କୂଳକୁ ଆସିବନି ବାତ୍ୟା ‘ଅସାନି’, ଦେଇ ଯିବ ପ୍ରବଳ ବର୍ଷା

1 min read

ଭୁବନେଶ୍ବର: ଭୀଷଣ ବାତ୍ୟାରେ ପରିଣତ ହୋଇ ସମୁଦ୍ରରେ ମାଡ଼ି ଆସୁଛି ବାତ୍ୟା ଅସାନି । ପୁରୀଠାରୁ ୭୪୦ କିମି ଦୂରରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଦକ୍ଷିଣ-ପୂର୍ବ ତତ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି ବାତ୍ୟା । ଘଣ୍ଟାପ୍ରତି ୨୧ କିମି ବେଗରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତାକାଲି ସନ୍ଧ୍ୟାରେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳଠୁ ଦୂରରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ । ଏହାପରେ ଦିଗ ବଦଳାଇବ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । ସ୍ଥଳଭାଗ ନଛୁଇଁ ପୁରୀ ଉପକୂଳରୁ ୯୦ କିମି ଦୂରରେ ସମାନ୍ତରାଳ ଭାବେ ଗତି କରି ଦୁର୍ବଳ ହୋଇଯିବ । ତେବେ ପ୍ରଭାବରେ ଆସନ୍ତାକାଲି ସନ୍ଧ୍ୟାରୁ ଆରମ୍ଭ ହେବ ବର୍ଷା । ଏହି ସମୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ପବନର ବେଗ ୪୦ରୁ ୫୦ କିଲୋମିଟର ଓ ଝଟକା ପବନ ୬୦ କିମି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଆସନ୍ତାକାଲି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ର ମଧ୍ୟରେ ଥିବା ସମସ୍ତ ମାଛଧରା ବୋଟ କୂଳକୁ ଫେରି ଆସିଛି । ଆଜି ଚିଲିକାରେ ଡଙ୍ଗା ଚଳାଚଳ ନିୟନ୍ତ୍ରଣ କରାଯିବ ବୋଲି SRC କହିଛନ୍ତି । ଖରାଦିନିଆ ବାତ୍ୟା ଯୋଗୁଁ ବନ୍ୟା ଆଶଙ୍କା ନଥିଲେ ବି ତଳିଆ ଅଞ୍ଚଳଗୁଡ଼ିକରେ ସତର୍କ ରହିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ଗଞ୍ଜାମରେ ଦୁଇଟି ଓଡ୍ରାଫ ଟିମ୍ ମୁତୟନ କରାଯାଇଥିବା ବେଳେ ପୁରୀରେ ୫ଟି, ଜଗତସିଂହପୁର, ଭଦ୍ରକରେ ଗୋଟିଏ ଲେଖାଏଁ ଟିମ୍ ପ୍ରସ୍ତୁତ ରହିଛନ୍ତି । ବାଲେଶ୍ବରରେ ଗୋଟିଏ ଏନଡିଆରଏଫ୍ ଟିମ୍ ରହିବ । ମେ ୧୧ ତାରିଖ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ବାତ୍ୟାର ସବୁ ପ୍ରକାର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।