ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଜାରି

କଲମ୍ବୋ: ଶ୍ରୀଲଙ୍କାରେ ପୁଣି ଜରୁରିକାଳୀନ ପରିସ୍ଥିତି ଜାରି । ଦ୍ବିତୀୟ ଥର ଲାଗି ଏହି ପଦକ୍ଷେପ ନେଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ନିରାପତ୍ତା ବାହିନୀ କବଳକୁ ଯାଇଛି ଦେଶର କ୍ଷମତା । ସାରାଦେଶରେ ସରକାର ବିରୋଧୀ ଆନ୍ଦୋଳନ ନିୟନ୍ତ୍ରଣ ବାହାରକୁ ଯିବାରୁ ରାଷ୍ଟ୍ରପତି ନେଇଛନ୍ତି ଏହି ପଦକ୍ଷେପ । ରାଷ୍ଟ୍ରପତିଙ୍କ ଇସ୍ତଫା ଦାବିରେ ଦେଶର ଶତାଧିକ ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ହରତାଳ କରିବା ପରେ ରାଷ୍ଟ୍ରପତି ବାଧ୍ୟ ହୋଇ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି ।

ସଂସଦ ଭବନ ଆଗରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ଲାଗି ପୋଲିସ ଲୁହବୁହା ଗ୍ୟାସ ଓ ଜଳତୋପ ପ୍ରୟୋଗ କରିଛି । ସେପଟେ ସାରା ଦେଶରେ ଖାଦ୍ୟ, ଇନ୍ଧନ, ମେଡିସିନର ଅଭାବ ଅଧିକ ଘନୀଭୂତ ହୋଇଛି । ୧୯୪୮ରେ ସ୍ବାଧୀନତା ପରେ ସବୁଠାରୁ ଗୁରୁତର ଆର୍ଥିକ ସଂକଟ ବଳୟକୁ ଠେଲି ହୋଇଯାଇଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅଧିକ ଉଦବେଗଜନକ ହେବାରେ ଲାଗିଛି ।

ଗତକାଲି ହୋଇଥିବ ଦେଶବ୍ୟାପୀ ଧର୍ମଘଟରେ ଲକ୍ଷ ଲକ୍ଷ କର୍ମଚାରୀ ଓ ଶ୍ରମିକ ଯୋଗ ଦେଇଥିବାରୁ ଉତ୍ପାଦନ ପ୍ରକ୍ରିୟା ଠପ୍ ହେବା ସହ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଥିଲା । ସେପଟେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେବାକୁ ଅଗ୍ରାହ୍ୟ କରିଛନ୍ତି ।