ଟ୍ୱିଟରର ନୂଆ ବସ୍ ଏଲନ ମସ୍କଙ୍କ ନିଷ୍ପତ୍ତି, ଟ୍ୱିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ସତ ହେଲା ଭାରତର ପରାଗ ଅଗ୍ରୱାଲ ଆକଳନ । ପୁଣି ଟ୍ୱିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରୁ ବ୍ୟାନ୍ ହଟାଯିବ ବୋଲି କହିଛନ୍ତି ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରର ନୂଆ ବସ୍ ଏଲନ ମସ୍କ । ଟ୍ୱିଟରର ପୂର୍ବତନ ସିଇଓ ଜ୍ୟାକ ଡୋରସେ ମଧ୍ୟ ମସ୍କଙ୍କ କଥାରେ ସହମତି ଦର୍ଶାଇଛନ୍ତି । ଡୋରସେ କମ୍ପାନୀର ସିଇଓ ଥିବା ସମୟରେ ହିଁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବ୍ୟାନ୍ କରିଦିଆଯାଇଥିଲା ।

ଯେତେବେଳେ ଟ୍ୱିଟରକୁ ଏଲନ ମସ୍କ କିଣିଥିଲେ ସେତେବେଳେ ଏନେଇ ଅନୁମାନ କରୁଥିଲେ ପରାଗ । ଆଉ କହିଥିଲେ ଟ୍ୱିଟରର ନୂଆ ମାଲିକ ଆସିବା ପରେ ହୁଏତ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଯାଇପାରେ । ଯାହା ଏବେ ସତ ହୋଇଛି ।

ତେବେ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ୟାନ୍ କରାଯିବା ଏକ ବ୍ୟବସାୟିକ ନିଷ୍ପତ୍ତି ଥିଲା ବୋଲି ଡୋରସେ କହିଛନ୍ତି । ତେବେ ଟ୍ରମ୍ପଙ୍କ ଆକାଉଣ୍ଟରେ ବ୍ୟାନ୍ ଲଗାଇବା ଟ୍ୱିଟରର ମୂର୍ଖତା । ବ୍ୟାନ୍ ଲଗାଇବା ପାଇଁ କିଛଇ ବଡ଼ କାରଣ ଦରକାର । ଏବେ ମୁଁ ଟ୍ୱିଟରର ନିଷ୍ପତ୍ତିକୁ ବଦଳାଇବାକୁ ଯାଉଛି ବୋଲି ମସ୍କ କହିଛନ୍ତି । ମସ୍କଙ୍କ ନିଷ୍ପତ୍ତି ପରେ ବି ଟ୍ରମ୍ପଙ୍କ ଟ୍ୱିଟରକୁ ଫେରିବା ନେଇ ଆଶଙ୍କା ରହିଛି । ପୂର୍ବରୁ ଟ୍ୱିଟରକୁ ନଫେରିବା ନେଇ ଟ୍ରମ୍ପ ଘୋଷଣା କରିସାରିଛନ୍ତି । ଗତବର୍ଷ ଆମେରିକାରେ ହିଂସା ବେଳେ ଟ୍ରମ୍ପଙ୍କ କିଛି ଟ୍ୱିଟକୁ ନେଇ ତାଙ୍କୁ ବ୍ୟାନ୍ କରାଯାଇଥିଲା ।