ମୃତ୍ୟୁ ପୂର୍ବରୁ ଭିଡିଓରେ କହିଲେ ମିଛ ମାମଲାର ସତ କାହାଣୀ…

ରାଉରକେଲା: ମିଛ ଯୈାତୁକ ମାମଲାରେ ଛନ୍ଦି ହୋଇଯିବା ପରେ ସ୍ୱାମୀଙ୍କ ଆତ୍ମହତ୍ୟା । ଭାଇରାଲ୍ ହେଲା ମୃତ୍ୟୁ ପୂର୍ବର ଭିଡିଓ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ରାଉରକେଲାରୁ। ରାହୁଲ ଅଗ୍ରୱାଲ ନାମକ ଏହି ଯୁବକ ଆତ୍ମହତ୍ୟା କରିବା ଘଟଣା ଏବେ ଚର୍ଚ୍ଚା ସୃଷ୍ଟି କରିଛି । ସିଭିଲ ଟାଉନସିପ୍ ଅଚଂଳରେ ରହୁଥିଲେ ୩୫ ବର୍ଷୀୟ ରାହୁଲ ଅଗ୍ରୱାଲ । ତାଙ୍କ ମୃତଦେହକୁ ଜାମସେଦପୁର ନିକଟରୁ ଉଦ୍ଧାର କରାଯାଇଛି। ମୃତ୍ୟୁ ପୁର୍ବରୁ ସେ ନିଜ ପରିବାର, ଵାପା, ମାଆ, ଭାଈ, ଭଉଣୀ, ପତ୍ନୀ ଓ ପୁଅ ଝିଅଙ୍କୁ କେତେ ଭଲ ପାଉଛନ୍ତି ତାହା ଭିଡିଓ ରେକର୍ଡ କରି ଦର୍ଶାଇବା ସହ ମିଛ ଯୈାତୁକ ମାମଲା ଯୋଗୁଁ ସେ ଓ ତାଙ୍କ ପରିବାର ଲୋକେ କିପରି ହଇରାଣ ହେଉଛନ୍ତି ସେନେଇ ବର୍ଣ୍ଣନା କରିଛନ୍ତି।

୨୦୧୨ ମସିହାରେ ରାହୁଲ ଅଗ୍ରୱାଲ ଜାମସେଦପୁର ଅଞ୍ଚଳରେ ବିବାହ କରିଥିଲେ। ତେବେ ୨୦୨୨ ଫେବୃଆରୀ ୧୪ରେ ତାଙ୍କ ପତ୍ନୀ ଯୈାତୁକ ମାମଲା ରୁଜୁ କରି ବାପଘରକୁ ଚାଲି ଯାଇଥିଲେ। ଏହାପରେ ମାମଲା ଚାଲିଥିଲା କୋର୍ଟରେ। ସ୍ତ୍ରୀଙ୍କ ସହ ତାଙ୍କ ସଂପର୍କ ବହୁତ ଭଲ ଥିଲା ବୋଲି ଭିଡିଓରେ ରାହୁଲ କହିଛନ୍ତି। ହେଲେ ଶାଶୂ, ଶ୍ବଶୁର ଓ ଶଳାଙ୍କ କଥାରେ ପଡି ସ୍ତ୍ରୀ ତାଙ୍କ ନାଁରେ ମିଛ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏଥିରେ ତାଙ୍କର ଓ ପରିବାର ଲୋକଙ୍କ ମର୍ଯାଦାହାନୀ ହୋଇଛି । ତେଣୁ ସେ ବାଧ୍ୟ ହୋଇ ମୃତ୍ୟୁର ରାସ୍ତାକୁ ବାଛିଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଶଶୁର, ଶାଶୁ ଓ ଶଳା ଦାୟୀ ରହିଵେ ବୋଲି ରାହୁଲ ଭିଡିଓରେ କହିଛନ୍ତି।

ନିଜ ପରିବାରକୁ ଵହୁତ ଭଲ ପାଉଥିଲେ ରାହୁଲ। ସ୍ତ୍ରୀ ମିଛ ଯୈାତୁକ ଅଭିଯୋଗ ଆଣିବା ପରେ ରାହୁଲଙ୍କ ପରିବାର ଲୋକେ ମାନସିକ ନିର୍ଯାତନା ପାଇଵା ସହ ପୋଲିସ, କୋର୍ଟ କଚେରୀ ଦଉଡି ନୟାନ୍ତ ହୋଇଥିଲେ । ଏପରିକି ଗିରଫ ଭୟରେ ଦୁଇ ମାସ ହେଲା ଘର ବାହାରେ ରହୁଥିବା ରାହୁଲ କହିଛନ୍ତି। ତିନି ମାସ ହେଲା ପୁଅ ଝିଅଙ୍କୁ ଦେଖି ନଥିବାରୁ ମରିବା ପୁର୍ବରୁ ପୁଅ ଝିଅଙ୍କୁ ଦୂରରୁ ଦେଖିବାକୁ ଇଛା ପ୍ରକାଶ କରିଛନ୍ତି। ମରିଯିଵା ପରେ ଅସ୍ଥି ହରିଦ୍ଵାରରେ ବିସର୍ଜନ ନକରି ବ୍ୟାଙ୍କ ଲକରରେ ରଖିବାକୁ ସେ କହିଛନ୍ତି।

ଏହାସହ ସ୍ତ୍ରୀ କଥାରେ ପଡି ନିଜର ୨୦ ଜଣ ପରିବାର ସଦସ୍ୟଙ୍କ ମଧ୍ୟରୁ ଦୁଇଜଣ ଦାଦାଙ୍କ ସହ ୧୦ ଜଣଙ୍କୁ ପରିବାରରୁ ବାହାର କରିଥିବାରୁ ପରିବାରକୁ ଏକଜୁଟ କରି ରଖିବା ପାଇଁ ସେ ଅନୁରୋଧ କରିଛନ୍ତି। ସେପଟେ ଯୈାତୁକ କେସ ମିଛ ବୋଲି ମୃତ ରାହୁଲଙ୍କ ବାପା କହିଛନ୍ତି। ଛାଡ଼ପତ୍ର ପାଇଁ ରାହୁଲଙ୍କ ପତ୍ନୀ ଓ ତାଙ୍କ ବାପଘର ଲୋକେ ୫କୋଟି ଟଙ୍କା ଦାବି କରୁଥିବା ରାହୁଲଙ୍କ ବାପା ଅଭିଯୋଗ କରିଛନ୍ତି। ଏହାସହ ରାହୁଲଙ୍କୁ ହତ୍ୟା କରାଯାଇଥିଵା ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ତେବେ ଏନେଇ ରାହୁଲଙ୍କ ପତ୍ନୀ କିମ୍ବା ଶ୍ବଶୂର ଘର ଲୋକଙ୍କ ପ୍ରତିକ୍ରିୟା ମିଳିପାରିନି ।