ଆଜି ରାଜ୍ୟ କଂଗ୍ରେସକୁ ମିଳିପାରେ ନୂଆ ମଙ୍ଗୁଆଳ

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ହୋଇପାରେ ବଡ଼ ପରିବର୍ତ୍ତନ । ଏନେଇ ଆଜି ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଘର ସଜାଡ଼ିବାକୁ ରାଜ୍ୟ କଂଗ୍ରେସ ନେତାଙ୍କ ସହିତ ଆଜି ଓ୍ବାନ ଟୁ ଓ୍ବାନ ଆଲୋଚନା କରିବେ ରାହୁଲ ଗାନ୍ଧି । ଏଥିପାଇଁ ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା, ପୂର୍ବତନ ପିସିସି ସଭାପତି ଗତକାଲିଠାରୁ ଦିଲ୍ଲୀ ଗସ୍ତରେ ଅଛନ୍ତି ।

୨୦୨୪ ନିର୍ବାଚନ ପୂର୍ବରୁ ସଂଗଠନକୁ କିପରି ସୁଦୃଢ଼ କରାଯିବ ସେନେଇ ବିସ୍ତୃତ ଆଲୋଚନା ହେବ । ଆଲୋଚନାରେ ପିସିସି ସଭାପତି, ବିଧାୟକ ଦଳ ନେତା ଏବଂ ଅନ୍ୟ ଛାମୁଆ ସଂଗଠନର ମଙ୍ଗୁଆଳ ବଦଳାଇବା ନେଇ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବରୁ ପିସିସି ପ୍ରଭାରୀ ଚେଲ୍ଲା କୁମାର ବିଭିନ୍ନ ନେତାଙ୍କ ମତାମତ ନେଇ ରିପୋର୍ଟ ଦେଇଛନ୍ତି । ରିପୋର୍ଟ ଆଧାରରେ ସବୁ ନେତାଙ୍କ ସହ ଆଲୋଚନା କରିବେ ରାହୁଲ । ଆଲୋଚନା ପରେ ବଡ଼ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି ।

ଦୀର୍ଘଦିନରୁ ରାଜ୍ୟ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ନେଇ ଛକାପଞ୍ଝା ଓ ବୟାନବାଜି ଲାଗି ରହିଛି । ରାହୁଲ ଗାନ୍ଧି ଏସବୁର କିପରି ସମାଧାନ କରୁଛନ୍ତି ଓ ସଂଗଠନକୁ ମଜବୁତ କରିବା ପାଇଁ କି ଗୁରୁମନ୍ତ୍ର ଦେଉଛନ୍ତି, ତା’ ଉପରେ ସମସ୍ତଙ୍କ ରହିଛି ।

ଗତକାଲି କଂଗ୍ରେସ ନେତା ଦିଲ୍ଲୀରେ ପହଞ୍ଚିବା ପରେ ଏକ ଉଚ୍ଚ ସ୍ତରୀୟ ବୈଠକ ହୋଇଥିଲା । ଏଥିରେ ରାଜ୍ୟରେ ଦଳର ସ୍ଥିତି ଓ ଏହାକୁ କେମିତି ଦୃଢ କରାଯିବ ସେ ନେଇ ହାଇକମାଣ୍ଡ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ ।