ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ, ବିଶେଷଜ୍ଞ କହିଲେ ଶକ୍ତିଶାଳୀ ହେବନି ବାତ୍ୟା

1 min read

ଭୁବନେଶ୍ୱର: ୱେଲ୍ ମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ଆଜି ନେବ ଅବପାତର ରୂପ । ଏହା ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବା ନେଇ ଆଶଙ୍କା ରହିଛି । ଏହା ପୂର୍ବରୁ ଆଜି ସମ୍ଭାବ୍ୟ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ । ୧୦ତାରିଖ ବେଳକୁ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ ।

୧୦ ତାରିଖରେ ପ୍ରବଳ ବର୍ଷା ନେଇ ଗଂଜାମ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରୀୟ ବଙ୍ଗୋପସାଗରରେ ୯ ତାରିଖରେ ଘଣ୍ଟା ପ୍ରତି ୬୫ରୁ ୭୫ କିମି ବେଗରେ ପବନ ବହିବ । ୧୦ ତାରିଖ ବେଳକୁ ପବନର ବେଗ ବଢ଼ି ୭୦ରୁ ୮୦ କିମି ଓ ଝଟକା ପବନ ଘଣ୍ଟାକୁ ୯୦କିମି ରହିବ । ତେଣୁ ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି । ବାତ୍ୟା ଏତେଟା ଶକ୍ତିଶାଳୀ ହେବନାହିଁ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଯଦି ଓଡିଶା ଉପକୂଳ ଦେଇ ଏହା ଗତି କରେ କିମ୍ବା ଓଡିଶାରେ ଲ୍ୟାଣ୍ଡଫଲ୍ କରେ, ସେତେବେଳେ ଏହା ଦୁର୍ବଳ ହୋଇଯାଇଥିବ ।

ତେବେ ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ଜଳବାୟୁ ଥଣ୍ଡା ରହୁଛି । ବାତ୍ୟା ଶକ୍ତିଶାଳୀ ହେବା ପାଇଁ ଯେଉଁ ଉଷ୍ଣତା ଆବଶ୍ୟକ ତାହା କମିଛି । ତେଣୁ ଓଡ଼ିଶା ଉପକୂଳ ପାଖେଇବା ସମୟରେ ଏହା ଦୁର୍ବଳ ହୋଇ କେବଳ ଲଘୁଚାପ ହୋଇ ରହିଯିବ । ତେବେ ଲଘୁଚାପ ପ୍ରଭାବରେ ୯ ତାରିଖ ରାତିରୁ ରାଜ୍ୟରେ ବର୍ଷା ହେବ । ପ୍ରଥମେ ଦକ୍ଷିଣ ଓଡ଼ିଶା ଓ ୧୦ ତାରିଖରେ ଉପକୂଳରେ ବର୍ଷା ହେବ । ଏହାର ପ୍ରଭାବରେ ଜଳୀୟବାଷ୍ପ ବାୟୁମଣ୍ଡଳକୁ ଆସିବ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।