ଛଅଟି ନୂଆ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ, ୪୯୩ କୋଟି ୬୨ ଲକ୍ଷ ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଆଉ ଏକ ସଫଳତା । ଛଅଟି ନୂଆ ପୁଞ୍ଜିନିବେଶ ପ୍ରସ୍ତାବକୁ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥୋରିଟି ବୈଠକରେ ମଞ୍ଜୁରୀ ଦିଆଯାଇଛି । ଏହି ଛଅଟି ପ୍ରକଳ୍ପ ଜରିଆରେ ୪୯୩ କୋଟି ୬୨ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଆଉ ୧୩ ଶହ ୧୭ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହିସବୁ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି ।

ଏହିସବୁ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଆନୁସଙ୍ଗିକ ସୁବିଧା ସୁଯୋଗ ସୃଷ୍ଟି କରିବାକୁ ବିଭାଗଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଚିଲିକାରେ ପର୍ଯ୍ୟଟନର ବିକାଶ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ମଧ୍ୟ ପର୍ଯ୍ୟଟନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଆଜି ଅନୁମୋଦନ ପାଇଥିବା ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି ଜାଟିଆ ଷ୍ଟିଲର ୨ଲକ୍ଷ ୫୦ହଜାର ମେଟ୍ରିକ ଟନ ୱେୟାର ରଡ୍ ମିଲ୍ । କଳିଙ୍ଗ ନଗରରେ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୧୨୫ କୋଟି ଟଙ୍କା ପୁଞ୍ଜି ନିବେଶ କରାଯିବ ।

ଷଡଙ୍ଗୀ ମେଟାଲ ୱାର୍କସ୍ ପକ୍ଷରୁ କଳିଙ୍ଗ ନିଗରରେ ଆନୁସଙ୍ଗିକ ଶିଳ୍ପ ପାଇଁ ୬୫ କୋଟି ୩୭ ଲକ୍ଷ ଟଙ୍କାର ପୁଂଜିନିବେଶ କରାଯିବ । ଜେଆରଏସ୍ ଭେନଚର ପକ୍ଷରୁ ସୋନପୁରରେ ପ୍ରତିଷ୍ଠା ହେବ ଇଥାନଲ୍ ପ୍ଲାଣ୍ଟ । ଗଂଜାମ ଜିଲ୍ଲାରେ ହୋଟେଲ ଶିଳ୍ପରେ ପୁଂଜି ନିବେଶ କରିବ ଏସ୍ଏନ୍ଏମ ହୋଟେଲ ଆଣ୍ଡ ରେସ୍ତୋରାଁ ପ୍ରାଇଭେଟ ଲିମିଟେଡ । ଖୋର୍ଦ୍ଧାରେ କାର୍ବନ ଓ ଗ୍ରାଫାଇଟ କଟିଂ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ଏଥିସହିତ କଟକ ଜିଲ୍ଲା ଟାଙ୍ଗି ଠାରେ ଆଶିର୍ବାଦ ପାଇପସ୍ ପକ୍ଷରୁ ପ୍ରତିଷ୍ଠା ହେବ ପିଭିସି ପାଇପ ଉତ୍ପାଦନ ୟୁନିଟ୍ ।