ଆଜି ଆତ୍ମସମର୍ପଣ କରିପାରନ୍ତି ନବଜୋତ ସିଂ ସିଦ୍ଧୁ, ବର୍ଷେ ଜେଲ ଆଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ

1 min read

ଚଣ୍ଡିଗଡ଼: ଆଜି ଆତ୍ମସମର୍ପଣ କରିପାରନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ୩୪ ବର୍ଷ ତଳର ରୋଡରେଜ ମାମଲାରେ ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ପରେ ଆଜି ଆତ୍ମସମର୍ପଣ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ରାୟକୁ ସମ୍ମାନ ଜଣାଇବେ ବୋଲି ସେ ଗତକାଲି କହିଥିଲେ । ସେପଟେ ରିଭ୍ୟୁ ପିଟିସନ ଦାଖଲ ଲାଗି ସୁପ୍ରିମକୋର୍ଟ ବିକଳ୍ପ ରଖିଛନ୍ତି । ବିନା ଉଦ୍ଦେଶ୍ୟରେ ହତ୍ୟା ମାମଲାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବାବେଳେ ସୁପ୍ରିମକୋର୍ଟ ତାଙ୍କୁ ଏହି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଥିଲେ । କିନ୍ତୁ ତାଙ୍କୁ ୧୦୦୦ ଟଙ୍କା ଜରିମାନା କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

୨୭ ଡିସେମ୍ବର ୧୯୮୮ରେ ଏହି ବିବାଦ ପଟିଆଲାରେ ଘଟିଥିଲା, ଯେତେବେଳେ ସିଦ୍ଧୁ ରାସ୍ତା ମଝିରେ ତାଙ୍କ ଜିପ୍ସୀ ଗାଡ଼ିକୁ ପାର୍କ କରିଥିଲେ । ଯେତେବେଳେ ପୀଡିତ ଏବଂ ଅନ୍ୟ ଦୁଇଜଣ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଉଥିଲେ, ସେମାନେ ରାସ୍ତାରେ ଥିବା ଜିପ୍ସୀକୁ ଦେଖି ସିଦ୍ଧୁଙ୍କୁ ହଟାଇବାକୁ କହିଥିଲେ। ଏହି କାରଣରୁ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ପୋଲିସ ଅଭିଯୋଗ କରିଥିଲା ଯେ ଏହି ସମୟ ମଧ୍ୟରେ ସିଦ୍ଧୁ ରାଗିଯାଇ ପୀଡିତଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ । ଏହା ପରେ ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।