ଋଷ-ୟୁକ୍ରେନ ଯୁଦ୍ଧ: ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉଦ୍ୟମ

1 min read

କିଭ୍: ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ଉଦ୍ୟମକୁ ପ୍ରଥମ ଥର ଲାଗି ନିରାପତ୍ତା ପରିଷଦ ସମର୍ଥନ କରିଛି । ନରଓ୍ବେ ଓ ମେକ୍ସିକୋ ଦ୍ବାରା ପ୍ରସ୍ତୁତ ଏହି ଘୋଷଣାକୁ ଅନ୍ୟ ସମସ୍ତ ସଦସ୍ୟ ରାଷ୍ଟ୍ର ସମର୍ଥନ କରିଛନ୍ତି । ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଜାତିସଂଘ ଚାହେଁ ଏବଂ ଜାତିସଂଘ ଘୋଷଣାନାମା ଅନୁସାରେ ଏହି ପ୍ରସ୍ତାବକୁ ସହମତି ଭିତ୍ତିରେ ସମର୍ଥନ କରାଗଲା ବୋଲି ୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦ ଘୋଷଣା କରିଛି ।

ଏହି ପ୍ରସ୍ତାବ କ୍ରମେ ଜାତିସଂଘ ମହାସଚିବ ଶାନ୍ତି ପ୍ରତିଷ୍ଠା ଲାଗି ପୂର୍ଣ୍ଣ ଉଦ୍ୟମ କରିବେ । ଗତ ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ପରେ ପ୍ରଥମ ଥର ଲାଗି ଏହି ପ୍ରସ୍ତାବ ଗୃହୀତ ହୋଇଛି । ସେପଟେ ଏହି ପ୍ରସ୍ତାବ ଗୃହୀତ ହେବା ପରେ ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ନିନ୍ଦା ତଥା ସୈନ୍ୟ ପ୍ରତ୍ୟାହ୍ୟାର ନେଇ ଆଗତ ଏକ ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ ।

ସେପଟେ ୟୁକ୍ରେନକୁ ପୁଣି ୧୫୦ ନିୟୁତ ଡଲାରର ସାମରିକ ପ୍ୟାକେଜ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏହି ପ୍ୟାକେଜ ଅନୁସାରେ ୨୫ ହଜାର ଗୋଳା, କାଉଣ୍ଟର ଆର୍ଟିଲେରି ରାଡାର, ଇଲେକ୍ଟ୍ରୋନିକ ଜାମିଂ ସିଷ୍ଟମ ଆଦି ଅସ୍ତ୍ର ଓ ସାମଗ୍ରୀ ୟୁକ୍ରେନ ପାଇବ । ପୂର୍ବରୁ ୟୁକ୍ରେନକୁ ଆମେରିକା ୩ ଦଶମିକ ୪ ବିଲିୟନ ଡଲାରର ଯୁଦ୍ଧାସ୍ତ୍ର ପ୍ରଦାନ କରିସାରିଛି ।