ଲାଲୁ ଯାଦବଙ୍କ ପାଇଁ ପୁଣି ବଢ଼ିଲା ଅଡୁଆ, ନିଯୁକ୍ତିରେ ଅନିୟମିତତା ମାମଲାରେ ସିବିଆଇ ରେଡ୍

1 min read

ପାଟନା: ବୁଲୁଛି ସିବିଆଇ ଖଣ୍ଡା । ଚିଦାମ୍ବରମ୍‌ ବାପା-ପୁଅଙ୍କ ଘରେ ସିବିଆଇ ରେଡ୍ ପରେ ଏବେ ଲାଲୁଙ୍କ ପାଳି । ପୁଣି ଅଡୁଆରେ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ନିଯୁକ୍ତିରେ ଅନିୟମିତତା ମାମଲାରେ ଲାଲୁ ଯାଦବଙ୍କ ଘରେ ରେଡ୍ କରୁଛି ସିବିଆଇ । ପାଟନାସ୍ଥିତ ବାସଭବନରେ ପତ୍ନୀ ରାବଡି ଦେବୀଙ୍କୁ ପଚରାଉଚରା କରୁଛି ସିବିଆଇ । ମୋଟ୍ ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ସିବିଆଇ ।

ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ଝିଅଙ୍କ ନାଁରେ ରହିଛି ଏହି ଦୁର୍ନୀତି ମାମଲା । ବିହାରର ମୁଖ୍ୟମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ଦେବା ନାଁରେ ଜମିବାଡ଼ି ଓ ଫ୍ଲାଟ୍‌ ଠକି ନେଇଥିବା ଅଭିଯୋଗ ରହିଛି । ବିହାର ଓ ଦିଲ୍ଲୀ ସ୍ଥିତ ୧୫ଟି ସ୍ଥାନରେ ଚାଲିଛି ଖୋଳତାଡ଼ । ୭୩ ବର୍ଷୀୟ ଭେଟେରାନ ରାଜନେତା ଲାଲୁ ପ୍ରସାଦ ଯାଦବଙ୍କୁ କିଛି ଦିନ ତଳେ ଚାରା ଦୁର୍ନୀତି ମାମଲାରେ ଜାମିନ୍ ମିଳିଥିଲା । କେବଳ ସେତିକି ନୁହେଁ ମାସେ ପୂର୍ବରୁ ଦୋରନ୍ଦା ଟ୍ରେଜେରୀ ଦୁର୍ନୀତି ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ବେଲ୍ ପରେ ଜେଲରୁ ମୁକୁଳିଥିଲେ ଲାଲୁ ଯାଦବ ।