ଦେଶଦ୍ରୋହ ଆଇନ କାର୍ଯ୍ୟକାରିତାରେ ରୋକ, ଅଭିଯୁକ୍ତମାନେ ଜାମିନ ପାଇଁ କରିପାରିବେ ଆବେଦନ

ନୂଆଦିଲ୍ଲୀ: ବିବାଦୀୟ ଦେଶଦ୍ରୋହ ଆଇନର କାର୍ଯ୍ୟକାରିତା ଉପରେ ସାମୟିକ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର ଏହି ଆଇନର ପୁନଃସମୀକ୍ଷା ଯାଏଁ ଆଇନ ଉପରେ ରୋକ୍ ଜାରି ରହିବ ବୋଲି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଏହି ମାମଲାରେ ଅଭିଯୁକ୍ତ ବ୍ୟକ୍ତିମାନେ ଜାମିନ ପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ବୁଧବାର ଦିନ ସୁପ୍ରିମକୋର୍ଟଙ୍କ ନୋଟିସର ଜବାବ ରଖିଥିଲେ କେନ୍ଦ୍ର ସରକାର । ସଂଗୀନ ଅପରାଧୀଙ୍କ ବିରୋଧରେ ଏହି ଆଇନ ଜରିଆରେ ମାମଲା ରୁଜୁ ହୋଇପାରିବ ବୋଲି କେନ୍ଦ୍ର ସରକାର କୋର୍ଟରେ ଜଣାଇଥିଲେ । ଗତ ସୋମବାର ଦିନ ବିବାଦୀୟ ଦେଶଦ୍ରୋହ ଆଇନର ପୁନଃସମୀକ୍ଷା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ତେବେ ସମୀକ୍ଷା ସରିବା ପର୍ଯ୍ୟନ୍ତ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲାଗିପାରିବ କି ନାହିଁ, ସେ ନେଇ ସରକାରଙ୍କଠାରୁ ଜବାବ ତଲବ କରିଥିଲେ ସୁପ୍ରିମକୋର୍ଟ ।

ପରେ ଆଜି ଜବାବ ଦାଖଲ କରିଥିଲେ କେନ୍ଦ୍ର ସରକାର । ସଙ୍ଗୀନ ଅପରାଧୀଙ୍କ ବିରୋଧରେ ଦେଶଦ୍ରୋହ ଆଇନ ଜରିଆରେ ମାମଲା ରୁଜୁ ହେବା ସପକ୍ଷରେ ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର । ହେଲେ ସରକାର ସ୍ପଷ୍ଟ କରିଥିଲେ ଯେ, ବରିଷ୍ଠ ପୋଲିସ ଅଧିକାରୀ ଉଚିତ ମନେ କଲେ ହିଁ ମାମଲା ରୁଜୁ ହୋଇପାରିବ । ତାଙ୍କ ଅନୁମତିରେ ହିଁ ମାମଲା ରୁଜୁ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ଦେଶଦ୍ରୋହ ଆଇନରେ ରୋକ୍ ଲଗାଇବା ଠିକ୍ ହେବ ନାହିଁ ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ବାଢିଥିଲେ କେନ୍ଦ୍ର ସରକାର ।