ନବକଳେବର ପରେ ଲୋକାର୍ପିତ ତାରାତାରିଣୀ ମନ୍ଦିର; ଶ୍ରୀମନ୍ଦିର କାର୍ଯ୍ୟରେ ବାଧା ନେଇ କ୍ଷୋଭ ପ୍ରକାଶ କଲେ ପିନାକୀ

1 min read

ପୁରୀ: ମାଆ ତାରାତାରିଣୀ ପୀଠରେ ବିଭିନ୍ନ ସୁବିଧାର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତି ପୀଠର ନୂଆ ରୂପ ସମସ୍ତ ଭକ୍ତଙ୍କୁ ଅଭିଭୂତ କରିଛି । ରାଜ୍ୟ ସରକାର ପ୍ରଚେଷ୍ଟାରେ ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନ ଗୁଡ଼ିକର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରେ ଚାଲିଥିବା ବେଳେ ପୁରୀ ଶ୍ରୀମନ୍ଦିର ବିକାଶ କାର୍ଯ୍ୟ ଦିଗରେ ସୃଷ୍ଟି ହୋଇଥିବା ବାଧା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ।

ଟ୍ୱିଟ୍ କରି ସେ ଲେଖିଛନ୍ତି ଯେ, ଯେଉଁମାନଙ୍କୁ ଲୋକେ ପ୍ରତ୍ୟାଖ୍ୟାତ କରିଛନ୍ତି ସେମାନେ ଯେଣତେଣ ପ୍ରକାରେ ଶ୍ରୀମନ୍ଦିର ବିକାଶ କାର୍ଯ୍ୟକୁ ବନ୍ଦ କରିବାକୁ ଚାହୁଁଛନ୍ତି । ସେମାନେ କୌଣସି ପ୍ରକାର ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ହେବେନାହିଁ ।

ଏହା ସହିତ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ଜିପିଏସ୍ ସର୍ଭେ ହୋଇନଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପିନାକୀ। ଏଏସଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏନେଇ ଉଲ୍ଲେଖ ହୋଇଛି। ରାଜ୍ୟ ସରକାରଙ୍କ ସତ୍ୟପାଠ ସବୁ ସନ୍ଦେହ ଦୂର କରିବ । ଏଥିପାଇଁ ଧୌର୍ଯ୍ୟ ଦରକାର, ବିଦ୍ୱେଷ ଭାବ ନୁହେଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମରେ ପ୍ରଥମ ଦିନରୁ ପ୍ରତିବନ୍ଧକ ସୃଷ୍ଟି କରାଯାଉଛି । ନିଜର ରାଜନୈତିକ ପତିଆରା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ବିରୋଧ କରାଯାଉଛି। ହାଇକୋର୍ଟରେ ଏହି ପ୍ରସଙ୍ଗ ବିଚାରାଧୀନ ରହିଛି । ସେ ଦୃଷ୍ଟିରୁ ବିଷଦ ଭାବେ କହିବା ଠିକ୍ ହେବନି ବୋଲି ପିନାକୀ କହିଛନ୍ତି ।     

ସେ ସ୍ପଷ୍ଟ କରିଛନ୍ତି ରାଜ୍ୟରେ ହେଉଥିବା କାର୍ଯ୍ୟ ସାଢ଼େ ୪କୋଟି ଜନତାଙ୍କ ହିତ ପାଇଁ । କିନ୍ତୁ ଶ୍ରୀମନ୍ଦିର ବିକାଶ କାର୍ଯ୍ୟର ପ୍ରଥମ ଦିନରୁ କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଏହାକୁ ବିରୋଧ କରିଆସୁଛନ୍ତି । ଏଭଳି ବ୍ୟକ୍ତିଙ୍କୁ ପାର୍ଟିରୁ ଊର୍ଦ୍ଧ୍ୱକୁ ଉଠି କାର୍ଯ୍ୟ କରିବାକୁ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପ୍ରତିଷ୍ଠା ହେଲା ମା’ ତାରାତାରିଣୀଙ୍କ ଭବ୍ୟ ମନ୍ଦିର, ଲୋକାର୍ପିତ ହେଲା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ବିଭିନ୍ନ ସୁବିଧା