ପୂର୍ବ ୟୁକ୍ରେନରେ ଋଷର ବଡ଼ ଧରଣର ଆକ୍ରମଣ, ୧୨ ମୃତ, ୪୦ରୁ ଅଧିକ ଆହତ

1 min read

କିଭ୍: ୟୁକ୍ରେନ ବିରୋଧରେ ଋଷର ପୁଣି ବଡ଼ ଧରଣର ଆକ୍ରମଣ । ପୂର୍ବ ୟୁକ୍ରେନର ସେବେରୋ ଦୋନେସ୍କରେ ଗୋଳା ବର୍ଷଣ ଯୋଗୁ ୧୨ ଜଣ ପ୍ରାଣ ହରାଇଥିବା ବେଳେ ଆହତ ହୋଇଛନ୍ତି ୪୦ ଜଣ । ଏହାସହ ଦୋନବାସରେ ଋଷ ସୈନ୍ୟ ଅଗ୍ରସର ହେଉଥିବା ସୂଚନା ମିଳିଛି । ଅନେକ ଜନବସତି ଉପରେ ଏୟାର ଷ୍ଟ୍ରାଇକ ହେଉଥିବା ନେଇ ଅଭିଯୋଗ କରିଛି ୟୁକ୍ରେନ । ଶିଳ୍ପଭିତ୍ତିକ ସହର ଦୋନବାସକୁ ଋଷ ସମ୍ପୂର୍ଣ୍ଣ ଧ୍ବଂସ କରିଦେଲାଣି ବୋଲି ଦାବି କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ସେପଟେ ୟୁକ୍ରେନକୁ ଆଉ ୪୦ ବିଲିୟନ ଡଲାରର ପ୍ୟାକେଜ ଘୋଷଣା କରିଛି ଆମେରିକା । ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ଆମେରିକା କଂଗ୍ରେସ । ଋଷ-ୟୁକ୍ରେନ ମଧ୍ୟରେ ଦୀର୍ଘ ଯୁଦ୍ଧ ଚାଲିବ ବୋଲି କହିଛି ପେଣ୍ଟାଗନ । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଖାରକିଭକୁ ୟୁକ୍ରେନ ସୈନ୍ୟ ନିଜ କବଜାକୁ ନେଇଛନ୍ତି । ଋଷକୁ ୟୁକ୍ରେନ ମାଟିରୁ ହଟାଇବା ଲାଗି ଆମେରିକା ସମସ୍ତ ପ୍ରକାର ସହଯୋଗ କରିବ । ସେ କହିଛନ୍ତି ଯୁଦ୍ଧରେ ଋଷ ପଛକୁ ହଟିବାରେ ଲାଗିଛି ଏବଂ ଅନେକ ସ୍ଥାନରେ ଆଗେଇବାକୁ ସକ୍ଷମ ହୋଇପାରୁନାହିଁ । ତଥାପି ଦୋନବାସ ଓ ମିକୋଲେଭରେ ଋଷ ସୈନ୍ୟ କଡା ଟକ୍କର ଦେଉଛନ୍ତି ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନାଟୋରେ ଫିନଲାଣ୍ଡ ଓ ସ୍ୱିଡେନର ମିଶ୍ରଣ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କଜ । ସେ କହିଛନ୍ତି ଏହା ଦ୍ୱାରା ନାଟୋର ଶକ୍ତି ବୃଦ୍ଧି ହେବ । ଏହି ଦୁଇ ରାଷ୍ଟ୍ରଙ୍କୁ ତୁରନ୍ତ ନାଟୋରେ ସାମିଲ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେହିପରି ଯୁଦ୍ଧକୁ ନେଇ ପ୍ରସାରିତ କେତେକ ତ୍ରୁଟିଯୁକ୍ତ ସୂଚନାକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନେଇଛି ଟ୍ୱିଟର । ଏହି ଧରଣର କେତେକ ଖବର ଉପରେ ଓ୍ବାର୍ଣ୍ଣିଂ ନୋଟିସ ଉଲ୍ଲେଖ କରାଯିବ ବୋଲି ଟ୍ବିଟର କହିଛି ।