ଦୁଇ ଦୁର୍ଘଟଣା, ୮ ଆହତ

ବାଲେଶ୍ବର/ଟାଙ୍ଗୀ: ବାଲେଶ୍ବର ଓ ଟାଙ୍ଗୀରେ ପୃଥକ ଦୁର୍ଘଟଣାରେ ୮ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ବେଗୁନିଆ ନିକଟରେ ଟ୍ରକକୁ ପଛରୁ ଧକ୍କା ଦେଇଛି ଏକ ଆମ୍ବୁଲାନ୍ସ । ଏଥିରେ ରୋଗୀ ସମେତ ୫ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଖନ୍ତାପଡ଼ା ମେଡିକାଲ ପରେ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଚାଳକ ଟ୍ରକ ନେଇ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଖନ୍ତାପଡ଼ା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କୋଲକତା ମେଦିନୀପୁରରୁ ରୋଗୀ ନେଇ ଭୁବନେଶ୍ବର ଯାଇଥିବା ବେଳେ ଟ୍ରକ ପଛକୁ ଆମ୍ବୁଲାନ୍ସ ଧକ୍କା ଦେଇଥିଲା ।

ସେହିପରି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କୋଚିଲା ଛକ ନିକଟରେ ଏକ ବାଇକକୁ କାର ଧକ୍କା ଦେଇଛି । ରାସ୍ତା ତଳକୁ ପଡ଼ିଯାଇ ୩ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଞ୍ଚି ଗୁରୁତରଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରିଛି । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ଟାଙ୍ଗୀ ଥାନା କୟଥପଲା ଗାଁର ଚନ୍ଦନ ସ୍ବାଇଁ, କାଳୁ ସ୍ବାଇଁ ଏବଂ ତ୍ରୀଲୋଚନ ଚମ୍ପତିରାୟ ।