spot_img
Home Blog Page 4443

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ପୁରୀରେ ASI ଟିମ୍, ୯ ତାରିଖ ପୂର୍ବରୁ ଦାଖଲ ହେବ ରିପୋର୍ଟ

ପୁରୀ: ପୁରୀରେ ପହଞ୍ଚିଲା ASIର ତିନି ଜଣିଆ ଟିମ୍ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଧ୍ୟାନ ପାଇଁ ପହଞ୍ଚିଲା ASI ଟିମ୍‌ । ଏଏସଆଇର ଆଞ୍ଚଳିକ ନିର୍ଦ୍ଦେଶକ ଦିଲ୍ଲିପ ଖମାରୀ, ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ ପୁରୀରେ ପହଞ୍ଚି ଶ୍ରୀମନ୍ଦିର ଯାଇ ସମସ୍ତ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ପୁରୀ ଜିଲ୍ଲାପାଳଙ୍କ ସହିତ ପୂର୍ତ୍ତ ବିଭାଗ ଟିମ, OBCC ଓ କରିଡର ନିର୍ମାଣକାରୀ ସଂସ୍ଥା ମଧ୍ୟ ଉପସ୍ଥିତ ଅଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ ଟିମ୍ ଦ୍ୱାରା ଚାଲିଛି ସମୀକ୍ଷା । ଅନୁଧ୍ୟାନ କରିବା ପରେ ଆସନ୍ତା ୯ ତାରିଖ ପୂର୍ବରୁ ରିପୋର୍ଟ ଦାଖଲ କରିବ ASI ଟିମ୍ ।

ଟିମର ସଦସ୍ୟମାନେ ନିର୍ମାଣ କରାଯାଇଥିବା ପିଲର ଓ ତା’ର ମୋଟେଇ ଉଚ୍ଚତା, ଗଭୀରତା ତଥା ଏଥିରେ ବ୍ୟବହୃତ ସାମଗ୍ରୀ ଯାଞ୍ଚ କରିଛନ୍ତି । କରାଯାଇଥିବା ସମସ୍ତ ଯାଞ୍ଚ ପ୍ରକ୍ରିୟାର ଲିଖିତ ଭାବେ ସଂଗ୍ରହ କରାଯାଇଥିବା ବେଳେ ମେସିନ ମାଧ୍ୟମରେ ଯାଞ୍ଚ କରିଥିବା ପରିଲିକ୍ଷିତ ହୋଇଛି । ଟିମ୍, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହିତ ଭକ୍ତ ନିବାସରେ ଆଲୋଚନା କରିଥିବା ଦେଖିବାକୁ ମିଳିଥିଲା । ତେବେ ହାଇକୋର୍ଟରେ ରିପୋର୍ଟ ଦାଖଲ କରାଯିବାକୁ ଥିବାରୁ ଅନୁଧ୍ୟାନ ସମ୍ପର୍କରେ ଅଧିକ କିଛି ସୂଚନା ଦେଇନାହାଁନ୍ତି ASI ଅଧିକାରୀ ।

Sputnik-V ନେଇଥିବା ଲୋକଙ୍କୁ ଆଶ୍ବସ୍ତି, ପ୍ରିକସନ ଡୋଜ ଭାବେ ନେଇପାରିବେ ସମାନ ଟିକା

ନୂଆଦିଲ୍ଲୀ: ସ୍ପୁଟନିକ୍‌-ଭି ଟିକା ନେଇଥିବା ଲୋକଙ୍କ ପାଇଁ ଆଶ୍ୱସ୍ତି । ବୁଷ୍ଟର ଡୋଜକୁ ନେଇ ଥିବା ବିବାଦର ସମାଧାନ । ଯେଉଁମାନେ ଋଷ ନିର୍ମିତ ସ୍ପୁଟନିକ-ଭି ଟିକା ନେଇଛନ୍ତି ସେମାନେ ବୁଷ୍ଟର ଡୋଜ୍‌ ରୂପେ ମଧ୍ୟ ଏହି ଟିକାର ପ୍ରଥମ ଡୋଜ୍‌ ନେଇପାରିବେ । ଏଥିପାଇଁ ନ୍ୟାସନାଲ ଟେକ୍ନିକାଲ ଆଡଭଇଜରୀ ଗ୍ରୁପ୍ ସ୍ପୁଟନିକ ଟିକାକୁ ଅନୁମତି ଦେଇଛି । ସ୍ପୁଟନିକ ଟିକା ନେଇଥିବା ଲୋକମାନଙ୍କୁ ଏହି ଟିକାର ବୁଷ୍ଟର ଡୋଜ୍ ନେବା ପାଇଁ କୌଣସି ନୀତି ପ୍ରସ୍ତୁତ ହୋଇନଥିଲା । ଏହାପରେ ଏହି ଟିକା ନେଇଥିବା ଲୋକମାନଙ୍କ ପାଇଁ କେଉଁ ଟିକା ବୁଷ୍ଟର ଡୋଡ୍‌ ଭାବରେ ନିଆଯିବ ସେ ନେଇ ପ୍ରଶ୍ନ ଉଠିଥିଲା ।

୧୮ ବର୍ଷରୁ ଅଧିକ ବୟସ୍କମାନେ ଚାହିଁଲେ ଏପ୍ରିଲ ୧୦ ତାରିଖ ପରଠାରୁ ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକରେ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ । ଏହି ବୟସ ବର୍ଗରେ ଯେଉଁମାନେ ଦ୍ବିତୀୟ ଟିକା ନେବାର ୯ ମାସ ପୂରା କରିଛନ୍ତି ସେମାନେ ଯାଇ ବୁଷ୍ଟର ଡୋଜ୍ ନେଇପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ସ୍ପୁଟନିକ୍‌ ଭି ଟିକାର ପ୍ରଥମ ଓ ଦ୍ବିତୀୟ ଡୋଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ତାରତମ୍ୟ ଥିବା ଜଣାପଡ଼ିଛି ।

ଆଜିଠୁ ୩ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା: ଆଜିଠୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଆସନ୍ତା ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ୩ ମାସ ଯାଏ ପର୍ଯ୍ୟଟକଙ୍କ ପାଇଁ ଉଦ୍ୟାନ ବନ୍ଦ ରହିବ । କୁମ୍ଭୀରଙ୍କ ପ୍ରଜନନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଦୀର୍ଘ ତିନି ମାସ ଧରି ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିବ । ଏହି ସମୟରେ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହିତ ଅଣ୍ଡା ଦେବାକୁ ସ୍ଥଳଭାଗକୁ ଚାଲିଆସନ୍ତି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଜାତୀୟ ଉଦ୍ୟାନକୁ ୩ ମାସ ବନ୍ଦ ରଖାଯାଇଛି । ଆସନ୍ତା ଅଗଷ୍ଟ ୧ତାରିଖରୁ ପୁଣି ପର୍ଯ୍ୟଟନ ଭିତରକନିକା ଆସିପାରିବେ ବୋଲି ସୂଚନା ଦେଇଛନ୍ତି  ଭିତରକନିକା ଜାତୀୟ ଉଦ୍ୟାନ କର୍ତ୍ତୁପକ୍ଷ ।

ଆଜି ବିଶ୍ୱ ଶ୍ରମିକ ଦିବସ, ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ

ଭୁବନେଶ୍ୱର: ଆଜି ବିଶ୍ୱ ଶ୍ରମିକ ଦିବସ । ଶ୍ରମିକଙ୍କ ସଂଘର୍ଷମୟ ଇତିହାସର ସ୍ମରଣୀୟ ଦିନ । ୧୯୮୬ ମସିହାରୁ ମେ’ ପହିଲାକୁ ବିଶ୍ୱ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି । ଏକ ସମୟ ଥିଲା ବିଶ୍ୱରେ ପୁଞ୍ଜିପତିମାନେ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ । ନା ଥିଲା ସମୟ ନିର୍ଘଣ୍ଟ ନା ଥିଲା ନିର୍ଦ୍ଧିଷ୍ଟ ପ୍ରାପ୍ୟ । ଏହାକୁ ବିରୋଧ କରି ଆମେରିକାର ଶ୍ରମିକ ସଂଗଠନ ପ୍ରଥମେ ରାସ୍ତାକୁ ଓହ୍ଲାଇଥିଲା । ପରେ ଏହା ବିଶ୍ୱର ସମସ୍ତ ଶ୍ରମିକଙ୍କୁ ପ୍ରଭାବିତ କରିଥିଲା । ଆମେରିକାର ବାଲ୍ଲିମୋର ସହରରେ ୧୮୬୬ ମସିହା ଅଗଷ୍ଟ ୨୦ ତାରିଖରେ ୬୦ଟି ୟୁନିୟନର ପ୍ରତିନିଧିମାନେ ଏକତ୍ରିତ ହୋଇ ୮ ଘଣ୍ଟା ଶ୍ରମ ଦିବସ ପାଇଁ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବ ଗ୍ରହଣ କରିଥଲେ । ୮ ଘଣ୍ଟା କାର୍ଯ୍ୟ ସମୟ ଦାବିରୁ ଜନ୍ମ ନେଇଥିଲା ବିଶ୍ୱ ଶ୍ରମିକ ଦିବସ ।

ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ ବିଶ୍ୱ ଶ୍ରମଜୀବୀ ସମୁଦାୟର ଏହା ଥିଲା ପ୍ରଥମ ରାଜନୈତିକ ସଂଗ୍ରାମ । ଏହି ଦାବି ନେଇ ଧାରାବାହିକ ଆନ୍ଦୋଳନ ଆମେରିକାରେ ଚାଲିଲା । ଭାରତରେ ପ୍ରଥମେ ୧୯୨୩ ମସିହା ମେ’ ୧ ତାରିଖରେ ଚେନ୍ନାଇରେ ଶ୍ରମିକ ଦିବସ ପାଳନ କରାଯାଇଥିଲା । ଭାରତର ଲେବର କିଷାନ ପାର୍ଟି ଅଫ ହିନ୍ଦୁସ୍ଥାନ ମାଡ୍ରାସରେ ଶ୍ରମିକ ଦିବସ ପାଳନ କରିବା ଆରମ୍ଭ ହୋଇଥିଲା ।

ଆଜିଠୁ ରାଜ୍ୟରେ ବଦଳିଯିବ ପାଗ, ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବଦଳିଯିବ ପାଣିପାଗ । ତାତିରୁ ମିଳିବ ତ୍ରାହି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ହ୍ରାସ ପାଇବ । ସ୍ୱାଭାବିକଠାରୁ ୨ ଡିଗ୍ରୀ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ତାତିରୁ ଆଭ୍ୟନ୍ତରୀଣ ଓଡ଼ିଶାକୁ ମିଳିବନି ଆଶ୍ବସ୍ତି । ଆହୁରି ୪ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣରେ ଅସହ୍ୟ ତାତି ଜାରି ରହିବ ବୋଲି ସତର୍କତା ଜାରି ହୋଇଛି ।

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ବଢୁଛି ଭୟ । ୬ରେ ଦକ୍ଷିଣ ଆଣ୍ଡାମାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେବାର ଅଧିକ ସମ୍ଭାବନା ରହିଛି । ଏହା ୭ରେ ବାତ୍ୟାର ରୂପ ନେଇ ୧୦ ତାରିଖରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି । ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମରୁ ପୁରୀ ମଧ୍ୟରେ ଲ୍ୟାଣ୍ଡଫଲ ହେବାର ସମ୍ଭାବନା ରହିଛି । ବାତ୍ୟା ସମୟରେ ଘଣ୍ଟାପ୍ରତି ସର୍ବାଧିକ ଶହେ କିଲୋମିଟର ବେଗରେ ପବନ ସାଙ୍ଗକୁ ୬୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ବାତ୍ୟା ସୃଷ୍ଟି ନେଇ ଏବେ ପାଗ ଅନୁକୁଳ ରହିଛି । ସମୁଦ୍ରର ତାପମାନ ସହ ବାୟୁମଣ୍ଡଳରେ ଆଦ୍ରତା ରହିଛି । କିନ୍ତୁ ଲଘୁଚାପ ପରେ ହିଁ ଚିତ୍ର ସ୍ପଷ୍ଟ ହେବ ।

ଆମ୍ବୁଲାନ୍ସକୁ ଧକ୍କା ଦେଲା ଟ୍ରକ, ୩ ମୃତ, ୨ ଗୁରୁତର

ଚଣ୍ଡିଖୋଲ: ଚଣ୍ଡିଖୋଲ ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଟାୟାର ଫାଟିଯିବାରୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ  । ଘଟଣାସ୍ଥଳରେ ଆମ୍ବୁଲାନ୍ସରେ ଥିବା ୩ ଜଣଙ୍କ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ମୃତକଙ୍କ ପରିଚୟ ମିଳିନାହିଁ । ଆମ୍ବୁଲାନ୍ସଟି କଟକ ଅଭିମୁଖେ ଯାଉଥିବା ବେଳେ ଆଗରେ ଯାଉଥିବା ଟ୍ରକର ଟାୟାର ଫାଟି ଯାଇଥିଲା । ଫଳରେ ଟ୍ରକ ପଛରେ ଯାଉଥିବା ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଟ୍ରକକୁ ଧକ୍କା ଦେଇଥିଲା । ଆମ୍ବୁଲାନ୍ସରେ ରୋଗୀଙ୍କ ସହ ଆମ୍ବୁଲାନ୍ସ ଡ୍ରାଇଭର ଓ ସହକର୍ମୀଙ୍କ ମୃତ୍ୟୁ ହୋଇଛି । ରୋଗୀଙ୍କ ସମ୍ପର୍କୀୟ ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ବଡ଼ଚଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପ୍ରେମରେ ସଫଳ ହେବେ ଏହି ରାଶିର ବ୍ୟକ୍ତି

ମେଷ : ରବିବାର ମନ ପ୍ରସନ୍ନ ରହିବା ସହ ଜୀବନସାଥୀଙ୍କ ସହ ପ୍ରେମ ସମ୍ପର୍କ ଅତ୍ୟନ୍ତ ଭଲ ରହିବ । ଆଜିର ଦିନରେ ଜୀବନସାଥୀଙ୍କ ସହ ଭଲ ବୁଝାମଣା ରହିବ । ଉଭୟ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିପାରନ୍ତି ।
ବୃଷ : ଉଭୟ ସଂଯମତାର ସହ ଆଗକୁ ବଢ଼ନ୍ତୁ । ଜୀବନରେ କଷ୍ଟ ବଢ଼ିପାରେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କଠୋର ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ । ସନ୍ତାନ ସମ୍ୱନ୍ଧିତ କିମ୍ୱା କୌଣସି ଭ୍ରମଣ କରିବାକୁ ଯାଇପାରନ୍ତି । ଜୀବନସାଥୀଙ୍କ ସହ ମତଭେଦ ଦେଖାଦେଇପାରେ । ସଂଯମତାର ସହ କାର୍ଯ୍ୟ କରନ୍ତୁ ।
ମିଥୁନ : ଆପଣଙ୍କ ପ୍ରେମ ଜୀବନ ସୁଖମୟ ରହିବ । ସପ୍ତାହ ଆରମ୍ଭରେ ଆପଣଙ୍କୁ ସକାରାତ୍ମକ ଖବର ମିଳିପାରେ । ଆପଣଙ୍କ ଜୀବନସାଥୀଙ୍କ ସହ ଭଲ ସମ୍ପର୍କ ବଜାୟ ରହିବ । ଏଥିସହ ଉଭୟ ପରସ୍ପର ସହ ସମୟ ଅତିବାହିତ କରିବେ ।
କର୍କଟ : କୌଣସି ବୟସ୍କ ବ୍ୟକ୍ତିଙ୍କୁ ନେଇ ଅଧିକ ଚିନ୍ତାରେ ରହିପାରନ୍ତି । ଏଥିପାଇଁ ପ୍ରେମରେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହେବ । ଉଭୟ ସଂଯମତା ରକ୍ଷା କରି ଆଗକୁ ବଢ଼ନ୍ତୁ । ଧିରସ୍ଥିର ମନରେ ନିଷ୍ପତ୍ତି ନିଅନ୍ତୁ । ନଚେତ୍ ପରେ କୌଣସି ଅସୁବିଧା ଉପୁଜିପାରେ । ଅନ୍ୟ ବ୍ୟକ୍ତି ଆପଣଙ୍କୁ ଠକି ପାରନ୍ତି । ସାବଧାନ ଏବଂ ସତର୍କ ରୁହନ୍ତୁ ।
ସିଂହ : ପ୍ରେମ ସମ୍ୱନ୍ଧୀୟ କୌଣସି କଥାକୁ ନେଇ ଅସୁରକ୍ଷିତ ଅନୁଭବ କରିପାରନ୍ତି । କୌଣସି ଅଶୁଭ ଖବର ମିଳିପାରେ । ଏଥିପାଇଁ ଆପଣ ଚିନ୍ତିତ ରହିପାରନ୍ତି । ଜୀବନରେ ଧିରେ ଧିରେ ସୁଧାର ଆସିପାରେ ।
କନ୍ୟା : ପ୍ରେମ ସମ୍ବନ୍ଧକୁ ନେଇ ଚିନ୍ତିତ ହୋଇପାରନ୍ତି । ଜୀବନସାଥୀଙ୍କ ସହ କୌଣସି କଥା ନେଇ କଳହ ଦେଖାଦେଇପାରେ । କୌଣସି ଅନ୍ୟ ମହିଳାଙ୍କ ପାଇଁ ଆପଣଙ୍କ ମଧ୍ୟରେ ମତଭେଦ ଦେଖାଦେଇପାରେ । କୌଣସି କଥାକୁ ନେଇ ଚିନ୍ତିତ ରହିବେ । ପ୍ରତିକୂଳ ପରିସ୍ଥିତି ଦେଖାଦେବ ।
ତୁଳା : ପ୍ରେମ ଜୀବନ ପାଇଁ ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ । ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଦୃଢ଼ ରହିବ । ଉଭୟ ପ୍ରେମୀଯୁଗଳ ଭବିଷ୍ୟତକୁ ନେଇ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି ।
ବିଛା : ଆଜିର ଦିନରେ ସକାରାତ୍ମକ ଖବର ଆସିପାରେ । ମନ ପ୍ରସନ୍ନ ରହିବ । କୌଣସି ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇପାରନ୍ତି ।
ଧନୁ : ପ୍ରେମ ସମ୍ବନ୍ଧକୁ ନେଇ ବ୍ୟାକୁଳ ହୋଇପାରନ୍ତି । କୌଣସି ପରିସ୍ଥିତିକୁ ଧୈର୍ଯ୍ୟ ଏବଂ ସାହସର ସହ ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ନିଜ ଜୀବନସାଥୀଙ୍କ ସହ ଭଲ ସମୟ ଅତିବାହିତ କରିବେ ।
ମକର : ପ୍ରେମ ଜୀବନ ସୁଖଶାନ୍ତିରେ ଭରପୁର ରହିବ । ଉଭୟଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବା ସହ ନିବିଡ଼ ହେବ । ମନ ପ୍ରସନ୍ନ ରହିବ ।
କୁମ୍ଭ : ପ୍ରେମ ସମ୍ବନ୍ଧ ଅନୁକୂଳ ରହିବ ଏଥିସହ ରୋମାଣ୍ଟିକ ହେବ । ନିଜ ଇଚ୍ଛା ମୁତାବକ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଏଥିପାଇଁ ମନ ପ୍ରସନ୍ନ ରହିବ । ଅନେକ ଜଟିଳ ପରିସ୍ଥିତିର ସାମନା କରିପାରନ୍ତି । କେବଳ ଏତିକି ନୁହେଁ ଜୀବନସାଥୀଙ୍କ ସହ କଳହ ଉପୁଜିପାରେ ।
ମୀନ : ପ୍ରେମ ଜୀବନରେ ଆପଣ ବ୍ୟସ୍ତ ରହିବେ । ସୁଖ ପ୍ରାପ୍ତି ହେବ । ପ୍ରେମ ସମ୍ବନ୍ଧ ପାଇଁ ଆଜିର ଦିନଟି ଶୁଭ । ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିପାରେ । ସମସ୍ୟା ଦେଖାଦେଇପାରେ । ଏହାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ ।

ବାଲେଶ୍ୱରରେ ପ୍ରତିଷ୍ଠା ହେବ ରିଜର୍ଭ ବ୍ୟାଙ୍କର ଟଙ୍କା ଛାପା କାରଖାନା

ବାଲେଶ୍ୱର: ବାଲେଶ୍ବରରେ ପ୍ରତିଷ୍ଠା ହେବ ରିଜର୍ଭ ବ୍ୟାଙ୍କର ଟଙ୍କା ଛାପା କାରଖାନା । ଏହି ପ୍ରକଳ୍ପ ପ୍ରତିଷ୍ଠା ହେଲେ ବାଲେଶ୍ୱର ଜିଲ୍ଲାରେ ଟଙ୍କା ତିଆରି ହେବା ସହିତ ସ୍ଥାନୀୟ ଲୋକଙ୍କୁ ମିଳିବ ନିଯୁକ୍ତ ସୁଯୋଗ । ପ୍ରକଳ୍ପ ପାଇଁ ଆବଶ୍ୟକ ଶହେ ଏକରରୁ ଅଧିକ ଜମି ଓ ସ୍ଥାନ ନିରୂପଣ ପାଇଁ ରିଜର୍ଭ ବ୍ୟାଙ୍କର ଏକ ପ୍ରତିନିଧି ଦଳ ବାଲେଶ୍ୱର ଜିଲ୍ଲା ଗସ୍ତ କରିଛନ୍ତି ।

RBI To Establish Note Printing Press In Balasore

ରେମୁଣା ତହସିଲ ଅନ୍ତର୍ଗତ ସେରଗଡ଼, ପଦାବଡ଼ଗାଁ, ନରହରିପୁର ରାଜସ୍ୱ ଗ୍ରାମର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହିତ ପ୍ରଶାସନିକ ସ୍ତରରେ ଆଲୋଚନା କରିଛନ୍ତି । ପ୍ରସ୍ତାବିତ ସ୍ଥାନକୁ ଯାତାୟତ ସୁବିଧା, ପାରିପାର୍ଶ୍ୱିକ ପରିବେଶ ପ୍ରଭୃତି ବିଷୟରେ ପ୍ରତିନିଧି ଦଳ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଟିମ୍‌ ସହିତ ବାଲେଶ୍ୱର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର ଉପସ୍ଥିତ ଥିଲେ ।

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଏଣିକି ବଜାରରେ ମିଳିବ କେବଳ ହଲମାର୍କିଂ ସୁନା ଅଳଙ୍କାର । ୩୨ଟି ନୂଆ ଜିଲ୍ଲା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ବିଜ୍ଞପ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ପହିଲାରୁ ୨୦, ୨୩ ଓ ୨୪ କ୍ୟାରେଟ୍ ସୁନା ଅଳଙ୍କାର ଉପରେ ଲାଗୁ ହେବ । ଏଏଚସି ଅଧିନରେ ୩୨ଟି ନୂଆ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ।

ବିଆଇଏସର ୱେବସାଇଟ୍ www.bis,gov.inରେ ତାଲିକା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ଏନେଇ ୨୦୨୨ ଏପ୍ରିଲ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୩ ଜୁନ୍ ୨୦୨୧ ଠାରୁ ଦେଶର ୨୫୬ଟି ଜିଲ୍ଲାରେ ଭାରତୀୟ ମାନକ ବ୍ୟୁରୋ ଦ୍ୱାରା ବାଧ୍ୟତାମୂଳକ ବିଆଇଏସ୍ ହଲମାର୍କିଂକୁ ସଫଳତା ପୂର୍ବକ କାର୍ଯକାରୀ କରାଯାଇଛି । ଏଥିରେ ଦୈନିକ ଏଚୟୁଆଇଡିରେ ୩ ଲକ୍ଷରୁ ଅଧକି ସୁନା ଉପକରଣକୁ ହଲମାର୍କ କରାଯାଉଛି ।

ଏଏଚସି ସାଧାରଣ ଗ୍ରାହକଙ୍କ ସୁନା ଅଳଙ୍କାରକୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରି ଏକ ଟେଷ୍ଟ ରିପୋର୍ଟ ଦେବ । ଏହି ରିପୋର୍ଟ ଗ୍ରାହକଙ୍କୁ ଅଳଙ୍କାରର ଶୁଦ୍ଧତା ନେଇ ସୁନିଶ୍ଚିତ କରିବ । ୪ ଗୋଟି ସୁନା ଅଳଙ୍କାର ପାଇଁ ୨ ଶହ ଟଙ୍କା ଶୁଳ୍କ ନିଆଯିବ । ୫ରୁ ଅଧିକ ସୁନା ଅଳଙ୍କାର ଓ ସାମଗ୍ରୀ ପାଇଁ ପ୍ରତି ଅଳଙ୍କାର ପିଛା ୪୫ ଟଙ୍କା ଦେବାକୁ ପଡ଼ିବ ।

ଗଛ ଲଗାଇ ଜନ୍ମଦିନର ଅଭିନନ୍ଦନ ଜଣାଇବାକୁ ଅନୁରୋଧ

ଭୁବନେଶ୍ୱର: ମେ ୧ରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ୍, ପରିବେଶବିତ୍ ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଜନ୍ମଦିନ । ତାଙ୍କ ଜନ୍ମଦିନରେ ପ୍ରତ୍ୟେକ ଶୁଭେଚ୍ଛୁ, ପ୍ରେରଣା ଗ୍ରୀନ୍ ଆର୍ମିର ସଦସ୍ୟ, ବୃକ୍ଷପ୍ରେମୀମାନେ ତାଙ୍କୁ କୌଣସି ଉପହାର, ଫୁଲତୋଡ଼ା ନଦେଇ ନିଜ ନିଜ ଅଞ୍ଚଳରେ ହଛଟିଏ ଲଗାଇଲେ କିମ୍ବା ଗଛଟିଏ ଦାନ କଲେ କିମ୍ବା ପ୍ରଚଣ୍ଡ ଖରାରେ ଅସ୍ତବ୍ୟସ୍ତ ହେଉଥିବା ପଶୁପକ୍ଷୀଙ୍କ ପାଇଁ ନିଜ ଦୁଆରେ କିମ୍ବା ଗଛମୂଳରେ ପାଣିପାତ୍ରଟିଏ ରଖିଲେ ଜନ୍ମଦିନରେ ଶ୍ରେଷ୍ଠ ଉପହାର ହେବ ବୋଲି କହିଛନ୍ତି ଶ୍ରୀଚନ୍ଦନ ।

ଏବେ ଉତ୍ତାପ ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ପରିବେଶ ପ୍ରଦୂଷଣ ଆଦି ସମସ୍ୟା ପୃଥିବୀ ପୃଷ୍ଠରେ ପ୍ରାକୃତିକ ବିପର୍ଯ୍ୟୟ, ସାମୁଦ୍ରିକ ଝଡ଼ ଆଦି ସୃଷ୍ଟି କରି ଜୀବଜଗତ ପ୍ରତି ବିରାଟ ବିପଦ ଭାବେ ଉଭା ହୋଇଛି । ତେଣୁ ପୃଥିବୀ ମା’କୁ ସୁରକ୍ଷିତ ରଖିବା ପାଇଁ ଜନ୍ମଦିନରେ ଗୋଟିଏ ଗୋଟିଏ ଗଛ ଲଗାଇବା ଶ୍ରେଷ୍ଠ ଉପହାର ଓ ଅଭିନନ୍ଦନ ହେବ ବୋଲି ନିବେଦନ କରିଛନ୍ତି ଦିଲ୍ଲୀପ ଶ୍ରୀଚନ୍ଦନ ।