spot_img
Home Blog Page 4456

ଲୁଚକାଳି ଖେଳ ହେଲା କାଳ,ଆଇସକ୍ରିମ୍ ବକ୍ସରେ ଲୁଚି ଦୁଇ ଶିଶୁ ମୃତ

0

ବାଙ୍ଗାଲୁରୁ: କର୍ଣ୍ଣାଟକରେ ହୋଇଥିବା ଏକ ଦୁର୍ଘଟଣାରେ ଦୁଇ ପିଲାଙ୍କ ଜୀବନ ଯାଇଛି । ଲୁଚକାଳି ଖେଳୁ ଖେଳୁ ଘଟିଗଲା ଦୁର୍ଘଟଣା । ସୂଚନା ଅନୁସାରେ ମଇଶୁରରେ ନଞ୍ଜନଗୁଡ଼ ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । କାବ୍ୟା ନାୟକ ଏବଂ ଭାଗ୍ୟା ନାୟକ ନାମକ ଦୁଇ ପିଲା ଚିରଦିନ ଆଖି ବୁଜିଛନ୍ତି । ଜଣକ ବୟସ ୫ ବର୍ଷ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ ।  ଘଟଣା ବୁଧବାର ସକାଳ ସମୟର ।

ଖବର ଅନୁସାରେ ଦୁଇ ପିଲା ପଡ଼ୋଶୀ ସାଙ୍ଗ ମାନଙ୍କ ସହ ଲୁଚକାଳି ଖେଳୁଥିଲେ । ଘର ନିକଟରେ ଏକ ଆଇସକ୍ରିମ୍‌ ଠେଲା ଗାଡ଼ି ଛିଡ଼ା ହୋଇଥାଏ । ଯାହା ପ୍ରାୟ ୬ ମାସ ଧରି ଅକାମି ହୋଇ ପଡ଼ିଛି । ଲୁଚିବା ପାଇଁ ଦୁଇ ପିଲା ଆଇସକ୍ରିମ୍‌ ଠେଲା ଗାଡ଼ି ମଧ୍ୟରେ ପଶିଗଲେ । ଉଭୟଙ୍କୁ ଏହା ମଧ୍ୟରେ ପ୍ରବେଶ କରିବାବେଳେ ଅନ୍ୟ କୌଣସି ପିଲା ମଧ୍ୟ ଦେଖିନଥିଲେ ।  ଶେଷରେ ସେହି ବକ୍ସ ହିଁ ସେମାନଙ୍କ ମୃତ୍ୟୁର କାଳ ସାଜିଲା ।

ପୋଲିସର କହିବା ହେଉଛି, ଆଇସକ୍ରିମ ବକ୍ସରେ ହୁଏତ ପୂର୍ବରୁ ବିଷାକ୍ତ ଗ୍ୟାସ୍‌ ଥାଇପାରେ । ଏହା ମଧ୍ୟ ହୋଇପାରେଯେ, ଅଧିକ ପବନ ହେତୁ ଠେଲାର ଦ୍ୱାର ବନ୍ଦ ହୋଇ ଯାଇଥିବ । ଯେଉଁଥିପାଇଁ ପିଲାମାନେ ବାହାରକୁ ଆସିପାରିନଥିବେ ।

ଏୟାର ଇଣ୍ଡିଆ ପରେ ଏୟାର ଏସିଆ କିଣିବ ଟାଟା, ୧୦୦ ପ୍ରତିଶତ ଅଂଶଧନ କିଣିବାକୁ କମ୍ପାନୀର ପ୍ରସ୍ତାବ

ନୂଆଦିଲ୍ଲୀ: ଏୟାର ଏସିଆ କିଣିବାକୁ ଟାଟାର ପ୍ରସ୍ତାବ । ଆଭିଏସନ କ୍ଷେତ୍ରରେ ସେବାକୁ ଆହୁରି ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଛି ଟାଟା ଗ୍ରୁପ । ଗତ ଡିସେମ୍ବରରେ ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏବେ ଏୟାର ଏସିଆର ଶହେ ପ୍ରତିଶତ ଅଂଶଧନ କିଣିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି । ଏ ନେଇ କମ୍ପାନୀ କମ୍ପିଟିସନ କମିସନ ଅଫ୍ ଇଣ୍ଡିଆ ବା CCIର ଅନୁମୋଦନ ଲୋଡ଼ିଛି ।

ଏୟାର ଏସିଆ ଇଣ୍ଡିଆର ୮୩.୬୭ ପ୍ରତିଶତ ସେୟାର ଟାଟା ସନ୍ସ ପ୍ରାଇଭେଟ ଲିମିଟେଡ ପାଖରେ ରହିଛି । ବଳକା ଅଂଶଧନ ମାଲେସିଆର ଏୟାର ଏସିଆ ଗ୍ରୁପ ପାଖରେ ରହିଛି । ଟାଟା ପକ୍ଷରୁ ଚାରିଟି ଯାକ ଏୟାରଲାଇନ୍ସକୁ ଏକାକୃତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାଫଳରେ ଏୟାର ଇଣ୍ଡିଆ, ଭିସ୍ତାରା, ଏୟାର ଇଣ୍ଡିଆ ଏକ୍ସପ୍ରେସ ଓ ଭିସ୍ତାରା ଗୋଟିଏ ବିଲ୍ଡିଂରୁ ପରିଚାଳିତ ହେବ । ଏ ନେଇ ହରିୟାଣାରେ ୭୦ହଜାର ବର୍ଗଫୁଟର ଏକ ସ୍ଥାନକୁ ଟାଟା ଲିଜରେ ନେଇଥିବା ସୂଚନା ମିଳିଛି ।

ଦେଶରେ ପୁଣି ଉପରମୁହାଁ ଦୈନିକ ସଂକ୍ରମଣ, ୪୬ ଦିନ ପରେ ୩ ହଜାରରୁ ଅଧିକ ଦୈନିକ କେସ୍‌

ନୂଆଦିଲ୍ଲୀ: ଦେଶରେ ବିଗୁଡ଼ୁଛି କରୋନା ସ୍ଥିତି । ୪୬ ଦିନ ପରେ ପୁଣି ଥରେ ଦେଶରେ ତିନି ହଜାରୁ ଉର୍ଦ୍ଧ୍ବ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛି । ଗୋଟିଏ ଦିନରେ ୩ ହଜାର ୩୦୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ରାଜଧାନୀ ଦିଲ୍ଲୀରେ ସ୍ଥିତି ବେଶି ଚିନ୍ତାଜନକ ହୋଇଛି । ଦିଲ୍ଲୀରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ରହିଛି । ତେବେ ଦିଲ୍ଲୀରେ ବର୍ତ୍ତମାନ ହସ୍ପିଟାଲରେ ବହୁ କମ୍ ସଂଖ୍ୟକ ଆକ୍ରାନ୍ତ ଆଡମିଟ ହେଉଛନ୍ତି । କୋଭିଡ୍ ମୁକାବିଲା ଲାଗି ଦିଲ୍ଲୀରେ ୧୦ହଜାର ବେଡ୍ ପ୍ରସ୍ତୁତ ଥିବା ବେଳେ ମାତ୍ର ଶହେ ବେଡ୍ରେ ରୋଗୀ ଆଡମିଟ ହୋଇଛନ୍ତି ।

ସେପଟେ ବୁଷ୍ଟର ଡୋଜ୍ ଟିକାକରଣକୁ ତ୍ବରାନ୍ବିତ କରିବାକୁ ବ୍ୟବସ୍ଥା ଚାଲିଛି ବୋଲି ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ କହିଛନ୍ତି । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ଶହେଟି କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ଅନ୍ୟପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦ୍ବିତୀୟ ଡୋଜ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଥିବା ବ୍ୟବଧାନ କମ୍ କରିପାରେ । ଏହାକୁ ୯ ମାସରୁ କମାଇ ୬ ମାସ କରାଇ ଦିଆଯାଇପାରେ ବୋଲି ସୂଚନା ମିଳିଛି ।

୩୧ ପଇସା ବାକି ରହି ଯାଇଥିବାରୁ NOC ଦେଲାନି SBI

0

ଅହମଦାବାଦ:  ଋଣ ନେବା ଏବଂ ସୁଝିବା ଏକ ବିରାଟ ସମସ୍ୟା । ଯେପର୍ଯ୍ୟନ୍ତ ଋଣ ଜଣେ ସୁଝି ନାହାଁନ୍ତି ମୁଣ୍ଡ ଉପରେ ପାହାଡ଼ ଲଦି ହୋଇଥିବାଭଳି ମନେ ହୁଏ । କିନ୍ତୁ ସମସ୍ତ ଋଣ ସୁଝିପାରିବା ପରେ ସାମାନ୍ୟ କିଛି କାରଣ ପାଇଁ ଯଦି ହଟହଟା ହେବାକୁ ପଡ଼େ, ଚିନ୍ତା ଅଧିବ ବଢ଼ିଯାଏ । ନିକଟରେ ସେହିଭଳି ଏକ ଘଟଣା ଘଟିଛି ଜଣେ କୃଷକଙ୍କ ସହିତ ।  ଜଣେ କୃଷକ ବ୍ୟାଙ୍କରୁ ଋଣ ନେଇଥିଲେ  ଏବଂ ଧାର ଟଙ୍କା ମଧ୍ୟ ସୁଝିଦେଲେ । ପୀଡ଼ିତ ଚାଷୀ ଭାବିଲେ ସେ ବ୍ୟାଙ୍କର ସମସ୍ତ ଧାର ସୁଝି ସାରିଛନ୍ତି । ଯାହାପରେ ସେ ନୋ ଡ୍ୟୁଜ୍‌ ସାର୍ଟିଫିକେଟ୍ ବା NOC ପାଇଁ ସିଧା ପହଞ୍ଚିଲେ ବ୍ୟାଙ୍କରେ । କିନ୍ତୁ ସେଠାରେ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ କର୍ମଚାରୀ ଯେଉଁ ଜବାବ ଦେଲେ ତାହା ଶୁଣି ଚାଷୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲେ ।  ବ୍ୟାଙ୍କ୍‌ କହିଲାଯେ ୩୧ ପଇସା ସେ ସୁଝିନାହାଁନ୍ତି । ଯେଉଁଥିପାଇଁ ସାର୍ଟିଫିକେଟ୍‌ ଦିଆଯାଇପାରିବ ନାହିଁ ।  ମାମଲା ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଲା । ମାମଲା ଶୁଣିବା ପରେ ବିଚାରକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ନ୍ୟାୟାଳୟର କହିବା ହେଉଛି ଏତେ କମ୍‌ ରାଶି ପାଇଁ NOC ନ ଦେବା କୌଣସି ଉତ୍ପୀଡ଼ନଠାରୁ କମ୍‌ ନୁହେଁ ।

ରିପୋର୍ଟ ଅନୁସାରେ, ବିଚାରପତି କରିୟା ବ୍ୟାଙ୍କ୍‌ ପ୍ରତିନିଧିତ୍ୱ କରୁଥିବା ଓକିଲଙ୍କୁ କହିଲେଯେ, କ’ଣ ଆପଣ ଜାଣିନାହାଁନ୍ତିଯେ ୫୦ ପଇସାରୁ କମ୍‌ ହେଲେ ତାହାକୁ ଅଣଦେଖା କରାଯାଏ ବୋଲି ।  ତେବେ ବିଚାରପତି ବ୍ୟାଙ୍କ୍‌ ଉପରେ ରାଗି ଯାଇଛନ୍ତି । ଏବେ ଏହି ମାମଲାର ଶୁଣାଣି ମେ ୨ରେ ହେବାକୁ ଯାଉଛି ।

ସୂଚନା ଅନୁସାରେ  ଅହମଦାବାଦର ଖୋରାଜ ଗାଁରୁ ଜଣେ ବ୍ୟକ୍ତିଙ୍କ ଠାରୁ କୃଷକ ଜଣକ ଜମି କିଣିଥିଲେ । ଜମି ବିକ୍ରି କରିଥିବା ବ୍ୟକ୍ତି ବ୍ୟାଙ୍କ୍‌ ଠାରୁ ଋଣ ନେଇଥିଲେ ।  ଋଣ ସୁଝିବା ପୂର୍ବରୁ ଉକ୍ତ ପରିବାର ଜମି ବିକ୍ରି କରି ଦେଇଥିଲେ । କିନ୍ତୁ ଜମି କିଣିଥିବା କୃଷକଙ୍କ ନାଁରେ ଜମି ହୋଇପାରିଲା ନାହିଁ । ଯେଉଁଥିପାଇଁ ୨୦୨୦ରେ ସେ ଅଦାଲତର ସାହାରା ନେଇଥିଲେ । ପରେ ସେ ସମସ୍ତ ଋଣ ସୁଝିଦେଲେ । କିନ୍ତୁ ୩୧ ପଇସା ପାଇଁ ତାଙ୍କୁ ହଟହଟା ହେବାକୁ ପଡ଼ିଲା ।

ଆଜି ଦିନ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଅସହ୍ୟ ଗରମରେ କଲବଲ ହେଉଛି ଓଡ଼ିଶା । ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତିରୁ ମୁକ୍ତି ମିଳିବନି ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଦିନ ୧୧ଟା ୩୦ ସୁଦ୍ଧା ୪୦.୮ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ଝାରସୁଗୁଡ଼ା । ଝାରସୁଗୁଡ଼ା ବ୍ୟତୀତ କେନ୍ଦୁଝରରେ ୪୦.୪ ଡିଗ୍ରୀ, ସମ୍ବଲପୁରରେ ୩୯.୬ ଡିଗ୍ରୀ, ହୀରାକୁଦରେ ୩୮.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଆଜି ଦିନ ୧୧ଟା ୩୦ ସୁଦ୍ଧା ଭୁବେନଶ୍ୱରରେ ୩୬.୮ ଡିଗ୍ରୀ, ବାଲେଶ୍ବରରେ ୩୬.୬ ଡିଗ୍ରୀ, ପୁରୀରେ ୩୨.୪ ଡିଗ୍ରୀ, ପାରାଦୀପରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୪ ଦିନ ଅସହ୍ୟ ତାତି ହେବ ବୋଲି ଅନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବାୟୁମଣ୍ଡଳରେ ବାୟୁ ପ୍ରବାହରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବାରୁ ବଢ଼ିବ ତାତି । ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୮ ଜିଲ୍ଲାକୁ ହିଟ ଓ୍ବେଭ୍ ଜାରି କରାଯାଇଛି । ତେବେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଉଛି ।

ହିନ୍ଦୀ ରାଷ୍ଟ୍ରଭାଷା ନା ନୁହେଁ ? ରାଷ୍ଟ୍ରଭାଷା ଏବଂ ରାଜଭାଷା ମଧ୍ୟରେ ପାର୍ଥକ୍ୟ କ’ଣ ?

0

ନୂଆଦିଲ୍ଲୀ:  ହିନ୍ଦୀ ରାଷ୍ଟ୍ରଭାଷା କି ନୁହେଁ । ଏହାକୁ ନେଇ ସୋସିଅଲ ମିଡିଆରେ ଲୋକଙ୍କ ମଧ୍ୟରେ ଚାଲିଛି ଶୀତଳ ଯୁଦ୍ଧ । ଦକ୍ଷିଣ ଭାରତୀୟ ଫିଲ୍ମ ତାରକା ଏବଂ ଉତ୍ତର ଭାରତୀୟ ଫିଲ୍ମ ତାରକା ଅଜୟ ଦେବଗନଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ସରିଲାଣି । ମୁଖ୍ୟ ବିଷୟ ହିନ୍ଦୀ ।  ଟ୍ୱିଟରରେ ଉଭୟ ପରସ୍ପରକୁ ଜବାବ ମଧ୍ୟ ଦେଇଛନ୍ତି । ଏହି ବିବାଦ ମଧ୍ୟକୁ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ମଧ୍ୟ ଟାଣି ହୋଇ ଆସିଛନ୍ତି । ତେବେ ବାସ୍ତବରେ କ’ଣ ହିନ୍ଦୀ ରାଷ୍ଟ୍ରଭାଷା ନା ନୁହେଁ ? ଏହାକୁ ନେଇ ଏବେ ଆପଣ ମଧ୍ୟ ଦ୍ୱନ୍ଦରେ ପଡ଼ିଥିବେ ।  ତେବେ ବାସ୍ତବ ସତ୍ୟ କ’ଣ ଆସନ୍ତୁ ଆଲୋଚନା କରିବା ।

ହିନ୍ଦୀ ନୁହେଁ ରାଷ୍ଟ୍ରଭାଷା:

ଭାରତ ସର୍ବ ଭାଷାଭାଷୀ ଏବଂ ସର୍ବ ଧର୍ମାବଲମ୍ବୀର ରାଷ୍ଟ୍ର । ଏହା ହେଉଛି ଭାରତର ବିଶେଷତ୍ୱ ।  ଏଭଳି ସ୍ଥିତିରେ କୌଣସି ଗୋଟିଏ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଯାଇନାହିଁ । ଭାରତର ଏକ ବଡ଼ ଅଂଶ ବିଶେଷରେ ହିନ୍ଦୀ ଭାଷାଭାଷୀ ଲୋକ ରୁହନ୍ତି ଏବଂ ଏହା ମଧ୍ୟ ସତ ଯେ ଅନ୍ୟ ଏକ ବଡ଼ ଅଂଶରେ ଲୋକ ନା ହିନ୍ଦୀ ବୁଝନ୍ତି ନା କୁହନ୍ତି । ଏହା ସହିତ ଗୋଟିଏ ଭାଷା ଶିଖିବା ପାଇଁ କାହାକୁ ମଧ୍ୟ ବାଧ୍ୟ କରାଯାଇନାହିଁ । ଏହା ଆମ ସମ୍ବିଧାନ ବାହରେ ।

୧୪ ସେପ୍ଟେମ୍ବର କାହିକି ପାଳିତ ହୁଏ  ହିନ୍ଦୀ ଦିବସ ?

ଯଦିଓ କୌଣସି ଭାଷା ରାଷ୍ଟ୍ରଭାଷା ନୁହେଁ ତଥାପି କାର୍ଯ୍ୟାଳୟ ମାନଙ୍କରେ କାମ ପାଇଁ ଗୋଟିଏ ଭାଷାକୁ ରାଜଭାଷା ଭାବରେ ମାନ୍ୟତା ଦିଆଯାଇଛି । ସମ୍ବିଧାନ ଭାଗ ୧୭ରେ ଏହା ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଉଲ୍ଲେଖ ରହିଛି । ୧୪ ସେପ୍ଟେମ୍ବର ୧୯୪୯ରେ ହିନ୍ଦୀକୁ ରାଜଭାଷା ବୋଲି ମାନ୍ୟତା ଦିଆଯାଇଥିଲା, କିନ୍ତୁ ରାଷ୍ଟ୍ରଭାଷା ନୁହେଁ । ସମ୍ବିଧାନ ଭାଗ ୧୭ରେ କୁହାଯାଇଛିଯେ  ଦେଶର ରାଜଭାଷା ହିନ୍ଦୀ ଏବଂ ଲିପି ଦେବନାଗରୀ । ତାହା ହେଉଛି ମାତୃଭାଷା ଯାହା ଆମେ ଜନ୍ମରୁ ଶିଖିଥାଉ ।

ଏପର୍ଯ୍ୟନ୍ତ ଦେଶରେ କୌଣସି ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଯାଇନାହିଁ ।  ସମସ୍ତ ଭାଷାକୁ ଗୋଟିଏ ଭଳି ସମ୍ମାନ ମିଳିଛି ।

ମସ୍କୋ ପରେ ୟୁକ୍ରେନରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍

କିଭ୍: ୟୁକ୍ରେନରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ । ମସ୍କୋ ପରେ କିଭ୍ ଗସ୍ତ କରିଛନ୍ତି ଗୁଟେରସ୍ । ଗୁଟେରସ୍ ଦୁଇ ଦିନିଆ  ଋଷ ଗସ୍ତ କରି ବୈଦେଶିକ ମନ୍ତ୍ରୀ ଲାବରଭ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟି ଯୁଦ୍ଧବିରତି ନେଇ ଆଲୋଚନା କରିଥିଲେ । ମାରିୟୁପୋଲର ଆଜୋଭଷ୍ଟଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ ପୁଟିନ ସହମତି ପ୍ରକାଶ କରିଛନ୍ତି । ଆଜି କିଭରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ଭେଟି ଆଲୋଚନା କରିବେ । ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସାଧାରଣ ଲୋକଙ୍କୁ ଉଦ୍ଧାର କରିବା ସହ ମାନବୀୟ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଆଲୋଚନା ଜାରି ରଖିଛୁ ବୋଲି ଗୁଟେରସ୍ ଟ୍ବିଟ କରି କହିଛନ୍ତି ।

ଗୁଟେରସଙ୍କ ଟିମ୍ ପୋଲାଣ୍ଡ ଦେଇ କିଭରେ ପହଞ୍ଚିଛନ୍ତି । ଜାତିସଂଘ ଓ ରେଡକ୍ରସ ପକ୍ଷରୁ ୟୁକ୍ରେନରେ ସାଧାରଣ ଲୋକଙ୍କୁ ଉଦ୍ଧାର ପାଇଁ କରାଯାଉଥିବା ବ୍ୟବସ୍ଥାକୁ ପୁଟିନ୍ ସ୍ବାଗତ କରିଛନ୍ତି । ସେପଟେ ଖେରସନ ସହରକୁ କବଜା କରିଛନ୍ତି ଋଷ ସୈନ୍ୟ । ଋଷ ସେନା ଏକ ଜେଲ ଶିବିର ପ୍ରସ୍ତୁତ କରିଥିବା ବେଳେ ସେଠାରେ ୟୁକ୍ରେନ କାର୍ଯ୍ୟକର୍ତ୍ତା ଓ ସୈନିକଙ୍କୁ ବନ୍ଧକ ରଖିଛି । ସେଠାରେ ଲୋକଙ୍କୁ ମାରପିଟ କରାଯିବା ସହ ନିର୍ଯାତନା ଦିଆଯାଉଥିବା ସୂଚନା ଦେଇଛି ୟୁକ୍ରେନର ପ୍ରତିରକ୍ଷା ଗୁଇନ୍ଦା । ୨୪ ମାର୍ଚ୍ଚରୁ ଖେରସନରେ ଘମାଘୋଟ ଯୁଦ୍ଧ ଜାରି ରହିଛି । ଲୋକମାନେ ଏବେବି ବେସମେଣ୍ଟ ଓ ବମ୍ ସେଲଟର ଭିତରେ ଆଶ୍ରୟ ନେଇଛନ୍ତି ।

ରାମ ଗୋପାଳ ବର୍ମା: ସାଉଥ୍‌ ଷ୍ଟାରଙ୍କୁ ଇର୍ଷା କରୁଛନ୍ତି ନର୍ଥ ଷ୍ଟାର

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ତାରକା କିଚ୍ଚା ସୁଦୀପ୍‌ ଏବଂ ଉତ୍ତର ଭାରତୀୟ ତାରକା ଅଜୟ ଦେବଗନଙ୍କ ମଧ୍ୟରେ ହିନ୍ଦୀ ଜାତୀୟ ଭାଷାକୁ ନେଇ ଶୀତଳ ଯୁଦ୍ଧ ଚାଲିଥିବାବେଳେ ନିଜକୁ ନିଜେ ଏହି ବିବାଦ ମଧ୍ୟରେ ପ୍ରବେଶ କରିଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଏହି ମାମଲାରେ ପ୍ରତିକ୍ରିୟା ଦେଇ ରାମ ଗୋପାଳ କହିଛନ୍ତିଯେ,  ଉତ୍ତର ଭାରତୀୟ ତାରକା ଦକ୍ଷିଣ ଭାରତୀୟ ତାରକାଙ୍କୁ ଜଳୁଛନ୍ତି, ଅର୍ଥାତ୍‌ ଇର୍ଷା କରୁଛନ୍ତି । ଏହି ମଧ୍ୟରେ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ ‘ରନ୍‌ ଓ୍ୱେ’କୁ ଟାର୍ଗେଟ୍‌ କରିଛନ୍ତି ରାମ ଗୋପାଳ । ସୂଚନାଯୋଗ୍ୟ, ରାମ ଗୋପାଳ ବର୍ମା ଅଧିକାଂଶ ସମୟରେ  ଫିଲ୍ମ ଦୁନିଆ ଏବଂ ଏହାକୁ ନେଇ ଘଟୁଥିବା ଘଟଣା ଉପରେ ନିଜର ମତ ରଖିଥାନ୍ତି ।

ନିକଟରେ କିଚ୍ଚା ସୁଦୀପ୍‌ ଏବଂ ଅଜୟ ଦେବଗନଙ୍କ ମଧ୍ୟରେ ହିନ୍ଦୀ ଜାତୀୟ ଭାଷାକୁ ନେଇ ବିବାଦ ଚାଲିଥିବାବେଳେ ରାମ ଗୋପାଳ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତିଯେ, ନର୍ଥ ଷ୍ଟାର ସାଉଥ୍‌ ଷ୍ଟାରଙ୍କୁ ଇର୍ଷା କରୁଛନ୍ତି । କାରଣ ଏକ କନ୍ନଡ଼ ଡବିଂ ଫିଲ୍ମ ଗୋଟିଏ ଦିନରେ ୫୦ କୋଟିର ଓପନିଂ କରିଛି । ତାହା ହେଉଛି KGF 2  । ଏବେ ଆମେ ସମସ୍ତ ହିନ୍ଦୀ ଫିଲ୍ମର ଓପନିଂ ଦେଖିବୁ । ରନ୍‌ ଓ୍ୱେ ପ୍ରମାଣିତ କରିବ କିଏ କେତେ ଭଲ ପ୍ରଦର୍ଶନ କରୁଛି ।

ଅନ୍ୟ ଏକ ଟ୍ୱିଟରେ ରାମ ଗୋପାଳ କହିଛନ୍ତିଯେ, ଭାରତ ଗୋଟିଏ । ଯଦି କେହି ମଧ୍ୟ ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତର ଭେଦଭାବ ନରଖନ୍ତେ ତେବେ ଭଲ ହୁଅନ୍ତା ।

ସୂଚନାଯୋଗ୍ୟ ଏକ ଇଭେଣ୍ଟରୁ ଆରମ୍ଭ ହେଲା ମାମଲା । ଯେଉଁଠାରେ କିଚ୍ଚା କହିଥିଲେ ହିନ୍ଦୀ ଏବେ ରାଷ୍ଟ୍ରୀୟ ଭାଷା ହୋଇ ନାହିଁ । ସେମାନେ ତେଲୁଗୁ ତାମିଲରୁ ଫିଲ୍ମ ଡବ୍‌ କରୁଛନ୍ତି, କିନ୍ତୁ ହୋଇପାରୁନାହିଁ । ଆମେ କିନ୍ତୁ ଏଭଳି ଫିଲ୍ମ ନିର୍ମାଣ କରୁଛୁ ଯାହାକୁ ପ୍ରତ୍ୟେକ ସ୍ଥାନରେ ଦେଖାଯାଉଛି ।  ଏହି କଥା କିନ୍ତୁ ଅଜୟଙ୍କୁ ପସନ୍ଦ ଆସିଲା ନାହିଁ । ସେ କହିଲେ ଯଦି ହିନ୍ଦୀ ରାଷ୍ଟ୍ର ଭାଷା ନୁହେଁ ତେବେ କାହିଁକି ଫିଲ୍ମକୁ ଡବ୍‌ କରି ହିନ୍ଦୀ ଭାଷାରେ ରିଲିଜ୍‌ କରୁଛ ?  ହିନ୍ଦୀ ଆମର ମାତୃଭାଷା ଏବଂ ରାଷ୍ଟ୍ରୀୟ ଭାଷା ଥିଲା, ଅଛି ଏବଂ ରହିବ । କିଚ୍ଚା ପ୍ରତ୍ତ୍ୟତରରେ ଲେଖିଲେ, ମୁଁ ଯେଉଁ ଉଦ୍ଦେଶ୍ୟରେ କହିଲି ଆପଣ ବୁଝିପାରିଲେ ନାହିଁ । ବ୍ୟକ୍ତିଗତ ଭାବରେ ସାକ୍ଷାତ ହେଲେ କହିବି ଏଭଳି କଥା କାହିଁକି କହିଥିଲି ।  ମୁଁ ଏବେ ଏହି ବିଷୟରେ ପୂର୍ଣ୍ଣଛେଦ ପକାଉଛି ।

ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି କଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ତ୍ବରାନ୍ବିତ ହେଲା ପ୍ରକ୍ରିୟା । ରାଜ୍ୟସଭା ନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ । ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ରିଟର୍ଣ୍ଣିଂ ଅଫିସର ଓ ଗଙ୍ଗାଧର ମଲ୍ଲିକଙ୍କୁ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ଦେଇଛନ୍ତି ନିର୍ବାଚନ କମିଶନ । ଜୁଲାଇ ସୁଦ୍ଧା ଶେଷ ହେବ ରାଜ୍ୟସଭା ନିର୍ବାଚନ । ସାଂସଦ ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କର କାର୍ଯ୍ୟକାଳ ଶେଷ ହେଉଛି । ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟ ୩ ଜୁନ୍ ୨୦୧୬ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେମାନଙ୍କ କାର୍ଯ୍ୟକାଳ ୨ ଜୁନ୍ ୨୦୨୨ରେ ଶେଷ ହେବ । ସେହିପରି ସସ୍ମିତ ପାତ୍ର ୨୮ ଜୁନ୍ ୨୦୧୯ରେ ରାଜ୍ୟସଭା ଯାଇଥିଲେ । ପ୍ରଥମେ ଏହି ଆସନରେ ବିଷ୍ଣୁ ଚରଣ ଦାସ ୩ ଜୁନ୍ ୨୦୧୬ରେ ନିର୍ବାଚିତ ହୋଇଥିଲେ । ଏହାପରେ ୧୮ ମେ ୨୦୧୭ରେ ତାଙ୍କ ସ୍ଥାନରେ ଯାଇଥିଲେ ପ୍ରତାପ କେଶରୀ ଦେବ । ତାଙ୍କ ପରେ ୨୮ ଜୁନ ୨୦୧୯ରେ ସସ୍ମିତ ପାତ୍ର ସେହି ଆସନକୁ ପୁନଃ ନିର୍ବାଚିତ ହୋଇଥିଲେ ।

ସ୍ଥିତି ଦେଖି ବଦଳିପାରେ ସ୍କୁଲ ଛୁଟି ସମୟ, ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: ସ୍ଥିତି ଦେଖି ବଦଳିପାରେ ସ୍କୁଲ ଛୁଟି ସମୟ । ଏପ୍ରିଲ ୩୦ ତାରିଖ ପରେ ଏସଆରସିଙ୍କ ପରାମର୍ଶରେ ନିଆଯିବ ଛୁଟି ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ହିଟଓ୍ବେଭ୍ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ କ୍ଲାସ ବନ୍ଦ ରଖାଯାଇଛି । ତେବେ ଆଉ ୩ ଦିନ ହିଟଓ୍ବେଭ୍ ବଢ଼ିବ ବୋଲି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଣୁ ଏପ୍ରିଲ ୩୦ ତାରିଖ ପରେ ସ୍ଥିତି ଦେଖି ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେବେ । ଅନ୍ୟପଟେ ଯେଉଁମାନେ ସ୍କୁଲ ଆସୁନାହାନ୍ତି ସେମାନଙ୍କ ପାଇଁ ଅନଲାଇନ କ୍ଲାସ ଚାଲିଛି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।