ଆଜି ଅବପାତର ରୂପ ନେବ ଲଘୁଚାପ, ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର: ଆଜି ଅବପାତର ରୂପ ନେବ ଲଘୁଚାପ । ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଅବପାତ ଓ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଏହା ପୂର୍ବରୁ ଆଜି ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ । ୧୦ ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ୧୦ ତାରିଖରେ ପ୍ରବଳ ବର୍ଷା ନେଇ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବ । ୧୦ତାରିଖ ବେଳକୁ ପବନର ବେଗ ବଢ଼ି ୭୦ରୁ ୮୦ କିମି ଓ ଝଟକା ପବନ ଘଣ୍ଟାକୁ ୯୦କିମି ରହିବ । ତେଣୁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ତେବେ ବାତ୍ୟା ଏତେଟା ଶକ୍ତିଶାଳୀ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଓଡିଶା ଉପକୂଳ ଦେଇ ଏହା ଗତି କରେ କିମ୍ବା ଓଡିଶାରେ ଲ୍ୟାଣ୍ଡଫଲ୍ କରେ, ସେତେବେଳେ ଏହା ଦୁର୍ବଳ ହୋଇଯାଇଥିବ । ଏବେ କାଳବୈଶାଖୀ ପ୍ରଭାବରେ ଜଳବାୟୁ ଥଣ୍ଡା ରହୁଛି । ବାତ୍ୟା ଶକ୍ତିଶାଳୀ ହେବା ପାଇଁ ଯେଉଁ ଉଷ୍ଣତା ଆବଶ୍ୟକ ତାହା କମିଛି । ତେଣୁ ଓଡିଶା ଉପକୂଳ ପାଖେଇବା ସମୟରେ ଏହା ଦୁର୍ବଳ ହୋଇ କେବଳ ଲଘୁଚାପ ହୋଇ ରହିଯିବ ।

ତେବେ ଲଘୁଚାପ ପ୍ରଭାବରେ ୯ ତାରିଖ ରାତିରୁ ରାଜ୍ୟରେ ବର୍ଷା ହେବ । ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ୧୦ ତାରିଖରେ ଉପକୂଳରେ ବର୍ଷା ହେବ । ଏହାର ପ୍ରଭାବରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ଆସିବ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।