ଖଣି ସଚିବଙ୍କ ଘରୁ କୋଟି କୋଟି ଟଙ୍କା ଜବତ !

ED Arrested Jharkhand IAS Pooja Singhal

ରାଞ୍ଚି: ଖଣି ସଚିବଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ । ଟଙ୍କା ଏତେ ଏହାକୁ ଗଣିବାକୁ ମେସିନର ସାହାଯ୍ୟ ନେବାକୁ ପଡ଼ିଛି । ଝାଡ଼ଖଣ୍ତର ବରିଷ୍ଠ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ ଏବଂ ତାଙ୍କ ସହ ଜଡ଼ିତ ଥିବା ୨୫ଟି ସ୍ଥାନରେ ଶୁକ୍ରବାର ଦିନ ଇଡି ଟିମ୍ ଏକାବେଳେ ଚଢଉ କରିଛି । ଏହି ସମୟରେ ତାଙ୍କ ପାଖରୁ ନଗଦ ୧୯ କୋଟି ଟଙ୍କା ଜବତ ହୋଇଛି । ଆଉ ଏହି ଟଙ୍କାକୁ ଇଡି ଜବତ କରିବା ସହିତ ଏହାକୁ ଗଣିବା ଲାଗି ଦୁଇଟି ଟଙ୍କା ଗଣା ମେସିନ୍‌ର ସହାୟତା ନେଇଥିବା ଜଣାପଡିଛି ।

ଏହି ଅଭିଯୁକ୍ତ ଆଇଏଏସ୍ ଅଧିକାରୀ ହେଉଛନ୍ତି ପୂଜା ସିଙ୍ଘଲ। ମନରେଗା ଯୋଜନାରେ ଦୁର୍ନୀତି କରିବା ନେଇ ପୂଜାଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୂଜା ଏବେ ଝାଡ଼ଖଣ୍ଡ ସରକାରରେ ଖଣି ସଚିବ ଅଛନ୍ତି । ଜବତ ୧୯କୋଟି ମଧ୍ୟରୁ ପୂଜାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ସୁମନ୍‌ କୁମାରଙ୍କ ଘରୁ ୧୭ କୋଟି ମିଳିଛି । ଅବଶିଷ୍ଟ ୨ କୋଟିରୁ ଅଧିକ ଟଙ୍କା ପୂଜାଙ୍କ ଘରୁ ମିଳିଛି ।

ନିକଟରେ ଇଡି ଜଣେ ବିଭାଗୀୟ ଅଧିକାରୀ ରାମ ବିନୋଦ ପ୍ରସାଦ ସିହ୍ନା ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା । ଏହା ପୂର୍ବରୁ ଏହି ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଝାଡଖଣ୍ଡ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗରେ ୧୬ଟି ମାମଲା ରୁଜୁ କରିଥିଲ। । ବିଭାଗୀୟ ଅଧିକାରୀଙ୍କୁ ଜେରା କରିବା ବେଳେ ଆଇଏଏସ୍‌ ପୂଜା ସିଙ୍ଗଲଙ୍କ ନାମ ସାମ୍ନାକୁ ଆସିଥିଲା।

ଏହି ଦୂର୍ନୀତି ଅଭିଯୁକ୍ତ ଆଇଏଏସ ଅଫିସରଙ୍କ ଝାଡଖଣ୍ଡ, ବିହାର, ରାଜସ୍ଥାନ, ପଶ୍ଚିମବଙ୍ଗ ଏବଂ ମୁମ୍ବାଇରେ ଥିବା ଫାର୍ମ ହାଉସରେ ଇଡି ରେଡ୍ କରିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ନିକଟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ନିର୍ବାଚନ କମିସନ ଖଣି ସମ୍ପର୍କିତ ଲାଇସେନ୍ସ ନେବା ଘଟଣାରେ ନୋଟିସ କରିଛନ୍ତି।