spot_img
Home Blog Page 4442

ଘରୋଇ ହସ୍ପିଟାଲ କାନ୍ଥରୁ ନର୍ସଙ୍କୁ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ଲକ୍ଷ୍ନୌ: ଉତ୍ତରପ୍ରଦେଶେ ଉନ୍ନାଓରେ ଲୋମହର୍ଷକ ଘଟଣା । ଏକ ଘରୋଇ ହସ୍ପିଟାଲ କାନ୍ଥରୁ ନର୍ସଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ନର୍ସ ଭାବେ ଯୋଗଦେବାର ପ୍ରଥମ ଦିନରେ ହିଁ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି ବୋଲି ପରିବାର ଆଣିଛନ୍ତି ଅଭିଯୋଗ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ହସ୍ପିଟାଲ ମାଲିକଙ୍କ ସମେତ ୩ ଜଣ ଅଭିଯୁକ୍ତ ଥିବା ସୂଚନା ମିଳିଛି । ବରିଷ୍ଠ ପୋଲିସ ଅଫିସର ଶଶୀ ଶେଖର ସିଂ କହିଛନ୍ତି- ପୋଷ୍ଟ ମର୍ଟମ ରିପୋର୍ଟରୁ ଦୁଷ୍କର୍ମ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଘଟଣାର ତଦନ୍ତ ଜାରି ରହିଛି ।

ଏହି ଲୋମହର୍ଷଣକାରୀ ଘଟଣା ଉନ୍ନାଓର ନ୍ୟୁ ଜୀବନ ହସ୍ପିଟାଲରେ ଘଟିଛି । ଗତ ଶୁକ୍ରବାର ଏହି ହସ୍ପିଟାଲରେ ନର୍ସଜଣଙ୍କ ଯୋଗଦେଇଥିଲେ ଏବଂ ପରଦିନ ସକାଳେ ତାଙ୍କ ମୃତଦେହ ଠାବ ହୋଇଥିଲା । ୫ ଦିନ ପୂର୍ବରୁ ଏହି ହସ୍ପିଟାଲ ଖୋଲିଥିଲା । ପୂର୍ବରୁ ଦୁଷ୍କର୍ମ ଘଟଣାରେ ଉନ୍ନାଓ ସାରା ଦେଶରେ ଚର୍ଚ୍ଚିତ ଥିଲା । ୨୦୧୭ରେ ଜଣେ ନାବାଳିକାକୁ ବଳାତ୍କାର ଘଟଣାରେ ବିଜେପି ବିଧାୟକ କୁଳଦୀପ ସେଙ୍ଗାରଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା । ସେହିପରି ଗତ ଅଗଷ୍ଟ ୨୦୧୯ରେ ଜଣେ ବାଳିକା ଓ ତାଙ୍କ ମା’ ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବି ଗଣଦୁଷ୍କର୍ମ ଅଭିଯୋଗ ନେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଡିସେମ୍ବର ୨୦୧୯ରେ ଦୁଷ୍କର୍ମ ଅଭିଯୋଗ କ୍ରମେ ଜଣେ ୨୩ ବର୍ଷ ବୟସ୍କା ମହିଳା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ ।

ପ୍ରି-ଆକ୍ଟିଭେଟ ସିମରେ ଠକେଇ ଘଟଣାରେ ତନାଘନା, ଢ଼େଙ୍କାନାଳରୁ ୩ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

କଟକ: ପ୍ରି-ଆକ୍ଟିଭେଟ ସିମ୍ ଜରିଆରେ ଠକେଇ ଘଟଣାରେ ତନାଘନା । ୩ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଢ଼େଙ୍କାନାଳରୁ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଗିରଫ ଅଭିଯୁକ୍ତ ହେଲେ ସାଇ ପ୍ରକାଶ ଦାସ, ଅବିନାଶ ନାୟକ, ଦୁଷ୍ମନ୍ତ କୁମାର । ଏହା ସହ ସେମାନଙ୍କଠାରୁ ୧୯ ହଜାର ୬୪୧ ସିମ୍ କାର୍ଡ ସହ ୧୪ ଲକ୍ଷ ୩୨ ହଜାର ଟଙ୍କା ଜବତ ହୋଇଛି । ବିଭିନ୍ନ କମ୍ପାନୀର ପ୍ରି-ଆକ୍ଟିଭେଟ୍ ସିମ୍ ସହ ୪୮ଟି ମୋବାଇଲ ଜବତ କରିଛି କ୍ରାଇମବ୍ରାଞ୍ଚ ।

ସୋସିଆଲ ମିଡିଆରେ ବାୟର ସେଲର ଗ୍ରୁପରେ ସିମ୍ ବିକୁଥିଲେ ଏହି ଅଭିଯୁକ୍ତ । ତେବେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

 

ବଲାଙ୍ଗୀର ଲୋଇସିଂହାରେ ମାତିଲେ ଦୁର୍ବୃତ୍ତ, ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକ ମୃତ, ଜଣେ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଲୋଇସିଂହାରେ ସଂଘବଦ୍ଧ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ଏହି ଆକ୍ରମଣରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ସରୋଜଙ୍କୁ ବଲାଙ୍ଗୀର ମେଡିକାଲରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି I ମୃତକ ହେଲେ ଜଡ଼ାମୁଣ୍ଡାର ବସ୍ତିର ରୂପକ ହନୁମାନ । ଏହି ଘଟଣା ପରେ ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରୂପକ ଓ ସରୋଜଙ୍କୁ କିଛି ଯୁବକ ମାରଣାସ୍ତ୍ର ଧରି ହସ୍ପିଟାଲ ଛକରୁ ଗୋଡ଼େଇ ଗୋଡ଼େଇ ହାଣିଥିଲେ । ଜୀବନ ବଞ୍ଚାଇବାକୁ ଯାଇ ଉଭୟ ହସ୍ପିଟାଲ ପରିସରକୁ ପଶି ଯାଇଥିଲେ । ହେଲେ ଆକ୍ରମଣକାରୀ ହସ୍ପିଟାଲ ପରିସରରେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ । ଲୋଇସିଂହା ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଅଟକ ରଖିଛି । ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଛି ବଲାଙ୍ଗୀର ପୋଲିସ ।

ଭୁବନେଶ୍ବରରେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ । ଭୁବନେଶ୍ୱରରେ ସିକ୍ୟୁରିଟି ଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ। ଅଶୋକ ନଗରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସକ୍ୟୁରିଟି ଗାର୍ଡଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତବରଣ କରିଥିବା ସିକ୍ୟୁରିଟି ଗାର୍ଡଙ୍କ ନାଁ ହେଉଛି ସନ୍ତୋଷ ରାଉତ । ସନ୍ତୋଷ ରାଉତଙ୍କ ଘର ଯାଜପୁର ଜିଲ୍ଲା ଛଚିନାରେ । ସେ ଭୁବନେଶ୍ବରର ଅଶୋକ ନଗରରେ ଥିବା ବସୁଧା ଟ୍ରେଡ ସେଣ୍ଟରରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ । ସନ୍ତୋଷଙ୍କୁ ହତ୍ୟା ନେଇ ସନ୍ଦେହ କରାଯାଉଥିବା ବେଳେ, କ୍ୟାପିଟାଲ ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

ମଦ ପାଇଁ ନୃଶଂସ ପାଲଟିଲା ବାପା, ୩ ଛୁଆଙ୍କୁ ହତ୍ୟା କରି କୂଅରେ ଫିଙ୍ଗିଦେଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । ମଦ ପାଇଁ ସବୁ ସୀମା ଟପିଗଲା ଜନ୍ମକଲା ବାପା । ନିଜ ଜନ୍ମ କଲା ଛୁଆଙ୍କୁ କୂଅରେ ଫିଙ୍ଗିଦେଲା ନୃଶଂସ ବାପା । । ମୃତ ୩ ଶିଶୁଙ୍କ ବୟସ ଯଥାକ୍ରମେ- ୫ ବର୍ଷ, ୨.୫ ବର୍ଷ, ୩ ବର୍ଷ ବୋଲି ସୂଚନା ରହିଛି । ମାଆର ଅଭିଯୋଗ ଆଧାରରେ ଅଭିଯୁକ୍ତ ବାପାକୁ ଗିରଫ କରିଛି କୋଇଡ଼ା ପୋଲିସ । ଏଥିସହ ଏହି ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ । ଅଗ୍ନିଶମ ବାହିନୀ କୂଅରୁ ସମସ୍ତ ୩ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି।

ୟୁକ୍ରେନର ୧୭ଟି ସାମରିକ ସ୍ଥଳ ଉପରେ ଋଷର ଏୟାରଷ୍ଟ୍ରାଇକ, ୨୦୦ରୁ ଅଧିକ ସୈନ୍ୟ ନିହତ

କିଭ୍: ୟୁକ୍ରେନର ୧୭ଟି ସାମରିକ ସ୍ଥଳ ଉପରେ ଋଷର ଜୋରଦାର ଏୟାରଷ୍ଟ୍ରାଇକ୍ । ୨୦୦ରୁ ଅଧିକ ୟୁକ୍ରେନୀୟ ସୈନ୍ୟ ନିହତ । ନିର୍ଦ୍ଦିଷ୍ଟ ଲକ୍ଷ୍ୟସ୍ଥଳକୁ ହିଟ୍ କରିପାରୁଥିବା ଶକ୍ତିଶାଳୀ ରକେଟ ଆକ୍ରମଣରେ କମାଣ୍ଡ ପୋଷ୍ଟ, ଏକ ପଣ୍ୟାଗାର ଧ୍ୱଂସ ହେବା ସହ ଅନେକ ସାମରିକ ଭିତ୍ତିଭୂମି ଧ୍ୱଂସ ହୋଇଛି । ଯୁଦ୍ଧକୁ ୬୭ ଦିନ ପୂରିଥିବା ବେଳେ ଏହି ଏୟାରଷ୍ଟ୍ରାଇକ ଯୋଗୁ ୨୩ଟି ସାଞ୍ଜୁଆ ଯାନ ବି ନଷ୍ଟ ହୋଇଛି । ଏହା ସହ ଓଡ଼େଶା ବିମାନବନ୍ଦରରେ ମଧ୍ୟ ଆକ୍ରମଣ ହୋଇଛି ।

ଅନ୍ୟପଟେ ପୋର୍ଟସିଟି ମାରିୟୁପୋଲରେ ସଂଘର୍ଷ ଜାରି ରହିଛି । ଅତ୍ୟନ୍ତ ସଙ୍କଟଜନକ ଅବସ୍ଥାରେ ଫସି ରହିଥିବା ୨୦ ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ଜାପୋରଝିଆ ସହରକୁ ସ୍ଥାନାନ୍ତର କରାଯାଇଛି । ଆଜୋଭସ୍ତଲ ଷ୍ଟିଲ ପ୍ଲାଣ୍ଟରେ ରହିଥିବା ୟୁକ୍ରେନୀୟ ସୈନ୍ୟମାନେ ଋଷ ସୈନ୍ୟଙ୍କୁ କଡ଼ା ଟକ୍କର ଦେଉଛନ୍ତି । ସେଠାରେ ଅନେକ ୟୁକ୍ରେନୀୟ ନାଗରିକ ଆଶ୍ରୟ ନେଇଥିବାରୁ ତାହା ଉପରେ ଏୟାର ଷ୍ଟ୍ରାଇକ କରିବା ସମ୍ଭବ ହୋଇନାହିଁ ।

ସେପଟେ ମାରିୟୁପୋଲରେ ଫସିଥିବା ହଜାର ହଜାର ଲୋକଙ୍କୁ ତୁରନ୍ତ ଉଦ୍ଧାର ପ୍ରକ୍ରିୟାରେ ନିୟୋଜିତ ହୋଇଛି ଜାତିସଂଘର ଏକ ସ୍ୱତନ୍ତ୍ର ଟିମ୍ । ବୁଚା ସହର ନିକଟବର୍ତ୍ତୀ ଅଞ୍ଚଳରେ ହାତବନ୍ଧା ଅବସ୍ଥାରେ ୩ଟି ଶବକୁ ଠାବ କରାଯାଇଛି । ସେପଟେ ୟୁକ୍ରେନରେ ଯୁଦ୍ଧ ନ କରି ପ୍ରଥମେ ଜୀବନ ରକ୍ଷା କରନ୍ତୁ ବୋଲି ଋଷ ସୈନ୍ୟଙ୍କୁ ଆହ୍ୱାନ ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଆଗକୁ ଯୁଦ୍ଧ ଭୟଙ୍କର ହେବ ଏବଂ ହଜାର ହଜାର ଋଷ ସୈନ୍ୟ ପ୍ରାଣ ହରାଇବା ଆଶଙ୍କା ରହିଛି ବୋଲି କହିଛନ୍ତି ଜେଲେନସ୍କି ।

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଜେପି ବିଧାୟକ

ଭୁବନେଶ୍ୱର: ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଜେପି ବିଧାୟକ । ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଗିରଫ । ବିଜେପି ବିଧାୟକଙ୍କ ସହ ତାଙ୍କର ୩ ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଭୁବନେଶ୍ୱରରୁ ଗିରଫ କଲା ଦେବଗଡ଼ ପୋଲିସର ସ୍ୱତନ୍ତ୍ର ଟିମ୍ । ଦେବଗଡ଼ ଜିଲ୍ଲା ତିଳେଇବଣିରେ ବିଡିଓଙ୍କୁ ଆକ୍ରମଣ ଅଭିଯୋଗରେ ଗିରଫ ହେଲେ ବିଜେପି ବିଧାୟକ ।

ସୂଚନା ଅନୁସାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ଼ ଜିଲ୍ଲା ତିଳେଇବଣି ବିଡିଓଙ୍କୁ ଆକ୍ରମଣ କରିଥିଲେ । ବିଡିଓ ଫିଲ୍ଡ ଭିଜିଟ କରିବାକୁ ଯାଇଥିବାବେଳେ ଆକ୍ରମଣ କରିଥିଲେ ବିଧାୟକ । ସେହି ସମୟରେ ବିଡିଓଙ୍କ ସହ ତହସିଲଦାର ଓ ଜିଆରଏସ୍ ଉପସ୍ଥିତ ଥିଲେ । ଭାଲିଆଗୁଡ଼ି ଗାଁରେ ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସହ ତାଙ୍କ ସହଯୋଗୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ୧୦ରୁ ଅଧିକ ବିଜେପି କର୍ମୀଙ୍କ ଆକ୍ରମଣରେ ବିଡିଓ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ପ୍ରାଥମିକ ଚିକିତ୍ସା ପରେ ବିଡିଓ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ସହିତ ଥାନାରେ ଏନେଇ ଅଭିଯୋଗ କରିଥିଲେ । ଆକ୍ରମଣକୁ ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନନେଲେ ଆନ୍ଦୋଳନ ପାଇଁ ଜିଲ୍ଲା ଓଏଏସ ସଂଘ ଚେତାବନୀ ଦେଇଥିଲା । ବିଜେପି ବିଧାୟକଙ୍କ ଏଭଳି ଗୁଣ୍ଡାଗିରିକୁ ସବୁଠି ନିନ୍ଦା କରାଯାଇଥିଲା ।

 

ରାତି ୨ଟାରେ କବାଟ ଭାଙ୍ଗି ବ୍ୟକ୍ତିଙ୍କୁ ଉଠାଇ ଆଣିଲା ପୋଲିସ, ମାରିଲା ନିସ୍ତୁକ ମାଡ଼

ଭଦ୍ରକ: ରାତି ଅଧରେ ଭଦ୍ରକ ଜିଲ୍ଲା ଆଗରପଡ଼ା ପୋଲିସର ଦବଙ୍ଗଗିରି । ରାତି ୨ଟାରେ କବାଟ ଭାଙ୍ଗି ଜଣେ ବ୍ୟକ୍ତିଙ୍କୁ ଉଠାଇ ନେଇ ବିଲ ମଝିରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ । କ୍ଷତାକ୍ତ ଅବସ୍ଥାରେ ସିମୁଳିଆ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଆଗରପଡ଼ା ପୋଲିସ ନାଁରେ ସିମୁଳିଆ ଥାନାରେ ଅଭିଯୋଗ କରିଛନ୍ତି ଆହତ କାଳନ୍ଦୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତରା ପଞ୍ଚାୟତ ନୂଆ ଗାଁର କାଳନ୍ଦୀ ଜେନାଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅନ୍ୟ ଜଣେ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଖୋଜିବା ଆଳରେ କାଳନ୍ଦୀ ଜେନାଙ୍କୁ ତାଙ୍କ ଶ୍ବଶୁର ଘର ଦେଖାଇବାକୁ କହି ଘରୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ । ଏହାସହ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିବା ନେଇ ଅଭିଯୋଗ କରିଛନ୍ତି କାଳନ୍ଦୀ । କାଳନ୍ଦୀଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଅଶ୍ଳୀଳ ଭାଷାରେ ପୋଲିସ ଗାଳି ଗୁଲଜ କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି ।

ଅନ୍ତର୍ଜାତୀୟ ଶ୍ରମିକ ଦିବସରେ ଆରମ୍ଭ ହେଲା ଶ୍ରମିକଙ୍କ ପାଇଁ ନୂତନ ପ୍ରଯୁକ୍ତି ସେବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଶ୍ରମ ଓ କମର୍ଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ମେ’ ୧ ତାରିଖରେ ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଶ୍ରମିକ ଦିବସ ଭୁବନେଶ୍ଵରସ୍ଥିତ ଜୟଦେବ ଭବନରେ ପାଳିତ ହୋଇଯାଇଛି । ଏହି ସମାରୋହକୁ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ ।

ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ରାଜ୍ୟରେ କାର୍ଯ୍ୟରତ ଶ୍ରମିକମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ନିମନ୍ତେ ନିରନ୍ତର ଭାବେ କାର୍ଯ୍ୟ କରୁଛି । ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଗଠନ କରାଯାଇ ଅଦ୍ୟାବଧୂ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ନିର୍ମାଣ ଶ୍ରମିକଙ୍କୁ ଏହି ବୋର୍ଡ ଅଧୀନରେ ପଞ୍ଜିକୃତ କରାଯାଇ ମୋଟ ୨୬୬୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପଞ୍ଜିକୃତ ନିର୍ମାଣ ଶ୍ରମିକ ତଥା ସେମାନଙ୍କ ପରିବାରଙ୍କୁ ଶିକ୍ଷାବୃତ୍ତି, ବିବାହ, ପ୍ରସୂତି, ମୃତ୍ୟୁ, ଅନ୍ତେଷ୍ଟିକ୍ରିୟା ସକାଶେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଏହି ‘କଲ୍ୟାଣ ବୋର୍ଡ଼ ମାଧ୍ୟମରେ ‘ ନିର୍ମାଣ ଶ୍ରମିକ ପକ୍କାଘର ଯୋଜନା’, ‘ନିର୍ମାଣ ଶ୍ରମିକ ପେନସନ୍ ଯୋଜନା’, ସରକାରୀ ଆଇ.ଟି.ଆଇ ଓ ଡିପ୍ଲୋମା ଅନୁଷ୍ଠାନରେ ଶିକ୍ଷା ନିମନ୍ତେ ‘ ନିର୍ମାଣ କୁସୁମ ଯୋଜନା’  କାର୍ଯ୍ୟକାରୀ କରାଯାଉଛି ।

ସେହିପରି ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ‘ଓଡ଼ିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ’ ଗଠନ କରାଯାଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ପ୍ରବାସୀ ଶ୍ରମିକମାନଙ୍କର ସୁରକ୍ଷା ପାଇଁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବା ସହ ରାଜ୍ୟର ୪ଟି ପ୍ରବାସୀ ଶ୍ରମିକ ପ୍ରବଣ ଜିଲ୍ଲା ଯଥା – ବଲାଙ୍ଗୀର, ବରଗଡ଼, କଳାହାଣ୍ଡି ଓ ନୂଆପଡ଼ାର ୪୭୭ ଗୋଟି ପଂଚାୟତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପ୍ୟାକେଜ୍ କାର୍ଯ୍ୟକାରୀ ହେଉଛି ।

ରାଜ୍ୟ ସରକାରଙ୍କ 5T ଉପକ୍ରମରେ PAReSHRAM portal କାର୍ଯ୍ୟକାରୀ କରାଯାଇ ୫୨ଟି ବିଭିନ୍ନ ସେବା ଅନଲାଇନ୍‌ ମାଧ୍ୟମରେ ଯୋଗାଇ ଦିଆଯାଉଅଛି । ଯାହା ରାଜ୍ୟରେ ବ୍ୟବସାୟ ସରଳୀକରଣ ଦିଗରେ ସହାୟକ ହେବା ସହ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସ୍ଵଚ୍ଛତାର ସହ ସେବା ଯୋଗାଇ ପାରିଛି । ଅଦ୍ୟାବଧୂ, ଏହି ପୋର୍ଟାଲ ମାଧ୍ୟମରେ ୧୬,୫୦୦ରୁ ଉର୍ଦ୍ଧ୍ବ ସେବା ପ୍ରଦାନ କରାଯାଇଛି ।

ଆଜିର ଏହି ସମାରୋହରେ ମୁଖ୍ୟଅତିଥି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ନୂତନ ଅନ୍‌ଲାଇନ୍ ପୋର୍ଟାଲ (https:\\nirmanshramik.odisha.gov.in)କୁ ଲୋକାର୍ପଣ କରି କହିଥିଲେ ଯେ ଏହି ବ୍ୟବସ୍ଥା ଦ୍ଵାରା ନିର୍ମାଣ ଶ୍ରମିକମାନଙ୍କୁ ପଞ୍ଜିକରଣ, ନବୀକରଣ ଓ ସହାୟତା ଆବେଦନ ନିମନ୍ତେ ଏବେ ଆଉ ଶ୍ରମ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । ଶ୍ରମିକ ଭାଇଭଉଣୀମାନେ ଘରେ ବସି ମଧ୍ୟ ଉପରୋକ୍ତ ସେବା ପାଇପାରିବେ । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ରାଜ୍ୟ ଶ୍ରମ ନିର୍ଦ୍ଦେଶାଳୟ (www.labourdirectorate.odisha.gov.in) ଏବଂ କାରଖାନା ଓ ବାଞ୍ଚିତ୍ର ନିର୍ଦ୍ଦେଶାଳୟ (www.dfb.odisha.gov.in) ର ଦୁଇଟି ୱେବସାଇଟକୁ ମଧ୍ୟ ଲୋକାର୍ପଣ କରିଥିଲେ । ତତ୍ସହିତ ‘ଶ୍ରମ କଲ୍ୟାଣ’ ନାମକ ଏକ ବୁଲେଟିନ୍ ମଧ୍ୟ ଉନ୍ମୋଚିତ ହୋଇଥିଲା । ବିଭିନ୍ନ ଶ୍ରମିକ ଭାଇଭଉଣୀମାନଙ୍କୁ ବିଭାଗ ତରଫରୁ ମୁଖ୍ୟଅତିଥି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

 

ପୁଣି ବଢ଼ିଲା ସିଏନଜି ଦର, ମାସକରେ ବୃଦ୍ଧି ପାଇଲାଣି ୧୦ ଟଙ୍କା ୫୦ ପଇସା

ଭୁବନେଶ୍ୱର: ପୁଣି ବଢ଼ିଲା ସିଏନଜି ମୂଲ୍ୟ । କିଲୋଗ୍ରାମ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦର ବୃଦ୍ଧି ପରେ ଭୁବନେଶ୍ୱରରେ ସିଏନଜି କେଜି ପିଛା ୮୬ ଟଙ୍କା ୧୩ ପଇସାରୁ ୮୮ ଟଙ୍କା ୬୩ ପଇସାକୁ ବୃଦ୍ଧି ପାଇଛି । ମାସକରେ ସିଏନଜି ୩ ଥରରେ ୧୦ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଏପ୍ରିଲ ପହିଲାରେ ୩ ଟଙ୍କା ବୃଦ୍ଧି ପାଇଥିବାବେଳେ ୧୬ ତାରିଖରେ ୫ ଟଙ୍କା ଓ ଆଜି ପୁଣି କିଲୋ ପିଛା ୨ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ଦରବୃଦ୍ଧି ସାଙ୍ଗକୁ ସିଏନଜିର ଅଭାବ ଯୋଗୁଁ ଗାଡ଼ି ଚାଳକଙ୍କୁ ଖାସ କରି ଅଟୋ ଚାଳକ ଅସୁବିଧାରେ ପଡ଼ୁଛନ୍ତି । ଗେଲ୍ ଇଣ୍ଡିଆ କର୍ତ୍ତୃପକ୍ଷ ଗ୍ୟାସ ଯୋଗାଣରେ ବିଫଳ ହୋଇଛନ୍ତି । ଗ୍ୟାସ ଅଭାବ ଯୋଗୁଁ ପେଟ୍ରୋଲ ପମ୍ପରେ ଥିବା ଗ୍ୟାସ ଫିଲିଙ୍ଗ୍ ଷ୍ଟେସନରେ ଗାଡ଼ିଗୁଡିକର ଲମ୍ବା ଲାଇନ ଦେଖିବାକୁ ମିଳିଛି । ଭୁବନେଶ୍ୱରରେ ଥିବା ୭ଟି ଗ୍ୟାସ ଫିଲିଙ୍ଗ ଷ୍ଟେସନ ମଧ୍ୟରୁ ୪ଟି ବିଭିନ୍ନ କାରଣରୁ ବନ୍ଦ ଥିବା ବେଳେ ମାତ୍ର ୩ଟି ଚାଲୁରହିଛି । ଏଥିପାଇଁ ରାଜଧାନୀରେ ସିଏନଜି ଗ୍ୟାସର କୁତ୍ରିମ ଅଭାବ ସୃଷ୍ଟି ହୋଇଛି।