣେ ଖେଳାଳି ପଡ଼ିଆକୁ ଆସିଯାଇଥିବା ବେଳେ ବେଙ୍ଗାଲୁରୁରେ ୩ ଜଣ ପଶି ଯାଇଥିଲେ । ଲଗାତର ଦୁଇଟି ଟେଷ୍ଟରେ ଦର୍ଶକ ପଡିଆରେ ପଶି ଆସିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କ୍ରିକେଟ ବିଶେଷଜ୍ଞ । ଏହା ଉପରେ ଧ୍ୟାନ ଦିଆଯିବା ସହ ଖେଳାଳିଙ୍କୁ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ସାଧାରଣରେ ଦାବି ହେଉଛି ।

ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ ହାତୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଦୁର୍ନିତୀକୁ ଦିଆଯିବ ନାହିଁ ପ୍ରଶୟ । ଭିଜିଲାନ୍ସ ଜାଲରେ ପଡୁଛନ୍ତି ଜଣଙ୍କ ପରେ ଜଣେ ଲାଞ୍ଚୁଆ ବାବୁ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଭୁବନେଶ୍ବରର ଗୋଟାଏ ଘର ଓ ଅଫିସ, ଢେଙ୍କାନାଳର ଦୁଇଟି ସ୍ଥାନ, ତାଳଚେରର ପୈତୃକ ଘରେ ଦୁଇଟି ଟିମ୍ ଚଢାଉ ଜାରି ରଖିଛନ୍ତି ।

ଭୁବନେଶ୍ବର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଭଡା ଘର, ନନ୍ଦନକାନନ ନିକଟ ରଘୁନାଥ ମୌଜାରେ ଥିବା ଘର, ନିର୍ମାଣ ସୌଦ୍ଧ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ସେହିପରି ଢେଙ୍କାନାଳ ତାରିଣୀ ନଗରରେ ଥିବା ୩ ମହଲା କୋଠା, ସଦର ଅଳସୁଆ ମୌଜାରେ ଥିବା ଘର, ତାଳଚେର କାକୁଡିଠାରେ ଥିବା ପୈତୃକ ଘରେ ଚାଲିଛି ଚଢାଉ । ରେଡ ବେଳେ କିଛି ପାସବୁକ୍, ଏଟିଏମ ଓ ଇନସ୍ୟୁରାନ୍ସ ପେପର ଜବତ କରିଛି ଭିଜିଲାନ୍ସ । ଭିଜିଲାନ୍ସ ଡିଏସପି ଅନିରୁଦ୍ଧ ନାୟକଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । ଚଢାଉରେ ୫ ଡିଏସପି, ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।

ଆକ୍ସନ ମୁଡରେ ବୋଲର: ସେକେଣ୍ଡ ଡେ’ରେ ୧୪ ଓ୍ବିକେଟ ଝଡିଲା

ବେଙ୍ଗାଲୁରୁ: ଭାରତ, ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନରେ ମଧ୍ୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି । ପ୍ରଥମ ଦିନରେ ୧୬ ଓ୍ବିକେଟ୍ ପଡିଥିବା ବେଳେ ଦ୍ବିତୀୟ ଦିନରେ ୧୪ ଓ୍ବିକେଟ ଝଡିଛି । ଏହାସହ ୩୦୩ ରନରେ ଭାରତ ଦ୍ବିତୀୟ ପାଳି ଘୋଷଣା କରିଛି । ଶ୍ରୀଲଙ୍କା ଗୋଟିଏ ଓ୍ବିକେଟ୍ ହରାଇ ୭ ଓଭରରେ ୨୮ ରନ କରିଛି । ବିଜୟ ପାଇଁ ଶ୍ରୀଲଙ୍କାକୁ ୪୧୯ ରନ୍ ଦରକାର ହେଉଥିବା ବେଳେ ଆଜି ଟାର୍ଗେଟକୁ ଚେଜ୍ କରିବାକୁ ପଡିଆକୁ ଓହ୍ଲାଇବ ଦଳ ।

ଗତକାଲି ଦ୍ବିତୀୟ ଦିନରେ ଖେଳ ଆରମ୍ଭ କରି ମାତ୍ର ୨୩ ରନ ଯୋଡ଼ିବାକୁ ସକ୍ଷମ ହୋଇ ଥିଲା ଶ୍ରୀଲଙ୍କା । ଦଳ ମାତ୍ର ୧୦୯ ରନରେ ଅଲଆଉଟ୍ ହୋଇଯାଇଥିଲା । ପରେ ଦ୍ବିତୀୟ ଇନିଂସରେ ଦମଦାର ପ୍ରଦର୍ଶନ କରି ୬୮.୫ ଓଭରରେ ୯ ଓ୍ବିକେଟ ହରାଇ ୩୦୩ ରନରେ ପାଳି ଘୋଷଣା କରିଥିଲା ଭାରତ । ଦ୍ବିତୀୟ ପାଳିରେ ଶ୍ରେୟସ ଆୟାର ସର୍ବାଧିକ ୬୭ ରନ୍ କରିଥିବାବେଳେ ରିଷବ ପନ୍ତ ଖେଳିଥିଲେ ଧୁଆଁଧାର ଇନିଂସ । ୩୧ ବଲରେ ୭ ଚୌକା ଓ ୨ ଛକା ମାରି ୫୦ରନ୍ ସଂଗ୍ରହ କରିଥିଲେ ରିଷଭ । ଅଧିନାୟକ ରୋହିତ ଶର୍ମା ୪୬ରନ୍ କରିଥିବାବେଳେ ବିରାଟ କୋହଲି ମାତ୍ର ୧୩ରନ୍ କରି ପାଭିଲିୟନ ଫେରିଥିଲେ ।

ୟୁକ୍ରେନ ଯୁଦ୍ଧ: ରିପୋର୍ଟିଂ ବେଳେ ସାମ୍ବାଦିକଙ୍କ ମୃତ୍ୟୁ

କିଭ୍: ଋଷ-ୟୁକ୍ରେନ ଯୁଦ୍ଧର ଖବର ସଂଗ୍ରହ କରିବାକୁ ଯାଇ ଖବର ହୋଇଗଲେ ସାମ୍ବାଦିକ । ଆମେରିକୀୟ ସାମ୍ବାଦିକ ବ୍ରେଣ୍ଟ ରେନାଉଡଙ୍କ ମୃତ୍ୟୁ । ସେ ନ୍ୟୁୟର୍କ ଟାଇମ୍ସରେ କାମ କରୁଥିଲେ ।

ୟୁକ୍ରେନରେ ଋଷ ସେନାର ଆକ୍ରମଣ ଜାରି ରହିଛି । ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ରିପୋର୍ଟିଂ କରୁଥିବା ବେଳେ ରବିବାର ଋଷ ସେନା ଗୁଳିରେ ତାଙ୍କର ମୃତ୍ୟୁ ହୋଇଛି ।

ବ୍ରେଣ୍ଟ ସାମ୍ୱାଦିକତା ସହ ଫିଲ୍ମ ନିର୍ମାଣ ମଧ୍ୟ କରୁଥିଲେ । ଦୀର୍ଘ ବର୍ଷ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମ ନ୍ୟୁୟର୍କ ଟାଇମ୍ସ ସହ କାମ କରୁଥିଲେ । ବରିଷ୍ଠ ସାମ୍ୱାଦିକ ବ୍ରେଣ୍ଟ ରେନାଉଡଙ୍କ ମୃତ୍ୟୁରେ ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ବ୍ରେଣ୍ଟ ନିଜ ସାହସିକତା ସାମ୍ୱାଦିକତା ପାଇଁ ଗଣାମଧ୍ୟମ ଜଗତରେ ଏକ ଚର୍ଚ୍ଚିତ ବ୍ୟକ୍ତିତ୍ୱ ଥିଲେ । ସେପଟେ ସିରିଆ, ଇସ୍ରାଇଲ ଏବଂ ମଧ୍ୟ ପ୍ରାଚ୍ୟ ଦେଶରୁ ଭଡ଼ାରେ ସୈନା ଆଣି ଋଷ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି ।