ଖେଳନା ଭାବି ଘରକୁ ବୋମା ନେଇ ଆସିଲା ୧୨ ବର୍ଷ ୟୁକ୍ରେନୀ ବାଳକ, ତା’ପରେ…

1 min read

କିଭ୍: ରାସ୍ତାରେ ପଡିଥିବା ଋଷର ଏକ କ୍ଲଷ୍ଟ ବୋମାକୁ ଘରକୁ ନେଇ ଆସିଲା ୧୨ ବର୍ଷର ୟୁକ୍ରେନୀ ବାଳକ । ହେଲେ ସେ ଜାଣି ନଥିଲା ଖେଳନା ଭାବି ଘରକୁ ନେଇ ଆସିଥିବା ଏହି ଜିନିଷଟି ତା’ ପାଇଁ ସାଙ୍ଗରେ ଆଣିଥିଲା ମୃତ୍ୟୁ । ଘରେ ବୋମାଟି ଫାଟି ପିଲାଟିର ମୃତ୍ୟୁ ଘଟିଛି ।

ଅଭିଯୋଗ ଅନୁସାରେ ଋଷ-ୟୁକ୍ରେନ ଯୁଦ୍ଧରେ ପ୍ରତିବନ୍ଧକ ଅସ୍ତ୍ର କ୍ଲଷ୍ଟର ବୋମା ବ୍ୟବହାର କରାଯାଉଛି । ଋଷ ଏହି ବୋମା ବହୁଳ ମାତ୍ରାରେ ବ୍ୟବହାର କରୁଥିବା ୟୁକ୍ରେନ ଅଭିଯୋଗ କରିଆସୁଛି । ଏହି କ୍ଲଷ୍ଟର ବୋମା ପିଲାଟିର ଜୀବନ ନେଇ ଯାଇଛି । ଘଟଣାଟି ଦକ୍ଷିଣ ୟୁକ୍ରେନ ନିପ୍ରୋପେଟ୍ରଭସ୍ ଓବ୍ଲାଷ୍ଟରେ ଘଟିଛି ।

ନିପ୍ରୋପେଟ୍ରଭସ୍ ଓବ୍ଲାଷ୍ଟ ଗଭର୍ଣ୍ଣର ଭାଲେଣ୍ଟିନ୍ ରେଜନିଚେଙ୍କୋଙ୍କ ଅନୁସାରେ ଋଷ ସେନା ସିନେଲନିକୋଭ ଜିଲ୍ଲାରେ କ୍ଲଷ୍ଟର ବୋମାରେ ଆକ୍ରମଣ କରିଥିଲା । ଏଥିରୁ କିଛି ବିସ୍ଫୋରଣ ହୋଇଥିବା ବେଳେ ଆଉ କିଛି ନଫୁଟି ବିଭିନ୍ନ ସ୍ଥାନରେ ପଡି ରହିଛି । ଯେଉଁଥିରୁ ଗୋଟିଏ ବୋମାକୁ ପିଲାଟି ଘରକୁ ନେଇ ଆସିଥିଲା । ଯାହା ପରେ ବିସ୍ଫୋରିତ ହୋଇ ପିଲାଟିର ମୃତ୍ୟୁ ଘଟିଛି ।

ଏହାକୁ ନେଇ ରେଜନିଚେଙ୍କୋ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ‘ଏମିତି ବୋମା ବ୍ୟବହାର କରି ଋଷ ବିଶ୍ବାସଘାତକତା କରିଛି ।’

ସୂଚନାଯୋଗ୍ୟ ଆନ୍ତର୍ଜାତୀୟ ବୁଝାମଣା ଅନୁସାରେ ଯୁଦ୍ଧରେ କେହି କ୍ଲଷ୍ଟର ବୋମା ବ୍ୟବହାର କରିପାରିବେ ନାହିଁ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବୁଝାମଣାରେ ଉଭୟ ଋଷ ଏବଂ ୟୁକ୍ରେନ ସ୍ବାକ୍ଷର କରିନାହାନ୍ତି ।

କ୍ଲଷ୍ଟର ବୋମା କ’ଣ ?

କ୍ଲଷ୍ଟର ବୋମା ଅତ୍ୟନ୍ତ ଘାତକ । କାରଣ ମୁଖ୍ୟ ବୋମାଟି ଫାଟିବା ପରେ ଏଥିରୁ ଏକାଧିକ ଛୋଟ ଛୋଟ ବୋମା ବାହାରିଥାଏ । ଯାହା ଲକ୍ଷ୍ୟର ଆଖପାଖରେ ବ୍ୟାପକ କ୍ଷତି କରିଥାଏ । ଏହି ବୋମା ବ୍ୟବହାରରେ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଥାଏ । ମୁଖ୍ୟ ବୋମା ଫାଟିବା ପରେ ଏଥିରୁ ବାହାରୁଥିବା ଛୋଟ ଛୋଟ ବୋମା ଏଣେତେଣେ ପଡିଯାଇଥାଏ । ଯେଉଁଥିରେ ସାଙ୍ଗେ ସାଙ୍ଗେ ବିସ୍ଫୋରଣ ହୋଇନଥାଏ । ଦୀର୍ଘ ଦିନ ଏପରିକି ବର୍ଷ ବର୍ଷ ଧରି ମଧ୍ୟ ଏଗୁଡିକ ସେମିତି ପଡି ରହିଥାଏ । କେହି ଏହାର ସଂସ୍ପର୍ଷରେ ଆସିବା ପରେ ଏଥିରେ ବିସ୍ଫୋରଣ ଘଟିଥାଏ । ଏହି କାରଣରୁ କୌଣସି ସ୍ଥାନରେ ଏମିତି ବୋମା ବ୍ୟବହାର ହୋଇଥିଲେ ଓ ଯୁଦ୍ଧ ସରିବାର ଦୀର୍ଘ ଦିନ ପରେ ବି ଏହା ବିସ୍ଫୋରଣ ଘଟି ଲୋକଙ୍କ ଧନଜୀବନରେ କ୍ଷତି ପହଞ୍ଚାଇଥାଏ ।