୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଏନେଇ ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରଚଣ୍ଡ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବିଶେଷ କରି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଞ୍ଜାମ, କଟକ ଏବଂ ଜଗତସିଂହପୁରରେ କାଳବୈଶାଖୀ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି ।

ଏହି କାଳବୈଶାଖୀ ବର୍ଷା ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । କାଳବୈଶାଖୀ ପାଇଁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୧, ୨୨ ଏବଂ ୨୩ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଫେରିବ । ବିଶେଷ କରି ବଲାଙ୍ଗୀର, ଝାରସୁଗୁଡା, ବୌଦ୍ଧ, ସୋନପୁର, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜରେ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବ ।