କରୋନା କାଳ ପରେ ଚୀନରେ ବେକାରୀ ହାର ସର୍ବାଧିକ: ଜୁନ୍ ପହିଲାରେ ହଟିବ ଲକ୍‌ଡାଉନ୍

ବେଜିଂ: କରୋନା କାରଣରୁ ବ୍ୟାପକ ଭାବେ ପ୍ରଭାବିତ ହୋଇଛି ଚୀନ୍‌ ଅର୍ଥନୀତି । ଚଳିତ ବର୍ଷ ଏପ୍ରିଲ ମାସରେ ଚୀନ୍‌ର ବେକାରୀ ହାର ୬.୧ ପ୍ରତିଶତରେ ପହଞ୍ଚିଛି । ଯାହାକି ୨୦୨୦ର କରୋନା ମହାମାରୀ ଆରମ୍ଭ ସମୟର ବେକାରି ହାର ପାଖାପାଖି । କରୋନା ଆରମ୍ଭ ସମୟରେ ଲକଡାଉନ୍ ଯୋଗୁଁ ୬.୨ ପ୍ରତିଶତରେ ବେକାରି ହାର ପହଞ୍ଚିଥିବା ବେଳେ ଏବେ ୬.୧ରେ ପହଞ୍ଚିଛି ବେକାରୀ ହାର । ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଯୋଗୁଁ ବିଶ୍ୱର ଦ୍ୱିତୀୟ ବଡ଼ ଅର୍ଥବ୍ୟବସ୍ଥାରେ ବହୁତ କ୍ଷତି ପହଞ୍ଚିଛି ।

ଆନୁଷ୍ଠାନିକ ପରିସଂଖ୍ୟାନ ଅନୁସାରେ ଜଣାପଡ଼ିଛି ଯେ, ସେଠାକାର ଖୁଚୁରା ବ୍ୟବସାୟୀ ଓ ନିର୍ମାଣକାରୀମାନେ କରୋନା କାରଣରୁ ବହୁତ କ୍ଷତି ସହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୧୨ରୁ ଅଧିକ ସହରରେ ସମ୍ପୂର୍ଣ୍ଣ ବା ଆଂଶିକ ତାଲାବନ୍ଦ ଘୋଷଣା କରାଯାଇଥିଲା । ଯେଉଁଥିରେ ବାଣିଜ୍ୟିକ କେନ୍ଦ୍ର ସାଂଘାଇକୁ ମଧ୍ୟ ବହୁତ ସମୟ ପାଇଁ ବନ୍ଦ କରାଯାଇଥିଲା । ଚୀନ୍‌ର ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ କହିଛନ୍ତି ୨୦୨୦ପରେ କରୋନା ଭୂତାଣୁର ସବୁଠାରୁ ଖରାପ ପ୍ରଭାବ କାରଣରୁ ଦେଶରେ ରୋଜଗାରର ସ୍ଥିତି ବହୁତ ଜଟିଳ ଓ ଗମ୍ଭୀର ରହିଛି। ଚଳିତ ବର୍ଷ ପାଇଁ ବେକାରୀ ହାର ୫.୫ ପ୍ରତିଶତ ତଳକୁ ରଖିବା ପାଇଁ ସରକାରଙ୍କର ଲକ୍ଷ ରହିଛି ବୋଲି ସେ କହିଛନ୍ତି ।

ଲକ୍‌ଡାଉନ୍ କାରଣରୁ ଚୀନର ଅର୍ଥ ବ୍ୟବସ୍ଥା ଉପରେ ବହୁତ ବଡ଼ ପ୍ରଭାବ ପଡ଼ିଛି ସେଥିପାଇଁ ସେଠାରେ ବେକାରୀ ହାର ବଢ଼ିଛି ବୋଲି କୁହାଯାଇଛି। କରୋନା ମହାମାରୀକୁ ରୋକିବା ପାଇଁ ସେଠାରେ ଯୋଗାଣ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିଥିବାରୁ ସେଠାରେ ଔଦ୍ୟୋଗିକ ଉତ୍ପାଦନର ପୂର୍ବ ବର୍ଷ ତୁଳନାରେ ୨.୯ ପ୍ରତିଶତ ତଳକୁ ଖସିଛି।  ତେବେ ଚୀନରେ ସରକାରଙ୍କ  ପକ୍ଷରୁ ଜୁନ୍ ପହିଲା ସୁଦ୍ଧା ଲକଡାଉନ୍ ହଟାଇବାକୁ ଘୋଷଣା କରାଯାଇଛି । ଯାହାର ପ୍ରଭାବରେ ବେକାରୀ ସମସ୍ୟାରେ ସୁଧାର ଆସିବ ବୋଲି କୁହାଯାଉଛି ।

ଏଥିସହିତ ପଢ଼ନ୍ତୁ: ଆଣ୍ଡାମାନ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ୫ ଦିନ ପୂର୍ବରୁ ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ