ତ୍ରୁଟିପୂର୍ଣ୍ଣ ଡିଜାଇନ୍ ଯୋଗୁଁ ଘଟୁଛି ଦୁର୍ଘଟଣା: ଇଞ୍ଜିନିୟର ପୁଣି ପଢ଼ିବେ ପାଠ

ଭୁବନେଶ୍ୱର: ପୁଣି ଥରେ ନିର୍ମାଣ କାମ ସଂକ୍ରାନ୍ତ ପାଠ ପଢିବେ ଯନ୍ତ୍ରୀ । ରାସ୍ତାର ଦୂରବସ୍ଥା ଓ ତ୍ରୁଟିପୂର୍ଣ୍ଣ ଡିଜାଇନ ଯୋଗୁ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ପୂର୍ତ୍ତ ବିଭାଗ ଓ ଏନଏଚଏଆଇ ଯନ୍ତ୍ରୀଙ୍କୁ ସଡ଼କ ସୁରକ୍ଷା ଟ୍ରେନିଂ ଦେବ ପରିବହନ ବିଭାଗ । ଏ ନେଇ ପରିବହନ ସଚିବ ବିଷ୍ଣୁପଦ ସେଠୀଙ୍କୁ ପରିବହନ କମିଶନର ଅରୁଣ ବୋଥ୍ରା ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବଢୁଥିବାବେଳେ ଏହା ଦୂର କରିବା ଲାଗି ସରକାର ନେଇଛନ୍ତି ପଦକ୍ଷେପ ।

ତ୍ରୁଟି ସୁଧାରିବାକୁ ଶେଷ ସୁଯୋଗ । ଆଉ ଚାଲିବନି ଭୁଲ ଡିଜାଇନିଂ । ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆସିଲାଣି ଯନ୍ତ୍ରୀମାନଙ୍କ ତ୍ରୁଟି । ଭୁଲ୍ ଡିଜାଇନ ଯୋଗୁ ଯେଉଁ ରାସ୍ତା ନିର୍ମାଣ କରିଥିଲେ, ସେଥିପାଇଁ ଦୁର୍ଘଟଣାରେ ଗଡ଼ୁଛି ମୁଣ୍ଡ । ଇଂଜିନିୟରିଂ ପଢ଼ିବା ପରେ ସେମାନେ ସରକାରୀ ଚାକିରି ପାଇଥିଲେ । ହେଲେ ଏବେ ପୁଣି ସେମାନେ ପଢିବେ । ଏକ ଏକ୍ସପର୍ଟ ସଂସ୍ଥା ଦ୍ୱାରା ପୂର୍ତ୍ତ ବିଭାଗ ଓ ଏନଏଚଏଆଇ ଯନ୍ତ୍ରୀଙ୍କୁ ସଡ଼କ ସୁରକ୍ଷା ଟ୍ରେନିଂ ଦେବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପରିବହନ ସଚିବ ବିଷ୍ଣୁପଦ ସେଠୀଙ୍କୁ ପରିବହନ କମିଶନର ଅରୁଣ ବୋଥ୍ରା ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ସବିଶେଷ ପ୍ଲାନ, ବ୍ୟୟ ଅଟକଳ ଓ ଟ୍ରେନିଂ ନେବାକୁ ଥିବା ଯନ୍ତ୍ରୀଙ୍କ ତଥ୍ୟ ପାଇବା ପରେ ପ୍ରଶିକ୍ଷଣ ଆରମ୍ଭ କରିବ ପରିବହନ ବିଭାଗ । ସେହିପରି ହୋମଗାର୍ଡ ଓ କନଷ୍ଟେବଳମାନଙ୍କୁ ଫାଷ୍ଟଏଡ୍ ଟ୍ରେନିଂ ବି ଦିଆଯିବ ।

ଗତ ବର୍ଷ ରାଜ୍ୟରେ ଦୁର୍ଘଟଣାରେ ଯାଇଥିଲା ୫ ହଜାର ୦୮୧ ଜୀବନ । ଏଥିରୁ ୩୦ ପ୍ରତିଶତ ମୃତ୍ୟୁର କାରଣ ଥିଲା ଖରାପ ରାସ୍ତା । ତେବେ ଭଲ ଡିଜାଇନ କରି ରାସ୍ତା ନିର୍ମାଣ ଯନ୍ତ୍ରୀଙ୍କ ମାନସିକତା ଉପରେ ନିର୍ଭର କରେ । ଯନ୍ତ୍ରୀଙ୍କୁ ଟ୍ରେନିଂ ସହ ନିୟମିତ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ପାଇଁ ହୋଇଛି ଦାବି । କ୍ରମବର୍ଦ୍ଧିଷ୍ଣୁ ଦୁର୍ଘଟଣା ନେଇ ବାରମ୍ବାର ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟି । ଏହାକୁ ଦୃଷ୍ଟିରେ ରଖି ରକ୍ଷକ କାର୍ଯ୍ୟକ୍ରମ ଜରିଆରେ ବ୍ଲାକ ସ୍ପଟ୍ ଅଞ୍ଚଳ ନିକଟରେ ରହୁଥିବା ଲୋକଙ୍କୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ତୁରନ୍ତ ସେବା କରିବାର ପ୍ରଶିକ୍ଷଣ ଦିଆଯାଉଛି ।