spot_img
Home Blog Page 4490

ବିଜେଡିରେ ମିଶିଲେ ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥିନୀ

ବରଗଡ଼: ବିଜେଡିରେ ସାମିଲ ହୋଇଛନ୍ତି ବରଗଡ଼ର ସ୍ବାଧୀନ ପୌରାଧ୍ୟକ୍ଷ ପ୍ରାର୍ଥିନୀ ରାଜକୁମାରୀ ଦାଶ । ତାଙ୍କ ସ୍ବାମୀ ତଥା ବିଜେପିର ପୂର୍ବତନ କାଉନସିଲର ବିଜୟ ଦାଶ ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି । ୧୩ ନମ୍ବର ଓ୍ବାର୍ଡର ଜଣେ ଟାଣୁଆ ବିଜେପି କର୍ମୀ ଥିଲେ ବିଜୟ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣୀତ ହୋଇ ଉଭୟ ବିଜେଡିରେ ମିଶିଛନ୍ତି । ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ନେତୃତ୍ବ ପ୍ରତି ଭରସା କରି ବିଜୁ ଜନତା ଦଳରେ ଉଭୟ ଯୋଗଦେଇଥିବା କହିଛନ୍ତି ।

ପୌର ନିର୍ବାଚନ ପ୍ରଚାର ଜୋର ଧରିଥିବା ବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବହୁ ପଛରେ ପଡି ଯାଇଛନ୍ତି । ବିଜେଡି କେବଳ ପ୍ରଚାର ନୁହେଁ, ପ୍ରାର୍ଥୀ ଚୟନ ଓ ଅସନ୍ତୁଷ୍ଟଙ୍କୁ ମନାଇବାରେ ମଧ୍ୟ ସକ୍ଷମ ହୋଇଛି । ପଞ୍ଚାୟତ ନିର୍ବାଚନରେ ବିପୁଳ ସମର୍ଥନ ଓ ୩୦ରୁ ୩୦ ଜିଲ୍ଲାରେ ବ୍ଲକ ଦଖଲ ପରେ ସବୁ ଆଶାୟୀ ବିଜେଡିରୁ ଟିକେଟ ନେଇ ପୌର ମୈଦାନକୁ ଓହ୍ଲାଇବାକୁ ସ୍ଥାନୀୟ ନେତାଙ୍କ ପାଖରେ ଭିଡ ଜମାଇଥିଲେ । ଏମିତି ସ୍ଥିତିରେ ଗୋଟିଏ ଗୋଟିଏ ଜୋନରେ ଏକାଧିକ ପ୍ରାର୍ଥୀକୁ ନେଇ ଚିନ୍ତା ବଢିଥିଲା । ହେଲେ, ଏପରି ସ୍ଥିତିକୁ ମ୍ୟାନେଜ କରିବାକୁ ଦଳ ସମର୍ଥ ହୋଇଥିଲା । ବଡ କଥା ହେଲା, ଦଳ ଓ ଦଳୀୟ ନେତୃତ୍ବ ଉପରେ ଭରସା ରଖୁଥିବା ଶୃଙ୍ଖଳିତ ବିଜେଡି କର୍ମୀମାନେ ସ୍ବ-ଇଚ୍ଛାରେ ନିଜ ନାମାଙ୍କନ ପ୍ରତ୍ୟାହାର ମଧ୍ୟ କରି ନେଇଥିଲେ ।

ରାଜଧାନୀରେ ଫିଲ୍ମ ଷ୍ଟାଇଲରେ ଲୁଟ୍

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଯାଆଁଳାରେ ଫିଲ୍ମ ଷ୍ଟାଇଲରେ ଲୁଟ୍ । ବନ୍ଧୁକ ମୁନରେ ସାଗରିକା ଜୁଏଲାରୀରୁ ଲୁଟ୍ ହୋଇଥିବା ଅଭିଯୋଗ । ୨ ଦୁର୍ବୃତ୍ତ ବାଇକରେ ଆସି ଜୁଏଲାରୀ ମାଲିକଙ୍କ ଉପରକୁ ଗୁଳି ଚଳାଇ ସୁନା ଲୁଟି ନେଇଛନ୍ତି । ଗୁଳି ଶବ୍ଦ ଶୁଣି ଘଟଣାସ୍ଥଳରେ ଲୋକ ରୁଣ୍ଡ ହୋଇଯାଇଥିଲେ । ଲୋକଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଲୁଟେରା । ପରେ ଘଟଣାସ୍ଥଳରୁ ଫେରାର ଉଦ୍ୟମ କରିଥିବା ବେଳେ ବାଇକ ଷ୍ଟାର୍ଟ ହୋଇନଥିଲା । କିଛି ବାଟ ଗାଡ଼ି ଗଡାଇ ଗଲା ପରେ ଜଣେ କୋରିୟର ବୟଙ୍କୁ ଭୟଭୀତ କରି ବାଇକ ନେଇ ଫେରାର ହୋଇଯାଇଛନ୍ତି । ପୂରା ଘଟଣା ସିସିଟିଭିରେ କଏଦ ହୋଇଛି । ଘଟଣାସ୍ଥଳରେ ଇନଫୋଭ୍ୟାଲି ଥାନା ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ପହଞ୍ଚି ଛାନଭିନ୍ ଜାରି ରଖିଛି ।

ସୂଚନାଯୋଗ୍ୟ, ରାଜଧାନୀ ଭୁବନେଶ୍ବର ଯେମିତି ଅପରାଧୀଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଛି । ପ୍ରାୟ ପ୍ରତିଦିନ କିଛି ନା କିଛି ଅପରାଧ ସ୍ମାର୍ଟ ସିଟିରେ ଘଟୁଛି । ମୋବାଇଲ ଓ ସୁନା ଚେନ ଲୁଟ ପରି ଅପରାଧ ସାଧାରଣ ଘଟଣାରେ ପରିଣତ ହୋଇଛି । ଗୋଷ୍ଠୀ ସଂଘର୍ଷ ମଧ୍ୟ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । କିଛି ଦିନ ବ୍ୟବଧାନରେ ହତ୍ୟା, ହତ୍ୟା ଉଦ୍ୟମ ଭଳି ଘଟଣା ମଧ୍ୟ ଘଟୁଛି ।

ବିଶେଷ କରି ରାତି ହେଲେ ଅସାମାଜିକ ଯୁବଗୋଷ୍ଠୀଙ୍କ ଦୌରାତ୍ମ୍ୟ ଉଗ୍ର ରୂପ ନେଉଛି । ରାଜଧାନୀ ରାଜରାସ୍ତାରେ ହାତରେ ମାରଣାସ୍ତ୍ର ଧରି ଏହି ନିଶାଶକ୍ତ ଯୁବଗୋଷ୍ଠୀ କରୁଛନ୍ତି ହଙ୍ଗାମା । ସୋସିଆଲ ମିଡିଆରେ ମଧ୍ୟ ଫଟୋ ପୋଷ୍ଟ କରୁଛନ୍ତି । ସତେ ଯେମିତି ପୋଲିସର କାର୍ଯ୍ୟାନୁଷ୍ଠାନକୁ ଏମାନଙ୍କର ଖାତିର ନାହିଁ ।

ଅନ୍ୟପକ୍ଷରେ ରାଜଧାନୀକୁ ଅପରାଧ ମୁକ୍ତ କରିବାକୁ କମିଶନରେଟ ପୋଲିସ ବିଭିନ୍ନ ପଦକ୍ଷେପ ନେଉଛି । ବଡ ଅଭିଯାନରେ ଅସାମାଜିକ ବ୍ୟକ୍ତିଙ୍କୁ କାବୁ କରାଯାଉଛି । ଅପରାଧର କେନ୍ଦ୍ର ପାଲଟି ଥିବା ବସ୍ତିରେ କରାଯାଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ । ବସ୍ତିକୁ ଚାଲ ଅଭିଯାନ ମଧ୍ୟ ଚାଲୁ ରଖିଛି କମିଶନରେଟ ପୋଲିସ । ଏହି ଅଭିଯାନ ମାଧ୍ୟମରେ ବସ୍ତିର ଯୁବବର୍ଗଙ୍କ ସହ ପୋଲିସ ସାମିଲ ହୋଇ ଅପରାଧ ରୋକିବାକୁ ସଚେତନ କରାଉଛି । ହେଲେ, ଏତେ ସବୁ ସଚେତନତା ପରେ ବି ରାଜଧାନୀରେ ଅପରାଧ ଆଶା ଅନୁସାରେ କମୁ ନଥିବା ପରି ମେନ ହେଉଛି ।

ଯୁଦ୍ଧ ଆଣିବ ରୋଗ, ୟୁକ୍ରେନରେ ଏହି ସବୁ ରୋଗ ବ୍ୟାପିବା ଆଶଙ୍କା କଲେ ଡାକ୍ତର

କିଭ୍: ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୧ ଦିନରେ ପହଞ୍ଚିଛି । ୟୁକ୍ରେନର ଅଲଗା ଅଲଗା ସହର ଉପରେ ଆକ୍ରମଣ କରି ଚାଲିଛି ଋଷ ସେନା । ଋଷର ଆକ୍ରମଣରେ ଧରାଶୟୀ ହୋଇ ପଡ଼ିଛି ଋଷ । ବିପଦର ଚକ୍ରବ୍ୟୁହରେ ଫସିଥିବା ଋଷ ପାଇଁ ଏକ ବିପଦ ମାଡ଼ି ଆସୁଛି । ୟୁକ୍ରେନର ଲୋକ ଅନେକ ରୋଗର ଶିକାର ହେବେ ବୋଲି ଆଶଙ୍କା କରିଛନ୍ତି ଡାକ୍ତର । କେବଳ କରୋନା ନୁହଁ ପୋଲିଓ ସହ ହଇଜା ଭଳି ସଂକ୍ରାମକ ରୋଗ ଡର ରହିଛି ।

ପୂର୍ବରୁ ଏଭଳି ରୋଗ ବିରୋଧରେ ୟୁକ୍ରେନରେ ଟିକାକରଣ ହାର କମ୍ ରହିଥିଲା । ଏପରିକି ଅଧିକାଂଶ ଲୋକ ଟିକା ନେଇ ନାହାନ୍ତି । ଅନ୍ୟ ୟୁରୋପୀୟ ଦେଶ ଓ ଆମେରିକା ତୁଳନାରେ ୟୁକ୍ରେନରେ ଟିକାକରଣ କମ୍ ରହିଛି । ଯୁଦ୍ଧ ପାଇଁ ୟୁକ୍ରେନର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅତିରିକ୍ତ ବୋଝ ସୃଷ୍ଟି ହୋଇଛି । ଫଳରେ ନିୟମିତ ଟିକାକରଣ ଆହୁରି ହ୍ରାସ ପାଇବ ବୋଲି କହିଛନ୍ତି ଡକ୍ଟର୍ସ ବିଦାଉଟ୍ ୱାର୍ଡର୍ସର ଜରୁରୀକାଳୀନ ପ୍ରୋଗ୍ରାମ ମ୍ୟାନେଜର କେଟ୍ ହ୍ୱାଇଟ୍ ।

Doctors Expected Surge Of Covid-19 Polio Cholera In Ukraine Amid War

ସେ ଆହୁରି କହିଛନ୍ତି, କୋଭିଡ୍ ସହ ଅନ୍ୟ ରୋଗ ବ୍ୟାପିବାର ବିପଦ ରହିଛି । ଲୋକ ନିଜକୁ ଆକ୍ରମଣରୁ ସୁରକ୍ଷିତ ରଖିବା ଲାଗି ବେସମେଣ୍ଟ, ସବୱେ ଷ୍ଟେସନ ଓ ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରହୁଛନ୍ତି । ଆଉ ସେସବୁ ସ୍ଥାନରେ ବିଶୁଦ୍ଧ ପାଣି ମିଳୁନାହିଁ କି ସଫାସୁତୁରା ରହୁନାହିଁ । ଫଳରେ ଏଥିରୁ ଡାଇରିଆ ଭଳି ରୋଗ ବ୍ୟାପିବା ଆଶଙ୍କା କରିଛନ୍ତି ଡାକ୍ତର ।

ହ୍ୱାଇଟଙ୍କ ଅନୁସାରେ, ଋଷ ସେନା ମାରିୟୁପୋଲକୁ ଟାର୍ଗେଟ୍ କରିଛି । ସେଠାର ଅବସ୍ଥା ଏବେ ବେଶ୍ ଖରାପ ରହିଛି । ୟୁରୋପର ଗୋଟିଏ ଦେଶ ଭାବେ ୨୦୧୧ରେ ୟୁକ୍ରେନରେ ହଇଜା ବ୍ୟାପିଥିଲା । ସେତେବେଳେ ବେଶ୍ ପ୍ରଭାବିତ ହୋଇଥିଲା ମାରିୟୁପୋଲ । ରିପୋର୍ଟ ଅନୁସାରେ ମାର୍ଚ୍ଚ ୨ରୁ ମାରିୟୁପୋଲରେ ପାଣି ସହି ବିଦ୍ୟୁତ୍ ସମସ୍ୟା ଲାଗି ରହିଛି । ଆଉ କାଲ୍ମିୟସ୍ ନଦୀ କୂଳରେ ଅବସ୍ଥିତ ମାରିୟୁପୋଲ ପ୍ରଦୂଷଣରେ ଛାଇ ଯାଇଛି । ବିଦ୍ୟୁତ୍ ନଥିବାରୁ ଜଳ ବିଶୋଧନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ପାରୁନାହିଁ ।

ଇସ୍ତଫା ଦେବେ ନିରଞ୍ଜନ !

ଭୁବନେଶ୍ବର: ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରେ ଆକ୍ସନ ମୁଡରେ ଏଆଇସିସି । ୫ ରାଜ୍ୟର ସଭାପତିଙ୍କଚ ଇସ୍ତଫା ଦେବାକୁ ଏଆଇସିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବ ପିସିସି ସଭାପତି ନବଜ୍ୟାତି ସିଂ ସିଦ୍ଧୁ ଇସ୍ତଫା ଦେଇ ସାରିଛନ୍ତି । ତେବେ ଏହି କ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ଏଆଇସିସିର ଚିଠି ଆସିଛି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି, ବିଶେଷ କରି କଂଗ୍ରେସରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଉ ଚର୍ଚ୍ଚାଟି ହେଉଛି, ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ପଦ ଛାଡୁଛନ୍ତି ।

ଚିଠି ଆସିଥିବା ନେଇ ନିଜେ ନିରଞ୍ଜନ ସୂଚନା ଦେଇଛନ୍ତି । ହାଇକମାଣ୍ଡଙ୍କ ପାଖରୁ ଚିଠି ଆସିଛି ବୋଲି ସେ କହିଛନ୍ତି । ତେବେ ଏହି ଚିଠିରେ କ’ଣ ଉଲ୍ଲେଖ ରହିଛି ତାହା ସେ ସ୍ପଷ୍ଟ କରିନାହାନ୍ତି । ନିରଞ୍ଜନଙ୍କ ପାଖକୁ ଆସିଥିବା ଚିଠିରେ କ’ଣ ଲେଖା ଯାଇଛି ? ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି କି ଆଉ କିଛି ନିର୍ଦ୍ଦେଶ ରହିଛି, ଆଗାମୀ ଦିନରେ ନିରଞ୍ଜନର ପଦକ୍ଷେପରୁ ଜଣାପଡିବ ବୋଲି ଚର୍ଚ୍ଚା ଜୋର ଧରିଛି ।

ନିରଞ୍ଜନଙ୍କ ପାଖକୁ ଆସିଥିବା ଚିଠିରେ କ’ଣ ଉଲ୍ଲେଖ ରହିଛି ତାହା ତ ଆଗକୁ ଜଣାପଡିବ । ହେଲେ ୫ ରାଜ୍ୟରେ ପରାଜୟ ପରେ କଂଗ୍ରେସର ନବକଳେବର ହେବାର ସମ୍ଭାବନା ଦେଖା ଦେଇଛି । କାର୍ଯ୍ୟକାରୀଣୀ ବୈଠକରେ ସୋନିଆ ଗାନ୍ଧି ପୂର୍ବ ପରି ଅଧ୍ୟକ୍ଷା ପଦରେ ରହିଛନ୍ତି । ଏହାପରେ ପ୍ରଥମ ପଦକ୍ଷେପ ସ୍ବରୂପ ହାରିଥିବା ୫ ରାଜ୍ୟର ପିସିସି ସଭାପତିଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହାପରେ ହାଇକମାଣ୍ଡ କି ପଦକ୍ଷେପ ନେଉଛନ୍ତି, କାହା ପାଖକୁ କେଉଁ ପ୍ରକାର ଚିଠି ଆସୁଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଅଟା କେଜି ପିଛା ୬ ଟଙ୍କା ବୃଦ୍ଧି, ସୁଜି ଓ ମଇଦା ଦର ବି ବଢିଲା

ଭୁବନେଶ୍ବର: ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଋଷ-ୟୁକ୍ରେନକୁ ୟୁରୋପର ‘ରୁଟି ଝୁଡି’ ବୋଲି କୁହାଯାଇଥାଏ। ବିଶ୍ବ ବଜାରରେ ରହିଥିବା ଗହମର ୨୯% ଏବଂ ମକାର ୧୯% ମାଲିକ ହେଉଛନ୍ତି ୟୁକ୍ରେନ ଏବଂ ଋଷ।

ଏହି କାରଣରୁ ଋଷ ଏବଂ ୟୁକ୍ରେନରୁ ଗହମ ରପ୍ତାନି ମଧ୍ୟ ଯୁଦ୍ଧ ହେତୁ ପ୍ରଭାବିତ ହୋଇଛି। ଫଳରେ ଘରୋଇ ବଜାରରେ ଏବେ ଅଟା ମହଙ୍ଗା ହେବାରେ ଲାଗିଛି। ଏହି କାରଣରୁ ଗତ ୧୫ ଦିନ ମଧ୍ୟରେ ବଜାରରେ ଅଟା ଏବଂ ମଇଦା କିଲୋ ପିଛା ୬ ଟଙ୍କା ବଢ଼ିଯାଇଛି। ଗହମ କ୍ବିଣ୍ଟାଲ ପିଛା ୫୦୦ ଟଙ୍କା ମହଙ୍ଗା ହେବା ଯୋଗୁ ଆଗାମୀ ଦିନରେ ସାଧାରଣ ଲୋକଙ୍କ ପାଇଁ ରୁଟି ଖାଇବା ମହଙ୍ଗା ହେବ। ଏହାଛଡା ଗହମ ମୂଲ୍ୟ ବଢ଼ିବା ପରେ ଆଗାମୀ ଦିନରେ  ବିସ୍କୁଟ୍‌ ଦର ମଧ୍ୟ ବୃଦ୍ଧି ପାଇବ।

ଋଷ-ୟୁକ୍ରେନ ଯୁଦ୍ଧରେ ଦେଶକୁ ଗହମ ରପ୍ତାନି ମଧ୍ୟ ପ୍ରଭାବିତ ହୋଇଛି ଏବଂ ଆଗାମୀ ଦିନରେ ଗହମ ଯୋଗାଣ ମଧ୍ୟ ପ୍ରଭାବିତ ହେବା ଆଶଙ୍କା କରାଯାଉଛି। ଗହମ  କ୍ବିଣ୍ଟାଲ ପିଛା ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି ଘଟିଛି।  ମାତ୍ର ୧୫ ଦିନ ମଧ୍ୟରେ ଏହା କ୍ବିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି। ଘରୋଇ ବଜାରରେ ଅଟା କିଲୋଗ୍ରାମ ପିଛା ୬ ଟଙ୍କା ମହଙ୍ଗା ହୋଇଛି।

ଫଳରେ ବଜାରରେ ଅଟା କିଲୋ ପିଛା ୩୨ ଟଙ୍କାରେ ପହଞ୍ଚିଛି, ଯାହା ୧୫ ଦିନ ପୂର୍ବରୁ ୨୬ ଟଙ୍କା ପାଖାପାଖି ରହିଥିଲା। କେବଳ ଏତିକି ନୁହେଁ ବଜାରରେ ସୁଜି ଏବଂ ମଇଦା ଦର ମଧ୍ୟ ବୃଦ୍ଧି ପାଇଛି। ସୁଜି କିଲୋ ପିଛା ୩୬ ଟଙ୍କା ହୋଇଛି। ୧୫ ଦିନ ତଳେ ସୁଜି କିଲୋ ପ୍ରତି ୩୨ ଟଙ୍କା ରହିଥିଲା।

ଅପରପକ୍ଷେ ଗହମ ମୂଲ୍ୟ ବଢ଼ିବା ପରେ ବଜାରରେ ଏବେ ବିସ୍କୁଟ, ନୁଡୁଲ୍ସ, ପାଉଁରୁଟି, ପିଜା ଭଳି ଗହମରୁ ନିର୍ମିତ ଅନ୍ୟାନ୍ୟ ଜିନିଷ ମହଙ୍ଗା ହୋଇଯାଇଛି।  ଇତି ମଧ୍ୟରେ ନେସ୍‌ଲେ ଇଣ୍ଡିଆ ମ୍ୟାଗିର ଛୋଟ ପ୍ୟାକ୍ ମୂଲ୍ୟ ୧୨ ରୁ ୧୪ ଟଙ୍କାକୁ ବୃଦ୍ଧି କରିଛି। ଖାଲି ଏତିକି ନୁହେଁ ମ୍ୟାଗିର ବ୍ୟକ୍ତିଗତ ପ୍ୟାକ୍ ମୂଲ୍ୟ ୯ରୁ ୧୬%କୁ ବୃଦ୍ଧି ପାଇଛି।

ରିପୋର୍ଟ ଅନୁଯାୟୀ ଖୁବ୍‌ ଶୀଘ୍ର ବଜାରରେ ପାର୍ଲେ-ଜି ବିସ୍କୁଟ ମଧ୍ୟ ମହଙ୍ଗା ହୋଇପାରେ। ଏ ସମ୍ପର୍କରେ ଓଡ଼ିଶା ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ସମ୍ପ୍ରତି ଋଷ-ୟୁକ୍ରେନ୍‌ ଯୁଦ୍ଧ ପାଇଁ ଯୋଗାଣ ସଙ୍କୁଚିତ ହେବାର ସମ୍ଭାବନା ଦେଖାଦେଇଛି। ଇତି ମଧ୍ୟରେ କମ୍ପାନୀଗୁଡିକ ଅଟା ଦର କିଲୋ ପିଛା ପାଖାପାଖି ୬ ଟଙ୍କା ବଢ଼ାଇ ଦେଇଛନ୍ତି।

 

ମାର୍ଚ୍ଚ ୧୪ରେ କେନ୍ଦ୍ର ସରକାର ଖୁଚୁରା ମୁଦ୍ରାସ୍ଫୀତି ତଥ୍ୟ ପ୍ରକାଶ କରିଛନ୍ତି। ଫେବୃଆରୀରେ ସାଧାରଣ ଲୋକ ମୁଦ୍ରାସ୍ଫୀତି ଜନିତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପନିପରିବା ଏବଂ ତେଜରାତି ସାମଗ୍ରୀ  ପର୍ଯ୍ୟନ୍ତ ସବୁକିଛିର ଦର  ମହଙ୍ଗା ହୋଇଗଲା। ଫେବୃଆରୀରେ ଉପଭୋକ୍ତା ମୂଲ୍ୟ ସୂଚୀ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ୮ ମାସର ସର୍ବୋଚ୍ଚ ସ୍ତର ୬.୦୭%କୁ ବୃଦ୍ଧି ପାଇଛି। ଜୁନ୍ ୨୦୨୧ରେ ଏହା ୬.୨୬% ରହିଥିଲା।

 

ସିନେମା ହଲରେ ମାଗଣାରେ ଦେଖି ପାରିବେ ‘ଦ କାଶ୍ମୀର ଫାଇଲ୍ସ’

ଗୋଣ୍ଡା: କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନ ପ୍ରସଙ୍ଗକୁ ନେଇ ନିର୍ମିତ ବଲିଉଡ୍ ଚଳଚ୍ଚିତ୍ର ‘ଦ କାଶ୍ମୀର ଫାଇଲ୍ସ’ ରିଲିଜ୍ ପର ଠାରୁ ଚର୍ଚ୍ଚାରେ ରହିଛି । ଦେଶ ସହ ବିଦେଶରେ ବି ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ନେଇ ହେଉଛି ଆଲୋଚନା । ବକ୍ସ ଅଫିସରେ ଆଶା ଠାରୁ ଅଧିକ ରୋଜଗାର ଦେଉଛି ‘ଦ କାଶ୍ମୀର ଫାଇଲ୍ସ’ । ଅନେକ ରାଜ୍ୟ ଏହି ଫିଲ୍ମକୁ ଟିକସ ରିହାତି ଦେଇଛନ୍ତି । ଫଳରେ ଦର୍ଶକ କମ୍ ଦାମରେ ଟିକେଟ୍ କିଣି ଫିଲ୍ମ ଦେଖି ପାରୁଛନ୍ତି ।

Watch Bollywood Film The Kashmir Files Free In Cinema Hall Gonda

ଉତ୍ତରପ୍ରଦେଶ ସରକାର ମଧ୍ୟ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମକୁ ଟିକସ ମୁକ୍ତ କରିଛନ୍ତି । ‘ଦ କାଶ୍ମୀର ଫାଇଲ୍ସ’ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଅନେକ ପ୍ରେକ୍ଷାଳୟରେ ଟିକେଟ୍ ମିଳୁ ନାହିଁ । ଫିଲ୍ମ ଦେଖିବାକୁ ଲୋକଙ୍କ ଉତ୍ସାହ ଦେଖି ୟୁପିର ଗୋଣ୍ଡା ସହରରେ ଜଣେ ବ୍ୟବସାୟୀ ସିନେମା ହଲ୍ ଏଣ୍ଟ୍ରିକୁ ଫ୍ରି କରି ଦେଇଛନ୍ତି । ଅର୍ଥାତ୍ ଯଦି ଆପଣ ଗୋଣ୍ଡାରେ ରହୁଛନ୍ତି ତାହାଲେ ମାଗଣାରେ ‘ଦ କାଶ୍ମୀର ଫାଇଲ୍ସ’ ଫିଲ୍ମ ଦେଖି ପାରିବେ । ଏଥିପାଇଁ ସମ୍ପୂର୍ଣ୍ଣ ଖର୍ଚ୍ଚ ବ୍ୟବସାୟୀ ଜଣଙ୍କ ବହନ କରିବେ ।

ଆଜିଠାରୁ ଗୋଣ୍ଡାର ସିନେମା ହଲରେ ‘ଦ କାଶ୍ମୀର ଫାଇଲ୍ସ’ ମାଗଣା ଦେଖିବା ଲାଗି ବ୍ୟବସାୟୀ କେଦାରନାଥ ପାଣ୍ଡେ ସମସ୍ତ ବ୍ୟବସ୍ଥା କରିଛନ୍ତି । କାଶ୍ମୀର ପଣ୍ଡିତଙ୍କ ବିସ୍ଥାପନ କାହାଣୀ ଉପରେ ‘ଦ କାଶ୍ମୀର ଫାଇଲ୍ସ’ ନିର୍ମିତ ହୋଇଛି । ୯୦ ଦଶକରେ କାଶ୍ମୀର ଘାଟିରୁ ପଣ୍ଡିତଙ୍କ ପଳାୟନ ଓ ଯନ୍ତ୍ରଣାକୁ ଫିଲ୍ମରେ ଦର୍ଶା ଯାଇଛି ।

ଆମେରିକାକୁ ଡରାଉଛି କି ଋଷର ଶସ୍ତା ତେଲେ ? ଭାରତକୁ ଦେଲା ଚେତାବନୀ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ହେଉଛି । ୟୁକ୍ରେନ ମାଟି ପାଲଟିଛି ଯୁଦ୍ଧ କ୍ଷେତ୍ର । ଋଷ ସେଠାରେ ପ୍ରତିଦିନ ତାଣ୍ଡବ ରଚୁଛି । ନଷ୍ଟ ହେଉଛି ସମ୍ପତ୍ତି, ଯାଉଛି ସାଧାରଣ ଲୋକଙ୍କ ଜୀବନ । ଆମେରିକା ଓ ନାଟୋ ଦେଶ ସୈନ୍ୟ ସହାୟତା ଯୋଗାଇ ନଥିଲେ ବି ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଓ ମାନବୀନ ସହାୟତା ଯୋଗାଇ ଆସୁଛନ୍ତି । ଏହାସହ ଋଷ ଉପରେ ପ୍ରତିବନ୍ଧକ ପରେ ପ୍ରତିବନ୍ଧକ ଲଗାଇ ଚାଲିଛନ୍ତି । ଯାହାର ପ୍ରଭାବ ଋଷର ଅଶୌଧିତ ତେଲ ରପ୍ତାନୀ ଉପରେ ପଡିଛି । ଏମିତି ସ୍ଥିତିରେ ଋଷ ଭାରତକୁ ରିହାତି ଦରରେ ତେଲ ଦେବାକୁ ଅଫର ଦେଇଛି । ଏମିତିରେ କି ବ୍ୟାରେଲ୍ ପିଛା ୨୦ରୁ ୨୫ ଡଲାର କମ ଟଙ୍କାରେ ତେଲ ଦେବାକୁ ବନ୍ଧୁ ରାଷ୍ଟ୍ର ଭାରତକୁ ଅଫର ଦେଇଛି ଋଷ । ଏମିତି ଅଫର ଶୁଣି ଆମେରିକା ବାଇଆ, ପାଗଲା ଭଳି ହେଉଛି । ସ୍ଥିତି ଏମିତି ଯେ, ଆମେରିକା ଭାରତକୁ ଚେତାବନୀ ଦେଇ ଦେଇଛି । ଭାରତ ଯଦି ଋଷ ପାଖରୁ ତେଲ କିଣେ ତେବେ ଏହା ଆକ୍ରମଣକାରୀ (ଋଷ) ସହ ଛିଡ଼ା ହେବା ପରି ହେବ ବୋଲି ଆମେରିକା କହିଛି । ଏଥିରୁ ଗୋଟିଏ ପ୍ରଶ୍ନ ଉଠୁଛି, ଭାରତ-ଋଷ-ଚୀନ ମଧ୍ୟରେ ବଢୁଥିବା ବ୍ୟବସାୟୀକ ଘନିଷ୍ଠତା ଆମେରିକାକୁ ଡରାଉଛି କି ?

ଗୋଟିଏ ପଟେ ୟୁକ୍ରେନ ଯୁଦ୍ଧରେ ଆମେରିକାର ଭୁମିକାକୁ ନେଇ ପୂରା ବିଶ୍ବ ପ୍ରଶ୍ନ ଉଠାଉ ଥିବା ବେଳେ ତେଲ ବଜାରରେ ଭାରତ, ଋଷ ଓ ଚୀନ ମଧ୍ୟରେ ବଢୁଥିବା ସହଭାଗୀତା ଆମେରିକାକୁ ବିଚଳିତ କରିବାରେ ଲାଗିଛି । ଋଷଠାରୁ ତେଲ କିଣିବା ଚର୍ଚ୍ଚା ଭିତରେ ହ୍ବାଇଟ୍ ହାଉସ୍ ପ୍ରବକ୍ତା ଭାରତକୁ ଚେତାବନୀ ଦେବାକୁ ପଛାଇନାହାନ୍ତି । ସେ କହିଛନ୍ତି, ଯଦି ଭାରତ ଏମିତି କରେ ତେବେ ଏହା ଆକ୍ରମଣକାରୀଙ୍କ ସହ ଛିଡ଼ା ହେବା ପରି ହେବ ଓ ଇତିହାସ ଏହାକୁ ମନେ ରଖିବ । ସୂଚନାଯୋଗ୍ୟ, ଆମେରିକା ଚାହୁଁଛି ସେ ଋଷ ଉପରେ ଲଗାଇଥିବା ପ୍ରତିବନ୍ଧକକୁ ଅନ୍ୟ ଦେଶମାନେ ମଧ୍ୟ ମାନନ୍ତୁ ।

ଆମେରିକା ଚେତାବନୀର ଉତ୍ତର କ’ଣ ?

ଭାରତ ତରଫରୁ, ଆମେରିକାର ଚେତାବନୀ ଉପରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ଆସିନାହିଁ । ହେଲେ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି, ‘ଆମେରିକା ସହ ଆମର ସମ୍ପର୍କ ଅଛି, ହେଲେ ଏହାର ମାନେ ନୁହେଁ ଆମେ ଋଷ ସହ ସମ୍ପର୍କ କାଟି ଦେବା । ଋଷ ସହ ସମ୍ପର୍କକୁ ନେଇ ଭାରତ ସରକାରଙ୍କୁ ବୁଝି ବିଚାରି ଆଗକୁ ବଢ଼ିବାକୁ ପଡିବ ।’

ପ୍ରକୃତ କଥା ହେଲା, କିଛିଦିନ ପୂର୍ବରୁ ଭାରତର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ଏବଂ ଋଷ ଉପ ପ୍ରଧାନମନ୍ତ୍ରୀ ଆଲେକ୍ସଜାଣ୍ଡାର ନୋଭାକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏଥିରେ ଭାରତକୁ ଶସ୍ତାରେ ଋଷ ତେଲ ବିକ୍ରି କରିବାକୁ ଅଫର ଦେଇଥିଲା । ଭାରତ ଋଷଠାରୁ ଶସ୍ତାରେ ତେଲ କିଣିବ ବୋଲି ସମସ୍ତେ ଚିନ୍ତା କରୁଛନ୍ତି । ଯାହାକୁ ନେଇ ବିଚଳିତ ଆମେରିକା ଏମିତି ପ୍ରତିକ୍ରିୟା ଦେଉଛି ।

ଡରୁଛି କି ଆମେରିକା ?

ଆମେରିକା ଭଲ ଭାବେ ଜାଣିଛି, ସେ କି ନାଟୋ ଦେଶ ଯେତେ ଯାହା କଲେ ବି ଭାରତ, ଋଷ ସହ ସମ୍ପର୍କ କାଟିବ ନାହିଁ । କାରଣ ଏହି ଦୁଇ ଦେଶର ବନ୍ଧୁତ୍ବ କାହା ପାଖରେ ଅଛପା ନାହିଁ । ଏହାପ ପରେ ବି ଆମେରିକାର ଏମିତି ଧମକକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ଆମେରିକା ଋଷ ଉପରେ ପ୍ରତିବନ୍ଧକ ଲଗାଇବା ନୂଆ ସମୀକରଣ ସୃଷ୍ଟି କରୁଛି ।  ଭାରତ-ଋଷ-ଚୀନ ମଧ୍ୟରେ ବ୍ୟବସାୟୀକ ସମ୍ପର୍କ ବଢ଼ିବା ଆମେରିକାକୁ ଡରାଉଛି କି ? ବୈଦେଶିକ ବିଶେଷଜ୍ଞଙ୍କ ମତରେ ଆମେରିକା ନିଜେ ଋଷ ଓ ଚୀନ ମଧ୍ୟରେ ସମ୍ପର୍କ ବଢିବାରେ ସହାୟକ ହୋଇଛି ଓ ଏହାର ପରିଣାମ ଏବେ ଭୋଗୁଛି । ପୂର୍ବତନ ରାଷ୍ଟ୍ରଦୂତ ଅନିଲ ତ୍ରୀଗୁଣାୟତଙ୍କ ମତରେ, ‘ଭାରତ ନିଜ ପ୍ରତିବଦ୍ଧତା ସହ ଛିଡା ହୋଇଛି । ଇରାକ, ଲିବିଆ ଓ ୟମନରେ ଆମେରିକା ଏମିତି କରିଥିଲା ।’

ସୂଚନାଯୋଗ୍ୟ, ଋଷ ବିରୋଧରେ ଆମେରିକା ପ୍ରତିବନ୍ଧ ପରେ ବି ସଂଯୁକ୍ତ ରାଷ୍ଟ୍ରରେ ଋଷ ଆକ୍ରମଣକୁ ଭାରତ ଭର୍ସନା କରିଥିଲେ ବି ନିଜ ବନ୍ଧୁ ବିରୋଧରେ ଏପର୍ଯ୍ୟନ୍ତ ଭୋଟ୍ ଦେଇନାହିଁ ।

ଜିଡିପି ଅଭିବୃଦ୍ଧି ଆକଳନ ଖସାଇଲା ଏସ୍‌ବିଆଇ, ଡଲାର ତୁଳନାରେ କମିବ ଟଙ୍କା ମୂଲ୍ୟ

ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ଯୁଦ୍ଧକୁ ଇତିମଧ୍ୟରେ ୨୦ ଦିନ ବିତିଗଲାଣି। ତଥାପି ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଏହି ଯୁଦ୍ଧରୁ ଉଭୟ ଦେଶ ବିପୁଳ କ୍ଷତିର ସମ୍ମୁଖୀନ ହେଉଥିବା ବେଳେ ଏହାର ପ୍ରଭାବ ବିଶ୍ବର ଅନ୍ୟ ଦେଶମାନଙ୍କରେ ସ୍ପଷ୍ଟ ଭାବେ ଦେଖାଯାଉଛି। ଏହି ସମୟରେ ବୃହତ ଋଣ ପ୍ରଦାନକାରୀ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ୭.୮ ପ୍ରତିଶତକୁ ହ୍ରାସ କରିଛି।

ନିକଟରେ ବ୍ରେକରେଜ୍‌ ସଂସ୍ଥା ନ୍ୟୁମୁରା ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନରେ ସଂଶୋଧନ କରି ଆର୍ଥିକବର୍ଷ ୨୦୨୨-୨୩ ପାଇଁ ଅଭିବୃଦ୍ଧି ପୂର୍ବାନୁମାନକୁ ୬.୫ ପ୍ରତିଶତକୁ ହ୍ରାସ କରିଥିଲା ।

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟ ସାରା ବିଶ୍ବ ଉପରେ ପ୍ରଭାବ ପକାଉଛି। ଯୁଦ୍ଧ ଯୋଗୁଁ ବିଶ୍ବ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହେଉଛି। ତେବେ ଅଶୋଧିତ ତୈଳ ଦର  ବୃଦ୍ଧି ହେତୁ ଭାରତୀୟ ମୁଦ୍ରା ଟଙ୍କା ଉପରେ ଚାପ ମଧ୍ୟ ବଢୁଛି।

Banking Related Many Rules Will Change On February 1

ଏକ ରିପୋର୍ଟରେ ଏସ୍‌ବିଆଇ ଅର୍ଥନୀତିଜ୍ଞ କହିଛନ୍ତି, ଯଦି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆହୁରି ବଢ଼ିଯାଏ ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ଆହୁରି ଅଧିକ ହ୍ରାସ ପାଇବ।

ଏସ୍‌ବିଆଇ ରିପୋର୍ଟରେ ଆକଳନ କରାଯାଇଛି ଯେ ଜୁନ୍ ୨୦୨୨ ସୁଦ୍ଧା ଟଙ୍କା ମୂଲ୍ୟ ଡଲାର ତୁଳନାରେ ୭୭.୫ ସ୍ତରକୁ ଖସିପାରେ।ଯେତେବେଳେ ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟରେ ବୃଦ୍ଧି ଘଟିଥିଲା ସେତେବେଳେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୭୭ ଡଲାର ସ୍ତରରେ ପହଞ୍ଚିଥିଲା। ଗତ ସୋମବାର ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟରେ ୧୦ ପଇସା ହ୍ରାସ ହୋଇ ୭୬.୫୪ ଡଲାରରେ କାରବାରରେ ଶେଷ ହୋଇଥିଲା। ଯଦି ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୦ ଡଲାରରେ ରହିଥାଏ, ତେବେ ଦେଶର ବର୍ତ୍ତମାନର ବିତ୍ତୀୟ ନିଅଣ୍ଟ ଜିଡିପିର ୩.୫ ପ୍ରତିଶତରେ ପହଞ୍ଚିବ।

ରୁଷ ଏବଂ ୟୁକ୍ରେନ ଯୁଦ୍ଧ ନିବେଶକଙ୍କ ଭାବନା ଉପରେ ନକରାତ୍ମକ ପ୍ରଭାବ ପକାଇଛି। କାରଣ ଋଷ ବିଶ୍ୱ ତୈଳ ଯୋଗାଣର ୧୪% ଏବଂ ପ୍ରାକୃତିକ ଗ୍ୟାସ ଯୋଗାଣର ୧୭% ଯୋଗଦାନ ଦେଇଥାଏ।

ରିପୋର୍ଟ ଅନୁଯାୟୀ, ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ବଜାରରୁ ୨ ଲକ୍ଷ କୋଟି ଟଙ୍କାର ପାଣ୍ଠି  ବାହାର କରିନେଇଛନ୍ତି। ଏହି କାରଣରୁ, ଭାରତୀୟ ବଜାରରେ ଏଫ୍‌ପିଆଇମାନଙ୍କର ଅଂଶ ଦୁଇ ପ୍ରତିଶତ ହ୍ରାସ ହୋଇ ୬୫୪ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ପୂର୍ବ ତ୍ରୈମାସରେ ୬୬୭ ବିଲିୟନ ଡ଼ଲାର ରହିଥିଲା।

Beware Of Banking Fraud RBI Give Instruction About How To Secure Your Money From Bank Frauds

ରିପୋର୍ଟରେ ଏସବିଆଇର ମୁଖ୍ୟ ଅର୍ଥନୀତିଜ୍ଞ ସୌମ୍ୟକାନ୍ତ ଘୋଷ କହିଛନ୍ତି ଯେ ଯଦି ଅଶୋଧିତ ତୈଳ ଦର ହାରାହାରି ୧୩୦ ଡଲାରରେ ରହିଥାଏ, ତେବେ ବର୍ତ୍ତମାନର ବିତ୍ତୀୟ ନିଅଣ୍ଟ ଜିଡିପିର ୩.୫ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ଆର୍ଥିକବର୍ଷ ପାଇଁ ହାରାହାରି ମୁଦ୍ରାସ୍ଫୀତି ୫.୭ ପ୍ରତିଶତ ପର୍ଯ୍ୟନ୍ତ ହୋଇପାରେ। ଫେବୃଆରୀ ମାସରେ ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ଜାନୁଆରୀ ତୁଳନାରେ ୧୩,.୧୧  ପ୍ରତିଶତକୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ୧୧ ମାସ ପାଇଁ ଦୁଇ ଅଙ୍କରେ ରହିଆସିଛି। ଏହାସହିତ ଜାନୁଆରୀ ତୁଳନାରେ ଭାରତରେ ଖୁଚୁରା ମୁଦ୍ରାସ୍ଫୀତି ୬.୦୭ ପ୍ରତିଶତକୁ ବୃଦ୍ଧି ପାଇଛି।

 

 

 

 

ମହିଳା ଗୁପ୍ତଚରଙ୍କ ଦାବି, ‘ଯୁଦ୍ଧ ଜିତିବାକୁ ଯେ କୌଣସି ସ୍ତରକୁ ଖସିପାରନ୍ତି ପୁଟିନ୍’

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍ ଯୁଦ୍ଧକୁ ତିନି ସପ୍ତାହ ବିତିଲାଣି । ଦୁଇ ଦେଶ ଲଡ଼ୁଥିବା ବେଳେ କେହି ପଛଘୁଞ୍ଚା ଦେଉ ନାହାନ୍ତି । ଯାହାକୁ ନେଇ ଅନ୍ୟ ଦେଶର ଚିନ୍ତା ବଢ଼ିବାରେ ଲାଗିଛି । କୁହାଯାଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ସବୁଠୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧ । ଏହାରି ଭିତରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ପୂର୍ବତନ ସହଯୋଗୀ ଜଣେ ମହିଳା ଗୁପ୍ତଚର ଚକିତ କଲା ଭଳି ଦାବି କରିଛନ୍ତି । ସେ କହିଛନ୍ତି, ପୁଟିନ୍ କୌଣସି ବି ପରିସ୍ଥିତିରେ ବିଜୟ ଚାହାନ୍ତି । ଆଉ ସେ ଯୁଦ୍ଧ ଜିତିବାକୁ ଯେ କୌଣସି ସ୍ତରକୁ ଯାଇ ପାରନ୍ତି ।

ଏଭଳି ଦାବି କରିଥିବା ମହିଲା ଗୁପ୍ତଚର ଜଣଙ୍କ ଏବେ କାଲିଫର୍ଣ୍ଣିଆରେ ରହୁଛନ୍ତି । ଆଲିୟା ରୋଜ ନାମକ ଏହି ଏଜେଣ୍ଟ ପୁଟିନଙ୍କ ସହ ସେନାରେ ଗୁପ୍ତଚର ନେଇ ଟ୍ରେନିଂ ବି ନେଇଛନ୍ତି । ତାଙ୍କ ଦାବି ହେଉଛି, ସେ ପୁଟିନଙ୍କୁ ଅତି ନିକଟରୁ ଜାଣନ୍ତି । ପୁଟିନ୍ ହାରିବା ଜାଣି ନାହାନ୍ତି । ସେ ଯୁଦ୍ଧ ଆରମ୍ଭ କରିଛନ୍ତି ମାନେ ଜିତିବା ପାଇଁ କୌଣସି ବି ସ୍ତରକୁ ଯାଇ ପାରନ୍ତି ।

Russia Ukraine War Former Female Spy Revealed Putin's Secret

ଏଜେଣ୍ଟ ଆଲିୟା ରୋଜାଙ୍କ ଅନୁସାରେ, ପୁଟିନ କୌଣସି ବି ପରିସ୍ଥିତିରେ ୟୁକ୍ରେନରେ ନାଟୋ ଦେଶ ସୈନ୍ୟ କିମ୍ବା ସେମାନଙ୍କ ଅସ୍ତ୍ରଶସ୍ତ୍ର ମୁତୟନ କରିବାକୁ ଦେବେ ନାହିଁ । ଏବଂ ଏଭଳି କିଛି ହେଲେ ରୋକିବାକୁ ସେ କୌଣସି ସ୍ତରକୁ ଯିବା ପାଇଁ ପଛକୁ ଫେରିବେ ନାହିଁ ।

ବିଗତ ୨୧ ଦିନ ହେଲା ଯୁଦ୍ଧ ଚାଲିଛି । ଋଷର ଘନ ଘନ ଆକ୍ରମଣରେ ୟୁକ୍ରେନ୍ ବହୁ କ୍ଷତି ସହିଲାଣି । ୟୁକ୍ରେନର ଅଧିକାଂଶ ସହରର ଚିହ୍ନବର୍ଣ୍ଣ ମାଟିରେ ମିଶି ଯିବାକୁ ବସିଲାଣି । ଲୋକ ପରିବାରକୁ ଧରି ଦେଶ ଛାଡ଼ୁଛନ୍ତି । ଋଷ ଓ ୟୁକ୍ରେନ୍ ପଛକୁ ହଟୁ ନଥିବା ବେଳେ ଅନେକ ଥର ଆଲୋଚନା ପରେ ବି ନିଷ୍କର୍ସ ବାହାରି ପାରୁନି ।

ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ, ୨୧ରେ ନେଇପାରେ ବାତ୍ୟା ରୂପ

ଭୁବନେଶ୍ୱର: ଦାନା ବାନ୍ଧୁଛି ବାତ୍ୟା । ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ । ଏବେ ଏହା ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରୀଭୂତ ହୋଇଛି । ଏହି ଲଘୁଚାପଟି ଧିରେ ଧିରେ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିବା ପରେ ଆସନ୍ତା ୧୯ ତାରିଖ ବେଳକୁ ଏକ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ଦିଗ ବଦଳାଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ପହଞ୍ଚିବ । ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୦ ତାରିଖ ସକାଳ ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୨୧ ତାରିଖ ବେଳକୁ ଏହା ଆହୁରି ଘନିଭୂତ ହୋଇ ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ପରେ ୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରିବ । ପରବର୍ତ୍ତୀ ସମୟରେ ପୁଣି ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗକୁ ଗତିକରିବା ସହ ୨୩ ମାର୍ଚ୍ଚ ସକାଳ ସୁଦ୍ଧା ବାଂଲାଦେଶ ନିକଟ ଏବଂ ଉତ୍ତର ମିଆଁମାରରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ଏହି ସାଇକ୍ଳୋନିକ ଷ୍ଟର୍ମର ତୀବ୍ରତା ଏବଂ ବେଗ କେତେ ରହିବ ତାହା ଏବେ ବି ଅସ୍ପଷ୍ଟ ରହିଛି । କିନ୍ତୁ ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଯଦିଓ ଏହି ବାତ୍ୟାଟି ଉପକୂଳ ଓଡ଼ିଶା ଠାରୁ ପ୍ରାୟ ୨ଶହ କିଲୋମିଟର ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ତେବେ କେଉଁ ଜିଲ୍ଲାରେ ଅଧିକ ପ୍ରଭାବ ରହିବ ତାହା ୨୦ ତାରିଖ ବେଳକୁ ସ୍ପଷ୍ଟ ହେବ । କିନ୍ତୁ ଉପକୂଳ ଓଡ଼ିଶାରେ ବାତ୍ୟାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ହେଲେ ବି ପବନର ବେଗ ଅଧିକ ରହିବନି ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।