ଗିନିଜ୍ ବୁକ୍ ଅଫ୍ ଓ୍ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା କେନ୍ଦୁଝର ରଥ

କେନ୍ଦୁଝର: ଗିନିଜ୍ ବୁକରେ କେନ୍ଦୁଝରର ରଥ । କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କ ନନ୍ଦିଘୋଷ ରଥକୁ ମିଳିଛି ବିଶ୍ୱର ସର୍ବବୃହତ ରଥର ମାନ୍ୟତା । ଚଳିତ ବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ଆସିଛି ଖୁସି ଖବର । ଏଥିସହ ପୁରୀ ବଡ଼ଦାଣ୍ଡ ପରି ଝଲସିବ କେନ୍ଦୁଝର ଶ୍ରୀ ବଳଦେବଜୀଉଙ୍କର ବଡ଼ଦାଣ୍ଡ । ଜିଲ୍ଲା ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡରେ ଏକ କାର୍ଯ୍ୟକ୍ରମରେ ଘୋଷଣା କରାଯାଇଛି । ବଡ଼ଦାଣ୍ଡରେ ହେବ ଆକର୍ଷଣୀୟ ପୁଷ୍ପଚିତ୍ରର ସାଜସଜ୍ଜା । ଏହାସହ ବଡ଼ଦାଣ୍ଡରେ ଶ୍ରୀଜିଉଙ୍କର ବିଭିନ୍ନ ପଟ୍ଟଚିତ୍ର ସ୍ଥାପନ ଓ ବଡ଼ଦାଣ୍ଡ ପାର୍ଶ୍ୱରେ ଏକକ କଳାକୃତି ଆଦି ସ୍ଥାପନ କରାଯିବ । ବଡ଼ଦାଣ୍ଡର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆଗାମୀ ରଥଯାତ୍ରା ପୂର୍ବରୁ ସମ୍ପନ୍ନ କରାଯିବ ବୋଲି ପୁରୁଣା ବଜାର ଶ୍ରୀବଳଦେବଜୀଉ ମନ୍ଦିର ସମ୍ମୁଖରେ ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

 

୪ ଶହ ବର୍ଷରୁ ଅଧିକ ପୁରୁଣା ଆଦିବାସୀ ପରମ୍ପରାର ଏହି ରଥଯାତ୍ରା ଆଜି ବିଶ୍ୱଦରବାରରେ ତା’ର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ୫ଟି ସଂସ୍ଥା ଏହି ସ୍ବୀକୃତି ପ୍ରଦାନ କରିଛନ୍ତି । ୭୨ଫୁଟ ଉଚ୍ଚତାର ଏହି କାଠ ରଥର ଓସାର ଓ ପ୍ରସ୍ତ ୪୫ ଫୁଟ ଏଥିରେ ୧୬ଟି ଚକ ରହିଛି । କେନ୍ଦୁଝର ବଳଦେବଜୀଉ ମନ୍ଦିରର ମୁକ୍ୟ ଦେବତା ପ୍ରଭୁ ବଳଭଦ୍ର ହୋଇଥିଲେ ବି ଏହି ରଥର ନାମ ରହିଛି ନନ୍ଦିଘୋଷ । ଏଠାରେ ରଥ ଟାଣିବାକୁ ବ୍ୟବହୃତ ହେଉଥିବା ଦଉଡ଼ି ଆଦିବାସୀ ସମ୍ପ୍ରଦାୟର ଭୂୟାଁମାନେ କରନ୍ତି । ସିଆଡି ଲତାରେ ପ୍ରସ୍ତୁତ ହୁଏ । ଗତ ଅକ୍ଷୟ ତୃତୀୟାରୁ ରଥ କାମ ଆରମ୍ଭ ହୋଇଥିବା ବେଳେ ୨୦ରୁ ଅଧିକ ମହାରଣା ଓ ଶ୍ରମିକ ନିୟୋଜିତ ଅଛନ୍ତି । ସବୁଠାରୁ ବଡ଼କଥା, କେନ୍ଦୁଝରରେ ରଥଯାତ୍ରାରେ ରଥ ଖୋଲାଯାଏନି । ବର୍ଷତମାମ ବଡ଼ଦାଣ୍ଡରେ ସେମିତି ଦଣ୍ଡାୟମାନ ଥାଏ ଏହି ରଥ ।