ପୁରୀ: ବାଜ୍ୟାପ୍ତି ହେବ ପୁରୀର ବ୍ରାଉନସୁଗାର ବେପାରୀ ଅନିରୁଦ୍ଧ ଜୟସିଂର ସମ୍ପତ୍ତି । ସମ୍ପତି ବାଜ୍ୟାପ୍ତି କରିବାକୁ ଅନୁମତି ଦେଇଛି SAFEMA । ଏନେଇ ସୂଚନା ଦେଇଛି ପୁରୀ ପୋଲିସ । ସୂଚନା ଅନୁସାରେ ଗତ ଜାନୁୟାରୀ ୭ ତାରିଖରେ ଅନିରୁଦ୍ଧ ଜୟସିଂକୁ ଗିରଫ କରିଥିଲା ପୁରୀ ପୋଲିସ । ପୁରୀ ବାସେଳୀସାହି ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାରରେ ସେ ସଂପୃକ୍ତ ଥିଲା । ଅନିରୁଦ୍ଧ ନିକଟରୁ ପାଖାପାଖି କୋଟିଏ ଟଙ୍କାର ସମ୍ପତି ଜବତ ହୋଇଥିଲା । ଅନିରୁଦ୍ଧ ଜୟସିଂର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ SAFEMA ନିକଟରେ ଆବେଦନ କରିଥିଲା ପୁରୀ ପୋଲିସ । ତେବେ ଅପରାଧୀର ସମ୍ପତ୍ତି ବାଜ୍ୟାପ୍ତି ପୁରୀ ଜିଲ୍ଲାରେ ପ୍ରଥମ ବୋଲି ଜଣାପଡ଼ିଛି ।
ଭିଜିଲାନ୍ସ ଜାଲରେ ଯାଜପୁର ଆରଏମସି ମାର୍କେଟ ସରକାର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
ଯାଜପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ଯାଜପୁର ନିୟନ୍ତ୍ରିତ ବଜାର କମିଟି ତଥା ଆରଏମସିର ମାର୍କେଟ ସରକାର ଗୟାଧର ସାହୁ । ଗୟାଧର ସାହୁଙ୍କ ବାସଭବନ ସହ ଯାଜପୁରର ୪ଟି ସ୍ଥାନରେ ଭିଜିଲାନ୍ସ ଚାଲିଛି ରେଡ୍ । ଯାଜପୁର ଚମ୍ପେଇପାଲରେ ଥିବା ଦୁଇ ମହଲା କୋଠା, ଯାଜପୁର ରାଉତରାପୁର ମୌଜାରେ ଥିବା ଦୁଇ ମହଲା କୋଠା ଓ ଏକ ମହଲା କୋଠାରେ ଚାଲିଛି ଚଢ଼ାଉ । ସେହିପରି ଯାଜପୁର ଟାଉନ ଥାନା ସନ୍ଥେଶ୍ବରପୁରରେ ଥିବା ଦୁଇ ମହଲା କୋଠା ସହ ଆରଏମସି କାର୍ଯ୍ୟାଳୟରେ ଚାଲିଛି ରେଡ୍ । ଗୟାଧରଙ୍କ ନାଁରେ ପୂର୍ବରୁ କୋର୍ଟରେ ଅଭିଯୋଗ ହୋଇଥିବା ବେଳେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭିଜିଲାନ୍ସ ରେଡ୍ ଜାରି ରହିଛି । ରେଡରେ ୩ ଜଣ ଡିଏସପି, ୬ ଇନସ୍ପେକ୍ଟର ସାମିଲ ହୋଇଛନ୍ତି ।
ଭିଜିଲାନ୍ସ ଜାଲରେ ପୂର୍ବତନ ଏଏସଆଇ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
ମାଲକାନଗିରି: ନିଲମ୍ବିତ ପୂର୍ବତନ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍ । ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ସମ୍ପତ୍ତି ଆକଳନ ପାଇଁ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ମାଲକାନଗିରି, ଜୟପୁର ଓ କୋରାପୁଟର ୫ଟି ସ୍ଥାନରେ ଚାଲିଛି ଚଢ଼ାଉ । ମାଲକାନଗିରି ସ୍ଥିତ ଭଡ଼ା ଘର, କୋରାପୁଟ ଏଲଆଇସି କଲୋନୀରେ ଥିବା ସମ୍ପର୍କୀୟଙ୍କ ଘର, କୋରାପୁଟ ଏଲଆଇସି କଲୋନୀରେ ଥିବା ସମ୍ପର୍କୀୟଙ୍କ ୩ ମହଲା କୋଠାରେ ଚଢ଼ାଉ ଚାଲିଛି । କୋରାପୁଟ ସୁନାବେଡ଼ା ଏଏଫ୍ କଲୋନୀରେ ଥିବା କ୍ବାର୍ଟର, ମେଘରାଜ କନଷ୍ଟ୍ରକ୍ସନ ସାଇଟରେ ଥିବା ଡୁପ୍ଲେକ୍ସରେ ଚାଲିଛି ରେଡ୍ । ଭିଜିଲାନ୍ସର ଏହି ଚଢ଼ାଉରେ ୩ ଡିଏସପି, ୫ ଇନ୍ସପେକ୍ଟର ଓ ଅନ୍ୟ ସଦସ୍ୟ ସାମିଲ ହୋଇଛନ୍ତି । କିଛିଦିନ ତଳେ ଗଞ୍ଜେଇ କାରବାରରେ ଗିରଫ ପରେ ନିଲମ୍ବିତ ହୋଇଥିଲେ ଜୟଦାସ ।
ଲଖିମପୁର ଖେରୀ ହିଂସା: ଶୁଣାଣି କରିଥିବା ବିଚାରପତି ନିଜକୁ ପ୍ରତ୍ୟାହାର କରିନେଲେ
ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସା ମାମଲାରେ ନୂଆ ମୋଡ଼ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ତଥା ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନର ଶୁଣାଣି କରୁଥିବା ବିଚାରପତି ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି । ପୂର୍ବରୁ ଆଶିଷ ମିଶ୍ରାଙ୍କୁ ଜାମିନ ପ୍ରଦାନ କରିଥିବା ବିଚାରପତି ଜଷ୍ଟିସ ରାଜୀବ ସିଂହ ଗତ ସପ୍ତାହରେ ସୁପ୍ରିମକୋର୍ଟ ତାଙ୍କ ଦ୍ବାରା ଦିଆଯାଇଥିବା ଜାମିନକୁ ବାତିଲ କରି ପୁଣି ଶୁଣାଣି କରିବାରୁ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି ଜଷ୍ଟିସ ସିଂହ । ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ବାତିଲ କରିବା ସମୟରେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କୁ ଜାମିନ ଆବେଦନର ନୂଆ ନିଷ୍ପତ୍ତି ନେବାକୁ କହିଥିଲେ ।
ଏହାପରେ ଜଷ୍ଟିସ ସିଂହଙ୍କ ବେଞ୍ଚକୁ ଜାମିନ ଆବେଦନ ଶୁଣାଣି ପାଇଁ ଆସିଥିଲା । କିନ୍ତୁ ସେ ଏହାକୁ ନୂତନ ଭାବରେ ଶୁଣିବାରୁ ନିଜକୁ ପ୍ରତ୍ୟାହାର କରି ନେଇଛନ୍ତି । ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ମଧ୍ୟ ନିର୍ଦ୍ଧାରିତ ହୋଇ ପାରି ନାହିଁ । ଏହି ଜାମିନ ଆବେଦନର ଶୁଣାଣି ପାଇଁ ଏକ ନୂତନ ବେଞ୍ଚ ଗଠନ ହେବା ପରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରାଯିବ । ଗତବର୍ଷ ଅକ୍ଟୋବରରେ ଲଖିମପୁର- ଖେରୀ ହିଂସା ମାମଲାରେ ଆଶିଷ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।

