ଗୁପ୍ତଧନ ଖୋଜୁଥିବା ଏହି ଟିମକୁ ମିଳିଲା ୪ହଜାର କିଲୋର ସୁନା

ନୂଆଦିଲ୍ଲୀ: ଗୁପ୍ତଧନ ଖୋଜୁଥିବା ଏକ ଦଳ ଦାବି କରିଛି ଯେ, ସେମାନେ ହିଟଲରଙ୍କ ସମୟର ଏକ ବଡ଼ ଗୁପ୍ତଧନ ଖୋଜି ବାହାର କରିଛନ୍ତି । ସେମାନଙ୍କ ଦାବି ହେଉଛି ଯେ,  ହିଟଲରଙ୍କ ପାରାମିଲିଟାରୀ ଫୋର୍ସ ବେଶ୍ୟାଳୟ ଭାବେ ବ୍ୟବହାର କରୁଥିବା କୋଠା ତଳୁ ଲୁଟ ସୁନାର ଭଣ୍ଡାର ମିଳିଛି ।

ଗୁପ୍ତଧନ ଖୋଜୁଥିବା ଟିମ୍ ଦକ୍ଷିଣ ପୋଲାଣ୍ଡର ମିକୋକ୍ସି ଗାଁରେ ମାଟିଠୁ ୧୦ଫୁଟ ତଳେ ରହସ୍ୟମୟ ଧାତୁରେ ତିଆରି କନସ୍ତରର ଖୁଲାସା କରିଛନ୍ତି । ଏହି ଗୁପ୍ତଧନରେ ଗୋଲ୍ଡ ଅଫ୍ ବ୍ରେସଲାଉ ସାମିଲ ହୋଇଥିବା କୁହାଯାଉଛି । କନସ୍ତରର ଲମ୍ୱା ୪.୫ଫୁଟ ରହିଥିବା ବେଳେ ବ୍ୟାସାର୍ଦ୍ଧ ୫୦ ସେମି ରହିଛି । ଆଶା କରାଯାଉଛି ଯେ, ଏହି ସ୍ଥାନରୁ ୪ଟନ୍ ସୁନା ମିଳିପାରେ ।

ବିଶ୍ୱାସ କରାଯାଉଛି ଯେ, ବିଶ୍ୱଯୁଦ୍ଧ ଶେଷରେ ନିଜ ଆଧିପତ୍ୟ ସ୍ଥାପନ କରିବା ପାଇଁ ହେନେରିକ ହିମଲରଙ୍କ ନିର୍ଦ୍ଦେଶରେ ଲୁଟ୍ ହୋଇଥିବା ସୁନା ଏହି ଅଞ୍ଚଳରେ ଗାତ କରି ପୋତିଦିଆଯାଇଛି ।

ସେଲସିୟୟନ୍ ବ୍ରିଜ ଫାଉଣ୍ଡେସନର ଇନ୍‌ଭେଟିଗେଟର ରୋମନ ଫୁରମାନିକ ଏବଂ ତାଙ୍କ ଟିମ୍ ଦ୍ୱାରା ଏହି ଖୋଜ କରାଯାଇଥିଲା । ପ୍ରାୟ ୧ବର୍ଷ ଧରି ଏହି ଅଞ୍ଚଳରେ ଯାଞ୍ଚ ଚଲାଇଥିବା ଟିମ୍ ଗୁପ୍ତ କାଗଜପତ୍ର, ନକ୍ସା ଏବଂ ଡାଏରୀ ମଧ୍ୟ ପାଇଛି । ଏହାରି ଆଧାରରେ ସେମାନେ ଏହି ଗୁପ୍ତଧନ ପାଇପାରିଥିବା କୁହାଯାଉଛି ।