spot_img
Home Blog Page 4498

ହିଟ୍ ଓ୍ୱେଭ୍ ପାଇଁ ଆକ୍ସନ ପ୍ଳାନ୍: ୧୧ଟାରୁ ୩ଯାଏଁ ଗଡ଼ିବନି ବସ୍

ଭୁବନେଶ୍ୱର: ହିଟ୍‌ଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗର ମାର୍ଗଦର୍ଶିକା । ଦିନ ୧୧ଟାରୁ ୩ଟା ଯାଏ ଗଡ଼ିବନି ବସ୍ । ବସ୍‌ରେ ରହିବ ବିଶୁଦ୍ଧ ପାନୀୟ ଜଳ ଏବଂ ଓଆରଏସ । ବସ୍‌ଷ୍ଟପରେ ରହିବ ବିଶ୍ରାମଗାର, ଖୋଲିବ ଜଳଛତ୍ର । ବସରେ ଗହଳିକୁ ବାରଣ କରାଯାଇଛି । ଜାତୀୟ ରାଜପଥରେ ଖୋଲିବ ଓ୍ୱାଟର କିସ୍କକୋ । ପରିବହନ ବିଭାଗ କରିବ ଏନଫୋର୍ସମେଣ୍ଟ । ଜିଲ୍ଲାସ୍ତରୀୟ କଣ୍ଟ୍ରେଲ ରୁମ୍ ଖୋଲିବ ।

ସୂଚନା ଯୋଗ୍ୟ ଯେ, ଦୁଇ ଦିନ ପରେ ବଢ଼ିବ ତାତି । ଗରମରେ ଆଉଟୁ ପାଉଟୁ ହେବ ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ପାରା ଡେଇଁବ ୪୦ ଉପରକୁ । ସ୍ୱାଭାବିକଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ ତାପମାତ୍ରା । ଓଡ଼ିଶା ମଧ୍ୟକୁ ପଶ୍ଚିମ-ଉତ୍ତର ଦିଗରୁ ଶୁଷ୍କ ଏବଂ ଉତ୍ତପ୍ତ ବାୟୁ ପ୍ରବାହ ଯୋଗୁଁ ତାତି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଗ୍ରୀଷ୍ମ ପ୍ରବାହ ପାଇଁ ୧୬ ତାରିଖରେ ବଲାଙ୍ଗୀର, ସୁବର୍ଣ୍ଣପୁର ଏବଂ ବୌଦ୍ଧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୧୭ ତାରିଖ ପାଇଁ ୬ଟି ଜିଲ୍ଲା ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଗ୍ରୀଷ୍ମ ଲହରୀ ପାଇଁ ସତର୍କତା ଜାରି କରାଯାଇଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ତାତି ଅନୁଭୁତ ହେବ । ପଶ୍ଚିମ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ ।

ଖୋର୍ଦ୍ଧା ଜିଲ୍ଲାରେ ହିଟଓ୍ବେଭ୍ କଣ୍ଡିସନ୍ ସୃଷ୍ଟି ହେବାକୁ ଥିବାରୁ ଭୁବନେଶ୍ବରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ଅଧିକ ରହିଛି । ୨୧ ଓ ୨୨ ତାରିଖ ବେଳକୁ ତାତି ୪୪ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ଗତବର୍ଷ ମାର୍ଚ୍ଚ ମାସ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ଚଳିତବର୍ଷ ପଶ୍ଚିମା ଝଡ ପାଇଁ ସ୍ଥିତି ବଦଳିଛି ।

ଏଥିସହିତ ପଢ଼ନ୍ତୁ: ଏପ୍ରିଲ୨୯ରୁ ମଇ ୭ ଯାଏଁ ମାଟ୍ରିକ ପରୀକ୍ଷା

ଏପ୍ରିଲ୨୯ରୁ ମଇ ୭ ଯାଏଁ ମାଟ୍ରିକ ପରୀକ୍ଷା

କଟକ: ଏପ୍ରିଲ୍‌ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ମେ ମାସ ୭ ତାରିଖରେ ଏହି ପରୀକ୍ଷା ସରିବ । ପ୍ରତ୍ୟେକ ବିଷୟ ପାଇଁ ୨ ଘଣ୍ଟା ସମୟ ରହିଥିବା ବେଳେ କେବଳ ଗଣିତ ବିଷୟ ପାଇଁ ୨ ଘଣ୍ଟା ୧୫ ମିନିଟ୍‌ ସମୟ ଦିଆଯିବ । ହାଇସ୍କୁଲ ପିଲାମାନେ ଗୋଟିଏ ଦିନରେ ଗୋଟିଏ ବିଷୟରେ ପରୀକ୍ଷା ଦେବେ । ତେବେ ଷ୍ଟେଟ୍ ଓପନ୍ ସ୍କୁଲ ପିଲାମାନେ ୨ଟି ସିିଟିଂରେ ପରୀକ୍ଷା ଦେବେ । ପ୍ରଥମ ସିଟିଂ ସକାଳ ୮ଟାରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ସିଟିଂ ୧୧ ଟାରୁ ଆରମ୍ଭ ହେବ । ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କ ପ୍ରଶ୍ନପତ୍ର ଭିନ୍ନ ରହିବ । ରେଗୁଲାର ପରୀକ୍ଷାର୍ଥୀଙ୍କ ମୋଟ ୪ସେଟ୍ ପ୍ରଶ୍ନପତ୍ର ରହିବ । ଏ ନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ।

ଯଥା ସମ୍ଭବ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ନିଜ ସ୍କୁଲରେ ହୋଇ ନପାରିଲେ ନିକଟସ୍ଥ ସ୍କୁଲରେ ପରୀକ୍ଷା ଦେବେ । ସବୁ ବିଷୟର ପରୀକ୍ଷା ୮୦ମାର୍କର, ଅବଧି ୨ଘଣ୍ଟା । କେବଳ ଗଣିତ ପାଇଁ ୨ଘଣ୍ଟା ୧୫ମିନିଟ ସମୟ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ୪ସେଟର ପ୍ରଶ୍ନପତ୍ର ବ୍ୟବସ୍ଥା । ୫୦ମାର୍କର ଅବଜେକ୍ଟିଭ ଓ ୩୦ମାର୍କର ସବଜେକ୍ଟିଭ ପ୍ରଶ୍ନ । ୫୦ମାର୍କର ସଂକ୍ଷିପ୍ତ ଉତ୍ତରମୂଳକ OMR ସିଟରେ ହେବ । ୩୦ମାର୍କର ଦୀର୍ଘ ଉତ୍ତରମୂଳକ ବୁକ୍‌ଲେଟରେ ଦେବେ ଛାତ୍ରଛାତ୍ରୀ । ମଧ୍ୟମା ପିଲାଙ୍କ ପାଇଁ ରହିଛି ସିଙ୍ଗଲ ସେଟ୍ ପ୍ରଶ୍ନପତ୍ର । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପ୍ରଶ୍ନପତ୍ର ଭିନ୍ନ ରହିବ ।

ଆହତ ସୈନ୍ୟଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଆଉ କହିଲେ…

କିଭ୍: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦେଶର ନାଗରିକ ଏବଂ ସୈନ୍ୟମାନଙ୍କୁ ପ୍ରେରିତ କରୁଥିବାର ଦେଖିବାକୁ ମିଳିଛି । ସେ ନାଗରିକଙ୍କ ମଧ୍ୟରେ ଦେଶ ଭକ୍ତିର ଭାବନା ଜାଗ୍ରତ କରିବାରେ ଲାଗିଛନ୍ତି । ନିଜର ଭାଷଣ ମାଧ୍ୟମରେ ସେ ଲୋକଙ୍କୁ ବାନ୍ଧିରଖିଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ତାଙ୍କୁ ପ୍ରସଂଶାର ସୁଅ ଛୁଟିଛି । ନିକଟରେ ସେ ଏମିତି କିଛି କହି  ଚର୍ଚ୍ଚାରେ ଆସିଛନ୍ତି ।

ସୂଚନା ଅନୁସାରେ, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଋଷ ଆକ୍ରମଣରେ ଆହତ ହୋଇଥିବା ସୈନିକଙ୍କ ସହ ଭେଟିବାକୁ କିଭର ଏକ ହସ୍ପିଟାଲରେ ପହଞ୍ଚିଥିଲେ । ଯେଉଁଠାରେ ଯୁଦ୍ଧରେ ଜୀବନ ହାରି ଥିବା ସୈନିକଙ୍କୁ ‘ୟୁକ୍ରେନର ନାୟକ’ ବୋଲି ଘୋଷଣା କରିଥିଲେ । ୟୁକ୍ରେନର ମନ୍ତ୍ରାଣଳୟ ଜେନେଲସ୍କିଙ୍କ ହସ୍ପିଟାଲ ଗସ୍ତର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହି ସମୟରେ ସେ ସୈନ୍ୟମାନଙ୍କ ମନୋବଳ ଦୃଢ କରିଥିଲେ । ସେ କହିଥିଲେ ଯେ, ସମସ୍ତେ ଖୁବ ଶୀଘ୍ର ସୁସ୍ଥ ହୋଇଯାଅ, ମୁଁ ମାନୁଛି ଯେ ତୁମେମାନେ ଯାହା କରିଛ ତାହା ପାଇଁ ସବୁଠୁ ଭଲ ଉପହାର ହେଉଛି ଆମର ବିଜୟ । ଯଦିଓ ଏହି ହସ୍ପିଟାଲ କିଭର କେଉଁ ସ୍ଥାନର ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ତେବେ ଜେଲେନସ୍କିଙ୍କ ଏହି ପଦକ୍ଷେପ ପରେ ସୋସିଆଲ ମିଡ଼ିଆରେ ତାଙ୍କୁ ନେଇ ପ୍ରସଂଶାର ସୁଅ ଛୁଟିଛି । ଏହି ପୋଷ୍ଟରେ ଜଣେ ଆମେରିକୀୟ କମେଟ କରି ଲେଖିଛନ୍ତି ଯେ, ଯଦି ଆମ ପାଖରେ ତୁମ ଭଳି ରାଷ୍ଟ୍ରପତି ଥାନ୍ତେ ତ ବହୁତ ଭଲ ହୋଇଥାନ୍ତା । ଅନ୍ୟପଟେ ଋଷ ୟୁକ୍ରେନ ଯୁଦ୍ଧ ୧୯ ଦିନରେ ପହଞ୍ଚିଛି । ଯେଉଁଠି ଋଷର ସୈନ୍ୟ  ୟୁକ୍ରେନ ଠାରୁ ଅଧିକ ହୋଇଥିବା ବେଳେ ଋଷ ଉପରେ ଭାରି ପଡ଼ିଛନ୍ତି ।ତେବେ ବର୍ତ୍ତମାନ ସୁଧା ୟୁକ୍ରେନ ୧୩ଶହ ସୈନିକ ଏହି ଯୁଦ୍ଧରେ ପ୍ରାଣ ହରାଇଥିବା ନିଜେ ଜେଲେନସ୍କି କହିଛନ୍ତି ।

କ୍ୟାପଟେନ୍ ଅମରିନ୍ଦର ସିଂହଙ୍କୁ ସମର୍ଥନ କରିବା ଭୁଲ ଥିଲା ବୋଲି କହିଲେ ସୋନିଆ

ନୂଆଦିଲ୍ଲୀ: ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପରେ ମାନସ ମନ୍ଥନ କରିଛି କଂଗ୍ରେସ । ଗତକାଲି ଅନୁଷ୍ଠିତ କଂଗ୍ରେସ ଓ୍ୱାର୍କିଂ କମିଟି ମିଟିଂରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କ୍ୟାପଟେନ ଅମରିନ୍ଦର ସିଂହଙ୍କୁ ସମର୍ଥନ କରି ଭୁଲ କରିଥିବା କହିଛନ୍ତି ସୋନିଆ । ଏହା ସହିତ ସେ ଆହୁରି କହିଛନ୍ତି ଯେ, କିଛି ଲୋକେ ଭାବୁଛନ୍ତି ଗାନ୍ଧୀ ପରିବାର ଲାଗି କଂଗ୍ରେସ ଦୁର୍ବଳ ହେଉଛି । ଯଦି ଏଭଳି କଥା, ତେବେ ଆମେ ଯେକୌଣସି ପ୍ରକାରର ତ୍ୟାଗ କରିବାକୁ ପ୍ରସ୍ତୁତ । ଅମରିନ୍ଦର ସିଂହ ଠିକ୍ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ବିଜେପି ସହ ମିଶି ନୂଆ ଦଳ ଗଠନ କରିଥିଲେ । ତେବେ ଦଳ ସଦ୍ୟ ସମାପ୍ତ ନିର୍ବାଚନରେ ବେଶ କିଛି ଭଲ ପ୍ରଦର୍ଶନ କରିପାରିନଥିଲା ।

ନିକଟରେ ୫ଟି ରାଜ୍ୟରେ ବିଧାନସଭା ନର୍ବାଚନ ପରିଣାମ ଆସିଥିବା ବେଳେ ଏଥିରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେଭଳି ପଞ୍ଜାବରେ କଂଗ୍ରେସ କ୍ଷମତା ହରାଇଛି। ଗୋଆରେ ମଧ୍ୟ ଗତ ଥରର ରେକର୍ଡ ଦୋହରାଇ ପାରିନି ଦଳ।  ଉତ୍ତରାଖଣ୍ଡ  ଓ ଉତ୍ତର ପ୍ରଦେଶରେ ଖୁବ୍ ଚିନ୍ତାଜନକ ପ୍ରଦର୍ଶନ ରହିଛି। ଏହାପରେ ପାର୍ଟିରେ ମନ୍ଥନ କରିବା ପାଇଁ ଗତ କାଲି ଅର୍ଥାତ ରବିବାର କଂଗ୍ରେସର ଓ୍ୱର୍କିଂ କମିଟି ମିଟିଂ (ସିଡବ୍ଲୁସି) କରିଥିଲା।  ୫ ଘଣ୍ଟା ପର୍ଯ୍ୟନ୍ତ ଏହି ବୈଠକରେ ଦଳର ବରିଷ୍ଠ ନେତାମାନେ ମନ୍ଥନ କରିଥିଲେ। ବୈଠକରେ ଧାର୍ଯ୍ୟ ହୋଇଥିଲା ଯେ, ଦଳ ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ହିଁ ଆଗକୁ ବଢ଼ିବ ।

ଏହି ବୈଠକରେ ରାହୁଲ କହିଥିଲେ, ଏହା ସ୍ପଷ୍ଟ ହେବା ଦରକାର ଯେ, ଆମର ଉଦେଶ୍ୟ କ’ଣ ଓ ଆମେ ଲୋକଙ୍କ ପର୍ଯ୍ୟନ୍ତ କିପରି ପହଁଞ୍ଚିବୁ। ଆମକୁ ଅଲଗା ଅଲଗା ରାଜ୍ୟ ପାଇଁ ଅଲଗା ରଣନୀତି ତିଆରି କରିବାକୁ ହେବ। ବିଜେପି ନିଜର ସ୍ୱାର୍ଥ ପାଇଁ ନିର୍ବାଚନ ଲଢୁଛି । ଆମେ ପାରମ୍ପାରିକ ଶୈଳୀରେ ନିର୍ବାଚନ ଲଢୁଛୁ। ସେଥିପାଇଁ ଆମକୁ ପ୍ରାର୍ଥୀ/ବ୍ୟକ୍ତି ରୂପରେ ନୁହେଁ, ଗୋଟିଏ ଦଳ ହୋଇ ଲଢ଼ିବା ଦରକାର ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା ।

ଏଥିସହିତ ପଢ଼ନ୍ତୁ: ଇପିଏଫ ହିତାଧିକାରୀଙ୍କୁ ଝଟକା: ସୁଧ ହାର ହ୍ରାସ ପରେ ଏବେ କେତେ ଟଙ୍କା ଆସିବ ?

ଇପିଏଫ ହିତାଧିକାରୀଙ୍କୁ ଝଟକା: ସୁଧ ହାର ହ୍ରାସ ପରେ ଏବେ କେତେ ଟଙ୍କା ଆସିବ ?

ନୂଆଦିଲ୍ଲୀ: ହୋଲି ପୂର୍ବରୁ ଦେଶର ପ୍ରାୟ ୬ କୋଟିରୁ ଅଧିକ ସଦସ୍ୟଙ୍କୁ କର୍ମଚାରୀ ଭବିଷ୍ୟନିଧୀ ପାଣ୍ଠି ସଂଗଠନ (ଇପିଏଫ୍‌ଓ) ଏକ ବଡ଼ ଝଟ୍‌କା ଦେଇଛି । ଇପିଏଫ୍‌ ସୁଧ ହାର ୮.୫ ପ୍ରତିଶତରୁ ୮.୧ ପ୍ରତିଶତକୁ  ହ୍ରାସ ଘଟିଛି । ଯାହାକି ବିଗତ ୪୪ ବର୍ଷରେ ସର୍ବନିମ୍ନ। ଇପିଏଫ୍‌ରେ ଆପଣ ପୂର୍ବରୁ ପାଉଥିବା ସୁଧ ୦.୪୦ ପ୍ରତିଶତ ହ୍ରାସ ପାଇଛି। ଶେଷଥର ପାଇଁ ୧୯୭୭-୭୮ରେ ଇପିଏଫ୍‌ ସୁଧ ହାର ୮ ପ୍ରତିଶତ ରହିଥିଲା । ପରେ ଏହା ୮.୨୫ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଥିଲା ।

ଧରାଯାଉ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଆପଣଙ୍କର ପିଏଫ୍‌ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା ରହିଛି। ୮.୫ ପ୍ରତିଶତ ହାରରେ ଆପଣ ୪୨ ହଜାର ୫୦୦ ଟଙ୍କା ସୁଧ ପାଇଥାନ୍ତେ । ହେଲେ ସୁଧହାର ହ୍ରାସ ହେବା ଦ୍ବାରା ସେହି ସମୟରେ ୮.୧ ପ୍ରତିଶତ ହାରରେ ଆପଣ ୪୦ ହଜାର ୫୦୦ ଟଙ୍କାର ସୁଧ ପାଇବେ। ଅର୍ଥାତ ସୁଧ ହାର ହ୍ରାସ ଯୋଗୁଁ ଆପଣ ସିଧାସଳଖ ୨ ହଜାର ଟଙ୍କା କ୍ଷତି ସହିବେ । ଏମିତିକି ଆଗାମୀ ଦିନରେ ଯଦି ସୁଧ ହାର ଆହୁରି ହ୍ରାସ କରାଯାଏ ତେବେ ଆପଣଙ୍କୁ ଅଧିକ କ୍ଷତି ସହିବାକୁ ପଡିବ।

ସୂଚନାଯୋଗ୍ୟ, ଜଣେ କର୍ମଚାରୀଙ୍କ ବେତନ ଉପରେ ୧୨ ପ୍ରତିଶତ ଇପିଏଫ୍‌ ଆକାଉଣ୍ଟକୁ ଯୋଗଦାନ ବାବଦ ଅର୍ଥ କଟାଯାଇଥାଏ । ଯଦି ଆମେ ନିଯୁକ୍ତିଦାତାଙ୍କ ବିଷୟରେ କହିବା ତେବେ ତାଙ୍କ ଆକାଉଣ୍ଟକୁ ୮.୩୩ ପ୍ରତିଶତ ଅର୍ଥ ଇପିଏସ୍ (କର୍ମଚାରୀ ପେନ୍‌ସନ୍ ସ୍କିମ୍)କୁ ଯୋଗଦାନ ବାବଦ ଯାଇଥାଏ । ଅବଶିଷ୍ଟ ୩.୬୭ ପ୍ରତିଶତ ଅର୍ଥ ଇପିଏଫ୍‌କୁ ଯାଇଥାଏ । ଏକାସାଙ୍ଗରେ କର୍ମଚାରୀଙ୍କ ଦ୍ବାରା କଟାଯାଇଥିବା ୧୨ ପ୍ରତିଶତ ଇପିଏଫ୍‌କୁ ଯାଏ। ଯଦି ଆମେ ନୂତନ ବେତନ ନିୟମକୁ ଦେଖିବା, ତେବେ ମୋଟ ଦରମାର ଅଧା ହେଉଛି ମୂଳ ଦରମା ୨୫ ହଜାର ।

ଦରମା ଓ ଏହା ଉପରେ ସୁଧ ଉପରେ କଟାଯାଇଥିବା ପିଏଫ୍‌ର ହିସାବ

କର୍ମଚାରୀଙ୍କ ଯୋଗଦାନ ୧୨ ପ୍ରତିଶତ । ଅର୍ଥାତ ଇପିଏଫ୍‌ ୩୦୦୦ ଟଙ୍କା । କମ୍ପାନୀ ଦ୍ବାରା ଇପିଏଫ୍‌ର ଯୋଗଦାନ ୩.୬୭ ପ୍ରତିଶତ, ଅର୍ଥାତ ୯୧୮ ଟଙ୍କା । କମ୍ପାନୀ ତରଫରୁ ଇପିଏସ୍ (୮.୩୩ ପ୍ରତିଶତ)ରେ ଯୋଗଦାନ ୨୦୮୨ ଟଙ୍କା ।

ଯଦି ଆପଣଙ୍କର ମୂଳ ଦରମା ୨୫ ହଜାର ଟଙ୍କା, ତେବେ ଇପିଏଫ୍‌ରେ ଉଭୟ କମ୍ପାନୀ ଏବଂ କର୍ମଚାରୀଙ୍କ ମୋଟ ଯୋଗଦାନ ବାବଦ ଅର୍ଥ ପ୍ରାୟ ୩ ହଜାର ୯୧୮ ଟଙ୍କା ହେବ । ଏହି ସମୟରେ, ଆପଣ ପ୍ରତି ମାସରେ ଇପିଏସ୍‌ ଆକାଉଣ୍ଟରେ ୨୦୮୨ ଟଙ୍କା ପାଇବେ । ପୂର୍ବରୁ ହିସାବକୁ ଦେଖିଲେ ବାର୍ଷିକ ୮.୫ ପ୍ରତିଶତ ହାରରେ ଆପଣ ୩ ହଜାର ୯୧୮ ଟଙ୍କାର ସୁଧ ପାଉଥିଲେ । ପ୍ରତିବର୍ଷ ଆପଣଙ୍କୁ ୮.୫ ପ୍ରତିଶତ ସମୂଳ ସୁଧ ହାରରେ ୧୮୭୫.୬୧ ଟଙ୍କା ସୁଧ ମିଳୁଥିଲା । ବର୍ତ୍ତମାନ ସୁଧ ହାର ୮.୧ ପ୍ରତିଶତକୁ ହ୍ରାସ ହେବା ପରେ ଆପଣ ପ୍ରତି ମାସରେ ୩୧୭.୩୫ ଟଙ୍କା ସୁଧ ପାଇବେ। ଏହିପରି ୮.୧ ପ୍ରତିଶତ ସମୂଳ ସୁଧ ହାରରେ, ଆପଣ ବାର୍ଷିକ ୧୭୮୫.୩୫ ଟଙ୍କା ସୁଧ ପାଇବେ ।

ଅଧା ରହିଗଲା ଚଉଠି ରାତି: ବରକୁ ଉଠାଇ ନେଲା ପୋଲିସ

ଭୁବନେଶ୍ବର: ବାହା ଘର ସରିଥିଲା । ଗତକାଲି ଥିଲା ଚଉଠି । ମାତ୍ର ତା’ ପୂର୍ବରୁ ବରକୁ ଉଠାଇ ନେଲା ପୋଲିସ । ହାଜତରେ ରାତି କଟିଲେ ବର । ଏମିତି ଏକ ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠରେ ଥିବା ଭରତପୁର ଅଂଚଳରେ ଘଟିଛି । ଗିରଫ ହୋଇଥିବା ବରଙ୍କ ନାଁ ସୋମନାଥ ମହାପାତ୍ର ଓରଫ ସୁକୁଟା । ପୋଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟଚାଲାଣ କରିଛି ।

ଅଭିଯୋଗ ଅନୁସାରେ ସୁକୁଟା ଭରତପୁର ବସ୍ତିରେ ଭଡାସୂତ୍ରରେ ରହୁଥିଲେ ଓ ଏକ ଚିକେନ ପକୋଡା ଦୋକାନ କରିଥିଲେ । ସେ ୫ ବର୍ଷ ତଳେ କେନ୍ଦ୍ରାପଡାର ଜଣକୁ ବିବାହ କରିଥିଲେ । ସେମାନଙ୍କର କୌଣସି ସନ୍ତାନ ନଥିବାରୁ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା । କାହାକୁ କିଛି ନକହି ପତ୍ନୀଙ୍କୁ ଛାଡି଼ ସୁକୁଟା କୁଆଡେ ପଳାଇଥିଲେ ।  ଦୁଇ ମାସ ପରେ ଜଣେ ମହିଳାଙ୍କ ସହ ହଠାତ ଭରତପୁରରେ ପହଞ୍ଚିଲେ । ହେଲେ ସେ ପ୍ରଥମ ପତ୍ନୀଙ୍କ ପାଖକୁ ନଯାଇ ଆଉ ଏକ ଘର ଭଡାରେ ନେଇ ସେ ମହିଳାଙ୍କ ସହ ରହିଥିଲେ ଓ ତାଙ୍କୁ ମନ୍ଦିରରେ ବିବାହ କରିଥିବା ପଡୋଶୀଙ୍କୁ କହି ବୁଲୁଥିଲେ । ଏହାସହ ବସ୍ତିରେ ରୀତି ଅନୁସାରେ ଆଉ ଥରେ ବାହାଘର ଆୟୋଜନ କରିଥିଲେ ।  ଭୋଜିଭାତ ହେବା ସହ ବନ୍ଧୁ ପରିଜନଙ୍କ ମଧ୍ୟରେ ବାହାଘର ମଧ୍ୟ ସରିଲା । ତେବେ ସ୍ବାମୀଙ୍କ ଦ୍ବିତୀୟ ବିବାହକୁ ନେଇ ପ୍ରଥମ ପତ୍ନୀ ଭରତପୁର ଥାନାରେ ପହଞ୍ଚି ଯାଇଥିଲେ । ପତି ସୁକୁଟାଙ୍କ ନାଁରେ ଏକ ଲମ୍ବା ଅଭିଯୋଗ ତାଲିକା ଥାନା ବାବୁଙ୍କୁ ଧରାଇ ଦେଇଥିଲେ । ଏହାସହ ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁ ଭଳି ସୁକୁଟା ବିବାହ କରୁଥିବା ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ପୋଲିସ ଟିମ୍ ବସ୍ତିରେ ପହଞ୍ଚି ସୁକୁଟା ଘରେ ପହଞ୍ଚି ଚଉଠି ରାତି ପୂର୍ବରୁ ଥାନାକୁ ଉଠାଇ ଆଣିଥିଲେ । ତେବେ ସୁକୁଟା କେବଳ ଜଣକୁ ନା ଏମିତି ଆଉ କାହାକୁ ପ୍ରତାରଣା ଦେଇଛି ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

୧୨ବର୍ଷରୁ ଅଧିକ ବୟସର ପିଲାମାନଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଆସିଲା ଖୁସି ଖବର । ୧୬ ମାର୍ଚ୍ଚରୁ ୧୨-୧୪ବର୍ଷର ପିଲାମାନଙ୍କୁ ଦିଆଯିବ ଟିକା । କେନ୍ଦ୍ରିୟ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏନେଇ ସୂଚନା ଦେଇଛନ୍ତି । ଏହାସହ ୬୦ବର୍ଷ ଉପରେ ଥିବା ସମସ୍ତ ନାଗରୀକଙ୍କୁ ଏବେ ବୁଷ୍ଟର ଡୋଜ୍ ଦିଆଯାଇପାରିବ । ଏବେ ପର୍ଯ୍ୟନ୍ତ ଭାରତରେ ସ୍ୱାସ୍ଥ୍ୟ କର୍ମୀ, ଆଗ ଧାଡ଼ିର କର୍ମକର୍ତ୍ତା ଏବଂ ୬୦ବର୍ଷରୁ ଅଧିକ ଯେଉଁମାନେ କିଛି ନା କିଛି ରୋଗରେ ପୀଡ଼ିତ ସେମାନଙ୍କୁ ବୁଷ୍ଟର ଡୋଜ ଦିଆଯାଉଥିଲା ।

କେନ୍ଦ୍ର ମନ୍ତ୍ରୀ ମନମୁଖ ମାଣ୍ଡଭୀୟ ଟ୍ୱିଟ କରି ଏନେଇ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ, ପିଲାମାନେ ସୁରକ୍ଷିତ ରହିଲେ ଦେଶ ସୁରକ୍ଷିତ ରହିବ । ସେ ଆଗକୁ ମଧ୍ୟ ଲେଖିଛନ୍ତି ଯେ, ୧୬ମାର୍ଚ୍ଚରୁ ୧୨ରୁ ୧୪ ବର୍ଷ ପିଲାମାନଙ୍କଠାରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏହାସହ ୬୦ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବେ ବୁଷ୍ଟର ଡୋଜ ନେବାକୁ ସକ୍ଷମ । ସେ ପିଲାଙ୍କୁ ଏବଂ ବରିଷ୍ଠ ନାଗରିକଙ୍କୁ ଟିକା ନେବାକୁ ଅନୁରୋଧ କରିଛନ୍ତି ।

Covid Cases Surge In China, Lockdown In Changchun

ଅନ୍ୟପଟେ, ଚୀନରେ ପୁଣି ଥରେ ବିଗୁଡ଼ୁଛି କରୋନା ସ୍ଥିତି । ଦୁଇ ବର୍ଷ ପରେ ପୁଣି ଥରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ ମାମଲା । ଦୈନିକ ସଂକ୍ରମଣ ମାମଲା ବଢୁଥିବାରୁ ବିଭିନ୍ନ ଅଞ୍ଚଳକୁ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଥିବା ବେଳେ କେତେକ ଅଞ୍ଚଳରେ ଆଂଶିକ କଟକଣା ଲଗାଯାଇଛି । ଗତ ଦୁଇ ବର୍ଷ ପରେ ଚୀନରେ ମାମଲା ବଢୁଥିବା ବେଳେ ଅଧିକାଂଶ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ।

ତେବେ ସଂକ୍ରମଣ ରୋକିବାକୁ ସେନଝେନ, ଜିଲିନ ସହର ଓ ୟନଜିମରେ କଡା କଟକଣା ଲଗାଯାଇଛି । ଲୋକମାନଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ମେଟ୍ରୋ, ବସ୍‌ ସେବା ଆଦି ବନ୍ଦ କରିଦିଆଯାଇଛି । ସେହିପରି ଚାଙ୍ଗଚୁନ ଇଣ୍ଡଷ୍ଟ୍ରିଆଲ ଏରିଆରେ ମଧ୍ୟ କଟକଣା କଡ଼ାକଡ଼ି କରାଯାଇଛି । ଚୀନରେ ପାଖାପାଖି ୨କୋଟି ଲୋକ ଲକଡାଉନ କଟକଣାରେ ରହିଛନ୍ତି ।

ଋଷ-ୟୁକ୍ରେନ ଯୁଦ୍ଧ ପ୍ରଭାବ: ବିଶ୍ବରେ ଘନେଇବ ଖାଦ୍ୟ ସଙ୍କଟ

ନୂଆଦିଲ୍ଲୀ: ଥମିବାର ନାଁ ଧରୁନି ରୁଷ-ୟୁକ୍ରେନ ଯୁଦ୍ଧ। ଯୁଦ୍ଧର ପ୍ରଭାବରେ ବର୍ତ୍ତମାନ ବିଶ୍ବରେ ଏକ ବଡ଼ ଧରଣର ଖାଦ୍ୟ ସଂକଟ ମୁଣ୍ଡ ଟେକୁଛି। ଏ ନେଇ ମିଳିତ ଜାତିସଂଘର ଚେତାବନୀ ଦେଇଛି। ଏସିଆ, ମଧ୍ୟପ୍ରାଚ୍ୟ ଓ ଉତ୍ତର ଆଫ୍ରିକାରେ ଥିବା ଗରିବ ରାଷ୍ଟ୍ରଗୁଡ଼ିକ ଉପରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ ବୋଲି  ରୋମ୍‌ ଭିତ୍ତିକ ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍‌ଏଓ) କହିଛି। ଉତ୍ତର ଆଫ୍ରିକା, ଏସିଆ ଓ ମଧ୍ୟପ୍ରାଚ୍ୟର ଗରିବ ରାଷ୍ଟ୍ରଗୁଡିକ ଅଧିକ ମାତ୍ରାରେ ଗହମ ଆମଦାନୀ କରୁଥିବାରୁ ସେଠାରେ ସମସ୍ୟା ଦେଖାଦେବା ଆଶଙ୍କା କରାଯାଉଛି। ଏହି ଦେଶଗୁଡ଼ିକ ଋଷ ଓ ୟୁକ୍ରେନରୁ ଅଧକ ପରିମାଣରେ ଗହମ ଆମଦାନୀ କରିଥାନ୍ତି । ଯୁଦ୍ଧ ଯୋଗୁଁ ଆମଦାନୀ ବ୍ୟାହତ ହେବ ଓ ଏହି ରାଷ୍ଟ୍ରଗୁଡ଼ିକ ଉତ୍କଟ ଖାଦ୍ୟ ସଂକଟ ଆଡକୁ ଗତି କରିବେ ବୋଲି ଜାତିସଂଘ ଚେତାଇ ଦେଇଛି ।

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା କେବେ ସମାପ୍ତ ହେବ ତାହା କାହାକୁ ଜଣାନାହିଁ । ଉଭୟ ଦେଶରେ କୃଷିକାର୍ଯ୍ୟ ଓ ଖାଦ୍ୟ ଶସ୍ୟ ରପ୍ତାନୀ ବନ୍ଦ ହୋଇଯାଇଥିବାରୁ ସମଗ୍ର ବିଶ୍ବରେ ଖାଦ୍ୟ ନିରାପତ୍ତାକୁ ଶକ୍ତ ଧକ୍କା ଲାଗିବାକୁ ଯାଉଥିବା ଏଫ୍‌ଏଓ ମହାନିର୍ଦ୍ଦେଶକ କ୍ୟୁ ଡୋଙ୍ଗ୍ୟୁ ପ୍ରକାଶ କରିଛନ୍ତି ।

ଭାରତ ପାଇଁ ବଡ ସୁଯୋଗ

ବିଶ୍ବର ମୋଟ ଖାଦ୍ୟ ଶସ୍ୟ ରପ୍ତାନୀ କ୍ଷେତ୍ରକୁ ଯୁଦ୍ଧରେ ବ୍ୟସ୍ତ ୟୁକ୍ରେନ ଓ ଋଷର ଯୋଗଦାନ ଏକ ତୃତୀୟାଂଶ । ଏଭଳି ସ୍ଥିତିରେ ଆର୍ଥିକ କଟକଣା ବିଶ୍ବ ଯୋଗାଣ ଶୃଙ୍ଖଳାରେ ବଡ ଆହ୍ବାନ ହୋଇ ଛିଡ଼ା ହୋଇଛି। ତେବେ ଗହମ ପାଇଁ ଋଷ ଓ ୟୁକ୍ରେନ ଉପରେ ନିର୍ଭର କରିଆସିଥିବା ରାଷ୍ଟ୍ରଗୁଡ଼ିକ ଭାରତକୁ ବିକଳ୍ପ ଭାବେ ନେଇପାରନ୍ତି। ଯୁଦ୍ଧ ଯୋଗୁଁ ଗହମ ତଥା ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ବଜାରରେ ଦେଖା ଦେଇଥିବା ଶୂନ୍ୟସ୍ଥାନକୁ ଭାରତ ପୂରଣ କରିପାରେ। ଏଭଳି ସ୍ଥିତିରେ ଭାରତ ନୂଆ ନୂଆ ବଜାରକୁ ଗହମ ରପ୍ତାନୀ କରି ଋଷ ଓ ୟୁକ୍ରେନର ବିକଳ୍ପ ପାଲଟିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।  ଅନ୍ୟପକ୍ଷରେ ଯୁଦ୍ଧ ପରଠାରୁ ଭାରତର ଗହମ ରପ୍ତାନୀ ବଡ଼ ମାତ୍ରାରେ ବୃଦ୍ଧି ପାଇଥିବା ଜଣାପଡିଛି । ଏଫ୍‌ଏଓ ପ୍ରକାଶ କରିଛି ଯେ, ଋଷ ଏକ ଅଗ୍ରଣୀ ସାର ଉତ୍ପାଦନକାରୀ । ୟୁରିଆ ଉତ୍ପାଦନ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଗତ ୧୨ ମାସରେ ୟୁରିଆ ଦରରେ ୩ ଗୁଣାରୁ ଅଧିକ ବୃଦ୍ଧି ଘଟିଥିବାବେଳେ ଯୁଦ୍ଧ ସ୍ଥିତି ଏହାକୁ ଆଡୁରି ଖଣାପ କରିଦେଇଛି । ଏଫ୍‌ଏଓ ମହାନିର୍ଦ୍ଦେଶକ ଆହୁରି କହିଛନ୍ତି ଯେ, ‘ଜୁନ୍‌ରେ ୟୁକ୍ରେନର ଚାଷୀମାନେ ଗହମ ଅମଳ କରିପାରିବେ କି ନାହିଁ ତାହା ସନ୍ଦେହରେ ରହିଛି। କାରଣ ଯୁଦ୍ଧ ଯୋଗୁଁ ଜୀବନ ବଞ୍ଚାଇବା ପାଇଁ ଅନେକ ଲୋକେ ସେଠାରେ ଦେଶ ଛାଡ଼ି ପଳାୟନ କରିଛନ୍ତି। ଏଭଳି କ୍ଷେତ୍ରରେ ଅମଳ ପାଇଁ କୃଷି ଶ୍ରମିକ ମିଳିବା କଷ୍ଟକର ହେବ । ଯଦି ଅମଳ ହେବ ଏହାକୁ ରପ୍ତାନୀ କରାଯାଇପାରିବ ନାହିଁ । କାରଣ କୃଷ୍ଣ ସାଗର ବା ବ୍ଲାକ୍‌ ସି’ ଉପରେ ଥିବା ୟୁକ୍ରେନର ବନ୍ଦରଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏହାସହ ୟୁକ୍ରେନ ସରକାର ନିଜ ନାଗରିକଙ୍କ ପାଇଁ ଖାଦ୍ୟଶସ୍ୟ ସୁନିଶ୍ଚିତ କରିବା ତଥା ବଜାରରେ ସ୍ଥିରତା ରଖିବା ନିମନ୍ତେ ଦେଶରୁ ଗହମ, ବାଜରା, ମାଣ୍ଡିଆ ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି।

ସୂଚନାଯୋଗ୍ୟ, ମକା ଓ ସୂର୍ଯ୍ୟମୁଖୀ ଯୋଗାଣରେ ୟୁକ୍ରେନ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବିଶ୍ବରେ ମୋଟ ସୂର୍ଯ୍ୟମୁଖୀ ତେଲ ରପ୍ତାନୀରେ ୟୁକ୍ରେନ ଏବଂ ଋଷର ମିଳିତ ଯୋଗଦାନ ୫୨ ପ୍ରତିଶତ ରହିଛି। ଖାଦ୍ୟ ଶସ୍ୟ ରପ୍ତାନୀରେ ଉଭୟ ଦେଶର ଯୋଗଦାନ ୧୯ ପ୍ରତିଶତ ରହିଛି । ଗହମ ରପ୍ତାନୀରେ ୧୪ ପ୍ରତିଶତ ଓ ମକା ରପ୍ତାନୀ ୪ ପ୍ରତିଶତ ରହିଛି । ଏହା ସ୍ପଷ୍ଟ ନାହିଁ ଯେ, ରପ୍ତାନୀକାରୀମାନେ ବିଶ୍ବ ଖାଦ୍ୟଶସ୍ୟ ବଜାରରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିପାରିବେ କି ନାହିଁ। କାରଣ କାନାଡାର ଗହମ ଭଣ୍ଡାରଗୁଡ଼ିକରେ ଷ୍ଟକ୍‌ ଏବେ ଶେଷ ପର୍ଯ୍ୟାୟରେ ରହିଛି। ଏଭଳି ସ୍ଥିତିରେ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାକୁ ଯାଉଛି ବୋଲି ଏଫ୍‌ଏଓ ମହାନିର୍ଦ୍ଦେଶକ ଆଶଙ୍କା ପ୍ରକାଶ କରିଛନ୍ତି ।

ଏସିଆ, ଆଫ୍ରିକା, ମଧ୍ୟପ୍ରାଚ୍ୟର ଗରିବ ରାଷ୍ଟ୍ରଙ୍କ ପାଇଁ ବଢିବ ସମସ୍ୟା

ଆମେରିକା, ଆର୍ଜେଣ୍ଟିନା ଏବଂ ଅନ୍ୟ ଗହମ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ରପ୍ତାନୀକୁ ସଙ୍କୁଚିତ କରିବେ । କାରଣ ଘରୋଇ ଚାହିଦା ପୂରଣ ଉପରେ ସେମାନେ ଧ୍ୟାନ ଦେବେ। ଋଷ ଏବଂ ୟୁକ୍ରେନ ଉପରେ ଗହମ ପାଇଁ ନିର୍ଭରଶୀଳ ରାଷ୍ଟ୍ରଗୁଡ଼ିକ ଆମଦାନୀ ସ୍ତର ବଢ଼ାଇବାକୁ ବାଧ୍ୟ ହେବେ ବୋଲି ଏଫ୍‌ଏଓ ପକ୍ଷରୁ ପ୍ରକାଶ ପାଇଛି। ଇଜିପ୍ଟ, ତୁର୍କୀ, ବାଂଲାଦେଶ, ଇରାନ ପରି ଦେଶ ଋଷ ଓ ୟୁକ୍ରେନରୁ ୬୦ ପ୍ରତିଶତ ଗହମ ଆଣିଥାନ୍ତି । ଲେବାନନ୍‌, ଟ୍ୟୁନିସିଆ, ୟେମେନ୍‌, ଲିବ୍ୟା, ପାକିସ୍ତାନ ମଧ୍ୟ ଗହମ ପାଇଁ ଋଷ ଓ ୟୁକ୍ରେନ ଉପରେ ନିର୍ଭରଶୀଳ । ଯୋଗାଣ ଶୃଙ୍ଖଳା ଏବଂ ଲଜିଷ୍ଟିକ୍‌ ସମସ୍ୟା ବିଶ୍ବରେ ଖାଦ୍ୟ ନିରାପତ୍ତା ପ୍ରତି ବାଧା ସୃଷ୍ଟି କରିବ ବୋଲି ଏଫ୍‌ଏଓ ପ୍ରକାଶ କରିଛି । ତେବେ ଏସବୁ ରାଷ୍ଟ୍ରଗୁଡ଼ିକୁ ଭାରତ ନିଜ ଆଡ଼କୁ ଟାଣି ପାରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।

ପଂଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର: ପଂଚାୟତ ନିର୍ବାଚନରେ ଐତିହାସିକ ବିଜୟ ପରେ ବିଜେଡ଼ିର ସାମ୍ବାଦିକ ସମ୍ମିଳନୀ । ମହିଳା ସଶକ୍ତିକରଣରେ ବିଜେଡ଼ିର ରହିଛି ପ୍ରମୁଖ ଭୁମିକା । ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି । ସାମ୍ବାଦିକ ସମ୍ମିଳନୀରେ ପଂଚାୟତ ନିର୍ବାଚନରେ ଐତିହାସିକ ବିଜୟ ନେଇ କହିଲେ ବିଜେଡ଼ି ମୁଖପାତ୍ରା ସୁଲତା ଦେଓ ।

ପଂଚାୟତ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ବିଜେଡି । ବିକାଶରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ । ୩୦ଟି ଜିଲ୍ଲା ପରିଷଦ ଆଗରୁ କୌଣସି ଦଳ ପାଇନଥିଲା । ବିଜେଡି ଭାରତ ବର୍ଷରେ ଏପରି ଏକ ଉଦାହରଣ ସୃଷ୍ଟି କରିଛି । ଜାତୀୟ ସ୍ତରରେ ଗୋଟିଏ ଆଞ୍ଚଳିକ ଦଳକୁ ନେଇ ଚର୍ଚ୍ଚା ଲାଗିଛି । ରାଜ୍ୟରେ ୮୦ ପ୍ରତିଶତ ନିର୍ବାଚିତ ପ୍ରତିନିଧି ବିଜେଡି ପାଇଛି । ଏଥିରେ ମହିଳା, ଯୁବକ, ଶିକ୍ଷିତ ବର୍ଗର ଲୋକେ ରହିଛନ୍ତି । ଆଉ ୩୦ ଜିଲ୍ଲା ପରିଷଦ ଆସନରୁ ୨୧ଟି ଆସନ ମହିଳାଙ୍କୁ  ମିଳିଛି । ଯାହା କି ୭୦ ପ୍ରତିଶତ । ପଞ୍ଚାୟତ ନିର୍ବାଚନରେ ମହିଳା ମାନଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ପାଇଁ ବ୍ୟବସ୍ଥା ଥିବା ବେଳେ ବିଜେଡି ୭୦ ପ୍ରତିଶତ ଦେଇଛି । ଯାହା ଆଜି ଏକ ଇତିହାସ ସୃଷ୍ଟି କରିଛି । ୧୮ ଟି ଅଣ ସଂରକ୍ଷିତ ଆସନ ମଧ୍ୟରୁ ୧୨ଟି ଆସନ ଆମେ ପଛୁଆ ବର୍ଗ ର ଲୋକମାନଙ୍କ ପାଇଁ ରଖିଛୁ । ଯାହା ୬୮ ପ୍ରତିଶତ । ମହିଳା ସଶକ୍ତିକରଣର ପ୍ରମୁଖ ଉଦାହରଣ ।  ଏଥିରୁ ଜଣାପଡୁଛି ମହିଳା ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ କିଭଳି ପ୍ରତିବଦ୍ଧତା ରହିଛି । ଏକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ମୁଖପାତ୍ରା ସୁଲତା ଦେଓ ।

ଅନୈତିକ ସମ୍ପର୍କରେ ବାଧା ଦେବାରୁ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ମୁମ୍ବାଇ: ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା । ଅନୈତିକ ସମ୍ପର୍କରେ ସ୍ୱାମୀ ବାଧା ଦେଉଥିବାରୁ ସ୍ତ୍ରୀ କଲା ଷଡ଼ଯନ୍ତ୍ର । ପ୍ରେମିକ ସହ ମିଶି ସ୍ୱାମୀକୁ ନଦୀକୁ ଠେଲି ଦେଲା ସ୍ତ୍ରୀ । ଘଟଣାଟି ହେଉଛି ମହାରାଷ୍ଟ୍ରର ଚନ୍ଦ୍ରପୁରର, ଯେଉଁଠି ମହିଳା ଜଣଙ୍କ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଥିବା ଜଣାପଡ଼ିଛି । ଏବଂ ଘଟଣାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଛି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ପୋଲିସକୁ ସୂଚନା ମିଳିଥିଲା ଯେ, ଜଣେ ଯୁବକ ଭାରସାମ୍ୟ ହରାଇ ବାଇକ ସହ ନଦୀ ଭିତରକୁ ପଡ଼ିଯାଇଛନ୍ତି । ଏହାପରେ ପୋଲିସର ତଦନ୍ତ ଆରମ୍ଭ ହୋଇଥିଲା ଏବଂ ନଦୀରୁ ବାଇକକୁ ବାହାର କରାଯାଇଥିବା ବେଳେ ନଦୀର ସ୍ରୋତ ଅଧିକ ଥିବାରୁ ଯୁବକଙ୍କ ମୃତ ଦେହକୁ ଗୋଟିଏ ଦିନ ପରେ ଉଦ୍ଧାର କରାଯାଇଥିଲା ।  ପ୍ରଥମେ ଏହା ଏକ ଦୁର୍ଘଟଣା ବୋଲି ଜଣା ପଡ଼ିଥିଲା । କିନ୍ତୁ ଅଧିକ ତଦନ୍ତ ହେବାରୁ ଘଟଣା ଉପରୁ ପରଦା ହଟିଥିଲା ।

ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ମୃତକ ରାମେଶ୍ୱର ନିଷାଦଙ୍କ ସ୍ତ୍ରୀ ସୁମନଙ୍କ, ତାଙ୍କ ପଡୋଶୀ ସୁରଜ ସୋନକରଙ୍କ ସହ ଅନୈତିକ ସମ୍ପର୍କ ଥିଲା । ଏନେଇ ଯେତେବେଳେ ସ୍ୱାମୀ ପ୍ରତିବାଦ କରିଥିଲେ ସେତେବେଳେ ରାମେଶ୍ୱର ଏବଂ ସୁମନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତାପରେ ସୁମନ ସ୍ୱାମୀକୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଏଥିରେ ସୁରଜ ତାର ଜଣେ ସହଯୋଗୀଙ୍କୁ ୧୫ ହଜାର ଟଙ୍କା ଦେଇ ଷଡ଼ଯନ୍ତ୍ରରେ ସାମିଲ କରିଥିଲା । ତେବେ ଏହି ଷଡ଼ଯନ୍ତ୍ରକୁ ସଫଳ କରିବାକୁ ବିଗତ ମାସେ ହେବ ଚେଷ୍ଟା କରାଯାଇଥିଲା ।

ଷଡ଼ଯନ୍ତ୍ର ଅନୁସାରେ ସୁରଜ ଦିନେ ରାମେଶ୍ୱରଙ୍କୁ ହୋଟେଲରେ ଖୁଏଇବାକୁ ନେଇଯାଇଥିଲା । ଉଭୟ ସହର ବାହାରେ ଥିବା ଢାବାରେ ଖାଇବା ସହ ମଦ୍ୟପାନ କରିଥିଲେ । ଏହାପରେ ଫେରିବା ସମୟରେ ନଦୀ ପାଖରେ  ସୁରଜ ତା ସହଯୋଗୀ ସାହାଯ୍ୟରେ ରାମେଶ୍ୱରକୁ ନଦୀକୁ ଠେଲି ଦେଇଥିଲେ । ଏବଂ ଘଟଣା ପରେ ସୁରଜ ପୋଲିସକୁ ଏହା ଦୁର୍ଘଟଣା ବୋଲି କହିବା ସହ ନିଜେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୋଲି କହିଥିଲେ । କିନ୍ତୁ ପୋଲିସର ସନ୍ଦେହ ହେବାକୁ ସେ ଢାବାର ସିସିଟିଭି ଯାଞ୍ଚ୍ କରିଥିଲେ ସେଥିରେ ସୁରଜ ବାରମ୍ବାର ଫୋନରେ କଥା ହେଉଥିବା ଦେଖାଯାଇଥିଲା । ଏହାକୁ ନେଇ ଯେତେବେଳେ ପୋଲିସ ସୁରଜଙ୍କୁ ଘନ ଘନ ପଚରା ଉଚରା କରିଥିଲା ସେତେବେଳେ ସୁରଜ ସତ ମାନିଯାଇଥିଲା ।