ଆରମ୍ଭ ହେଲା ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭଲ, ଭାରତକୁ ଏଥର କଣ୍ଟ୍ରି ଅଫ ଅନରର ମାନ୍ୟତା

ପ୍ୟାରିସ: ବିଶ୍ବର ଅଗ୍ରଣୀ କାନ୍ସ ଫିଲ୍ମ ଫେଷ୍ଟିଭଲ ଆରମ୍ଭ ହୋଇଛି । ଏଥର କାନ୍ସ ଫିଲ୍ମ ଫେଷ୍ଟିଭଲର ୭୫ତମ ସଂସ୍କରଣ ଆୟୋଜିତ ହେଉଛି । ଫ୍ରେଞ୍ଚ ରିଭିଏରାରେ ଜମିଛି ସିନେ ସେଲିବ୍ରିଟିଙ୍କ ଭିଡ଼ । ଏଥର ଭାରତକୁ ଫେଷ୍ଟିଭଲର ସମ୍ମାନିତ ଦେଶର ମାନ୍ୟତା ମିଳିଛି । ଏହି ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୨୮ ତାରିଖରେ ଉଦଯାପିତ ହେବ । ଚଳିତ ଥର ଏହି ଚଳଚ୍ଚିତ୍ର ଉତ୍ସବରେ ଦୀପିକା ପାଦୁକୋନ କାନ୍ସ ଜୁରୀରେ ସ୍ଥାନ ପାଇଛନ୍ତି ।

ବ୍ରିଟିଶ ନିର୍ମାତା, ନିର୍ଦ୍ଦେଶକ ରେବେକା ହଲ୍, ସ୍ବିଡେନର ଅଭିନେତା ନୁମି ରାପେସ ଓ ଇରାନ ଫିଲ୍ମ ନିର୍ମାତା ଅସଘର ଫରହାଦି ମଧ୍ୟ ଜୁରୀ ସଦସ୍ୟ ଅଛନ୍ତି । କଂଟ୍ରି ଅଫ୍ ଅନରର ମାନ୍ୟତା ପାଇଥିବାରୁ ଏଥର ଫେଷ୍ଟିଭଲରେ ଭାରତୀୟ ସିନେମା ଉପରେ ଆଲୋକପାତ କରାଯିବ । ଏଥର କିଛି ଭାରତୀୟ ଫିଲ୍ମ ପ୍ରିମିୟର ମଧ୍ୟ ହେବ । ସତ୍ୟଜିତ ରାୟ ଓ ଜି. ଅରବିନ୍ଦନଙ୍କ ଭଳି କିଛି ଫିଲ୍ମ ମଧ୍ୟ ପ୍ରଦର୍ଶିତ ହେବ । ଏଥର କାନ୍ସରେ ଐଶ୍ବର୍ଯ୍ୟା ରାୟ, ତମନ୍ନା, ପୂଜା ହେଗଡେ ଓ ଅନ୍ୟ ଅଭିନେତ୍ରୀଙ୍କୁ ରେଡ୍ କାର୍ପେଟରେ ଦେଖିବାକୁ ମିଳିଛି ।