ବ୍ରଜରାଜନଗର ଉପନିର୍ବାଚନ: ନାମାଙ୍କନ ଦାଖଲ କଲେ ଅଳକା ମହାନ୍ତି

ବ୍ରଜରାଜନଗର: ବ୍ରଜରାଜନଗରରେ ହେବ ବିଗ୍ ଫାଇଟ୍ । ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବିଶାଳ ରୋଡ୍ ଶୋ’ରେ ଯାଇ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ନାମାଙ୍କନ ଭରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ, ମନ୍ତ୍ରୀ ସୁଶାନ୍ତ ସିଂ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଶାରଦା ନାୟକ, ରୀତା ସାହୁ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୁବାସ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

ସେପଟେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ଓ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ୍ ଜଣଙ୍କ ପରେ ଜଣେ ଯାଇ ନାମାଙ୍କନ ଭରୁଛନ୍ତି । ଆଜି ନାମାଙ୍କନ ଦାଖଲ ହେବା ପରେ ଆସନ୍ତାକାଲି ପ୍ରାର୍ଥୀପତ୍ର ଯାଞ୍ଚ ହେବ । ଏହା ପରେ କମ୍ପିବ ପ୍ରଚାର ମଇଦାନ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସୁଯୋଗ ରହିବ। ମେ’ ୩୧ରେ ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ହେବ ମତଦାନ । ଜୁନ ୩ ତାରିଖରେ ପ୍ରକାଶ ପାଇବ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ।